#ପଣ୍ଡୁ_ପୂର୍ଣ୍ଣିମାରେ_ପଣ୍ଡୁ_ନୃସିଂହ_ବିଜେ 29.12.20
ମାର୍ଗଶୀର ଶୁକ୍ଳ  ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ବିଜେ କରିଥାନ୍ତି। ଏହି ଦିନ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସ୍କନ୍ଧ ରେ  ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ , ଅଙ୍ଗିରା , କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥାନ୍ତି। 
୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ନୃସିଂହ ବିଜେ ସମୟରେ ସହର ର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି।

*ପଣ୍ଡୁ ଓଷା*
🔱🛑   🌷🕉 🌷  🛑🔱

ଦିବସ- ମାର୍ଗଶୀର ପୂର୍ଣ୍ଣିମା

ଓଡ଼ିଶାରେ ହିନ୍ଦୁପରମ୍ପରାରେ ପାଳନ କରାଯାଉଥିବା ଓଷାବ୍ରତମାନଙ୍କ ମଧ୍ୟରୁ ପଣ୍ଡୁ ଓଷା ଅନ୍ୟତମ । ଏହି ଓଷା ପାଳନକୁ ନେଇ ଅନେକ କଥା ଶୁଣାଯାଏ । କେହି କେହି ମତ ଦିଅନ୍ତି ଯେ ମାର୍ଗଶୀର ପୂର୍ଣ୍ଣିମା ଦିନ ବ୍ୟାସଙ୍କ ବୀର୍ଯ୍ୟରୁ ଅମ୍ବାଙ୍କ ଗର୍ଭରୁ ପଣ୍ଡୁ ଜନ୍ମ ନେଇଥିଲେ ବୋଲି ପଣ୍ଡୁଙ୍କ ଅର୍ଥରୁ ପଣ୍ଡୁଓଷା ସ୍ତ୍ରୀମାନେ ପାଳନ କରନ୍ତି । ପଣ୍ଡୁଙ୍କ ନାମାନୁସାରେ ମାର୍ଗଶୀର ପୂର୍ଣ୍ଣିମା କୁ କେଉଁଠି ପଣ୍ଡୁ ପୂର୍ଣ୍ଣିମା କୁହାଯାଏ । ଭିନ୍ନମତରେ ହେମନ୍ତ ଋତୁ ପରେ ଏହି ସମୟରେ ଶୀତ ପ୍ରବେଶ କରିଥାଏ । ସକାଳୁ ସକାଳୁ କୁହୁଡ଼ିର ବିଜେ ହେତୁ ସର୍ବତ୍ର ଫିକାଧଳା ବା ପଣ୍ଡୁର ବର୍ଣ୍ଣ ଦିଶୁଥାଏ । ଏହା କେଉଁଠି ପୂର୍ଣ୍ଣିମା ଓ ପଣ୍ଡୁ ଓଷା ସହ ସଂପର୍କିତ ବୋଲି ଲୋକ କୁହନ୍ତି । ଲୋକ ଗୀତରେ ଅଛି :
ଅଇଲା ପଣ୍ଡୁ ମଲେମଶା, ଫାଟୁଆ ଦେଲେ ମୁରୁକି ହସା କୁହୁଡ଼ି ହେଉଚି ମଶାଙ୍କର ଯମ । ଅନ୍ୟପକ୍ଷରେ ଶୀତ ପଡ଼ିଲେ ଗୋଡ଼ଫାଟେ ।
ପ୍ରଚଳିତ ଲୋକ କଥାରୁ ଜଣାପଡ଼େ ଏହା ମୁଖ୍ୟତଃ ଯମରାଜାଙ୍କର ପୂଜା । ଯମଙ୍କର ପୂଜାକଲେ ଅପୁତ୍ରିକ ନାରୀମାନଙ୍କ ପୁତ୍ର ସନ୍ତାନ ଲାଭକରିଛନ୍ତିି । ସେ ପୁତ୍ର ମଧ୍ୟ ଦୀର୍ଘଜୀବୀ ହୁଏ । ଓଷାବହିରେ ଲେଖାଅଛି :
ଯମରାଜା ବୋଇଲେରେ ଶୁଣ କୁମାର
ମୋ ବ୍ରତ ନକଲେ, ବାନ୍ଧି ଆଣିବି ସତ୍ୱର
ଏନେଇ ଏକ କାହାଣୀ ଅଛି । ଏକଦା ଜମ୍ବୁଦୀପର ରାଜା ସବୁସତ୍ତେବ ନିଃସନ୍ତାନ ଥିଲେ । ଥରେ ସକାଳୁ ସକାଳୁ ଗୋଟେ ହାଡ଼ିଆଣୀ ତାଙ୍କ ମୁହଁ ଦେଖି ମନ୍ତବ୍ୟଟିଏ ଦେଲା: କି ହେଲାରେ, ସକାଳୁ ସକାଳୁ ଗୋଟେ ଅପୁତ୍ରିକର ମୁର୍ହ ଚାହିଁ ଦେଲି । ଭଲା ଆଜି ଦିନଟା କଟିବ କେମିତି ? ଏହା ରାଜାଙ୍କୁ ବହୁତ ବାଧିଲା । ସେ ମନ୍ତ୍ରୀଙ୍କୁ ରାଜ୍ୟଭାର ସମର୍ପି ଦେଇ ପୁତ୍ରଟିଏ ପାଇଁ ତପସ୍ୟା କରିବାକୁ ରାଣୀଙ୍କୁ ଧରି ବନବାସୀ ହେଲେ । ବନ ମଧ୍ୟରେ ଥରେ କିଛି ନାରୀ ପଣ୍ଡୁ ଓଷା କରୁଥିବାର ଦେଖିଲେ ଏବଂ ତାଙ୍କଠୁ ଏ ଓଷାର ମହିମା ଜାଣିବାକୁ ପାଇଲେ । ସେ ଏ ଓଷାକଲେ ଓ ଅବିଳମ୍ବେ ପୁତ୍ର ସନ୍ତାନଟିଏ ଲାଭ କଲେ । ରାଜ୍ୟ ଫେରିଲେ । ସୁଖରେ ରାଜୁତି କଲେ । ହେଲେ ରାଣୀ ପଣ୍ଡୁ ଓଷା କରିବା ଭୁଲିଗଲେ । ଏତେ ବେଳକୁ ପୁତ୍ରଟି ଯୁବକ ପାଲଟି ଗଲାଣି । ଭାରି ସୁନ୍ଦର ଦିଶୁଥାଏ । ହେଲେ ଯମକୁ ରାଜାରାଣୀ ଅବଜ୍ଞା କରିଥିବାରୁ ସେ ତାଙ୍କୁ ବାନ୍ଧିକି ଯମପୁର ନେଇଗଲେ । ଯମକ ମା’ ଯମକୁ ପ୍ରଶ୍ନ କଲେ ଯେ ସେ କାହିଁକି ତାଙ୍କୁ ବୃଦ୍ଧ ବୟସ ପାଏଁ ବଂଚିବାକୁ ନଦେଇ ଯୁବାରୁ ନେଇ ଆସିଲା । ସେ ତାକୁ ଛାଡ଼ି ଦେବାକୁ କହିଲେ ଏବଂ ଅମର ବର ଦେଇଦେଲେ । ଅସଲକଥା ହେଲା ନିଜ ପୁଅର ପିତା-ମାତା ଅବଜ୍ଞାକାରଣରୁ ବାନ୍ଧି ଆଣିଥିବା କଥାଟି କହିଲେ ନାହିଁ । କହିଥିଲେ ବା ମା’ କ’ଣ ଗୋଟେ ଭିନ୍ନ ଉପାୟ ଚିନ୍ତିଥାନ୍ତେ । ତେବେ ଯୁବକକୁ ମା’ ବରଦେଲା ପରେ ସେ ସୂଚାଇ ଦେଲେ ଯେ :
ମାନସିକ ପୂଜା ରାଜା ନ ଦେବାରୁ ମୋତେ
ପୁତ୍ର ତାହାର ଲୁଚାଇ ଆଣିଛି ଗୁପତେ ।
ଅମରବର ତାକୁ ଦେଇ ଦେଲୁ କେହ୍ନେ
ମୋର ପୂଜା ନକରିବେ ଆଉ କେହି ଜନେ
ଏକଥା ଶୁଣି ଯମଙ୍କ ମା’ ଯୁବକଟିକୁ କହିଲେ : ତୁ ଫେରି ମୋପୁତ୍ରର ପୂଜା ମହତ୍ୱ ସମସ୍ତଙ୍କୁ କହିବୁ ।
ଯମ ସେ ରାଜପୁତ୍ରକୁ ଆଣି ଯଥାସ୍ଥାନରେ ଛାଡ଼ିଲା । ପୁଣି ତା’ ପିତାମାତା ଯମ ପୂଜା ବା ପଣ୍ଡୁଓଷା ଆରମ୍ଭ କଲେ ଏବଂ ସେବେଠୁ ସର୍ବତ୍ର ଚାଲିଛି ପଣ୍ଡୁଓଷା ।
ଏହି ବ୍ରତ ପାଳନର ନିର୍ଦ୍ଦିଷ୍ଟ ବିଧିଅଛି । ଏଥିପାଇଁ ଗୃହ ଚଟାଣକୁ ଗୋବରରେ ଚିକ୍‌କଣ କରି ଲିପାଯାଏ । ଚିତା ଓ ମୁରୁଜ ତହିଁ ପରେ ପକାଯାଏ । ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷକରି ପୁରୋହିତଙ୍କ ଦ୍ୱାରା ଯମରାଜାଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ ।
ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡାପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢ଼ିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହା ସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁ ଓଷା ଏକ ନିଷ୍ଠାର ବ୍ରତ । ନାରୀଜାତି ବିଶେଷକରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ପ୍ରତିଟି ମା’ ସନ୍ତାନ ପ୍ରାପ୍ତି ହେଲେ, ସେ ମାତୃତ୍ୱର ଗୌରବ ପ୍ରାପ୍ତି ହୁଏ ଅଥଚ ପୁତ୍ର ସନ୍ତାନଟିଏ ନହେଲେ ସେ ନିଜକୁ ହତଭାଗିନୀ ମନେକରେ । କାରଣ ତାହାରି ବାହୁତଳେ ଜୀବନର ଶେଷ ଅସହାୟ ମୁହୂର୍ତ୍ତମାନ କଟେ । ପୁନଶ୍ଚ ଶ୍ରାଦ୍ଧତର୍ପଣ ଫଳରେ ସେ ତା’ର ମୋକ୍ଷମାର୍ଗ ପରିଷ୍କାର କରେ । ଏଣୁ ପୁତ୍ର ସନ୍ତାନଟିଏ ଲାଭ ପାଇଁ ସେ ଏତେ ବ୍ୟାକୁଳ ହେତୁ ପଣ୍ଡୁଓଷା କରେ ।

🍀🌻☘️🌻☘️🌻☘️🌻☘️
Jayjagannathgroup.com 
Jayjagannath.com 
🙏💓💓🕉️💓💓🙏

Post a Comment

Previous Post Next Post