#ଶ୍ରୀମନ୍ଦିରରେ_ନେପାଳ_ନରପତିଙ୍କ_ସ୍ବତନ୍ତ୍ର_ସମ୍ମାନ🌹
        ଅପେକ୍ଷାକୃତ ଆକାରରେ ଆମ ଓଡ଼ିଶାଠାରୁ କ୍ଷୁଦ୍ର ଓ ଲୋକସଂଖ୍ୟାରେ କମ୍ ହେଲେ ହେଁ ନେପାଳ ନିକଟ ଅତୀତରେ ଏକମାତ୍ର ହିନ୍ଦୁ ରାଜ୍ୟ ଭାବରେ ସାରା ବିଶ୍ବରେ ପରିଚିତ ଥିଲା। ପୃଥିବୀର ଉଚ୍ଚତମ ରାଷ୍ଟ୍ରଦ୍ବୟ ଚୀନ ଓ ଭାରତ ସୀମାରେ ଏହାର ଅବସ୍ଥିତି ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ନେପାଳ ଓ ଭାରତ ମଧ୍ୟରେ ଐତିହାସିକ, ରାଜନୈତିକ, ଅର୍ଥନୈତିକ ଓ ସର୍ବୋପରି ସାଂସ୍କୃତିକ ସଂପର୍କ ବହୁ ପ୍ରାଚୀନ ଓ ଅନ୍ତରଙ୍ଗ। ଭାଷା ସାହିତ୍ୟ, ଧର୍ମଧାରଣା, ଶିକ୍ଷାଦୀକ୍ଷା, ଶିଳ୍ପ, କୃଷି ଆଦି କ୍ଷେତ୍ରରେ ନେପାଳ ଭାରତ ଉପରେ ନିର୍ଭରଶୀଳ। ଭାରତ ସାମ୍ବିଧାନିକ ଦୃଷ୍ଟିରୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଲେ ହେଁ ନେପାଳ ଥିଲା ଏକ ହିନ୍ଦୁବହୁଳ ଦେଶ ଏବଂ ସମଗ୍ର ବିଶ୍ଵରେ ସର୍ବାଧିକ ହିନ୍ଦୁ ବାସ କରୁଥିବା ଭୂଖଣ୍ଡ। ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ଭାରତ ଓ ନେପାଳ ମଧ୍ୟରେ ଅତୀତ ଘନିଷ୍ଠ ସମ୍ପର୍କ।କ୍ଷୁଦ୍ର ହେଲେ ସୁଦ୍ଧା ନେପାଳ ଏକ ସ୍ବାଧୀନ ସାର୍ବଭୌମ ରାଷ୍ଟ୍ର। ବିଭିନ୍ନ କ୍ଷେତ୍ରରେ ଏହା ଅନୁନ୍ନତ ଓ ବିକାଶଶୀଳ। ବିଗତ କେତେବର୍ଷ  ହେଲା ନେପାଳରେ ରାଜନୈତିକ ଘନଘଟା ଓ ଅସ୍ଥିରତା ଯୋଗୁଁ ଯୁଗଯୁଗ ଧରି ଗଢି ଉଠିଥିବା ସମ୍ପର୍କରେ କେତେକ ବାଧାବିଘ୍ନ ପହଞ୍ଚିଲେ ସୁଦ୍ଧା ପାରସ୍ପରିକ ସମ୍ବନ୍ଧ ଘନିଷ୍ଠ ଉଭୟ ଦେଶର ମଙ୍ଗଳ ଦୃଷ୍ଟିରୁ ଏକାନ୍ତ ଅପରିହାର୍ଯ୍ୟ।

      ଆୟତନ ଦୃଷ୍ଟିରୁ ନେପାଳ ୧୪୬,୧୮୧ବର୍ଗ କିଲୋମିଟର ହେଲାବେଳେ ଓଡ଼ିଶାର ଆୟତନ ୧୫,୭୦୭ ବର୍ଗ କିଲୋମିଟର।ସେମିତି ଲୋକସଂଖ୍ୟା ଦୃଷ୍ଟିରୁ ନେପାଳର ୨୮,୨୮୭,୧୪୭ ହେଲାବେଳେ ଓଡ଼ିଶାର ମୋଟ ଲୋକସଂଖ୍ୟା ୩୬,୮୦୪,୬୬୦ ଅର୍ଥାତ୍ ନେପାଳର ଲୋକସଂଖ୍ୟା ୨୬ଲକ୍ଷ ହେଲାବେଳେ ଓଡ଼ିଶାର ୩ କୋଟି ୭୦ଲକ୍ଷ। ଅଥଚ ନେପାଳର ନରପତି କେଉଁ କାଳରୁ ଓଡ଼ିଶା ତଥା ଭାରତ ଏମିତିକି ସମଗ୍ର ହିନ୍ଦୁ ଜଗତର ପରମ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସେବାପୂଜା ପଦ୍ଧତିରେ ଶ୍ରେଷ୍ଠ ସମ୍ମାନ ଲାଭ କରିଛନ୍ତି। ଏହିପରି ମାନ୍ୟତା ପରମ୍ପରା କ୍ରମେ ଲାଭ କରିଥିବାରୁ ନେପାଳ ରାଜା ଶ୍ରୀମନ୍ଦିର ରତ୍ନବେଦିରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରିଥାନ୍ତି। କେଉଁ କାରଣରୁ ନେପାଳ ନୃପତି ଏହି ସ୍ବତନ୍ତ୍ର ସମ୍ମାନ ଶ୍ରୀମନ୍ଦିର ମଧ୍ୟରେ ଲାଭ କରିଛନ୍ତି, ଏଠାରେ ତାହା ଉଲ୍ଲେଖ କରାଯାଉଛି।
        
     ବିଭିନ୍ନ ରାଜ୍ୟର ରାଜନ୍ୟବର୍ଗ ଆସି ପୁରୀ ଶ୍ରୀମନ୍ଦିର ମଧ୍ୟରେ ସମ୍ମାନିତ ହୁଅନ୍ତି ଏବଂ ଉପଯୁକ୍ତ ମାନ୍ୟତାର ସହ ସେମାନେ ଜୀଉମାନଙ୍କର ପୂଜା ଆରାଧନା କରିଯାନ୍ତି।ସେମାନେ ମଧ୍ୟ ଠାକୁର ଓ ବ୍ରାହ୍ମଣମାନଙ୍କୁ କିଛି ଦାନ ଦକ୍ଷିଣା ଦେଇଥାନ୍ତି।ଏବେମଧ୍ୟ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ କେତେ ଅମୂଲ୍ୟ ଧନରତ୍ନ ଓ ମଣିମୁକ୍ତା ଭର୍ତ୍ତି ହୋଇ ରହିଛି,ତାର କଳନା କରିବା ସମ୍ଭବ ନୁହେଁ। ନେପାଳ ନରପତି ସେହିପରି କ'ଣ ସାହାଯ୍ୟ କରିଛନ୍ତି କିମ୍ବା ଦାମୀ ଉପହାର ଦେଇଛନ୍ତି କି?

        କଥିତ ଅଛି ପ୍ରଥମ #ଯଯାତିକେଶରୀ ବା ମହାଶିବ ଗୁପ୍ତ ଶ୍ରୀମନ୍ଦିରକୁ ଦ୍ବିତୀୟଥର ନିର୍ମାଣ କରିଥିଲେ। ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ମାଦଳାପାଞ୍ଜିରୁ ସ୍ପଷ୍ଟ ହୁଏ ଯେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନେପାଳ #ନରପତିଶଙ୍କର ଦେବଙ୍କ ପାଖକୁ ଭାରତୀ ଆଚାର୍ଯ୍ୟଙ୍କୁ ପଠାଗଲା। ସେଠାରୁ ଦୁଇଟି ଦୁର୍ଲ୍ଲଭ ଶାଳଗ୍ରାମ ସଂଗ୍ରହ କରାଯାଇ ବିଶେଷ ସେବାପୂଜା ପରେ ରତ୍ନମଣ୍ଡପ ଉପରେ ସ୍ଥାପିତ ହୋଇଥିଲେ। ଶଙ୍କରାଚାର୍ଯ୍ୟଙ୍କ ମତରେ ମହାଦେବଙ୍କୁ ଶିଳାଭଦ୍ର, ଶିବପତ୍ନୀ #ଯୋଗମାୟାଙ୍କୁ ସୁଭଦ୍ରା ଓ ପୁରୁଷୋତ୍ତମଙ୍କୁ ଶ୍ରୀଜଗନ୍ନାଥ ରୂପେ ସେଠାରେ ପୂଜା ପାଇଲେ। ଏମାନଙ୍କ ବ୍ୟତୀତ ଶ୍ରୀକୃଷ୍ଣଙ୍କ ଆୟୂଧ ସୁଦର୍ଶନଚକ୍ର ସୁଦର୍ଶନ ଦେବ ନାମରେ ସେଠାରେ ପୂଜିତ ହେଲେ।ଦୁଇଟି ମହାର୍ଘ୍ୟ ତଥା ଦୁର୍ଲ୍ଲଭ ବୈଷ୍ଣବ ସନ୍ତକ ସ୍ବରୂପ ବିଷ୍ଣୁଶିଳା (ଶାଳଗ୍ରାମ) ଦ୍ରବ୍ୟ ନେପାଳ ନରପତିଙ୍କଠାରୁ ମିଳିଥିଲା। ନେପାଳ ରାଜା ଶଙ୍କରଦେବ ପବିତ୍ର ଗଣ୍ଡୁକି ନଦୀ ଗର୍ଭରୁ ତାଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ଶାଳଗ୍ରାମ ଦୁଇଟି ଥିଲେ ଉଭୟମୁଖୀ ଓ ସୁବର୍ଣ୍ଣଗର୍ଭା। ସେମାନେ ମଧ୍ୟ କୁଣ୍ଡଳିନୀ ଚିହ୍ନିତ ବିଷ୍ଣୁଶିଳା। ଏହି ବିରଳ ଓ ଦୁର୍ଲ୍ଲଭ ଉପହାର ପାଇ ପୁରୀ ଗଜପତି ରାଜା କୃତ୍ୟ କୃତ୍ୟ ହୋଇ ଚିରକାଳ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ପରେ ଉଭୟ ନେପାଳ ଓ ପୁରୀ ରାଜପରିବାର ମଧ୍ୟରେ ବିବାହ ସଂପର୍କ ଗଢି ଉଠିଥିବା ଏବଂ ଏବେ ମଧ୍ୟ ତାର ପରମ୍ପରା ସୁରକ୍ଷିତ ହୋଇଛି।

             ନେପାଳର ରାଜବଂଶୀୟ ଓ ଜନସାଧାରଣ ଯେପରି ସୁବିଧାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ, ସେଥି ନିମନ୍ତେ ନେପାଳ ନୃପତି ସ୍ବତନ୍ତ୍ର ଶ୍ରେଣୀର ପଣ୍ଡାଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ #ଲାଲମୋହରିଆ ପଣ୍ଡା ବୋଲି କୁହାଯାଇଥିଲା। ସେମାନଙ୍କୁ ରାଜା, ରାଜକୀୟ ମୋହର ଦିଆ ଗୋଟି ଲାଲରଙ୍ଗର ହୁଦା କାନ୍ଧରେ ପକାଇବାକୁ ଦେଉଥିଲେ। ସେହି ମୋହର ରୌପ୍ୟ ନିର୍ମିତ ଓ ସେଥିରେ ରାଜକୀୟ ସନ୍ତକ ଉତ୍କୀର୍ଣ୍ଣ ହେଉଥିଲା। ସେହି ପଣ୍ଡାମାନଙ୍କ ନଥିପତ୍ର ପୁରୁଷାନୁକ୍ରମେ ପରିଚାଳିତ ହେଉଥିଲା ଏବଂ ନେପାଳର କେଉଁ ଯାତ୍ରୀ କେବେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କର ଦର୍ଶନ ଲାଭ କରିଥିଲେ ତାର ବିସ୍ତୃତ ସୂଚନା ସେହିସବୁ ନଥିପତ୍ରରେ ଲିପିବଦ୍ଧ ହୋଇଥାଏ।ପରେ କେତେକ ଭାରତୀୟ ପଣ୍ଡା ରାଜକୀୟ ସ୍ବୀକୃତି ଲାଭ କରି ରାଜଧାନୀ କାଠମାଣ୍ଡୁସ୍ଥ ବିଖ୍ୟାତ ପଶୁପତିନାଥଙ୍କ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ଏହି ନିକଟରେ ଏ ବ୍ୟବସ୍ଥା ବନ୍ଦ କରାଯାଇଛି। ସେମାନେ ଏଥିପାଇଁ ଏକପ୍ରକାର ସନନ୍ଦ ଲାଭ କରିଥିଲେ ରାଜାଙ୍କଠାରୁ। ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ନେପାଳ ନରପତି ପ୍ରଦତ୍ତ ମୂଲ୍ୟବାନ୍ ଉପହାର ଗଚ୍ଛିତ ରହିଛି।

      ରାଜାଙ୍କ ବ୍ୟତୀତ ନେପାଳର ଧର୍ମପ୍ରାଣ ଧନୀକ ବ୍ୟକ୍ତିମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଭକ୍ତି ନିବେଦନ କରିଛନ୍ତି।୧୯୦୩ ଖ୍ରୀଷ୍ଟାବ୍ଦରେ ଶ୍ରୀନିତଗୋବିନ୍ଦ ନାମକ ଜଣେ ନେପାଳବାସୀ ଶ୍ରୀଜଗନ୍ନାଥଙ୍କୁ ଏକ ବିରାଟ ପିତ୍ତଳ ଘଣ୍ଟି ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଭଣ୍ଡାରଘର ପାଖରେ ଏହି ଘଣ୍ଟି ଏକ ବୃହତ୍ ଲୌହସ୍ତମ୍ଭରେ ଝୁଲିଥିବାର ଦେଖାଯାଏ। ଏହି ଘଣ୍ଟି ଉପରେ କେତେକଣ ଚିତ୍ରବିଚିତ୍ର ହୋଇଛି ଏବଂ ଲେଖାଯାଇଛି। ଉଭୟ ନେପାଳ ଓ ପୁରୀ ରାଜ ଦରବାରରେ ବିଦ୍ୱାନ ଓ ଧର୍ମନିଷ୍ଠ ସନ୍ଥଗଣ ସମ୍ମାନିତ ହୋଇଥାନ୍ତି। ବିଭିନ୍ନ ଅବସରରେ ସେମାନେ ନିମନ୍ତ୍ରିତ ହୁଅନ୍ତି। ନେପାଳବାସୀଙ୍କ ବିଚାରରେ ପୁରୀ ପୁରୁଷୋତ୍ତମ କ୍ଷେତ୍ର, ପବିତ୍ର ତୀର୍ଥସ୍ଥାନ। ଶ୍ରୀମନ୍ଦିର ହିନ୍ଦୁମାନଙ୍କର ପରମ ଆରାଧ୍ୟ ଦେବତା ଏବଂ ଓଡ଼ିଶାରେ ରହିଛି ଶ୍ରୀଜଗନ୍ନାଥ ଧାମ।ସେହିପୀଠ ଓ ଏଠାରେ ଆରାଧ୍ୟ ଶ୍ରୀଜଗନ୍ନାଥ ସେମିତି ବୈଷ୍ଣବ,ଶୈବ, ବୌଦ୍ଧ, ଜୈନ ପ୍ରଭୃତିଙ୍କର ଉପାସ୍ୟ। ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମହାପ୍ରସାଦ ଯେମିତି ମହିମାମୟ ସେମିତି ସୁସ୍ବାଦ୍ୟ। ନେପାଳ ନରେଶ ଶ୍ରୀଜଗନ୍ନାଥଙ୍କ ପୂଜାପଦ୍ଧତିରେ ଏକ ସ୍ବତନ୍ତ୍ର ସ୍ଥାନ, ସ୍ବତନ୍ତ୍ର ସ୍ବୀକୃତି ଏବଂ ପାରମ୍ପରିକ ଅଧିକାର ଭାବରେ ସର୍ବଦା ଓ ସର୍ବଥା ସ୍ବୀକୃତ ହୋଇଛି।

ଉପସ୍ଥାପନା-#ଶ୍ରୀକ୍ଷେତ୍ର_ଇତିହାସ👍

Post a Comment

Previous Post Next Post