#ମହାପ୍ରଭୁଙ୍କ_ପଦ୍ମବେଶ

ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାରରେ ମହାପ୍ରଭୁଙ୍କର ପଦ୍ମବେଶ ହୁଏ।ଏହା ପଛରେ ମଧ୍ୟ ଏକ କାରଣ ରହିଛି।ପଦ୍ମ ଫୁଲ ଫୁଟୁଥିବା ଜଳାଶୟର ରଙ୍ଗ ଘନ ନୀଳ ବା କଳା ନଚେତ ସବୁଜ ରଙ୍ଗର ହୋଇଥାଏ। ମହାପ୍ରଭୁ ଶନିବାର ଓ ବୁଧବାର ରେ ଯଥାକ୍ରମେ କଳା ଓ ସବୁଜ ରଙ୍ଗର ଘୋଡ଼ ପିନ୍ଧୁଥିବାରୁ ଏହି ଦିନରେ ହିଁ ଶ୍ରୀଜୀଉ ପଦ୍ମ ବେଶରେ ସୁଶୋଭିତ ହୁଅନ୍ତି। ସମସ୍ତ ଉପକରଣ ବଡ଼ଛତା ମଠ ତରଫରୁ ଏହି ବେଶ କରାଯାଏ। ରାତ୍ର ଚନ୍ଦନଲାଗି ପରେ ବଡ଼ସିଂହାର ବେଶରେ ଏହି ପଦ୍ମ ବେଶ କରାଯାଏ ଓ ଏହି ବେଶରେ ହିଁ ପହୁଡ଼ ନୀତି ହୁଏ। ମଠ ତରଫରୁ ଖିରି ଅମାଲୁ ଭୋଗ ହୁଏ। ଏହି ବେଶର ଅନ୍ୟନାମ ପଦ୍ମମୁଖ ବେଶ। ମୁଖ୍ୟତଃ ପଦ୍ମଫୁଲରେ ଏହି ବେଶ ହେବା କଥା। କିନ୍ତୁ ସୋଲ, ଜରି ଓ ପଦ୍ମଫୁଲରେ ଏହି ବେଶ କରାଯାଉଛି। 
ପଦ୍ମବେଶ ସଂପର୍କରେ ଥିବା କିମ୍ବଦନ୍ତୀ ଅନୁଯାୟୀ - ଓଡ଼ିଶାଠାରୁ ଶହ ଶହ ମାଇଲ୍ ଦୂରରେ ଥିଲେ ଜଣେ ହିନ୍ଦୀଭାଷୀ ସାଧୁ। ତାଙ୍କର ନାମ ଥିଲା ମନୋହର ଦାସ। ଏକଦା ମହାତ୍ମା ମନୋହର ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ତାଙ୍କର ପ୍ରବଳ ଆକାଙ୍କ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ। ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ,ରାସ୍ତା ଅତିକ୍ରମ କରି ଶାରୀରିକ ପୀଡ଼ା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି। ପଥ ମଧ୍ୟରେ ରାତ୍ରି ହୋଇଗଲେ କୌଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି। ପଦବ୍ରଜରେ ଯାଉଥିବାବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା। ପାଖରେ କୌଣସି ଗ୍ରାମ କିମ୍ବା ଜଳାଶୟ ନଥିଲା। କ'ଣ କରିବେ ଏମିତି ଚିନ୍ତା କରି ମନୋହରଜୀ ଆଗକୁ ଚାଲୁଥାନ୍ତି। କିଛି ବାଟ ଅତିକ୍ରମ କରିବା ପରେ ହଠାତ୍ ତାଙ୍କର ଦୃଷ୍ଟିଗୋଚର ହେଲା ଆଗରେ ଗୋଟିଏ ଗ୍ରାମ ଓ ପାଖରେ ଜଳାଶ୍ରୟଟିଏ। ମନ ଭରି ଜଳାଶ୍ରୟରୁ ଆଞ୍ଜୁଳା ଆଞ୍ଜୁଳା କରି ପାଣି ପିଇ ସନ୍ତୁଷ୍ଟ ହୋଇ ଉପରକୁ ମୁହଁ ଉଠାଇଲାବେଳକୁ ଦେଖିବାକୁ ପାଇଲେ ପୁଷ୍କରିଣୀରେ ଅନେକ ପଦ୍ମଫୁଲ ଫୁଟିଛି। ମନୋହର ଦାସ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ, କାରଣ ଶୀତଦିନରେ ପଦ୍ମଫୁଲ ଫୁଟିବା ସମ୍ଭବ ନୁହେଁ। ସେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରି ପ୍ରଭୁଙ୍କ ନିମିତ୍ତ ବହୁ କଷ୍ଟରେ ପୁଷ୍କରିଣୀରେ ଫୁଟିଥିବା ପଦ୍ମପୁଷ୍ପ ଗୁଡ଼ିକ ତୋଳି ଏକ ଭାରରେ ରଖିଲେ ଓ ତତ୍ପରେ ତାଙ୍କ ନିକଟରେ ଥିବା ଗୋଟିଏ ମଇଳା ଗାମୁଛାରେ ସେହି ଭାରକୁ ଘୋଡ଼ାଇ ଦେଲେ। ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀକ୍ଷେତ୍ରରେ ପହଞ୍ଚି ସିଧାସଳଖ ଶ୍ରୀମନ୍ଦିରରେ ପ୍ରବେଶ କଲେ। ଗରୁଡ଼ ସ୍ତମ୍ଭ ନିକଟରେ ଦଣ୍ଡାୟମାନ ହୋଇ ରତ୍ନ ସିଂହାସନସ୍ଥ ଚତୁର୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ମନୋହର ଅତ୍ୟନ୍ତ ଭାବ ବିହ୍ୱଳିତ ହୋଇଯାଇଥିଲେ। ଜଗମୋହନରେ ଉପସ୍ଥିତ ଥିବା ଜନୈକ ପଣ୍ଡାଙ୍କୁ ଗାମୁଛାରେ ଯତ୍ନରେ ବନ୍ଧା ଯାଇଥିବା ପଦ୍ମପୁଷ୍ପ ଗୁଡିକୁ ବଢାଇବାର ଉଦ୍ୟମ କରି ଅତି କାକୁତି ମିନତି ହୋଇ କହିଥିଲେ ଯେ, ଉକ୍ତ ପୁଷ୍ପ ଗୁଡିକୁ ଶ୍ରୀଜୀଉମାନଙ୍କ ଚରଣାରବିନ୍ଦରେ ଲାଗି କରିବା ପାଇଁ। ମଇଳା ଗାମୁଛାରେ ବନ୍ଧା ପଦ୍ମପୁଷ୍ପ ଦେଖି ଜନୈକ ପଣ୍ଡା କ୍ରୋଧାନ୍ବିତ ହୋଇ ତାହାକୁ ତଳେ କଚାଡ଼ି ଦେଲେ। ଏ ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ଗାମୁଛା ସହ ପୁଷ୍ପଗୁଡ଼ିକୁ ତଳୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ସିଂହଦ୍ଵାରସ୍ଥ ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଛିତ ହୋଇପଡ଼ିଲେ। ସେହିଦିନ ରାତ୍ରରେ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ, "ମନୋହରଜୀ ଆଣିଥିବା ପଦ୍ମପୁଷ୍ପରେ ହିଁ ଆଜି ରାତ୍ରରେ ମୋର ବଡ଼ସିଂହାର ବେଶ ହେବ। ପଦ୍ମ ଚାଉଳରେ ଖିରି ଭୋଗ କରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର "।
"ଗରୁଡ଼ ପାରୁଶେ ଉଭା ହୋଇଣ 
                   ପଦ୍ମମୁଖକୁ କରିଣ ଦର୍ଶନ 
ପାମର ଅଚ୍ୟୁତ କରେ ବିନତି 
                  ଉଦ୍ଧରି ଧର ହେ କମଳାପତି।। 
କଳାକୃଷ୍ଣ ପାଦେ ଲୟ କରିଣ 
                  ପଦ୍ମଜାକାନ୍ତଙ୍କ ମନ ହରିଣ 
ସେ ପଦ୍ମନୟନ ଦେଖି ତରିଣ 
                  ନୀଳାଚଳ ବାସୀ ଶ୍ରୀନାରାୟଣ।।
ମହାପ୍ରଭୁଙ୍କ ଆଦେଶ ପରେ ସେହି ଦିନ ବଡ଼ ସିଂହାର ବେଶରେ ସନ୍ଥ ମନୋହର ଦାସ ଆଣିଥିବା ମଉଳା ପଦ୍ମରେ ବେଶ ହୋଇଥିଲା। ହଠାତ୍ ବଡ଼ ଚମତ୍କାର ହେଲା। ମଉଳା ପଦ୍ମ ଫୁଲ ସବୁ ସତେଜ ହେଇଗଲା। ଗଜପତି ମହାରାଜ ସନ୍ଥ ଙ୍କ ଭକ୍ତି ଦେଖିକି ପ୍ରଣିପାତ କଲେ।
ସନ୍ଧ୍ୟା ଧୂପ ଉତ୍ତାରୁ ଚନ୍ଦନ ଲାଗି ବଢ଼ି ମହାପ୍ରଭୁଙ୍କର ପଦ୍ମ ବେଶ କରାଯାଏ। ନିତ୍ୟ ବଡ଼ସିଂହାର ବେଶ ପରିବର୍ତ୍ତେ ମହାପ୍ରଭୁ ପଦ୍ମମୁଖ ବେଶରେ ଦର୍ଶନ ଦିଅନ୍ତି।ଏହି ବେଶରେ ମହାପ୍ରଭୁଙ୍କ ଠାରେ ରାତ୍ର ଧୂପ ଅବସରରେ ବିଶେଷ ଭାବେ ଖିରି ଅମାଲୁ ଭୋଗ ହୁଏ।ମହାପ୍ରଭୁ ଏହି ବେଶରେ ନିଦ୍ରା ଯାଆନ୍ତି।ତହିଁ ପରଦିନ ମଙ୍ଗଳ ଆଳତି ବଢିବା ପରେ ପଦ୍ମ ବେଶ ଓଲାଗି କରାଯାଏ।

Post a Comment

Previous Post Next Post