ମୋକ୍ଷଦା ଏକାଦଶୀ / ଗୀତା ଜୟନ୍ତୀ
ଦିବସ- ମାର୍ଗଶୀର ଶୁକ୍ଲ ଏକାଦଶୀ
  ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ । ଏହାର ଅନ୍ୟ ନାମ ବି ରହିଛି । ମାନସ ରୋଗ ନିବାରଣ ଏକାଦଶୀ, ମୋକ୍ଷଦାୟିନୀ ଏକାଦଶୀ, ମୋହନାସକ, ଶୁଦ୍ଧ ଏକାଦଶୀ, ଆଦି ନାମରେ ସମସ୍ତେ ଜାଣିଛନ୍ତି । ମୋକ୍ଷଦା ଏକାଦଶୀ ବର୍ଷର ଶେଷରେ ପଡିଥାଏ । ଧର୍ମଶାସ୍ତ୍ର ଅନୁସାରେ ମୋକ୍ଷଦାୟିନୀ ଏକାଦଶୀକୁ ପିତୃପୁରୁଷଙ୍କୁ ମୋକ୍ଷ ପ୍ରଦାନକାରୀ ଏକାଦଶୀ ରୂପରେ ଜଣାଯାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ କୁହଯାଇଛି ଯେ ଏହି ଏକାଦଶୀ ବଡ ବଡ ଘାତକକୁ ନାଶ କରିଥାଏ । ଏହି ଦିନ ଯେଉଁମାନେ ଶ୍ରଦ୍ଧା ଏବଂ ବିଧିବିଧାନ ଅନୁସାରେ ବ୍ରତ କରିଥାନ୍ତି ତେବେ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ମୋକ୍ଷଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ବ୍ରତ ଧାରଣ କରିଲେ ସବୁ ମାନସିକ ରୋଗ ଏବଂ କଷ୍ଟ ଦୂର ହୋଇଥାଏ ।ସବୁ ପାପ ମଧ୍ୟ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି । 
ପୌରାଣିକ କଥା ଅନୁସାରେ ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ପ୍ରଭୁ କୃଷ୍ଣ ଗୀତାର ଉପଦେଶ ଦେଇଥିଲେ । ଏହି ଉପଦେଶ ପରେ ଅର୍ଜୁନ ମହାଭାରତରେ ଲୋକଙ୍କୁ ବଦ୍ଧ କରିଥିଲେ ଏବଂ ଏହାପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା । ସେଥିପାଇଁ ଏଇ ଦିନ ରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଅନେକ ସ୍ଥାନରେ ଭଗବାନ ବିଷ୍ଣୁଙ୍କ ସହ ପ୍ରଭୂ କୃଷ୍ଣଙ୍କର ମଧ୍ୟ ପୂଜା କରାଯାଇଥାଏ । 
ମହାଭାରତ ଗ୍ରନ୍ଥର ଗୋଟିଏ ଅଂଶ ହେଉଛି ଗୀତା, ଯାହାର ସମୁଦାୟ ୧୮ଟି ଅଧ୍ୟାୟ ରହିଛି। ଏହି ୧୮ଟି ଅଧ୍ୟାୟ ମଧ୍ୟରୁ ୬ ଅଧ୍ୟାୟ କର୍ମଯୋଗ, ୬ ଅଧ୍ୟାୟ ଜ୍ଞାନଯୋଗ ଏବଂ ଅନ୍ତିମ ୬ ଅଧ୍ୟାୟରେ ଭକ୍ତିଯୋଗ ସମ୍ପର୍କରେ ଉପଦେଶ ଦିଆଯାଇଛି। ପୂର୍ବେ ଶ୍ରୀକୃଷ୍ଣ ଏହି ସମୟରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ। ଯାହାଦ୍ୱାରା ତାଙ୍କର ଜ୍ଞାନ ଚକ୍ଷୁ ଖୋଲିଯାଇଥିଲା। ପୁରାଣ ଅନୁଯାୟୀ, ଗୀତାର ଉତ୍ପତି କଳିଯୁଗ ଆରମ୍ଭ ହେବାର ୩୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଶ୍ରୀମଦ୍ ଭଗବତ ଗୀତାରେ ୧୮ ଅଧ୍ୟାୟ ଏବଂ ୭୦୦ ଶ୍ଳୋକ ରହିଛି। ସେହିଭଳି ଗୀତାର ଅନ୍ୟନାମ ହେଉଛି ଗୀତୋପନିଷଦ।
କ’ଣ ରହିଛି ପୌରାଣିକ କଥା
ପୌରାଣିକ କଥା ଅନୁଯାୟୀ, ରାଜା ବୈଖନାସ ଚଂପା ନଗରୀର ପ୍ରତାପୀ ରାଜା ଥିଲେ। ରାଜା ଜ୍ଞାନୀ ଥିବା ସହ ତାଙ୍କର ବେଦ ଉପରେ ମଧ୍ୟ ଜ୍ଞାନ ରହିଥିଲା।  ଏତେ ଭଲ ରାଜା ପାଇଥିବାରୁ ନଗରବାସୀ ବହୁତ ସନ୍ତୁଷ୍ଟ ଏବଂ ସୁଖୀ ଥିଲେ। ଥରେ ରାଜା ତାଙ୍କ ପିତା ନର୍କରେ ନିର୍ଯାତନା ପାଉଥିବା ସ୍ୱପ୍ନରେ ଦେଖିବାକୁ ପାଇଥିଲେ। ଏହି କଥା ରାଜା ଯେତେବେଳେ ପତ୍ନୀଙ୍କୁ କହିଥିଲେ ସେହି ସମୟରେ ରାଣୀ ତାଙ୍କୁ ଆଶ୍ରମ ଯିବା ପାଇଁ କହିଥିଲେ। ଏହାପରେ ରାଜା ଆଶ୍ରମରେ ପହଞ୍ଚି ମୁନିଋଷିଙ୍କୁ ଦେଖିଥିବା ସ୍ୱପ୍ନ ବିଷୟରେ କହିଥିଲେ। ସମସ୍ତ କଥା ଶୁଣିବା ପରେ ମୁନି ରାଜାଙ୍କୁ କହିଥିଲେ ତୁମ ପିତା ତାଙ୍କ ପତ୍ନୀଙ୍କୁ ବହୁତ ନିର୍ଯାତନା ଦେଉଥିଲେ, ଏହିକାରଣରୁ ଏବେ ତାଙ୍କୁ ତାଙ୍କ କର୍ମର ଫଳ ଭୋଗ କରିବାକୁ ପଡୁଛି।ଏହାଶୁଣି ରାଜା ଯେତେବେଳେ ଏହାର ଉପାୟ ଜାଣିବାକୁ ଚାହିଁଥିଲେ ସେତେବେଳେ ମୁନିଋଷି ତାଙ୍କୁ ମୋକ୍ଷଦା ଏକାଦଶୀ କରିବା ପାଇଁ ଉପଦେଶ ଦେଇଥିଲେ। ଏଥିସହ କହିଥିଲେ ଏହାଦ୍ୱାରା ପ୍ରାପ୍ତି ହୋଇଥିବା ଫଳକୁ ନିଜ ପିତାଙ୍କୁ ସମର୍ପିତ କରିଦେବ । ଏହାପରେ ରାଜା ସମସ୍ତ ବିଧି-ବିଧାନର ସହ ଏହି ବ୍ରତ ପାଳନ କରିଥିଲେ, ଯାହାଫଳରେ ତାଙ୍କ ପିତାଙ୍କୁ କୁକର୍ମରୁ ମୁକ୍ତି ମିଳିଥିଲା। ସେବେଠାରୁ ମାନ୍ୟତା ରହିଛି ମୋକ୍ଷଦା ଏକାଦଶୀ କେବଳ ଜୀବିତ ବ୍ୟକ୍ତି ନୁହେଁ ବରଂ ପିତୃପୁରୁଷମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ।
 
ମୋକ୍ଷଦା ଏକାଦଶୀର ମହତ୍ତ୍ୱ…
ମୋହ,ମାୟା ସବୁ ରୋଗର ମୂଳ କାରଣ ।ଏହା ଦ୍ୱାରା ମଣିଷ ର ଭିତର ଅଂଶ ରେ ଥିବା ଅନେକ ରୋଗ ସୃଷ୍ଟି ହୋଇଥାଏ । ମୋକ୍ଷଦା ଏକାଦଶୀ ବ୍ରତ ରଖିଲେ ଅନେକ ପ୍ରକାରର ମାନସିକ ରୋଗ ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି । ପଦ୍ମ ପୁରାଣରେ କୁହାଯାଇଛି ଯେ ମୋକ୍ଷଦା ଏକାଦଶୀ ପାପକୁ ନାଶ କରିଥାଏ ।ଧାର୍ମିକ ମାନ୍ୟତା ଅନୁଯାୟୀ, ଏକାଦଶୀ ଅତ୍ୟନ୍ତ ଶୁଭଫଳଦାୟୀ ହୋଇଥାଏ। ମାନ୍ୟତା ରହିଛି ଯେଉଁ ଲୋକମାନେ ସମସ୍ତ ବିଧି-ବିଧାନର ସହ ଭଗବାନ ବିଷ୍ଣୁଙ୍କ ପୂଜା-ଅର୍ଚ୍ଚନା ଏବଂ ଉପବାସ କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହିକାରଣରୁ ଏହାକୁ ମୋକ୍ଷଦା ଏକାଦଶୀ କୁହାଯାଇଥାଏ।
ମୋକ୍ଷଦା ଏକାଦଶୀ ଵ୍ରତ ପାଳନର ବିଧି:
ଏକାଦଶୀ ଦିନ ସକାଳ ସମୟରେ ନିତ୍ୟ କର୍ମ ସମାପ୍ତ ପରେ ବ୍ରତ ଧାରଣ କରିପାରିବ । ଏହା ପରେ ମୋକ୍ଷଦା ଏକାଦଶୀ ଵ୍ରତ ଧାରଣ କରିବାର ସଂକଳ୍ପ ନିଅନ୍ତୁ । ।ପୂଜା ସ୍ଥାନ ରେ ଭଗବାନ ବିଷ୍ଣୁ ଙ୍କର ପ୍ରତିମା ସ୍ଥାପନ କରନ୍ତୁ । ଏହା ପରେ ଵିଧି ପୂର୍ବକ ପୂଜାର୍ଚ୍ଚନା କରିବେ । ଏଇ ଦିନରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରା ଯାଇଥାଏ । ଏହି ଦିନ ରେ ଗୀତା ପାଠ କରିଲେ ଉତ୍ତମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ସକାଳୁ ସ୍ନାନ ଆଦି ଶେଷ କରି ପୂଜା ସ୍ଥଳ କିମ୍ବା ମନ୍ଦିରର ସଫେଇ କରନ୍ତୁ । ଏହାପରେ ଘର ଅଥବା ମନ୍ଦିରକୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ ଅଥବା ଭଗବାନଙ୍କୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ । ତାପରେ ଭଗବାନଙ୍କୁ ଚନ୍ଦନ, ଅକ୍ଷତ ଆଦି ଅର୍ପଣ କରି, ଫୁଲରେ ଶୃଙ୍ଗାର କରିବା ପରେ ଭୋଗ ଲଗାନ୍ତୁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅବଶ୍ୟ ଚଢାନ୍ତୁ । ତାପରେ ଭଗବାନ ଗଣେଶଙ୍କ ଆରତୀ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଆରତୀ କରନ୍ତୁ । ଏହାପରେ ପ୍ରସାଦ ବଣ୍ଟନ କରନ୍ତୁ ।
ମୋକ୍ଷଦା ଏକାଦଶୀ ମାହାତ୍ମ୍ୟ
ଯୁଧିଷ୍ଠିର କହିଲେ – “ ହେ ଦେବଦେବେଶ ! ହେ କୃଷ୍ଣ ! ମୁଁ ଆପଣଙ୍କୁ ବନ୍ଦନା କରୁଅଛି । ଆପଣ ତ୍ରିଲୋକର ସୁଖଦାୟକ , ବିଶ୍ଵେଶ୍ଵର , ବିଶ୍ଵକର୍ତ୍ତା ଓ ପୁରୁଷୋତ୍ତମ । ମୋର ଗୋଟିଏ ସନ୍ଦେହ ଅଛି । ଲୋକହିତାର୍ଥ ଓ ପାପକ୍ଷୟ ନିମିତ୍ତ ଆପଣଙ୍କୁ ନିବେଦନ କରୁଅଛି । ଅଗ୍ରହାୟଣ ମାସର ଶୁକ୍ଳ ପକ୍ଷରେ  ଯେଉଁ ଏକାଦଶୀ ତାହାର ନାମ କ’ଣ , ତାହାର ବିଧି ମଧ୍ୟ କ’ଣ ଓ କେଉଁ ଦେବତା ଏହି ଏକାଦଶୀରେ ପୂଜିତ ହୁଅନ୍ତି , ତାହା ମୋ ନିକଟରେ ବର୍ଣ୍ଣନା କରନ୍ତୁ । ପୁରାଣ ପୁରୁଷୋତ୍ତମ।
” ଶ୍ରୀକୃଷ୍ଣ କହିଲେ – “ ହେ ମହାରାଜ ! ତୁମେ ଉତ୍ତମ ପ୍ରଶ୍ନ ଜିଜ୍ଞାସା କରିଅଛି । ଏହାଦ୍ୱାରା ତୁମର ଯଶ ଚତୁର୍ଦ୍ଦିଗରେ ବିସ୍ତୁତ ହେବ । ବର୍ତ୍ତମାନ ଅଗ୍ରହାୟଣୀ ଏକାଦଶୀର କଥା କହୁଛି । ଏହା ଶ୍ରବଣ କରିବା ମାତ୍ରେ ବାଜପେୟ ଯଜ୍ଞର ଫଳଲାଭ ହୋଇଥାଏ ।  ହେ ଯୁଧୁଷ୍ଠିର ! ଏହି ଏକାଦଶୀ ମୋକ୍ଷଦା ନାମରେ କଥିତ ହୋଇଅଛି । ଏହା ସର୍ବପାପ ବିନାଶିନୀ ଓ ବ୍ରତ ମଧ୍ୟରେ ସର୍ବଶ୍ରେଷ୍ଠ ଅଟେ । ଏହାର ଦେବତା ହେଉଛନ୍ତି ଶ୍ରୀ ଦାମୋଦର । ତୁଳସୀ , ତୁଳସୀ ମଞ୍ଜରୀ , ଧୂପ , ଦୀପ ପ୍ରଭୃତିଦ୍ୱାରା ଶାସ୍ତ୍ରବିଧି ଅନୁସାରେ ଶ୍ରୀଦାମୋଦରଦେବଙ୍କର ପୂଜା କରିବ । ଦଶମୀ ଓ ଏକାଦଶୀ ଦିବସର କୃତ୍ୟାଦି ପୂର୍ବରୁ କୁହାଯାଇଥିବା ଏକାଦଶୀ ପରି କରିବେ । ଏହି ଉପବାସ ଦିନ ସ୍ତବ , ଗୀତାଦି ସହିତ ରାତ୍ରି ଜାଗରଣ ବିଧେୟ । ହେ ମହାରାଜ ! ଏହି ଏକାଦଶୀର ପ୍ରସଙ୍ଗକ୍ରମେ ଗୋଟିଏ ଅଲୌକିକ କାହାଣୀ ବର୍ଣ୍ଣନା କରୁଅଛି , ତାହା ଶ୍ରବଣ କର । ଏହାକୁ ଶ୍ରବଣ କରିବା ଦ୍ଵାରା ସର୍ବପାପ କ୍ଷୟ ହୋଇଥାଏ । ଯାହାଙ୍କର ପିତୃଗଣ ସ୍ୱ ସ୍ୱ ପାପନିମିତ୍ତ  ଅଧୋଗତିକୁ ନିମ୍ନ ( ନୀଚ ) ଯୋନି ପ୍ରାପ୍ତ ହୋଇଛନ୍ତି ଏହି ବ୍ରତାଚରଣର  ବିନ୍ଦୁମାତ୍ର ପୁଣ୍ୟଫଳ ବିନ୍ଦୁମାତ୍ର ସେମାନଙ୍କୁ ମୋକ୍ଷଲାଭ କରିବାରେ ସାହାଯ୍ୟ କରନ୍ତୁ । ଏଥିରେ କୌଣସି ସନ୍ଦେହ ନାହିଁ । ପୁରାଣ ପୁରୁଷୋତ୍ତମ।
କୌଣସି ଏକ ସମୟରେ ମନୋରମ ଚମ୍ପକ ନଗରରେ ବୈଷ୍ଣବ ସଦ୍‌ଗୁଣରେ ବିଭୂଷିତ ବୈଖାନସ ନାମକ ଜଣେ ନୃପତି ବା ରାଜା ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ରପରି ପାଳନ କରୁଥିଲେ । ତାଙ୍କର ରାଜ୍ୟରେ ବେଦ ବେଦାଙ୍ଗ ପାରଙ୍ଗମ ବହୁତ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ରାଜ୍ୟରେ ସମସ୍ତେ ସମୃଦ୍ଧିଶାଳୀ ଥିଲେ । ଏହିପରି ସୁଶୃଙ୍ଖଳିତଭାବେ ରାଜ୍ୟ ଶାସନକାରୀ ସେ ରାଜା ଦିନେ ରାତ୍ରି ସମୟରେ ସ୍ୱପ୍ନରେ ତାଙ୍କର ପିତୃଗଣଙ୍କୁ ଅଧୋଯୋନି ବା ନିମ୍ନଯୋନି ପ୍ରାପ୍ତ ହୋଇଥିବାର ଦର୍ଶନ କଲେ । ପିତୃଗଣଙ୍କ ନର୍କଭୋଗ ଦର୍ଶନରେ ବିସ୍ମୟାବିଷ୍ଟ ଚିତ୍ତରେ ତତ୍ପର ଦିବସ ବ୍ରାହ୍ମଣମାନଙ୍କ ନିକଟରେ କହିବାକୁ ଲାଗିଲେ- ହେ ବ୍ରାହ୍ମଣଗଣ ! ଗତ ରାତ୍ରିରେ ସ୍ୱପ୍ନରେ ନରକ ଯନ୍ତ୍ରଣାକ୍ଳିଷ୍ଟ ପିତୃଗଣଙ୍କୁ ଦର୍ଶନ କରି ମୋର ହୃଦୟ ବିଦୀର୍ଣ୍ଣ ହୋଇଅଛି । ସେମାନେ ମୋତେ ଲକ୍ଷ୍ୟ କରି କହିବାକୁ ଲାଗିଲେ – “ ହେ ପୁତ୍ର ! ତୁମେ ଆମ୍ଭମାନଙ୍କୁ ଏହି ନର୍କସମୁଦ୍ରରୁ ଉଦ୍ଧାର କର । ” ସେମାନଙ୍କର ଏ ପ୍ରକାର ଅବସ୍ଥା ଦର୍ଶନରେ ମୋ ଅନ୍ତରରେ ସୁଖ ନାହିଁ । ମୋର ଏହି ବିଶାଳ ରାଜ୍ୟ , ସ୍ତ୍ରୀ , ପୁତ୍ର ପ୍ରଭୃତି ଏବଂ ଅଶ୍ୱ  , ହସ୍ତୀ , କୌଣସିଟିରେ ମୁଁ ଶାନ୍ତି ପାଉ ନାହିଁ । କ’ଣ କରିବି , କେଉଁଠାକୁ ଯିବି , କିଛି ଦେଖିପାରୁ ନାହିଁ ବା ଚିନ୍ତା କରିପାରୁ ନାହିଁ । ଯଦ୍ବାରା ମୋର ପିତୃପୁରୁଷଗଣ ମୁକ୍ତିଲାଭ କରିପାରିବେ ; ସେପରି କୌଣସି ବ୍ରତ , ତପସ୍ୟା ଓ ଯୋଗର କଥା ମୋତେ ଉପଦେଶ କରନ୍ତୁ । ମୁଁ ତାହା ଆଚରଣ କରିବି । ମୋ ପରି ଶକ୍ତିଶାଳୀ ପୁତ୍ର ଥାଇ ମଧ୍ୟ ଯଦି ପିତା , ମାତା - ପୂର୍ବପୁରୁଷଗଣ ଘୋର ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି , ତାହାହେଲେ ସେ ପୁତ୍ରର କି ପ୍ରୟୋଜନ ? ବ୍ରାହ୍ମଣଗଣ କହିଲେ , ହେ ମହାରାଜ ! ଆପଣଙ୍କ ରାଜ୍ୟରେ ଖୁବ ନିକଟରେ ପର୍ବତ ମୁନିଙ୍କର ମହାନ୍ ଆଶ୍ରମ ଅଛି । ସେ ତ୍ରିକାଳଜ୍ଞ , ତାହାଙ୍କ ନିକଟରୁ ଆପଣ ସେମାନଙ୍କର ମୁକ୍ତିର ଉପାୟ ଅବଗତ ହୋଇ ପାରିବେ ।ପୁରାଣ ପୁରୁଷୋତ୍ତମ ।
ଶ୍ରୀକୃଷ୍ଣ କହିଲେ – ହେ ମହାରାଜ ଯୁଧିଷ୍ଠିର ! ବ୍ରାହ୍ମଣଗଣଙ୍କ ବାକ୍ୟ ଶ୍ରବଣ କରି ମହାତ୍ମା ବୈଖାନସ ରାଜା ତତକ୍ଷଣାତ୍ ସେହି ପର୍ବତମୁନିଙ୍କ ଆଶ୍ରମକୁ ଗଲେ । ବ୍ରାହ୍ମଣଗଣ ଓ ସଭାସ୍ଥଳୀରେ ଥିବା ପ୍ରଜାବର୍ଗ ମଧ୍ୟ ତାଙ୍କର ଅନୁଗମନ କଲେ । ସେଠାକୁ ଯିବା ପରେ ଦୂରରୁ ଋଷିବରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ନିକଟସ୍ଥ ହୋଇ ତାଙ୍କର ଚରଣଦୟ ସ୍ପର୍ଶକରି ପ୍ରଣତି ଜ୍ଞାପନ କଲେ । ବେଦାଧ୍ୟୟନକାରୀ ମୁନିଗଣଙ୍କ ଦ୍ବାରା ପରିବେଷ୍ଟିତ ହୋଇ ଦ୍ବିତୀୟ ବ୍ରହ୍ମାଙ୍କ ପରି ସେ ଉପବିଷ୍ଟ ହୋଇଥିଲେ । ମୁନିବର ରାଜାଙ୍କର ସପ୍ତାଙ୍ଗର କୁଶଳ , ରାଜ୍ୟର ନିଷ୍କଣ୍ଟକତ୍ୱ ଓ ରାଜ୍ୟସୁଖ ଅବ୍ୟାହତ ଅଛି କି ନାହିଁ ଇତ୍ୟାଦି ବୃତ୍ତାନ୍ତ ଜିଜ୍ଞାସା କଲେ ।ପୁରାଣ ପୁରୁଷୋତ୍ତମ।
ରାଜା କହିଲେ – “ ହେ ପ୍ରଭୁ ! ଆପଣଙ୍କ ଅନୁଗ୍ରହରୁ ମୋର ସପ୍ତାଙ୍ଗର କୁଶଳ । ବିଷ୍ଣୁ - ଭକ୍ତି ପରାୟଣ ଆପଣଙ୍କ ପରି ମହାଜନଙ୍କର ଯେଉଁମାନେ ଭକ୍ତ ସେମାନଙ୍କର କେତେବେଳେ ହେଲେ ବିଘ୍ନ ଉପସ୍ଥିତ ହୁଏ ନାହିଁ । ତେବେ ମୁଁ ଗୋଟିଏ ଦିନ ରାତ୍ରିକାଳରେ ସ୍ଵପ୍ନରେ ପିତୃ ପୁରୁଷଗଣଙ୍କ ନର୍କ ଯନ୍ତ୍ରଣା ଓ କାତର ଆର୍ତ୍ତନାଦ ଦର୍ଶନରେ ବ୍ୟଥିତ ଓ ଚିନ୍ତାଗ୍ରସ୍ତ ହୋଇଛି । ହେ ଋଷିବର ! କୌଣସି ପୁଣ୍ୟଫଳରେ ସେମାନେ ଏ ପ୍ରକାର ଦୁର୍ଦ୍ଦଶାରୁ ମୁକ୍ତି ପାଇବେ , ତାହାର ଉପାୟ ନିର୍ଣ୍ଣୟ ପାଇଁ ଆପଣଙ୍କ ଶ୍ରୀଚରଣରେ ଉପସ୍ଥିତ ।ପୁରାଣ ପୁରୁଷୋତ୍ତମ।
ରାଜାଙ୍କ କଥାଶୁଣି ବ୍ରହ୍ମତୁଲ୍ୟ ତପସ୍ବୀ ପର୍ବତ ମୁନିରାଜ ପିତୃଗଣଙ୍କ ନର୍କ ଯନ୍ତ୍ରଣାର କାରଣ ଅବଗତ ହେବା ନିମିତ୍ତ ଚକ୍ଷୁନିମୀଳନ କରି ଧ୍ୟାନସ୍ଥ ହେଲେ । ଏକ ମୁହୂର୍ତ୍ତ ସମୟ ଧ୍ୟାନ କରିବା ପରେ ରାଜାଙ୍କୁ କହିଲେ – ପୂର୍ବ ଜନ୍ମରେ ତୁମର ପିତା ରାଜ୍ୟ ଗର୍ବରେ ଗର୍ବିତ କ୍ଷତ୍ରିୟ ରାଜା ଥିଲେ । ସେ ସ୍ତ୍ରୀଙ୍କର ଋତୁକାଳରେ ଋତୁଦାନ ନକରି ରାଜଧର୍ମର ପ୍ରେରଣାରେ ସ୍ଥାନାନ୍ତରକୁ ଗମନ କଲେ । ସେହି ପାପ ଫଳରେ ପୂର୍ବପୁରୁଷଗଣଙ୍କ ସହିତ ଅତିଶୟ ନର୍କ ଭୋଗ ଘଟିଅଛି । ଏହି ପାପରୁ ମୁକ୍ତିର ଉପାୟ କହୁଛି , ଶ୍ରବଣ କର - ଅଗ୍ରହାୟଣ ମାସର ଶୁକ୍ଳ ପକ୍ଷ *ମୋକ୍ଷଦା* ଏକାଦଶୀ ବ୍ରତ ପାଳନ କରିବାଦ୍ୱାରା ଯେଉଁ ପୁଣ୍ୟଫଳ ଲାଭ ହେବ , ତାହାକୁ ତୁମର ପିତାଙ୍କୁ ଦାନକର । ସେହି ପୁଣ୍ୟ ପ୍ରଭାବରେ ତୁମର ପିତାଙ୍କର ମୋକ୍ଷଲାଭ ହେବ । ”ପୁରାଣ ପୁରୁଷୋତ୍ତମ।
ରାଜା ମୁନିବାକ୍ୟ ଶ୍ରବଣ କରି ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ଅନେକଦିନ ପରେ ସେହି ପବିତ୍ରାତିଥିର ଆବିର୍ଭାବରେ ସ୍ତ୍ରୀ , ପୁତ୍ରାଦି ଓ ରାଜ ଅନ୍ତଃପୁରବାସୀଗଣଙ୍କ ସହିତ ଯଥାବିଧି ମୋକ୍ଷଦା ଏକାଦଶୀବ୍ରତ ପାଳନ କରି " , ବ୍ରତର ପୁଣ୍ୟଫଳ ପିତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ । ଏହି ପୁଣ୍ୟଫଳ ଦାନ ସଙ୍ଗେ ସଙ୍ଗେ ଆକାଶରୁ ପୁଷ୍ପ ବୃଷ୍ଟି ହେବାକୁ ଲାଗିଲା । ଏହାପରେ “ ହେ ପୁତ୍ର ! ତୁମର ମଙ୍ଗଳ ହେଉ , ତୁମର ମଙ୍ଗଳ ହେଉ ” । ଏହା କହି କହି ବୈଖାନସ ରାଜାଙ୍କର ପିତା ନରକରୁ ମୁକ୍ତହୋଇ ପୂର୍ବପୁରୁଷଗଣଙ୍କ ସହିତ ସ୍ଵର୍ଗକୁ ଗମନ କଲେ । ଭଗବାନ୍ ଶ୍ରୀକୃଷ୍ଣ କହିଲେ – ହେ ମହାରାଜ ଯୁଧିଷ୍ଠିର ! ଏହି ପ୍ରକାରେ ଯେଉଁ ବ୍ୟକ୍ତି ଏହି ମଙ୍ଗଳଦାୟିନୀ ମୋକ୍ଷଦା ଏକାଦଶୀବ୍ରତ ପାଳନ କରନ୍ତି , ତାହାଙ୍କର ସମସ୍ତ ପାପ ବିନଷ୍ଟ ହୁଏ ଏବଂ ମୃତ୍ୟୁପରେ ସେ ମୋକ୍ଷ ଲାଭ କରନ୍ତି । ଏହି ବ୍ରତର ପୁଣ୍ୟ ସଂଖ୍ୟା ମୁଁ ମଧ୍ୟ ଜାଣିନାହିଁ । ଏହି ବ୍ରତ କଥା ଯେ ପାଠକରେ ଓ ଯେ ଏହା ଶ୍ରବଣ କରେ , ସେମାନେ ଉଭୟ ବାଜପେୟ ଯଜ୍ଞର ଫଳପ୍ରାପ୍ତ ହୁଅନ୍ତି ।
🍀🌻☘️🌻☘️🌻☘️🌻☘️

Post a Comment

Previous Post Next Post