🔥 *ଅନବସର ଦଶମୀ / ଚକାବିଜେ ନୀତି* 🔥
ଦିବସ- ଆଷାଢ଼ କୃଷ୍ଣ ଦଶମୀ
 *ଆମର ସଂସ୍କୃତି ଆମର ଗୌରବ*
*ଆମର ପରମ୍ପରା ଆମର ସ୍ବାଭିମାନ*
♦♦⚜ ☀🕉☀ ⚜ ♦♦

ଆଷାଢ଼ କୃଷ୍ଣ ଦଶମୀ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇପଡନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲେ ଗୁପ୍ତନୀତି । ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡନ୍ତି ଦଇତାପତି ଓ ସେବାୟତ ।  ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରନ୍ତି । ଆଷାଢ କୃଷ୍ଣ ତୃତୀୟାରେ ଠାକୁରଙ୍କ ଓଦା ବସ୍ତ୍ର ଖୋଲାଯାଏ। ଚତୁର୍ଥୀରେ ବର୍ଷସାରା ଲାଗିଥିବା ଚନ୍ଦନ ଏବଂ ବସ୍ତ୍ର ଫିଟା (ଶ୍ରୀଅଙ୍ଗ ଫିଟା) ନୀତି ସମ୍ପନ୍ନ ହୁଏ। ପଞ୍ଚମୀରେ ଓଡ଼ିଆ ମଠ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଥିବା ଫୁଲୁରୀ ତେଲ ଠାକୁରଙ୍କୁ ଲାଗି କରାଯାଏ। ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥାଏ। ଝୁଣା ଓ ରାଶି ତେଲରେ ଏହା ପ୍ରସ୍ତୁତ ହୋଇଥାଏ। ଦଶମୀରେ ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୁଏ। ତିନୋଟି ମୁଗୁନି ପଥରରେ ଚକା ଅଣସର ପିଣ୍ଡିରେ ରଖାଯାଇ ଠାକୁରଙ୍କୁ ଏହା ଉପରକୁ ଦଇତାପତି ସେବକମାନେ ବିଜେ କରାଇଥାନ୍ତି। ଚକା ବିଜେ ପରେ କସ୍ତୁରୀ ଓ କୁଙ୍କୁମର ଏକ ସ୍ୱତନ୍ତ୍ର ଲେପ ଦିଆଯାଏ। ଏହିଦିନ ଚତୁର୍ଦ୍ଦାବିଗ୍ରହ ସାମାନ୍ୟ ସୁସ୍ଥ ଅନୁଭବ କରନ୍ତି। ଏକାଦଶୀ ତିଥିରେ ଖଳି ପ୍ରସାଦ ଲାଗି ହୋଇଥାଏ। ଅଣସର ଘରେ ପ୍ରବେଶ କରିବାଠାରୁ ଏକାଦଶୀ ପର୍ଯ୍ୟନ୍ତ ଶୁକ୍ଲବସ୍ତ୍ର, ଧଳାଫୁଲ ଏବଂ ବିନା ତୁଳସୀରେ ଠାକୁରଙ୍କ ବେଶ ହୋଇଥାଏ ଏବଂ ଭୋଗ ଲାଗି ହୁଏ। ଏକାଦଶୀରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଏ। ରାଜବୈଦ୍ୟଙ୍କ ଘରୁ ଦଶମୀ ଦିନ ଆସିଥିବା ଦଶମୂଳ ମୋଦକ ପତିମହାପାତ୍ର ଲାଗି କରିଥାନ୍ତି।

ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ବେହେରଣ ଦ୍ବାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହୁଏ। ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ଓ ବିଦ୍ୟାପତି ମାନେ ଚକା ବିଜେ କରାଇ ଏହା ପରେ ଚକଟା ଓ ପଣା ଭୋଗ ଲାଗି କରାଯାଏ। ଏହିଦିନ ଗୀତଗୋବିନ୍ଦ ଖଣ୍ଡୁଆ, ତୁଳସୀ ଏବଂ ବିଭିନ୍ନ ପୁଷ୍ପ ମଧ୍ୟ ପରିଧାନ କରନ୍ତି। ଦଶମୂଳ ମୋଦକ ସେବନ କରିବା ପରେ ସୁସ୍ଥ ହୁଅନ୍ତି ମହାପ୍ରଭୁ। ଦ୍ୱାଦଶୀରେ ରାଜପ୍ରସାଦ ବିଜେ ଏବଂ ଠାକୁରଙ୍କ ସପ୍ତାବରଣ କାର୍ଯ୍ୟ ଆରମ୍ଭ କରାଯାଏ। ତ୍ରୟୋଦଶୀ ଦିନ ଘଣାଲାଗି ନୀତି ଅନୁଷ୍ଠିତ ହୁଏ। ଏହି ଘଣାଲାଗିରେ ଶ୍ରୀବିଗ୍ରହଙ୍କଠାରେ ପାଟଡୋରି ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି କରାଯାଏ। ପରେ ମହାପ୍ରଭୁଙ୍କ ବନକଲାଗି କରାଯାଏ। ଚତୁର୍ଦ୍ଦଶୀ ଦିନ ତାଟିଦିଅଁଙ୍କୁ ବଡ଼ସିଂହାର ଭୋଗ ହେବା ପରେ ଅଣସର ଘରେ ପଣା ଓ ଚକଟା ଭୋଗ ହୋଇଥାଏ। ଏହାପରେ ଅଣସର ଘରେ ରହିଥିବା ପ୍ରସାଦ ଏବଂ ଫୁଲ ବାହାର କରାଯିବା ପରେ ଦତ୍ତମହାପାତ୍ର ବନକଲାଗି କରିଥାନ୍ତି। ଶେଷ ହୁଏ ମହାପ୍ରଭୁଙ୍କ ଅଣସର ନୀତି।

ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୁଏ। ପରେ ପରେ ଘଣାଲାଗି ଓ ବନକଲାଗି ନୀତି ଅନୁଷ୍ଠିତ ହୁଏ। ବନକଲାଗି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୁଅନ୍ତି। ଚକା ଅପସର ସହ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ ଏବଂ ମହାପ୍ରଭୁ ରଥଯାତ୍ରାରେ ବାହାରିବେ।


       *ସଂଗୃହିତ*

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post