#ନୀଳାଦ୍ରି_ମହୋଦୟ 🌹
(ନେତ୍ରୋତ୍ସବ ଓ ମହାପ୍ରଭୁଙ୍କର ନବଯୌବନ ଦର୍ଶନ) 🌹
ତତୋ ମନସି ସଂଚିନ୍ତ୍ୟ ଭଗବନ୍ତଂ ଜନାର୍ଦ୍ଦନମ୍।
ନବୀନୋତ୍ତମବସ୍ତ୍ରେଣ ପ୍ରୋଞ୍ଛନଂ ଚ ସମାଚରେତ୍।। ୭୩।।
ତାହାପରେ ଭଗବାନ୍ ଜନାର୍ଦ୍ଦନଙ୍କୁ ମନେ ମନେ ଚିନ୍ତା କରି ନୂତନ ବସ୍ତ୍ରରେ ପ୍ରଭୁଙ୍କର ଅଙ୍ଗ ପୋଛିଦେବ।
ତେ ତେ ଚ ପୂଜକଶ୍ରେଷ୍ଠାଃ ଧୃତ୍ୱା ତାନ୍ କଳଶାନ୍ ପୃଥକ୍।
ଆପୋହିଷ୍ଠେତି ମନ୍ତ୍ରେଣ ତ୍ରିବାରଂ ସେଚୟେତ୍ କୁଶୈଃ।। ୭୪।।
ତାହାପରେ ପୃଥକ୍ ପୃଥକ୍ ପୂଜକମାନେ ଉକ୍ତ କଳସଗୁଡ଼ିକୁ ଧରି "ଆପୋହିଷ୍ଠା " ମନ୍ତ୍ରରେ କୁଶରେ ତିନିଥର ଜଳ ଠାକୁରଙ୍କ ଉପରେ ସିଞ୍ଚିବେ।
ଦେବାନ୍ ପୁନଃ ସମୁଦ୍ର୍ୟାପଃ ପଠିତ୍ୱା ମୂଳମନ୍ତ୍ରତଃ।
ତ୍ରିବାରଂ ଚ ପୃଥକ୍ ତାଂଶ୍ଚ ସେଚୟେୟୁଃ ସୁସଂଯତାଃ।। ୭୫।।
ତାହାପରେ ଠାକୁରଙ୍କ ଅଙ୍ଗରେ "ସମୁଦ୍ର୍ୟାପଃ " ମନ୍ତ୍ର ପାଠ କରି ମୂଳମନ୍ତ୍ରରେ ତିନିଥର ପୃଥକ୍ ପୃଥକ୍ ଜଳ ସୁସଂଯତ ହୋଇ ସିଞ୍ଚିବେ।
ସହସ୍ରାକ୍ଷେତି ମନ୍ତ୍ରେଣ ମନ୍ତ୍ରବିତ୍ପଜକୋତ୍ତମାଃ।
ଦେବତାନାଂ ଚ ସର୍ବାଙ୍ଗେ ସେଚୟେୟୁଃ ପୁନଃ ପୁନଃ।। ୭୬।।
ତାହାପରେ ପୂଜକମାନେ ଠାକୁରଙ୍କ ସର୍ବାଙ୍ଗରେ "ସହସ୍ରାକ୍ଷ " ମନ୍ତ୍ରରେ ବାରମ୍ବାର ଅଭିମନ୍ତ୍ରିତ କଳସସ୍ଥ ଜଳ ସିଞ୍ଚିବେ। ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ।
ଆଚାର୍ଯ୍ୟସ୍ତ୍ୱଗ୍ନିଶର୍ମା ବ୍ରହ୍ମା ଚ ଚନ୍ଦନୈଃ ପୁନଃ।
କ୍ରମେଣ ଲେପୟେଦ୍ଦେବାନ୍ ଭକ୍ତିଭାବସମନ୍ୱିତଃ।। ୭୭।।
ଏହାପରେ ଭକ୍ତିଭାବ ସହକାରେ ଆଚାର୍ଯ୍ୟ, ଅଗ୍ନିଶର୍ମା ଓ ବ୍ରହ୍ମା ଠାକୁରମାନଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଇବେ।
ଦିବ୍ୟୈର୍ନବ୍ୟାମ୍ବରୈର୍ମାଲ୍ୟୈରଳଂକାରୈର୍ମନୋହରୈଃ।
ସୁବେଶରଚନାଂ କୁର୍ଯ୍ୟାଦ୍ଦେବତାନାଂ ମହୀପତେ।। ୭୮।।
ହେ ମହୀପତି ! ତାହାପରେ ଦିବ୍ୟ ନୂତନବସ୍ତ୍ର, ମାଲ୍ୟ ଓ ମନୋହର ଅଳଙ୍କାର ଦ୍ୱାରା ଠାକୁରଙ୍କ ବେଶ କରାଇବ।
ତତୋ ଦେବାଗ୍ରତଃ କ୍ଷିପ୍ରଂ ପୂର୍ବବନ୍ମଣ୍ଡଳଂ ନ୍ୟସେତ୍।
ଚତୁଃପଙ୍କ୍ତିତୟା ତସ୍ମାତ୍ପାକଶାଳାପ୍ରଦେଶତଃ।। ୭୯।।
ଘଣ୍ଟାକାହାଳୟୋର୍ଜାତେ ଧ୍ୱନୌ ଧୃତ୍ୱା ଚ ଛତ୍ରକମ୍।
ଚକ୍ରଂ ପୁରଃ ପ୍ରଦେଶେ ଚ ଧୃତ୍ୱା ନୈବେଦ୍ୟମାନୟେତ୍।।୮୦।।
ତାହାପରେ ଦେବତାଙ୍କ ସମ୍ମୁଖରେ ପୂର୍ବପରି ଭୋଗମଣ୍ଡଳ କରିବ। ଛତ୍ର ଓ ଚକ୍ରଧରି ଘଣ୍ଟା କାହାଳୀ ପ୍ରଭୃତିର ଶୁଭଧ୍ୱନି ଗହଣରେ ପାକଶାଳାରୁ ନୈବେଦ୍ୟମାନ ଆଣି ଚାରିଧାଡ଼ିରେ ମଣ୍ଡଳମଧ୍ୟରେ ଯତ୍ନପୂର୍ବକ ରଖିବ।
ଆନୀୟ ପଙ୍କ୍ତିମଧ୍ୟେ ହି ସ୍ଥାପୟେତ୍ତତ୍ର ଯତ୍ନତଃ।
ଅଗ୍ନିଶର୍ମା ତତୋ ଭୂପ ଚନ୍ଦନଂ ମାଲ୍ୟମୁତ୍ତମମ୍।। ୮୧।।
ପୀତବସ୍ତ୍ରଦ୍ୱୟଂ ଦଦ୍ୟାଦ୍ ବିଷ୍ଣବେ ମୁରଜିଷ୍ଣବେ।
ଆଚାର୍ଯ୍ୟସ୍ତୁ ତତୋ ଭକ୍ତ୍ୟା ପ୍ରାତଃ ପୂଜନମାଚରେତ୍।। ୮୨।।
ହେ ରାଜା ! ତାହାପରେ ଅଗ୍ନିଶର୍ମା ଚନ୍ଦନ, ଉତ୍ତମ ମାଲ୍ୟ, ଦୁଇଖଣ୍ଡି ପୀତବସ୍ତ୍ର ବିଷ୍ଣୁଙ୍କୁ ଅର୍ପଣ କରିବେ। ତାହାପରେ ଆଚାର୍ଯ୍ୟ ଭକ୍ତିପୂର୍ବକ ପ୍ରାତଃକାଳୀନ ପୂଜା କରିବେ।
ପୂର୍ବବଦ୍ ବିଧିନା ପ୍ରୋକ୍ତୈସ୍ତୈସ୍ତୈରେବୋପଚାରକୈଃ।
ତତଃ ପୂଜାବସାନେଽପି ପୂର୍ବବତ୍ ପରମେଶ୍ୱରମ୍।। ୮୩।।
ବନ୍ଦାପୟେୟୁସ୍ତେ ସର୍ବେ କର୍ପୂରବର୍ତ୍ତିଭିଃ ପୁନଃ।
କ୍ଷିପ୍ତ୍ୱା ଦୂର୍ବାକ୍ଷତାନ୍ ସପ୍ତବର୍ତ୍ତିଭିଃ ପିଷ୍ଟବର୍ତ୍ତିଭିଃ।। ୮୪।।
ପୂର୍ବପରି ବିଧିପୂର୍ବକ ଆସାଦିତ ଉପଚାର ଦ୍ୱାରା ପୂଜା କରି ପରମେଶ୍ୱରଙ୍କୁ ବନ୍ଦାପନା କରିବେ। କର୍ପୂରରେ ଆରତି କରିବେ। ତାହାପରେ ଦୂର୍ବାକ୍ଷତରେ ବନ୍ଦାପନା କରି ପିଠଉ ଓ ସାତଟି ବତୀରେ ଆରତି କରିବେ।
ଇତଥଂ ନେତ୍ରୋତ୍ସବଂ କୁର୍ଯ୍ୟାତ୍ ଷୋଡଶେଽହ୍ନି ଶ୍ରିୟଃ ପତେଃ।
କ୍ଷୟେଽଥ ବାଥ ବୃଦ୍ଧ୍ୟାଂ ବା ଦଶପଞ୍ଚଦିନସ୍ୟ ଚ।। ୮୫।।
ଏହିପରି ଷୋଡ଼ଶ ଦିନ ଜଗନ୍ନାଥଙ୍କର ନେତ୍ରୋତ୍ସବ କରିବ। ତିଥି କ୍ଷୟ ହେଲେ କିମ୍ବା ବୃଦ୍ଧି ହେଲେ ପନ୍ଦର ଦିନର ଶେଷରେ ପ୍ରାତଃ କାଳରେ, ହେ ରାଜା ! ନେତ୍ରୋତ୍ସବ କରାଇବ ।ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ।
ପ୍ରାନ୍ତେ ନେତ୍ରୋତ୍ସବଂ ପ୍ରାତଃ ବିଦଧୀତ ନୃପୋତ୍ତମ।
ଦୈବଯୋଗାନ୍ନୃପଶ୍ରେଷ୍ଠ ତ୍ରୟୋଦଶଦିନାତ୍ମକେ।। ୮୬।।
କୃଷ୍ଣପକ୍ଷେ ଜାୟମାନେ ତଦୈବ ଶ୍ରୀଜଗତ୍ପତେଃ।
ଅଙ୍ଗାଳସ୍ୟଂ ପ୍ରକୁର୍ବୀତ ଦଶପଞ୍ଚଦିନାବଧି।। ୮୭।।
ଦ୍ୱିତୀୟାୟାଂ ତିଥୌ ଭୂପ କୃତ୍ୱା ନେତ୍ରୋତ୍ସବାଦିକମ୍।
ପ୍ରାତଃ ପୂଜାଂ ପ୍ରକୁର୍ଯ୍ୟାଦବୈ ତତୋ ବନ୍ଦାପନାଂ ଚରେତ୍।୮୮।।
ହେ ନୃପଶ୍ରେଷ୍ଠ ! ଦୈବବଶତଃ ତିଥି କ୍ଷୟ ହେବା ଦ୍ୱାରା ଯଦି ଏହି କୃଷ୍ଣପକ୍ଷଟି ୧୩ଦିନ ବିଶିଷ୍ଟ ହୁଏ ତଥାପି ଅଣସର ୧୫ଦିନ ପର୍ଯ୍ୟନ୍ତ ପାଳି ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା (ଶ୍ରୀଗୁଣ୍ଡିଚା ଦିନ) ତିଥିରେ ନେତ୍ରୋତ୍ସବ କରିବ। ତାପରେ ପ୍ରାତଃକାଳୀଳ ପୂଜା କରି ବନ୍ଦାପନା କରିବ।
Post a Comment