ଶ୍ରୀମନ୍ଦିର ସେବା ଓ ସେବକ ପରମ୍ପରା * ସିଂହାରୀ ସେବା *



ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ଚତୁର୍ଦଶ ବ୍ରହ୍ମାଣ୍ଡ ମଣିମା ହୋଇଥିବାରୁ ତାଙ୍କ ନିକଟରେ ଅନେକ୍ ସେବା ର ବ୍ୟବସ୍ଥା ରହିଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ନୀତି ସମ୍ପାଦନ ନିମନ୍ତେ ଛତିଶା ନିଯୋଗ ଗଠନ ହୋଇଛି।
ଏହି ସମସ୍ତ ନିଯୋଗ ମଧ୍ୟରେ ସିଂହାରୀ ସେବା ଅନ୍ୟତମ।

ସିଂହାରୀ ଅର୍ଥ ଯିଏ ଶୃଙ୍ଗାର କରିଥାନ୍ତି।ସିଂହାରୀ କୂଳ ଉତ୍ପତ୍ତି ବିଷୟରେ ସବିଶେଷ ତଥ୍ୟ ନଥିଲେ ମଧ୍ୟ ଏହା ଅନୁମାନ କରାଯାଇ ପାରେ ଯେ ଏହି ସେବା ସମ୍ପୃକ୍ତ ପରିବାର ଗୁଡିକୁ ଉକ୍ତଳ ମଉଡ଼ମଣି ଗଜପତି ମହାରାଜା ଙ୍କ ଦ୍ଵାରା ଅତୀତ ରେ ପ୍ରଦାନ କରାଯାଇଥାଇପାରେ। କିନ୍ତୁ ଏହାର କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ।

ସିଂହାରୀ ସେବକମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ(ଶୃଙ୍ଗାର)କରିବା।ପ୍ରତିଦିନ ଛଅ ଥର ଚତୁର୍ଦ୍ଧା ମୂର୍ତ୍ତି ଙ୍କ ବେଶ ହୋଇଥାଏ।ବସ୍ତ୍ର ଓ ପୁଷ୍ପ ଅଳଙ୍କାର ପରିବର୍ତ୍ତନ କୁ ପାରମ୍ପାରିକ ଭାଷା ରେ "ମଇଲମ" କୁହାଯାଏ।ପ୍ରଥମେ ସକାଳେ ଦ୍ଵାର ଫିଟା ହୋଇ ମଙ୍ଗଳ ଆଳତି ବଢ଼ିଲା ପରେ ଅବକାଶ ନୀତି ନିମନ୍ତେ ଶ୍ରୀଜୀଉମାନଙ୍କୁ ତଡ଼ପ ଉତ୍ତରୀୟ ପିନ୍ଧା ଯାଏ।ଅବକାଶ ନୀତି ଶେଷ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବାର ଅନୁଯାୟୀ ରଙ୍ଗ ର ପାଟ ବସ୍ତ୍ର ପରିଧାନ କରାଯାଇଥାଏ।ତତ୍ ପରେ ସକାଳ ଧୂପ ପରେ ଥରେ ,ମଧ୍ୟାହ୍ନ ଧୂପ ପରେ ଥରେ, ସନ୍ଧ୍ୟା ଧୂପ ପରେ ଥରେ ଏବଂ ରାତିରେ ବଡ଼ସିଂହାର ବେଶ ରେ ବିଭୂଷିତ କରାଯାଇଥାଏ।ଏହି ସମସ୍ତ ବେଶ ତିନି ବାଡ଼ ରେ ତିନି ଜଣ ସିଂହାରୀ ସେବକମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ।ପ୍ରତି ବେଶ ରେ ବସ୍ତ୍ର,ପୁଷ୍ପ ଅଳଙ୍କାର ଲାଗି ହୋଇସାରିବା ପରେ ବେଶ ବଢ଼ିବାର ସୂଚକ ଭାବରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କର୍ପୁର ଲାଗି କରାଯାଇଥାଏ।

ଶ୍ରୀ ଜୀଉମାନଙ୍କ ବେଶ କାର୍ଯ୍ୟ ସମ୍ପାଦନ କରିବା ପରେ ସିଂହାରୀ ମାନେ ରତ୍ନସିଂହାସନ ରୁ ଓଲ୍ହାଇ ଆସି ସିଂହାସନ ତଳେ ମୁଣ୍ଡିଆ ମାରିଥାନ୍ତି।ତତ୍ପରେ ଖୁଣ୍ଟିଆ ସେବକମାନଙ୍କୁ ଶ୍ରୀଅଙ୍ଗ ମଣେଇ ଦେଇ ସେମାନେ ବାହାରକୁ ପଳେଇଯାନ୍ତ। 

ଏତଦବ୍ୟତୀତ କିଛି ସିଂହାରୀ ସେବକମାନେ ମହାଜନୀ ସେବା ପାଇଁ ଅଧିକୃତ।
ଦକ୍ଷିଣୀ ଘରେ ବିରାଜିତ ଶ୍ରୀମନ୍ଦିରର ସମସ୍ତ ଚଳନ୍ତି ପ୍ରତିମା ମାନଙ୍କର ସେବାପୁଜା ଦାୟିତ୍ବ ଏମାନେ ସମ୍ପାଦିତ କରିଥାଆନ୍ତି।
ସମସ୍ତ ବାହାର ଯାନିଯାତ୍ରା ସମୟରେ ମହାଜନ ସେବକମାନେ ଚଳନ୍ତି ପ୍ରତିମା ମାନଙ୍କୁ ହସ୍ତ ରେ ବିଜେ କରାଇଥାନ୍ତି।

ଉତ୍କଳ ଅଧିପତି ଗଜପତିଙ୍କ ଦ୍ୱାରା ସିଂହାରୀ ସେବକମାନଙ୍କୁ ରଜା ଉପାଧି ପ୍ରାପ୍ତ ହୋଇଛି।

ସାଧାରଣତଃ ଆମେ ବଡ଼ଦେଉଳ ରେ ଶ୍ରୀଜୀଉମାନଙ୍କ ବିଭିନ୍ନ ସମୟରେ ବିଭିନ୍ନ ବେଶ ଦେଖି ମୁଗ୍ଧ ହୋଇଥାଉ।
ଏଭଳି ସୁନ୍ଦର ଭାବେ ପରିଶ୍ରମର ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୃଙ୍ଗାର କରୁଥିବା ସିଂହାରୀ ସେବକମାନେ ନିଶ୍ଚିତ ଭାବେ ପ୍ରଶଂସନୀୟ।

ଜୟ ଜଗନ୍ନାଥ
ଆଦିତ୍ୟ ମହାପାତ୍ର ❤️

Post a Comment

Previous Post Next Post