#ଚଃତୁଧାମ_ମଧ୍ୟରେ_ପୁରୀ (#ପୁରୁଷୋତ୍ତମ) #କାହିଁକି_ପରିଗଣିତ_ହେଲା ?
     ତପସ୍ୟା, ଯଜ୍ଞ, ସେବାପୂଜା ଓ ନାମ ଆର୍ଯ୍ୟସାଧନ ମାର୍ଗର ମୁଖ୍ୟ ଚାରିଗୋଟି ଉପାୟ ଅଟେ। ଚତୁମାର୍ଗଂ ହିଁ ସାଧନମ୍ ହି ସାଧନମ୍ ଏହି ଚାରିଗୋଟି ମାର୍ଗକୁ କେନ୍ଦ୍ରକରି ଚାରିଧାମର ସ୍ଥାପନ ହୋଇଅଛି। ଭଗବାନ ନରନାରାୟଣ ସତ୍ୟଯୁଗରେ ବଦ୍ରିକାଶ୍ରମରେ ତପସ୍ୟା କରି ତାକୁ ତପୋଭୂମି ରୂପରେ ସତ୍ୟଯୁଗର ଧାମ ରୂପରେ ପ୍ରତିଷ୍ଠା କରିଲେ।

    ତ୍ରେତାଯୁଗରେ ସ୍ବୟଂ ରାମଚନ୍ଦ୍ର ମହାଯଜ୍ଞରୁ ବାହାରି ରାମେଶ୍ବରରେ ଶିବ ଓ ବିଷ୍ଣୁଙ୍କର ମିଶ୍ର ଯଜ୍ଞ କରି ସମନ୍ବୟ ମତର‌ ପ୍ରତିଷ୍ଠା କରି ଯଜ୍ଞ ସ୍ବରୂପ ଯୁଗଧାମ ପ୍ରତିଷ୍ଠା କରିଲେ। 

    ଦ୍ଵାପର ଯୁଗରେ ଦ୍ଵାରକାରେ ସ୍ବୟଂ ଶ୍ରୀକୃଷ୍ଣ ରାଜତ୍ଵ କରି ସେବା ଭାବରେ ପରାକାଷ୍ଠା (ଗୁରୁତ୍ବ) ବଢାଇ ମୂଳ ଦ୍ବାରକାକୁ ସେବାପୂଜାରେ ପ୍ରତୀକ ତୃତୀୟ ଯୁଗଧାମ ରୂପରେ ପ୍ରତିଷ୍ଠା କଲେ। କଳିରେ ସ୍ବୟଂ ବ୍ରହ୍ମ ପୁରୁଷୋତ୍ତମ ଓଁକାର ବା ବ୍ରହ୍ମ ନାମରେ ପ୍ରତୀକ ରୂପରେ ପୁରୁଷୋତ୍ତମ କ୍ଷେତ୍ରରେ ସ୍ବୟଂ ପ୍ରକଟ ହୋଇ ହରି କୀର୍ତ୍ତନ ସୂତ୍ରରେ ନାମମୟ ଧାମର ପ୍ରତିଷ୍ଠା କରିଲେ।
   
     ଧାମ ବ୍ରହ୍ମେଣ ସ୍ଥାପିତମ୍ ଅର୍ଥାତ୍ ଚାରିଗୋଟି ମୁଖ୍ୟ ଧାମ ସାଧନ ମାର୍ଗ ଉପରେ ଆଧାରିତ ହୋଇଥିବାରୁ ଜଗଦ୍‌ଗୁରୁ ଶଙ୍କର ଜ୍ୟୋତି, ଦ୍ୱାରକା, ସେତୁଶଙ୍କର ଓ ପୁରୀ ଏହି ୪ ଧାମ ପ୍ରତିଷ୍ଠା କରିଥିଲେ।ଆପ୍ତ ପ୍ରମାଣରୁ ଏହାହିଁ ଜଣାଯାଏ।

     କୃତୈଚ ବଦ୍ରିନାଥ ଶ୍ଚ ତ୍ରେତାୟାଂ ସେତୁଶଙ୍କରମ୍        
     ଦ୍ବାପରେ ଦ୍ବାରକାନାଥଂ କଳୌ ଶ୍ରୀ ପୁରୁଷୋତ୍ତମଂ

ସାଧନା ଉପରେ ଏହା ପ୍ରତିଷ୍ଠିତ ଅଟେ। ତେଣୁ ଏହି ଚିନ୍ତା ଅତି ପ୍ରାଚୀନ ଓ ସର୍ବଜନମାନ୍ୟ ଅଟେ।

କୃତେ ଚ ତପଶ୍ଚର୍ଯ୍ୟାଶ୍ଚ ତ୍ରେତୟାଂ ଯୁଗେ ମଖଃ  
ଦ୍ବାପରେ ପରିଚର୍ଯ୍ୟାଶ୍ଚ କଳୌ ନାମଂ ହି କେବଳମ୍।

#ପୁରୀର_ପ୍ରାଚୀନ_ନାମ_କଣ ?
    
 ପୁରୀର ନାମ ମାର୍କଣ୍ଡେୟ ପୁରାଣରେ ଥିଲେ ମଧ୍ୟ ଏହାର ସର୍ବପ୍ରାଚୀନ ନାମ ‘ଅନ୍ତର୍ବେଦୀ’ ମହାଭାରତ ବନ ପର୍ବରେ ଅନ୍ତର୍ବେଦୀ ମିତିଖ୍ୟାତମ୍ ଆସିଅଛି।ଗୀତାର ପୁରୁଷୋତ୍ତମ ଯୋଗରେ(୧୫ଦଶ ଅଧ୍ୟାୟ) ଏହା ଲୋକରେ ପୁରୁଷୋତ୍ତମ କ୍ଷେତ୍ର ରୂପରେ ହିଁ ନେଇଛନ୍ତି।

‌      ସ୍କନ୍ଦ ପୁରାଣ ୧୨ ଅଧ୍ୟାୟରେ ପୁରୀ ଶଙ୍ଖାକାର ହୋଇଥିବାରୁ ଶଙ୍ଖକ୍ଷେତ୍ର ନାମରେ ମାନିଛନ୍ତି ଓ ସେହି କ୍ଷେତ୍ରରେ ଅଷ୍ଟଶକ୍ତି, ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥ ଥିବାର ବର୍ଣ୍ଣନା କରିଅଛନ୍ତି।

      ଦେବୀଭାଗବତ, କାଳୀକାପୁରାଣ ନୀଳତନ୍ତ୍ର ଏହିଠାରେ ସୀତାଙ୍କର ପାଦ ପଡ଼ିଥିବାରୁ ଏହାକୁ ପାଦାପୀଠ ବା ଉଡୀୟାନ ପୀଠ ନାମଦେଇ ବିମଳାଙ୍କୁ ଭୈରବୀ ଓ ଜଗନ୍ନାଥଙ୍କୁ ଭୈରବ ବୋଲି କହିଛନ୍ତି।

      ସ୍କନ୍ଦପୁରାଣ, ବାମଦେବ ସଂହିତା,କପିଳ‌ ସଂହିତା, ଏଠାରେ ନୀଳପର୍ବତ ନାମକ ପବିତ୍ର ପର୍ବତର ଗୁହାରେ ପ୍ରଭୁ ପ୍ରଥମେ ବିରାଜିତ ଥିବାରୁ ଏହି କ୍ଷେତ୍ରକୁ‘ନୀଳାଦ୍ରି’ ନାମ ଦେଇଛନ୍ତି।
    
      ନୀଳଶିଖର ଶୃଙ୍ଗସ୍ଥ ବିଭ୍ରତିବପୁ ସ୍କନ୍ଦ ପୁରାଣ ୭‌।୭୧ତଥା ତନ୍ତ୍ର ବିଶେଷତଃ ନୀଳ ତନ୍ତ୍ର,। ଉଡାନତନ୍ତ୍ର, M.S.S କହନ୍ତି। ଏଠାରେ ନୀଳ ନାମକ ତନ୍ତ୍ର ମାର୍ଗର କେନ୍ଦ୍ର ଥିଲା। ତେଣୁ ଏହା ନୀଳକ୍ଷେତ୍ର ଅଟେ। ବାସ୍ତବରେ ତାରାତନ୍ତ୍ର ପ୍ରଥମ ପ୍ରକାରଣ ୮ମ ଶ୍ଳୋକ (ବାରଣାସୀ ପ୍ରକାଶନ)ରେ ମହାନୀଳ ଏକ ସାଧନା ମାର୍ଗଥିଲା। ନୀଳ ସରସ୍ଵତୀ ସାଧକମାନେ ଏହାକୁ ନୀଳକ୍ଷେତ୍ର କହନ୍ତି।

ମହାଚୀନ ମାନୀଳଂ ନ ସାଧୟତି ଯୋ ନରାଃ  
ନ ତସ୍ୟ ଶୋଧନ ଶକ୍ତିଂ କୁମ୍ଭିପାକେମହୀୟତେ।  

     ତେଣୁ ପୁରାଣ ଯୁଗ ପୂର୍ବରୁ ଏହାର ନାମଥିଲା ଅନ୍ତର୍ବେଦୀ, ପୁରାଣ ଯୁଗରେ ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖକ୍ଷେତ୍ର, ନୀଳାଦ୍ରି ନାମ ଖ୍ୟାତ ଥିଲା। ତନ୍ତ୍ର ମତରେ ଏହାର ନାମ ଉଡୀୟାନ ପୀଠ ଅଟେ। ଏହି ପାଞ୍ଚଗୋଟି ପ୍ରାଚୀନ ନାମ ବ୍ୟତୀତ ଏହାକୁ ପତିତପାବନ କ୍ଷେତ୍ର, ମର୍ତ୍ତ୍ୟବୈକୁଣ୍ଠ,ଯମନିକ କ୍ଷେତ୍ର ପ୍ରଭୃତି କେତେଗୁଡ଼ିଏ ନାମକୁ ସଂସ୍କୃତ ସାହିତ୍ୟ ସ୍ବୀକାର କରିଅଛନ୍ତି। ପ୍ରାଚୀନ ଐତିହାସିକ ଶିଳାଲିପିରେ ମଧ୍ୟ ପୁରୀ ପୁରୁଷୋତ୍ତମ କ୍ଷେତ୍ର ବୋଲି ବିଦିତ ହୋଇଛି।

      ତାହା ମଧ୍ୟରୁ ଚନ୍ଦ୍ରିକା ଦେବୀଙ୍କର ୧୨୭୮ ଖ୍ରୀଷ୍ଟାବ୍ଦରେ ଅନନ୍ତ ବାସୁଦେବଙ୍କ ଅବସ୍ଥିତ ବିଷୟ ଉଲ୍ଲେଖ କରାଯାଉଛି।ଦାଶଗୋଦା ତାମ୍ରଶାସନରେ ରାଘବ ଦେବ ପୁରୁଷୋତ୍ତମ ନାମକୁ ପ୍ରଖ୍ୟାତ କରାଇ ଅଛନ୍ତି।

 #ଜଗନ୍ନାଥଙ୍କର_ପ୍ରଥମ_ସ୍ଥାପନକର୍ତ୍ତା_କିଏ ?

 ଜଗନ୍ନାଥଙ୍କର ପ୍ରଥମ ସ୍ଥାପନ କର୍ତ୍ତା ବ୍ରହ୍ମାଙ୍କର ପଞ୍ଚମପୁରୁଷ , ସୂର୍ଯ୍ୟବଂଶର ରାଜା ଇନ୍ଦ୍ରଦ୍ୟୁମ୍ନ,ସେ ଅବନ୍ତୀ ଦେଶର ରାଜା ଥିଲେ। ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ପ୍ରଥମେ ଜଗନ୍ନାଥ ପ୍ରକଟ ହେଲେ ବୋଲି ସ୍କନ୍ଦପୁରାଣ କହନ୍ତି।

      ଯସ୍ତୁ ସାକ୍ଷାତ ଜଗନ୍ନାଥଃ ଆବିର୍ଭୂତଃ କୃତେନ (୨୧ଅଧ୍ୟାୟ) ସତ୍ୟ ଯୁଗରେ ଏହି ପୌରାଣିକ ପୁରୁଷ ପୂଜା ଖ୍ୟାତ ପାଇଁ ଚେଷ୍ଟା କରିଥିଲେ। ତ୍ରେତୟା ଯୁଗର କ୍ଷେତ୍ରଥିଲା, ମାତ୍ର ପୂଜା ଋଷିମାନଙ୍କ ଦ୍ବାରା ହିଁ ହେଉଥିଲା। ରାଜା ରତ୍ନଗ୍ରୀବ ତ୍ରେତାଯୁଗରେ ଦର୍ଶନ କରିବାକୁ ଆସିଥିବା ପଦ୍ମପୁରାଣ କହନ୍ତି।

      ଏହି ଇନ୍ଦ୍ରଦ୍ୟୁମ୍ନଙ୍କ ସମୟ ହେଲା, ଦ୍ବିତୀୟ ପରାର୍ଦ୍ଧ ସ୍ବାୟମ୍ଭୁବ ମନୁଙ୍କ ରାଜତ୍ଵ କାଳର ଶ୍ବେତ ବାହାରକଳ୍ପ।ଏତେ ବେଳକୁ ଦାରୁପୂଜା ଆରମ୍ଭ ହୋଇଥିଲା। ଏହି ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିରର ଶ୍ରାଦ୍ଧ ପରମ୍ପରାନୁସାରେ ଆଶ୍ବମେଧି ଇନ୍ଦ୍ରଦ୍ୟୁମ୍ନ କହନ୍ତି, କେହି କେହି ଇନ୍ଦ୍ରଭୂତି, କେହିକେହି ବା ଇନ୍ଦ୍ରବୋଲି ମଧ୍ୟ କହନ୍ତି। ମାତ୍ର ଯାହା ଜଣାଯାଏ ଯେତେବେଳେ ଯେଉଁ ରାଜା ଜଗନ୍ନାଥଙ୍କ ପୂଜାରେ ନିକଟତମ ବ୍ୟକ୍ତି ରୂପରେ ଆସିଛନ୍ତି ସେ ନିଜକୁ ଇନ୍ଦ୍ରଦ୍ୟୁମ୍ନ ବୋଲାଇଥିବା ମାଦଳାପାଞ୍ଜିର ଯଯାତି କେଶରୀଙ୍କ ଇତିହାସରୁ ଜଣାଯାଏ। କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ମତରେ ତାହା ୧୫୬କୋଟି ବର୍ଷ ତଳର କଥା।
   
   (ପୁରୁଷୋତ୍ତମ କ୍ଷେତ୍ରରେ ଇତିବୃତି ପୁସ୍ତକ) ବାସ୍ତବରେ ସ୍ବାୟମ୍ଭୂବ ମନୁଙ୍କ କାଳକୁ ଧରିଲେ ଏହା ସ୍ମରଣାତୀତ କାଳର କଥା ହେବ।

       ସାପ୍ରଂତ ମେ ଦ୍ବିତୀୟ ତୁ ପରାର୍ଦ୍ଧେ ସସମସ୍ଥିତ  
       ମନୁ ସ୍ବାୟମ୍ଭୁ  ର୍ବୋନମ ଶ୍ବେତ ବାରାହ କଳ୍ପକେ

      ଶ୍ଳୋକରୁ ଜଣାଯାଏ ଇନ୍ଦ୍ରଦ୍ୟୁମ୍ନ ନାମକ ପୌରାଣିକ ରାଜା ସତ୍ୟଯୁଗରେ ଜଗନ୍ନାଥ ପୂଜାର ପ୍ରଚଳନ କରାଇଥିଲେ। କିନ୍ତୁ ଇତିହାସରେ ଏହା ସମର୍ଥନ କରେନାହିଁ।

 #ମୋଗଲ_ଆକ୍ରମଣ_ବେଳେ_ପ୍ରଭୁଙ୍କ_ମହିମା_କେଉଁଠି_ଥିଲା ?

        ମୁକ୍ତିପ୍ରଦ ପ୍ରଭୁ ଜଗନ୍ନାଥଙ୍କ ମହିମା ଭୌତିକ ଧାରଣାରେ ଚିନ୍ତା କରାଯାଇ ନ ପାରେ। ତାଙ୍କର ଥିବା ନ ଥିବା ସବୁ ସମାନ, ତଥାପି ଦେଖିଲେ ଜଣାଯାଏ ଜଗନ୍ନାଥ ମହାପ୍ରଭୁ ଯଥେଷ୍ଟ ମହିମା ପ୍ରକାଶ କରିଅଛନ୍ତି। ପ୍ରଥମ ଆଚାର୍ଯ୍ୟ ରାଜଦେବ ରାଜଗୁରୁଙ୍କ ସମୟରେ ଭାନୁଦେବ ୩ୟଙ୍କ ସମୟରେ,ଶକାବ୍ଦ ୧୨୮୨ ବା‌ ଖ୍ରୀଷ୍ଟାବ୍ଦ ୧୩୬୦ର ବୃଷମାସରେ ସୁଲତାନ ଫିରୁଜ ଖାଁ ପ୍ରଥମେ ଜଗନ୍ନାଥ ମନ୍ଦିର ଆକ୍ରମଣ କରି ଜଗନ୍ନାଥଙ୍କୁ ସ୍ପର୍ଶ କରିବାକୁ ଆସିଥିଲା। ମାଦଳାପାଞ୍ଜି ସମ୍ପର୍କୀୟ ବିବରଣୀରୁ ଜଣାଯାଏ ସେ ମନ୍ଦିରରେ ପ୍ରବେଶ କଲା ମାତ୍ରେ ଅନ୍ଧପରି ହୋଇଗଲା ଓ ବଡ଼ ବିକଳ ହୋଇ ବାଡ଼ ଡେଇଁ ପଳାଇଲା। ତାହା ଦେଖି ଭାନୁଦେବ ଖାଲି ପଡ଼ିଥିବା ମେରଦା ଘରକୁ ଲୋକଙ୍କ ବ୍ୟବହାର ପାଇଁ ଦେଇଦେବାରୁ ସରଘରଗୁଡିକ ଭାନୁଦେବ ଖଞ୍ଜା ନାମରେ ଖ୍ୟାତ ହେଲା। ଏହି କାରଣରୁ Sriatae Firuja Sahi ପ୍ରସ୍ତାବରେ ସେ ଜଗନ୍ନାଥ ମନ୍ଦିର ଆକ୍ରମଣ କରି ଅପବିତ୍ର କରିବା କଥା ଲେଖାଥିଲେ ମଧ୍ୟ Tarikha E Firuja Sahi ତାଙ୍କର ଅପକୃତ୍ୟର ନାମ ପର୍ଯ୍ୟନ୍ତ ନେଇ ନାହାନ୍ତି। ଏହାପରେ ୧୪୨୧ରେ  ନିଶଙ୍କଭାନୁଙ୍କ ସମୟରେ ସୁଲତାନ ହୋସେନ ଘୋରି ମୁଗଲ ଜଗନ୍ନାଥଙ୍କୁ ଛୁଇଁବାକୁ ଚେଷ୍ଟାକରି ପାରି ନଥିଲା।
 
       ଚୈତନ୍ୟ ଦେବଙ୍କ ଆଗମନ ପୂର୍ବରୁ ମୁରଥାନଗାଜି ଇସ୍‌ମାଇଲ ଜଗନ୍ନାଥଙ୍କୁ ନେଇଯିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ୧୦୦୯ ଖ୍ରୀଷ୍ଟାବ୍ଦରେ ଗୋଦାବର ରାଜଗୁରୁ ସାହାସ ଆକ୍ରମଣର ଖବର ପାଇ ହୁଳୁହୁଳିଆ କୂଳରୁ ପ୍ରଭୁଙ୍କୁ ଚାପରେ ବସାଇ ଚିଲିକାର କୌଣସି ସ୍ଥାନକୁ ନେଇଯାଇଥିଲେ। ମାତ୍ର ୧୫୨୨ରେ ଶ୍ରୀଚୈତନ୍ୟ ଆସିବା ବେଳକୁ ପ୍ରଭୁମାନେ ଫେରି ଆସିଥିଲେ। ପ୍ରଭୁଙ୍କ ମାୟାରେ ସୁରଥାନ ଶକ୍ତ ବେମାର ପଡି ପୁରୀ ଯାଇନଥିଲା। ପ୍ରବାଦ ବଚନ ଅଛି- 

    ସୁରଥାନ ପାତିଶା ଯେ ଘେନିଯିବ ବୋଲି
    ଚିଲିକା କୁଦକୁ ନେଲେ ଭଗତ ଯେ ଡରି
    ମାତ୍ର ଚାରିଦିନ ମାତ୍ର କୁବେର ରହିଲେ   
    ସୁରଥାନ ବାଧକିରେ କଟରୁ ବାହୁଡିଲା
    ପ୍ରଭୁଙ୍କ ମହିମାରୁ ଦେହ ଯେ ପଠାଟି ଗଲା।
                       (ଜଗନ୍ନାଥଙ୍କ ବାହର ବିଜେ ଗୀତ)

     କଳାପାହାଡ଼ ୧୫୬୮ରେ ଆସିଲେ ବଟମାଧବଙ୍କୁ ନେଇଥିଲେ, ଜଗନ୍ନାଥଙ୍କୁ ସେବକମାନେ ମନ୍ଦିର ମଧ୍ୟରେ ଲୁଚାଇ ରଖିଥିଲେ।ପରିଶେଷରେ ଏକ ଦୀର୍ଘ ସମୟ ପାଇଁ ରହିଥିଲେ ଚଢ଼େଇ ଗୁହାରେ ଏକରାମ ଖାଁ ଅପବିତ୍ର କରିଦେବା ଭୟରେ। ଏହା Riaz us Salatin English Page 302 ପୃଷ୍ଠାରେ ବର୍ଣ୍ଣିତ ହୋଇଛି। ଆଉରଙ୍ଗଜେବଙ୍କର ଜିଦ୍ ଥିଲା ଯେ ସେ ଜଗନ୍ନାଥଙ୍କୁ ନିଶ୍ଚିତ ଅପବିତ୍ର କରିବେ। ମାତ୍ର ସେ ଜଗନ୍ନାଥଙ୍କୁ ଈଷ୍ଟଦେବ ରୂପରେ ହିଁ ଦେଖିଲେ। ଜଗନ୍ନାଥଙ୍କର ତିଳକ ଅବିକଳ ରୂପରେ ମକ୍‌କାର ପ୍ରଧାନ ଦେବତାଙ୍କ ସହିତ ଜଡିତ ଅଟେ। ଆଲମ ଇ ପିର୍ ନାମରେ ରମଦୟିତି ଗୋସ୍ୱାମୀ ବଡମଠ ମହନ୍ତଙ୍କ ମାର୍ଫତରେ ଜଗନ୍ନାଥଙ୍କୁ ଭୂମିଦାନ କରିଥିଲେ ପ୍ଲେଟ ଆର୍କଇଭସ୍‌ର ଦସ୍ତାବିଜରୁ ଏହା ପ୍ରମାଣ ହୁଏ। ଏଠାରେ ମୁଖ୍ୟତଃ ଉଲ୍ଲେଖ କରିବାର କଥା ଯେ ମକ୍‌କାର ପବିତ୍ର ପୀଠ ଉପରେ ଜଗନ୍ନାଥଙ୍କୁ ତିଳକ ପରି ସାଙ୍କେତ ଅଛି। ଏହି ବିଷୟ ଜାଣି ନ ଥିବା ବହୁ ମୋଗଲ ଜଗନ୍ନାଥଙ୍କୁ ଅପବିତ୍ର କରିବାକୁ ଆପ୍ରାଣ ଚେଷ୍ଟା କରି ବିଫଳ ମନୋରଥ ହୋଇଛନ୍ତି। ଏହାଙ୍କୁ ପ୍ରଭୁଙ୍କ ଅପୂର୍ବ ମହିମା ବୋଲି କହିବା। ସେବକମାନେ ପ୍ରଭୁଙ୍କୁ ନିଜର ଅନ୍ତରଙ୍ଗ ମନେ କରୁଥିବାରୁ ଅପବିତ୍ର କରାଇ ନଦେବାକୁ ଭକ୍ତି ଶ୍ରଦ୍ଧାର ସହିତ ନେଇଛନ୍ତି ସିନା ଆକ୍ରମଣ ପ୍ରତିହତ ହୋଇଛି କେବଳ ପ୍ରଭୁଙ୍କ କୃପାରୁ।ମୋଗଲ ଇସଲାମ ବନ୍ଧୁ ଏତେ ଆକ୍ରମଣ ସତ୍ତ୍ୱେ ଜଗନ୍ନାଥଙ୍କୁ ଭକ୍ତିକରି ଆସୁଛନ୍ତି।

 #ବିଭିନ୍ନ_ଯୁଗରେ_ପ୍ରଭୁଙ୍କର_ସ୍ଥିତି_ଓ_ଆଦର୍ଶ ।

ପୁରାଣାଦି ପ୍ରାଚୀନ ସାହିତ୍ୟରେ ଜଗନ୍ନାଥ ସବୁ ଯୁଗରେ ଊଣା ଅଧିକେ ପ୍ରଭାବବାନ୍‌ ଥିଲେ। ଐତିହାସିକ ଦୃଷ୍ଟିରେ ଗ୍ରାମୀଣ ବା ବୈଦିକ ସମାଜରେ ସେ ଥିଲେ ଯୂପମୟ ରୂପ। ପ୍ରାକ୍ ଗୁପ୍ତକାଳର ସେ ପ୍ରତୀକ।ସେ ଉତ୍ତରଗୁପ୍ତ କାଳରେ ପ୍ରଣବମୟ ରୂପ। ମହାଭାରତ କାଳରେ ସେ ଅନ୍ତ‌ର୍ବେଦୀ ବା ପବିତ୍ର ବେଦୀ ରୂପରେ। ଗୁପ୍ତୋତ୍ତର କାଳରେ ସେ ତ୍ରିରତ୍ନ, ତତ୍‌ ପୂର୍ବରୁ ସେ କଳିଙ୍ଗ ଜୀନ। ପ୍ରାଚୀନ ପୁରାଣ କାଳରେ ସେ ପୁରୁଷୋତ୍ତମ। ପୁରାଣ (ଐତିହାସିକ ମତରେ)ରେ ସେ ଅବତାର ବା କୃଷ୍ଣ ଅଟନ୍ତି।ତନ୍ତ୍ର ମତରେ ସେ ଶକ୍ତିଶାଳୀ ଯନ୍ତ୍ରାରୂଢ ବିଗ୍ରହ। ତେଣୁ ସବୁମତର ଆଖ୍ୟାୟିକା ପୂରି ରହିଛି ତାଙ୍କ ଇତିହାସରେ, ଚରିତ୍ରରେ ଏହାହିଁ ବୈଚିତ୍ର। ଏହା ଯଦି ପୂର୍ବାଚାର୍ଯ୍ୟ ସୃଷ୍ଟିକରି ନଥାନ୍ତେ ତାହାହେଲେ ଜଗନ୍ନାଥଙ୍କୁ ସମନ୍ବୟବାଦର ପ୍ରତୀକ କୁହାଯିବା କଠିନ ହୋଇଥାନ୍ତା। ସେହି କାରଣରୁ ଜଗନ୍ନାଥ ମନ୍ଦିରରେ ପୂଜା, ଅର୍ଚ୍ଚନା ପୌରାଣିକ ମତବାଦ ମଧ୍ୟରେ ବ୍ରାହ୍ମଣ ଗୋଷ୍ଠୀ (ସୂତ୍ରଧାରୀ)ଙ୍କ ଦ୍ଵାରା ଓଁ ମୂର୍ତ୍ତି ଓ ତାହାର ସମ୍ବନ୍ଧୀୟ ସମସ୍ତ କ୍ରିୟାଧିକାର ଦୟିତା ବା ଶାବରଙ୍କ ଉପରେ ନ୍ୟସ୍ତ ହୋଇଛି। ଏହା କମ୍ ସମନ୍ବୟର ପ୍ରତୀକ ନୁହେଁ।ସବୁ ଅନୈକ ମଧ୍ୟରେ ଐକ୍ୟତା। ଐକ୍ୟତା ମଧ୍ୟରେ ଅନୈକ୍ୟତା ଏହାର ମୂଳ ଆଦର୍ଶ ଅଟେ।
Jayjagannathgroup.com 
Jayjagannath.com 
ଉପସ୍ଥାପନା-#ସୁର୍ଯ୍ୟନାରାୟଣ_ରଥସର୍ମା🌹
#ଶ୍ରୀକ୍ଷେତ୍ର_ଇତିହାସ👍

Post a Comment

Previous Post Next Post