ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ନବାଙ୍କ ବେଶ-
"ମାସାନ୍ତଦିବସେ ଚୈବ ନବୀନାଙ୍କୋତ୍ସବୋଭବେତ୍।
କୃଷ୍ଣସ୍ୟ ସର୍ବଦାକୁର୍ଯ୍ୟାନ୍ନକୁର୍ଯ୍ୟା ସଂକ୍ରମେ ଅହନି।।"

ତା.୧୩.୧.୨୦୨୧ ରିଖ ବୁଧବାର ମକରସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଶ୍ରୀମନ୍ଦିର ରେ ପୂର୍ବ ରୀତିମତେ ସମ୍ପର୍ଣ୍ଣ ହୋଇଥାଏ।ନବାଙ୍କ ର ପୂର୍ବଦିନ ଦୁଧ ମେଲାଣ ଅନୁଷ୍ଠିତ ହୋଇଥିଲା।
   
  #ଫୁଲ_ମେଲାଣ-ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳି ମାନେ ବାଘମୁହାଁ ବାନ୍ଧି ମାଳ ଚୁଳ ଜଳ କବରମାନ  ଘେନି ଭିତରସେବକ ଙ୍କ ପଟୁଆର ରେ ଘଣ୍ଟ ,ଛତା ,କାହାଳାଦି ସହ ବଡ଼ଦେଉଳକୁ ବେଢାଏ ବୁଲି ବେହେରଣଠାରେ ବେଶ ନିମନ୍ତେ ପାଳିଆ ସେବକ ମାନଙ୍କୁ ଦେଇଥାନ୍ତି।ଉକ୍ତ ମାଳ ଚୁଳ ମାନ ସନ୍ଧ୍ୟା ଆଳତୀ ବେଶ ରେ ଲାଗି ହୋଇଥାଏ।
       
ଏହାପରେ ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ବଢିବା ପରେ ଚନ୍ଦନଲାଗି ବଢେ।ଆଗରୁ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ।ଭଦ୍ରାସନ ଉପରେ ମୁରୁଜ ପଡି ତିନିଗୋଟି ବାଉଁଶିଆ ରେ ଚାଉଳ ପୁରାଇ ରଖାଯାଏ।ତାହାପରେ ସେଥିରେ ଫୁଲ ଚନ୍ଦନ ଚେମେଡିପତନୀ ଦିଆଯାଇ ଅଧିବାସ କରାଯିବା ପରେ ଦୁଆର ମାନ ମୁଦ ଦିଆଯାଏ।  ସେହିପରି ନବାଙ୍କ ଦିନ ସଂଧ୍ୟା ଆଳତି ବଢ଼ିଲା  ପରେ ଚାଉଳ ମେଲାଣ ନୀତି ଅନୁଷ୍ଠିତ ହୋଇଥିଲା।ଉକ୍ତ ନୀତି ନିମନ୍ତେ ସିଂହଦ୍ୱାର ଚକଡ଼ା ରେ ପାହାଡା ପଡିବାପରେ  ବେରଭୋଇ ପ୍ରଧାନ  ଧାନଘର ଠାରୁ ଚାଉଳ ବିଜେ କରିଥିଲେ। ଏଠାରେ  ପ୍ରଧାନ ଭୋଇ ବାଘମୁହାଁ ବାନ୍ଧି  ଘଣ୍ଟ, ଛତା, କାହାଳୀ ପଟୁଆର ରେ ବଡ଼ଦେଉଳ କୁ ବେଢାଏ ବୁଲି  ଚାଉଳ ଭାରମାନଙ୍କୁ  ଇନ୍ଦ୍ରାଣୀ  ମନ୍ଦିର ବେଢା ରେ ରଖିବାରେ ଚାଉଳ ମେଲାଣ ହୋଇଥାଏ।
ବେଶ ବଢି ପାଣି ପଡିଲେ ଭୋଗ ଡକାଯାଇ ଭୋଗ ଆସିଲା ଉତ୍ତାରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନ କୁ ବିଜେ କରନ୍ତି।ପଞ୍ଚପଚାର ରେ ମଣୋହି ହେବାବେଳେ ଟେରା ପଡି ଭିତରେ ଭୋଗ ସରି ପାଣି ପଡିଲେ ମଦନମୋହନ ଙ୍କୁ ଶ୍ରୀଅଙ୍ଗ ରୁ ଆଜ୍ଞାମାଳ ଦିଆଯାଏ।
ଏହାପରେ ମଦନମୋହନ ହାତ ରେ ବିଜେ ହୋଇ ସିଂହାସନ କୁ ସାଢ଼େଚାରି ଘେରା ବୁଲିବା ପରେ ବଟ ମୂଳେ ଥିବା ବିମାନ କୁ ବିଜେ କରି ଘଣ୍ଟ ଛତା କାହାଳୀ ପଟୁଆର ରେ ସାଢେ ଚାରି ଘେରା ବେଢା କରନ୍ତି ଓ ପ୍ରତ୍ୟେକ ବେଢା ସମୟ ରେ କାହାଳୀ ଦିଆଯାଏ।ବେଢା ସରିବା ପରେ ପୁନଶ୍ଚ ବଟମୂଳ ରେ ବିମାନ ରଖାଯାଏ ଓ ରୁନ୍ଧା ଫିଟି ହାତ ରେ ଜୟବିଜୟ ଦ୍ୱାର ନଣ୍ଡାବ୍ରତ କୁ ହାତରେ ବିଜେ କରାଯାଏ।ଏହିଠାରେ ପ୍ରସଦଲାଗି ଓ ବନ୍ଦାପନା ବଢିଥାଏ।ଏ ଉତ୍ତାରୁ ଠାକୁର ପୁନଶ୍ଚ  ଦକ୍ଷିଣଘରକୁ ବିଜେ କରନ୍ତି ।
ବେଶ ବୈଶିଷ୍ଟ୍ୟ  : 

ଏହି ଦିନ ବଡ଼ ସିଂହାର ବେଶରେ ସୋଲ , ଜରି ଓ କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ , ଚକ୍ର , ହଳ,  ମୁଷଳ ,କୁଣ୍ଡଳ , ତଦଗି ଇତ୍ୟାଦି ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଲାଗି ହୋଇଥାଏ। ଏହି ବେଶ ଏକ ଗେଣ୍ଡୁଫୁଲର ବେଶ । ବଡ଼ ସିଂହାର ବେଶ ରେ ଶ୍ରୀଜୀଉ ମାନ ଙ୍କୁ ଅଳଙ୍କୃତ କରୁଥିବା ଅଳକା , ଗୁଣା , କରପଲ୍ଲବ, ଅଧର ମାଳ ଓ ଶ୍ରୀପୟର ମାଳ ମଧ୍ୟ ଗେଣ୍ଡୁ ରେ ହୋଇଥାଏ । ସାଧାରଣ ଦିନ ମାନଙ୍କ ରେ ଚାରି ପାଞ୍ଚ ଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶରେ ପ୍ରାୟ ଦଶ ପନ୍ଦର ଟି ମାଳ ଲାଗି ହୋଇଥାଏ। ବେଶ ରେ ଲାଗୁଥିବା ଟୋପର ଗୁଡିକ ମଧ୍ୟ ତୁଳସୀ ଏବଂ ଗେଣ୍ଡୁ ଫୁଲର ମାଳ ରେ ହୋଇଥାଏ। 
ନିଳାଦ୍ରୀ ମହୋଦୟ ରେ ବର୍ଣ୍ଣିତ ହୋଇଛି କି 
 ଏହିଦିନ ପ୍ରଭୁଙ୍କର ଅଷ୍ଟାଦଶ ଚିହ୍ନ ଦର୍ଶନ କରି ଭକ୍ତ ମନରେ ନବ ନୂତନ  ଭକ୍ତିଭାବ ଜାଗ୍ରତ କରାଇଥାଏ।ତେଣୁ ଏହା ନବାଙ୍କ ବେଢା଼  ନାମରେ ଖ୍ୟାତ ।
Jagannathsanskruti.Com

Post a Comment

Previous Post Next Post