*◉✿☆⭕ ମୁଁ କୃଷ୍ଣ କହୁଛି..⭕☆✿◉*
.            *!! ଅଧ୍ୟାୟ - ୦୨ !!*
*ରଚନା : ତିଳୋତ୍ତମା ସ୍ଵାଇଁ*

*( ମୁଁ କୃଷ୍ଣ । ମୋର ଜନ୍ମ, ବାଲ୍ୟ, କୈଶୋର , ଯୌବନର କାହାଣୀ ଲୋକମୁଖରେ ଅନେକ ଭାବରେ ପ୍ରଚଳିତ । ବିଭିନ୍ନ ପୁରାଣ ଆଧାରରେ ପ୍ରସ୍ତୁତ ଏହି କାହାଣୀ ମଧ୍ୟରୁ କେତେକ ସତ୍ୟ ଉପରେ ଆଧାରିତ ଥିଲାବେଳେ ଅନ୍ୟ କେତେକ କିଛି ତତ୍ତ୍ଵ ଆଧାରିତ। )*

ହରିବଂଶ ଏବଂ ବିଷ୍ଣୁପୁରାଣରେ ମୋତେ ନେଇ କେବଳ ରାସଲୀଳା ପ୍ରସଙ୍ଗ ହିଁ ବର୍ଣ୍ଣିତ । ମାତ୍ର ଶ୍ରୀମଦଭାଗବତରେ ଏହି ବର୍ଣ୍ଣନା ବିଶେଷ ବିସ୍ତାର ଲାଭକରିଛି । ଶ୍ରୀମଦଭାଗବତ ମୁଖ୍ୟତଃ ତତ୍ତ୍ଵଯୁକ୍ତ ଭକ୍ତି ରସାତ୍ମକ କାବ୍ୟ। ବାହ୍ୟ ଭାବରେ ଅରୁଚିକର ବୋଧ ହେଉଥିବା କାହାଣୀ ମଧ୍ୟରେ ଲୁଚିରହିଥିବା ପ୍ରକୃତ ସଙ୍କେତ ଓ ଅର୍ଥ ବୁଝିବାପାଇଁ ଯଥେଷ୍ଟ ଜ୍ଞାନ ନୁହେଁ ବରଂ ଭକ୍ତିଭାବର ଆବଶ୍ୟକତା ରହିଛି । ସେହିଭଳି ଏକ ପ୍ରସଙ୍ଗ ହେଲା ବସ୍ତ୍ରହରଣ। ଏଥିରେ କାତ୍ୟାୟିନୀ ବ୍ରତ ପାଳନ କରୁଥିବା ଗୋପନାରୀଙ୍କ ଲଜ୍ଜ୍ୟାତ୍ୟାଗର ବୃତ୍ତାନ୍ତ ବର୍ଣ୍ଣିତ । ଲଜ୍ଜ୍ୟା ସ୍ତ୍ରୀଲୋକର ସର୍ବଶ୍ରେଷ୍ଠ ରତ୍ନ । ଯେଉଁ ସ୍ତ୍ରୀଲୋକ ଅନ୍ୟପାଇଁ ଲଜ୍ଜ୍ୟା ତ୍ୟାଗ କରିପାରେ ସେ ତାହା ନିକଟରେ ସର୍ବସ୍ଵ ଅର୍ପଣ କଲା ବୋଲି କହିବାକୁ ହେବ । ମନରେ ନିଜତ୍ଵ ଭାବ ନରଖି ସଂପୂର୍ଣ୍ଣ ସମର୍ପଣ ଦ୍ଵାରା ହିଁ କେବଳ ଈଶ୍ଵର ପ୍ରାପ୍ତି ସମ୍ଭବ । ଅନ୍ୟଥା ନୁହେଁ । ସେଇଥିପାଇଁ ହିଁ ତ ଯେଉଁ ଗୋପ କାମିନୀଗଣ ସର୍ବୋତ ଭାବରେ ମୋତେ ସମର୍ପିତା ଥିଲେ କେବଳ ସେହିମାନେ ମୋତେ ଲାଭକରିପାରିଲେ ।
ପୁରାତନ କୌଣସି ରଚନାରେ ମୋର ପରମ ପ୍ରେୟସୀ , ଲୀଳାସଙ୍ଗିନୀ ରାଧାର ନାମ ସୁଦ୍ଧା ନାହିଁ । ତେବେ ରାଧା ଆସିଲେ କୁଆଡୁ ? ପ୍ରକୃତ ପକ୍ଷରେ ବୈଷ୍ଣବ ଧର୍ମର ଆରାଧିତା , କଲ୍ୟାଣମୟୀ , ଗୋଲକଧାମର ଅଧିଷ୍ଠାତ୍ରୀ, ସର୍ବଜନପୂଜିତା ରାଧା ରାସମଣ୍ଡଳରୁ ସୃଷ୍ଟି ବୋଲି ବ୍ରହ୍ମବୟିବର୍ତ୍ତ ପୁରାଣ କହେ । ଏହି ପୁରାଣରେ ଲିପିବଦ୍ଧ ରାଧା ଙ୍କ କାହାଣୀ ଶୁଣିବା । ଗୋଲକଧାମର ରାସମଣ୍ଡଳର ସର୍ବମୟୀ କର୍ତ୍ତ୍ରୀ , ଅଧିଷ୍ଠାତ୍ରୀ ଦେବୀ ଶ୍ରୀରାଧା । ଶିବଲୋକ , ବୈକୁଣ୍ଠଲୋକ ଏବଂ ସମସ୍ତ ଦେବାଦେବୀଙ୍କ ବାସସ୍ଥାନ ଠାରୁ ଅନେକ ଉଚ୍ଚରେ ଏ ଧାମ । ସମସ୍ତ ଗୋପ ବାଳକ ଓ ଗୋପୀଗଣ ଏଠାରେ ମୋ ନିତ୍ୟ ସହଚର । ଏଠାରେ ବିରଜା ନାମ୍ନୀ ଜଣେ ଗୋପୀଥିଲେ ମୋର ଅତ୍ୟନ୍ତ ପ୍ରିୟ । ତାଙ୍କ ନିକଟରେ ମୋର ଅବସ୍ଥାନ କାଳରେ ରାଧାଙ୍କ ଈର୍ଷା ଓ କୋପ ଉପସ୍ଥିତ ହେଲା । ସେ ବିରଜାଙ୍କ ମନ୍ଦିରରେ ପ୍ରବେଶ କରିବାକୁ ଚାହିଁଲେ । ମୋର ଭକ୍ତ , ସାଥି ଶ୍ରୀଦାମ ତାଙ୍କୁ ଭିତରକୁ ଛାଡିଲେ ନାହିଁ । ରାଧା କ୍ରୋଧରେ ମୋତେ ମନୁଷ୍ୟ ରୂପରେ ଜନ୍ମ ହେବାପାଇଁ ଓ ଶ୍ରୀଦାମଙ୍କୁ ଅସୁରରୂପେ ଜନ୍ମହେବାପାଇଁ ଅଭିଶାପଦେଲେ । ଶ୍ରୀଦାମ ରାଧାଙ୍କୁ ମୋ ଜନ୍ମ ପୂର୍ବରୁ ଜନ୍ମ ହେବାପାଇଁ ଓ ଚନ୍ଦ୍ରଶେଣାର ପତ୍ନୀ ହେବାପାଇଁ ଅଭିଶାପ ଦେଲେ । ଦୁଷ୍ଟ ନିବାରଣ ପାଇଁ ଓ ସନ୍ଥଙ୍କ ସୁରକ୍ଷା ପାଇଁ ପୃଥିବୀକୁ ଆସିବାକୁ ହେବ, ପୁଣି ନିଜର ପ୍ରାଣପ୍ରିୟାକୁ ଅନ୍ୟର ପତ୍ନୀ ରୂପେ ଦେଖିବାକୁ ହେବ ଏଭଳି ଭାଗ୍ୟ କେତେଜଣଙ୍କର ଥାଏ ? ଉଭୟେ ମୋ ନିକଟକୁ ଆସି କ୍ରନ୍ଦନକଲେ ଓ ପ୍ରତିକାର କରିବାକୁ କହିଲେ । ମାତ୍ର ତାହାର ଉପାୟ ତ ମୋ ପାଖରେ ନଥିଲା । ପରସ୍ପରକୁ ଅଭିଶାପଦେବା ପୂର୍ବରୁ ଅନ୍ତତଃ ସେମାନେ ଯଦି ମୋ ବିଷୟରେ ଭାବିଥାଆନ୍ତେ ତେବେ ଏହି ଜନ୍ମରେ ମୋତେ ଏତେ ଦୁଃଖ କଷ୍ଟ ସହିବାକୁ ପଡ଼ିନଥାନ୍ତା ।

ମୁଁ ଭାବେ କୃଷ୍ଣଜନ୍ମରେ ମୁଁ ଯେତିକି ଦୁଃଖ ସହିଛି ଅନ୍ୟ କୌଣସି ଜନ୍ମରେ ମୋତେ ଏତେ ସହିବାକୁ ପଡ଼ିନାହିଁ । କେହି ହୁଏତ କହିପାରେ ଭଗବାନଙ୍କର ପୁଣି ଦୁଃଖ କଣ ? ଭଗବାନ ଯେତେବେଳେ ମଣିଷ ଭାବରେ ଜନ୍ମନିଅନ୍ତି ସେତେବେଳେ ତାଙ୍କୁ ମଣିଷଭଳି ମରିବାକୁ ବି ପଡେ, ସବୁ ଦୁଃଖକଷ୍ଟ ସହିବାକୁ ବି ପଡେ । ଅନ୍ତର ଭିତରେ ଦୁଃଖକୁ ଲୁଚାଇ ଖୁବ ଖୁସି ଅଛି ବୋଲି ଅଭିନୟ ବି କରିବାକୁ ପଡେ । ମାନବାବତାର କୃଷ୍ଣର ଦୁଃଖର କାହାଣୀ କେହି କେବେ ଅନୁଭବ କରିଛି କି ? ସବୁ ଦୁଃଖ , କଷ୍ଟ , ଅପମାନ, ଦ୍ଵନ୍ଦ, ବିଷାଦ ଆଦିକୁ ଭୁଲାଇଦେବା ପାଇଁ ତ ମୁଁ ମୁହଁରେ ଭୁବନଭୂଲା ହସ ଧାରେ ଖେଳାଇ ବଂଶୀରେ ବିରହ ରାଗିଣୀ ତୋଳେ । ମୋ ଠିଆହେବାର ଠାଣି କୁ ନେଇ କବି, ଲେଖକ ଅନେକ କାବ୍ୟକବିତା ରଚନା କରିଛନ୍ତି । ହେଲେ ମୁଁ ତ୍ରିଭଙ୍ଗୀ ଠାଣିରେ ଠିଆହେବାର ରହସ୍ୟ କେହି କଣ ଜାଣିଛି ? ଅତ୍ୟନ୍ତ ଦୁଃଖକୁ ଦୂରକରିବା ପାଇଁ ଏହା ଏକ ଯୋଗ ପ୍ରକ୍ରିୟା । ମୁଁ ଏହିପରି ଠିଆହୋଇ ସଂସାରର ହଳାହଳ କୁ ପାନକରି ଶାନ୍ତି ପାଇବାକୁ ଚେଷ୍ଟାକରେ । ସଂସାରରେ ଶାନ୍ତିପ୍ରତିଷ୍ଠା କରୁଥିବା ବ୍ୟକ୍ତି ନିଜେ କେତେ ଶାନ୍ତିରେ ରେ ଅଛି ସେକଥା କେହି କେବେ ବୁଝିଛିକି ? ମୋର ଦୁଃଖ ଦୂର କରିବାର ପ୍ରମୁଖ ମାଧ୍ୟମ ସାଜିଥିବା ବଂଶୀ ମୋର ହୋଇ ରହିଲାକି ? ଗୋପପୁର ଛାଡିବା ସହ ବଂଶୀ ବି ମୁଁ ଛାଡିଆସିଲି ରାଧା ପାଖରେ ।
ବ୍ରହ୍ମବ୍ୟେବର୍ତ୍ତ ପୁରାଣ ଅନୁସାରେ ବ୍ରହ୍ମା ପୃଥିବୀପୃଷ୍ଠରେ ରାଧା ଓ ମୋର ବିବାହ ସମ୍ପର୍ଣ୍ଣ କରିଛନ୍ତି । କିନ୍ତୁ ବୈଷ୍ଣବ ମତରେ ଏହାକୁ ସ୍ଵୀକାର କରାଯାଏନାହିଁ । ମୋର ପରମ ଭକ୍ତ କବିଶ୍ରେଷ୍ଠ ଜୟଦେବର ରଚିତ କାବ୍ୟରେ ହିଁ ରାଧାଙ୍କ ପରିପୂର୍ଣ୍ଣତା ପ୍ରକାଶିତ ହୋଇଛି । ରାଧା ଓ ରାଧାଭାବକୁ ବୈଷ୍ଣବ ଧର୍ମରେ ଶ୍ରେଷ୍ଠତ୍ଵ ପ୍ରଦାନ କରାଯାଇଛି । ଏହାହିଁ ଭକ୍ତି ଭାବ ର ଭିତ୍ତିଭୂମି । ରାଧା ଓ ମୋର ଚିରନ୍ତନ ଶାଶ୍ଵତ ପ୍ରେମ କିନ୍ତୁ ଚିରସ୍ଥାୟୀ ନୁହେଁ । ରାଧା ମୋ ସହିତ ଏକୀଭୂତ ସମ୍ପୂର୍ଣ୍ଣ ସମର୍ପିତା, ଆନନ୍ଦମୟୀ, ମୋର ସୁଖ ଦୁଃଖର ଏକମାତ୍ର ସାଥି ଓ ସହଚରୀ । ମାତ୍ର ବୃନ୍ଦାବନ ଛାଡିବାସହ ମୋତେ ମୋର ପ୍ରେୟସୀ ରାଧା, କୁଞ୍ଜବନ, ଗୋପୀ , ଗୋପାଳ ସମସ୍ତଙ୍କୁ ଛାଡିବାକୁ ପଡିଛି । ମା ଯଶୋଦା ଙ୍କ ଲୁହ , ନନ୍ଦବାବାଙ୍କ ଶୂନ୍ୟଚାହାଣି , ମୋତେ ପଛରୁ ଆକୁଳଚିତ୍କାର କରିଡାକୁଛି। ଅଶ୍ରୁ ନଝରାଇବାର ପ୍ରତିଶ୍ରୁତି ନେଇ ମୁଁ ସିନା ରାଧାକୁ ପଥର କରିଦେଲି , ହେଲେ ରାଧା ଆଖିର ଲୁହ ମୋ ଆଖିକୁ ସଞ୍ଚରି ଆସି ମୋତେ ଲୁହର ଅତଳ ସାଗରରେ ବୁଡାଇଦେଲା। କେତେ ବିନିଦ୍ର ରଜନୀ ମୁଁ ବ୍ୟତୀତ କରିଛି ମୋ ରାଧା ଓ ବୃନ୍ଦାବନ ବାସୀଙ୍କ ସ୍ମୃତିରେ ତାର ହିସାବ କିଏ ବା ରଖିଛି ? କର୍ତ୍ତବ୍ୟର ତାଡନାରେ ମଥୁରାକୁ ଯାଇଛି ସତ୍ୟ ମାତ୍ର ମୋର ମନ ପ୍ରାଣ, ହୃଦୟ , ସବୁକିଛି ମୁଁ ଛାଡି ଆସିଛି ବୃନ୍ଦାବନରେ ।

କଂସବଧ ଉପାଖ୍ୟାନକୁ ଏଥର ଆସିବି । ଏବିଷୟତ ସମସ୍ତଙ୍କ ଅତି ପରିଚିତ । ବୃନ୍ଦାବନରେ ମୋତେ ହତ୍ୟା କରିବାପାଇଁ କଂସମାମୁଁଙ୍କ ସବୁ ପ୍ରଚେଷ୍ଟା ବିଫଳ ହେବ ପରେ ସେ ଅକ୍ରୁରଙ୍କୁ ପଠାଇ ଭ୍ରାତା ବଳରାମ ଓ ମୋତେ ଧନୁଯାତ୍ରା ପାଇଁ ଡକାଇଲେ । ପୁନଶ୍ଚ ଆମକୁ ହତ୍ୟା କରିବା ପାଇଁ ଚାଣୁର , ମୁଷ୍ଟିକଙ୍କ ପରି ଯୋଦ୍ଧା ଓ କୁବଳୟା ହସ୍ତୀକୁ ନିଯୁକ୍ତ କରିଥିଲେ । ପୂର୍ବରୁ କହିଛି ବାଲ୍ୟକାଳରୁ ମୁଁ ପରମ ବଳଶାଳୀ ଓ କାର୍ଯ୍ୟଦକ୍ଷ । ସେଥିସହ ମୁଁ ନ୍ୟାୟପର, ଧର୍ମାତ୍ମା , ପରହିତରେ ରତ ଓ ପରଦୁଃଖରେ ଦୁଃଖୀ । ଧର୍ମର ସଂସ୍ଥାପନ , ନ୍ୟାୟର ପ୍ରତିଷ୍ଠା ଏବଂ ଅତ୍ୟାଚାରର ଅନ୍ତ ହିଁ କେବଳ କଂସବଧର କାରଣ । କଂସ କୁ ବଧକରି ତାଙ୍କର ରାଜ୍ୟ ମୁଁ ମହାରାଜ ଉଗ୍ରସେନଙ୍କୁ ପ୍ରଦାନ କରିଛି । ଅନ୍ୟମାନଙ୍କ ଶତ ଅନୁରୋଧ ସତ୍ତ୍ୱେ ମୁଁ ଗ୍ରହଣ କରିନାହିଁ । ମୋ ମତରେ ପରହିତ ହିଁ ଦୁନିଆର ସର୍ବଶ୍ରେଷ୍ଠ ଧର୍ମ । ଯେ ସଦାସର୍ବଦା ଅନ୍ୟର ମଙ୍ଗଳ ପାଇଁ ଚିନ୍ତାକରେ , ଅନ୍ୟର ହିତ ପାଇଁ କାର୍ଯ୍ୟକରେ ସେହି କେବଳ ଆଦର୍ଶ ମନୁଷ୍ୟ ।
କଂସବଧ ପରେ ଭ୍ରାତା ବଳରାମଙ୍କ ସହ କାଶୀଗମନ କରିଛି ଋଷି ସାନ୍ଦୀପନିଙ୍କ ନିକଟକୁ ଶିକ୍ଷାଗ୍ରହଣ ନିମନ୍ତେ । ମାତ୍ର ଚତୁଃଷଷ୍ଠୀ ଦିବସ ମଧ୍ୟରେ ମୁଁ ଶସ୍ତ୍ରବିଦ୍ୟାରେ ନିପୁଣତା ଲାଭକରିବାର ବର୍ଣ୍ଣନା ଅଛି ମାତ୍ର ଅନ୍ୟ ବହୁସମୟରେ ମୁଁ ମଧ୍ୟ ତପସ୍ୟାଛଳରେ ଶିକ୍ଷାରେ ବ୍ରତୀ ହୋଇଛି । ମଥୁରାରେ ଅବସ୍ଥାନ କାଳରେ କଂସଙ୍କ ଶ୍ଵଶୁର ମଗଧରାଜ ଜରାସନ୍ଧ ନିଜ ଜାମାତାଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ମଥୁରା ଆକ୍ରମଣ କରନ୍ତି । ସେ ମହାପ୍ରତାପଶାଳି , ବିଂଶତି ଅକ୍ଷୋହିଣୀ ସୈନ୍ୟନେଇ ବିରାଟବାହିନୀ ତାଙ୍କର । ମଥୁରା ସୈନ୍ୟ ଜରାସନ୍ଧ ଙ୍କ ସମ୍ମୁଖୀନ ହେବା ଏକାବେଳେ ଅସମ୍ଭବ । ଏତତଭିନ୍ନ ସମତଳ ଅଞ୍ଚଳରେ ଅବସ୍ଥିତ ମଥୁରା ନିମନ୍ତ୍ୱେ ସୁରକ୍ଷାର ସମ୍ଭାବନା କ୍ଷୀଣ । ସବୁକିଛିକୁ ଦୃଷ୍ଟିରେ ରଖି ମୁଁ ମଥୁରା ଛାଡିବାକୁ ସ୍ଥିରକଲି । ପ୍ରଜାଙ୍କ ସୁରକ୍ଷା ନିମନ୍ତେ ଏହା କରିବା ନିହାତି ଆବଶ୍ୟକ ମଧ୍ୟ ଥିଲା । ସେଥିନିମନ୍ତେ ସାଗର ଦ୍ଵୀପ ଦ୍ଵାରକାରେ ତିଆରିହେଲା ନୂତନ ବାସସ୍ଥାନ ଏବଂ ରୈବତକ ପର୍ବତରେ ନୂତନ ଦୁର୍ଗଶ୍ରେଣୀ ସଂସ୍ଥାପିତ ହେଲା । ନିଜର ଲୋକମାନଙ୍କ ଉନ୍ନତି ପାଇଁ ମୋତେ ବାରମ୍ବାର ଗୃହତ୍ୟାଗ କରିବାକୁ ପଡିଛି । କୌଣସି ସ୍ଥଳରେ ମୁଁ ସେଥିପାଇଁ ବିମୁଖ ହୋଇନାହିଁ । ବିନାକାରଣରେ ଯୁଦ୍ଧ, ରକ୍ତପାତ , ଜନକ୍ଷୟ , ହିଂସା , ପ୍ରାଣୀହତ୍ୟା ଏ ସବୁର ଦୃଢବିରୋଧୀ ମୁଁ । ଏସବୁଥିରୁ ଦୂରେଇ ରହିବା ପାଇଁ ମୁଁ ସର୍ବଦା ଚେଷ୍ଟିତ । ସେଇଥିପାଇଁ ତ ଜରାସନ୍ଧର ସହଯୋଗୀ କାଳଯବନର ବିନାଶପାଇଁ ମୋତେ ତା ସମ୍ମୁଖରେ ପଳାୟନପନ୍ଥୀ ସାଜିବାକୁ ହେଲା । ସସୈନ୍ୟ ତାର ମୁକାବିଲା ନକରି ନିଜର କୂଟନୀତି ଦ୍ଵାରା ତାକୁ ନିହତ କରିବାକୁ ହେଲା । ଏଥିପାଇଁ ଭୀରୁ , କାପୁରୁଷ , ପଳାୟନପନ୍ଥୀ , ରଣଛୋଡ ଆଦି ଅନେକ ଅପବାଦକୁ ମୁଁ ହସିହସି ସହ୍ୟ କରିଛି । ମୁଁ ମାନବପ୍ରେମୀ । ମନୁଷ୍ୟର ଉପକାର, ଉନ୍ନତି ପାଇଁ ମୁଁ ସବୁକିଛି କରିବାକୁ ପ୍ରସ୍ତୁତ ।
ମୋର ଚରିତ୍ରର ଅନ୍ୟ ଏକ ଦିଗ ହେଲା କେହି ମୋ ନିକଟରେ କିଛି ପ୍ରାର୍ଥନାକଲେ ମୁଁ ତାହା ପୂରଣ କରିବା ନିମନ୍ତେ ସଦା ଚେଷ୍ଟିତ । ବିଦର୍ଭ ରାଜ୍ୟର ଅଧିପତି ଭୀଷ୍ମକ ଙ୍କ କନ୍ୟା ରୁକ୍ମିଣୀ ମୋ ପ୍ରତି ଅନୁରକ୍ତା ଥିଲେ । କିନ୍ତୁ ତାଙ୍କ ଭାଇ ତାଙ୍କ ଇଚ୍ଛା ବିରୁଦ୍ଧରେ ଚେଦିରାଜା ଶିଶୁପାଳଙ୍କ ସହ ନିଜ ଭଉଣୀର ବିବାହ ସ୍ଥିର କରିଥିଲେ । କୌଣସି କନ୍ୟାକୁ ତାର ଇଚ୍ଛା ବିରୁଦ୍ଧରେ ବିବାହ କରାଇବା କେବଳ ଅନ୍ୟାୟ ନୁହେଁ ଏହା କ୍ଷାତ୍ରଧର୍ମର ବିରୁଦ୍ଧାଚରଣ କରେ । ଏଣୁ ଋକ୍ମିଣୀଙ୍କ ପ୍ରାର୍ଥନାରେ ତାଙ୍କ ରାଜ୍ୟ କୁ ଯାଇ ମୁଁ ତାଙ୍କୁ ବିବାହ କରିଥିଲି । ଏଥରେ ହରଣର ପ୍ରଶ୍ନ ହିଁ ନଥିଲା । ଶାସ୍ତ୍ର ପୁରାଣରେ ମୋର ବହୁ ବିବାହର କଥା କୁହାଯାଇଛି । ସେମାନେ ହେଲେ ମୋର ଅଷ୍ଟପାଟ। ରୁକ୍ମିଣୀଙ୍କ ବ୍ୟତୀତ ଅନ୍ୟମାନେ ହେଲେ – ସତ୍ୟଭାମା, ଜାମ୍ଭବତୀ, ଶୟବ୍ୟା, କାଳିନ୍ଦୀ, ମିତ୍ରବିନ୍ଧା, ମାଦ୍ରୀ ଓ ଲକ୍ଷଣା । ନରକାସୁର ଦ୍ଵାରା ବନ୍ଦୀ ଷୋହଳ ସହସ୍ର କନ୍ୟାଙ୍କୁ ମୁଁ ବିବାହ କରିବା କଥା କେତେକ ଶାସ୍ତ୍ରରେ ଥିଲେ ମଧ୍ୟ ଏହା ସଂପୂର୍ଣ୍ଣ କପୋଳକଳ୍ପିତ ଓ କବିଙ୍କ ବର୍ଣ୍ଣନା ଚାତୁରୀ ଭିନ୍ନ ଅନ୍ୟକିଛି ନୁହେଁ । ପୁରାଣର ଭିନ୍ନ ଭିନ୍ନ ସ୍ଥାନରେ ମୋତେ ଭଗବାନ ରୂପେ ପ୍ରତିଷ୍ଠିତ କରିବାକୁ ଉଦ୍ୟମ କରାଯାଇଛି । ମାତ୍ର ସେଥିରେ ସତ୍ୟତା ଖୁବ କମ । ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ପରୋପକାରୀ, ମନୁଷ୍ୟକୁ ଅତିମାତ୍ରାରେ ଭଲପାଉଥିବା, ଜଗତର ମଙ୍ଗଳକାମନା କରୁଥିବା ଜଣେ ସାଧାରଣ ମାନବ ମୁଁ ।

          *କ୍ରମଶଃ...............*

❁❣️༒ *ଜୟ ଶ୍ରୀ ରାଧେକୃଷ୍ଣ* ༒❣️❁

Post a Comment

Previous Post Next Post