ରାଘବଦାସ ମଠର ଟାହିଆ ସେବା 🙏
    
ଶ୍ରୀ ସଂପ୍ରଦାୟର ଅନ୍ଯତମ ବିଭବଶାଳୀ ମଠ ରୂପେ ସୁପରିଚିତ 'ରାଘବଦାସ ମଠ' ତରଫରୁ ଶ୍ରୀବିଗ୍ରହମାନଙ୍କ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡା ଯାତ୍ରା, ନୀଳାଦ୍ରି ବିଜେ ପହଣ୍ଡି ଇତ୍ଯାଦିରେ ଟାହିଆ ଯୋଗାଇଥାଏ । ସୋଲ, ବାଉଁଶ ପାତିଆ, ପଇତା, ଜରି, କଇଁଥ ଅଠା, କଦଳୀ ପଟୁକା, ନାଲି କନା, ପୁଷ୍ପ, ତୁଳସୀ,ଦୁବ ଇତ୍ଯାଦି ସ୍ବତନ୍ତ୍ର ଶୈଳୀରେ ଏହି ଟାହିଆ ନିର୍ମିତ ହୋଇଥାଏ । 

'ଟାହିଆ' ନିର୍ମାଣର ଏକ ସ୍ବତନ୍ତ୍ର ମାପ ରହିଛି । ପବିତ୍ର ଅକ୍ଷୟତୃତୀୟା ତିଥି ରେ ଟାହିଆ ନିର୍ମାଣର ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥାଏ । ଏଥି ନିମନ୍ତେ ମଠ ତରଫରୁ ନୁଆ ଗାମୁଛା, ନିର୍ମାଣ ସରଞ୍ଜାମ, ପୂର୍ଣ୍ଣକୁମ୍ଭ, ନଡିଆ, ଭୋଗ ସାମଗ୍ରୀ, ଦୀପ,ଧୂପ ଯୋଗାଯାଇଥାଏ । ସ୍ନାନ ପୂର୍ଣ୍ଣିମା ପହଣ୍ଡିପାଇଁ ୪ଟି ଟାହିଆ ଦୁଇଟି ତିକାନିଆ ଚୂଳ ଏବଂ ୨ଟି ଠିଆ ଚୂଳ ନିର୍ମିତ ହୋଇଥାଏ । ଏହି ଟାହିଆଗୁଡିକ ୨୫ କାଠି ବିଶିଷ୍ଟ ଅଟେ । ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀବଳଭଦ୍ରଙ୍କୁ ଟାହିଆ ଲାଗି ହେଉଥିବା ବେଳେ ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ପାଇଁ ବାଉଁଶ ପାତିଆ, ଦୁବ, ବିଭିନ୍ନ ପୁଷ୍ପ, ତୁଳସୀରେ ଚୂଳ ନିର୍ମିତ ହୋଇଥାଏ । ପହଣ୍ଡି ବିଜେ ପୂର୍ବରୁ ଏହି ଟାହିଆ ଓ ଚୂଳଗୁଡିକ ଦକ୍ଷିଣଦ୍ବାର ବାଟେ ଆସି ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ରଖାଯାଇଥାଏ । ଠାକୁରମାନେ ସାତପାହାଚ ଉପରେ ବିରାଜମାନ କରିବା ସମୟରେ ଏହିଠାରୁ ଟାହିଆ ଯାଇ ପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି ହୋଇଥାଏ । ଟାହିଆ ଲାଗି ପରେ ବିଭିନ୍ନ ମଠ ଓ ବ୍ୟକ୍ତିଗତ ଅନୁଷ୍ଠାନ ପକ୍ଷରୁ ପନ୍ତିଭୋଗ ହୋଇଥାଏ ।

               ପହଣ୍ଡି ବିଜେ ଓ ସ୍ନାନ ମଣ୍ଡପରେ ଠାକୁରମାନଙ୍କ ରୁନ୍ଧା ଇତ୍ଯାଦି କାର୍ଯ୍ୟ ଶେଷ ହେବାପରେ ଶ୍ରୀମଦନମୋହନ ଦେବଙ୍କୁ ମହାଜନ ସେବକମାନେ ହସ୍ତରେ ବିଜେ କରି ସ୍ନାନ ମଣ୍ଡପ ଉପରକୁ ନେଇଥାନ୍ତି ।

ଜୟ ଜଗନ୍ନାଥ 🙏 🚩

Post a Comment

Previous Post Next Post