ଅଣସର ପଞ୍ଚମୀରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ ଲାଗି :


ଆଜି ଅଣସରର ପଞ୍ଚମ ଦିବସ । ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ଠାକୁରମାନେ ରହିବାର ୫ମ ଦିନ। ପରମ୍ପରା କ୍ରମେ ଅସୁସ୍ଥ ଶ୍ରୀଜୀଊମାନେ ଏବେ ସୁସ୍ଥ ହେଉଛନ୍ତି। ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି। ଏଣେ ଲୌକିକ ମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ କରାଯାଉଛି ଉପଚାର। ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ମାଲିସ୍‌ ହୋଇଛି ଫୁଲୁରୀ ତେଲ। ତା ହେଲେ ଆସନ୍ତୁ ଜାଣିବା କ’ଣ ଏହି ଫୁଲୁରୀ ତେଲ ଆଉ କେମିତି ପ୍ରସ୍ତୁତ ହୁଏ ଏହି ଦିବ୍ୟ ଔଷଧୀ।
ଫୁଲରୁ ଫୁଲୁରୀ। ଔଷଧୀୟ ଗୁଣ ସମ୍ପନ୍ନ ସୁଗନ୍ଧିତ ଫୁଲ ମଲ୍ଲୀ, କିଆ, କେତକି ସହ କିଛି ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ। ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହିଛି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି। ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ।

ଶ୍ରୀକ୍ଷେତ୍ରରେ ଥିବା ବଡ଼ ଓଡ଼ିଆ ମଠ ଏହାକୁ ପ୍ରସ୍ତୁତ କରି ସେବା ନିମିତ୍ତ ଯୋଗାଇଥାନ୍ତି। ଗତ ବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ହାଣ୍ଡିରେ ଘଣାପେଡ଼ା ରାଶିତେଲରେ ଉପରୋକ୍ତ ଔଷଧୀୟ ଫୁଲ ଓ ଚେରମୂଳୀ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା। ମଠ ପକ୍ଷରୁ ଅଣସର ପଞ୍ଚମୀରେ ଏହାକୁ ଶ୍ରୀମନ୍ଦିରକୁ ପଠାଯାଇଥାଏ। ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ଦଇତାପତି ସେବକମାନେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ଶୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିଥାନ୍ତି ।

କିପରି ପ୍ରସ୍ତୁତ ହୁଏ ପବିତ୍ର ଫୁଲୁରୀ ତେଲ? ଯାହାକୁ ଲଗାଇ ଲାଘବ ହୁଅନ୍ତି ଜ୍ୱରାକ୍ରାନ୍ତ ଶ୍ରୀଜୀଉ...
 
ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର । କରୁଛନ୍ତି ମାନବୀୟ ଲୀଳା । ଜ୍ୱର ରେ ପୀଡ଼ିତ ହୋଇ ଏବେ ଦଇତାପତିମାନେ କରୁଛନ୍ତି ଗୁପ୍ତସେବା । ସ୍ନାନପୂର୍ଣ୍ଣିମା ଠାରୁ ଶ୍ରୀଜିଉ ଅଣସରରେ । ଆଜି ଶ୍ରୀଜିଉମାନଙ୍କର ଶରୀରରେ ଲାଗି ହେବ ଫୁଲୁରୀ ତେଲ । ସେଥିପାଇଁ ବଡ଼ଓଡ଼ିଆ ମଠରୁ ପ୍ରତିବର୍ଷ ଅନାବସର ସମୟରେ ଯୋଗାଇ ଦିଆଯାଏ ଏହି ଫୁଲୁରୀ ତେଲ। 
ବର୍ତ୍ତମାନ ମହାପ୍ରଭୁ ଧଳା ବସ୍ତ୍ର ପରିହିତା । ଦଇତାପତିମାନେ ଶ୍ରୀଅଙ୍ଗରୁ ଦରଜ କମାଇବା ପାଇଁ ଅଲଭ୍ୟ ଫୁଲୁରୀ ତେଲରେ ମାଲିସ କରିବା ପରେ ପ୍ରଭୁଙ୍କ ମଜରା ହଟିବ। ଘଣା ପେଡା ରାଶି ତେଲରେ କେତକୀ, ଜୁଇ ଜାଇ ମାଳତୀ ବକୁଳ ଆଦି ସୁବାସିତ ଫୁଲ କୃଷ୍ଣବୋଗ ଧାନ ଓ ବେଣା ଚେର ମିଶାଯାଇ ଏହି ତୈଳ ପ୍ରସ୍ତୁତ କରାଯାଏ । ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଠାରୁ ଏହି ସବୁ ସାମଗ୍ରୀକୁ ଗୋଟିଏ ମାଟି ଘଡିରେ ପୁରାଇ ଗୁପ୍ତ ସ୍ଥାନରେ ପୋତି ରଖାଯାଇଥାଏ । ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଲ ପଞ୍ଚମୀ ତିଥିରେ ମଧ୍ୟାହ୍ଣ ଧୂପ ପରେ ଶ୍ରୀମନ୍ଦିର ରୁ ଡାକରା ଆସିଲେ ବଡ଼ଓଡ଼ିଆ ମଠାଧୀଶ ଏହି ତୈଳକୁ ବୈଷ୍ଣବଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତିମାନେ ଏହାକୁ ଶ୍ରୀଅଙ୍ଗରେ ମର୍ଦନ କରିବାର ପରମ୍ପରା ରହିଛି ।
  2021, ଜୟ ଜଗନ୍ନାଥ ମହାପ୍ରଭୁ। ଜୟ ମାଧବ

Post a Comment

Previous Post Next Post