ମହାପ୍ରଭୁ ଙ୍କ ଅଧରପଣା ନୀତି:-
ଏହି ନୀତି ବାସ୍ତବ ରେ ଏକାଦଶୀ ତିଥି ରେ ହେବା ବିଧି ରହିଥିଲା। ବହୁ ପୂର୍ବରୁ ଏହା ଦଶମୀ ତିଥି ରେ ମଧ୍ୟ ସମ୍ପାଦନା କରା ଯାଇଥିବା ଜଣା ଯାଇଛି।କିନ୍ତୁ ବର୍ତ୍ତମାନ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଛି।ବର୍ତ୍ତମାନ ଏହା ତ୍ରୟୋଦଶୀ ତିଥି ରେ ସମ୍ପାଦନ କର ଯାଉଚି।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ୱତନ୍ତ୍ରତା ର ଠାକୁର।ତାଙ୍କର ସମସ୍ତ ନୀତି କାନ୍ତି ରେ ମଧ୍ୟ ସ୍ୱତନ୍ତ୍ରତା ଦେଖିବାକୁ ମିଳେ।ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ସମୟ ରେ ଅନ୍ୟ ଦେବ ମନ୍ଦିର ମାନଙ୍କ ରେ ଦେବ ନୀତି ବାରଣ ଥିବା ସମୟ ରେ ଶ୍ରୀମନ୍ଦିର ରେ ଦେବ ନୀତି ରେ ସ୍ୱତନ୍ତ୍ରତା ଦେଖା ଯାଇଥାଏ।
ତେବେ ଅଧର ପଣା ନୀତି ରେ ମଧ୍ୟ ସେଇ ଭଳି ସ୍ୱତନ୍ତ୍ରତା ରହିଛି।
ଏହି ଅଧର ପଣା କଣ??
ଏହାର ଉଦ୍ଦେଶ୍ୟ କଣ ରହିଛି??
ମହାପ୍ରଭୁ ଙ୍କ ଏହି ଯାତ୍ରା ରେ ଯେଉଁ ମାନେ ପ୍ରଭୁ ଙ୍କ ସହ ଯାତ୍ରା କରନ୍ତି,ପାର୍ଶ୍ଵ ଦେବା ଦେବୀ , ଅଶରୀରୀ ଯେଉଁ ମାନେ କି ଦୃଶ୍ୟମାନ ନ ହେଲେ ମଧ୍ୟ ଅନ୍ତର୍ଚକ୍ଷୁ ରେ ପ୍ରଭୁ ଙ୍କ ସହ ଯୁକ୍ତ ହୋଇ ରହି ଥାନ୍ତି,ସେଇ ମାନଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟ ରେ,ମହାପ୍ରଭୁ ରତ୍ନ ବେଦୀ କୁ ଯିବା ପୂର୍ବରୁ,ସେଇ ମାନଙ୍କ କ୍ରମ ଏବଂ ଶ୍ରମ କୁ ଲାଘବ କରିବା ଉଦ୍ଦେଶ୍ୟ ରେ ଏଇ ଅଧର ପଣା ହାଣ୍ଡି ରଥ ଉପରେ ଭଙ୍ଗା ଯିବାର ବିଧି ରହିଛି।
ଏହି ହାଣ୍ଡି ଭଙ୍ଗା ଯିବା ପରେ ଅଧର ପଣା ବିନ୍ଦୁ ବିନ୍ଦୁ ହେଇ ସମଗ୍ର ରଥ ସହ ଭୂମିଗତ ହୁଅନ୍ତି।ଯାହା ଫଳରେ ସମସ୍ତ ଭୂମିଜ ଅର୍ଥାତ୍ କିତପଟଙ୍ଗ,ସରୀସୃପ  ଇତ୍ୟାଦି ସମସ୍ତଙ୍କର ତୃଷା ଶ୍ରମ କ୍ରମ ଲାଘବ କରିବା ପାଇଁ ମହାପ୍ରଭୁ ଙ୍କ ର ଏହା ହଉଚି ଦିବ୍ୟ ଲୀଳା।
ଜଗତ ରୂପୀ ପ୍ରକୃତି ଏବଂ ନାଥ ରୂପୀ ପୁରୁଷ ଏ ଉଭୟ ଙ୍କ ସମନ୍ୱୟ ରେ ଜଗନ୍ନାଥ....ତେଣୁ ପ୍ରକୃତି ର ସମ୍ପୁର୍ଣ୍ଣ ରକ୍ଷା ର ଦାୟିତ୍ଵ ମଣିମା ଙ୍କ ହାତରେ।
ଏ ଅଧର ପଣା ସେଇ ମଣିମା ଙ୍କ ଦିବ୍ୟ ନୀତି ର କିୟଦାଂଶ ମାତ୍ର...ଯେଉଁଥିରେ ମହାପ୍ରଭୁ ସମଗ୍ର ଜୀବ ଜଗତ କୁ ପରିତୃପ୍ତି କରିବା ପାଇଁ ଉଦାର ହୋଇ ବସିଛନ୍ତି...ଯାହାର ଅଧରଂ ମଧୁରଂ...ବଦନଂ ମଧୁରଂ....ଯାହାର ଅଧର ଚୁମ୍ବିତ ବଂଶୀଶ୍ଵନ ଶୁଣି ଯମୁନା ର ଜଳ ପଥର ଏବଂ ପାଷାଣ ତରଳି ଯାଉଥିଲେ,ଏକ ବିରାଟ ରାସ ର ରଚନା ହୋଇ ପାରିଥିଲା..ତେଣୁ ସେ ଦିବ୍ୟ ପୁରୁଷ ଙ୍କ ଅଧର କୁ କୋଟି ପ୍ରଣାମ।
 ଗୋଟିଏ ଦୃଷ୍ଟି ରୁ ଦେଖିବାକୁ ଗଲେ, ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । 
‘ଅଧରପଣା’ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା । ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା । କାରଣ, ଅନେକ ସମୟରେ ବାହୁଡ଼ାଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା । ତେଣୁ ଦଶମୀ ପରବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା । କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ । ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତିପାଇଁ ସମୟାଭାବ ହେଲା । ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।
ଅମୃତକୁଣ୍ଡ ଶୀର୍ଷକ ଅନୁସାରେ, ପାକକାର (ମହାସୁଆର) ଦୁଇଭାଗ ଜଳ, ଏକଭାଗ ବିମଳ (ଛାଚି ବା ଖଣ୍ଡ ବା ନବାତ)ଏବଂ ଏକଭାଗ ଲେଖାଏଁ ସିତା (ଦୁଗ୍ଧ), ଆମିକ୍ଷା (ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରିବେ । ସେଥିରେ କର୍ପୂର, ଗୋଲମରିଚଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରିବେ।
ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା । ‘ବଳଗଣ୍ଡି’ ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ । ସେତେବେଳେ ସେଠାରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା । ଏବେ ସେହି ଭୋଗ ବିଲୁପ୍ତ ହୋଇଯାଇଛି । କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି । ଏବେ ଦ୍ୱାଦଶୀ ଦିନ ହିଁ ତିନି ରଥରେ ତିନିଟି ଲେଖାଏଁ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି । ସୁନାବେଶର ପରଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ । ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି ।
ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି । ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ । ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।
ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ପଞ୍ଚୋପଚାର ବିଧୀ ରେ ଏହି ଭୋଗ କରିଥାଆନ୍ତି । ଏବଂ ପୂଜା ପରେ ଅଧର ପଣା ହାଣ୍ଡି କୁ ରଥ ଉପରେ ଭାଙ୍ଗି ଦିଆ ଯାଏ।

Post a Comment

Previous Post Next Post