ସୁନାବେଶ/ ବଡ଼ ତଢା଼ଉ ବେଶ

ଶ୍ରୀଜଗନ୍ନାଥଙ୍କର ଅନେକ ବେଶ। କେତେକ ତାଙ୍କ ବେଶର ସଂଖ୍ୟା ୩୨ ବୋଲି କହୁଥିବା ବେଳେ ଏହା ପ୍ରକୃତରେ ୨୪ ବୋଲି ଜଣାଯାଏ । ଏଥିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ୨୨ଟି ବେଶ ହେଉଥିବା ବେଳେ ଦୁଇଟି ବେଶ ବିଶେଷ ତିଥିରେ ଅନୁଷ୍ଠିତ ହୋଇଥାଏ । ଏହି ଦୁଇ ସ୍ୱତନ୍ତ୍ର ବେଶ ହେଉଛି- କାର୍ତ୍ତିକ ମାସର ନାଗାର୍ଜୁନ ବେଶ ଓ ଚୈତ୍ର ମାସର ରଘୁନାଥ ବେଶ । ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ହୁଏ, ସେ ବର୍ଷ ନାଗାର୍ଜୁନ ବେଶ ହୁଏ । କିନ୍ତୁ ରଘୁନାଥ ବେଶ ହେଉଛି ଏକ ରାଜକୀୟ ବେଶ । ଏହା ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ଉତ୍ସବର ବେଶ। ଏହା ଅତ୍ୟନ୍ତ ବର୍ଣ୍ଣାଢ଼୍ୟ ଓ ବ୍ୟୟବହୁଳ । ୧୯୦୫ ମସିହାରେ ଶ୍ରୀମନ୍ଦିରରେ ଶେଷ ଥରପାଇଁ ଏହି ବେଶ ହୋଇଥିଲା ।

କିନ୍ତୁ ଶ୍ରୀଜଗନ୍ନାଥଙ୍କର ସବୁବେଶ ମଧ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ବେଶ ହେଉଛି ସୁନାବେଶ । ଏହି ବେଶ ବର୍ଷରେ ଛଅଥର ହୋଇଥାଏ । ଏଥିରୁ ଥରେ ରଥରେ ହେଉଥିବା ବେଳେ ଅନ୍ୟ ପାଞ୍ଚଥର ଶ୍ରୀମନ୍ଦିରର ରତ୍ନବେଦିରେ ହୋଇଥାଏ । ରତ୍ନବେଦିରେ ହେଉଥିବା ସୁନାବେଶ ମଧ୍ୟରୁ ଚାରିଟି ପୂର୍ଣ୍ଣମୀ ତିଥିରେ ହୋଇଥାଏ । ଏହି ଚାରି ପୂର୍ଣ୍ଣମୀ ହେଉଛି- କୁମାର ପୂର୍ଣ୍ଣମୀ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀ । ରତ୍ନବେଦିରେ ହେଉଥିବା ଅନ୍ୟ ସୁନାବେଶଟି ଆଶ୍ୱିନ ଶୁକ୍ଳ ଦଶମୀ ବା ବିଜୟା ଦଶମୀ ଦିନ ହୋଇଥାଏ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶମଧ୍ୟରେ ‘ସୁନାବେଶ’ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ତଥା ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ଦେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ । ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ, ଦଶହରା( ବିଜୟା ଦଶମୀ) ପ୍ରଭୃତି ଦିବସ ମାନଙ୍କରେ ରାଜବେଶ, ରାଜ ରାଜେଶ୍ୱର ଇତ୍ୟାଦି ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି । ଏହି ସୁନାବେଶ ପ୍ରଚଳନର ଇତିହାସ ସଂପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଗଜନ୍ନାଥଙ୍କୁ ରାଷ୍ଟ୍ର ଦେବତାରୂପେ ସ୍ୱକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱଂୟ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୂଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଅଛି । ତୃତୀୟ ଅନଙ୍ଗ ଭୀମ ଦେବ ( ୧୨୧୧-୧୨୩୮) ଶ୍ରୀଜଗନ୍ନାଥଙ୍କୁ ଉକ୍ରଳର ପ୍ରକୃତ ରାଜା ଓ ନିଜକୁ ତାଙ୍କର ଜନୈକ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ । ପରେ ତାଙ୍କ ପୁତ୍ର ଲାଗଙ୍ଗୁଳା ନରସିଂହ ଦେବ ( ୧୨୩୮-୧୨୬୪) ମଧ୍ୟ ନିଜକୁ ପୁରୁଷୋତ୍ତମ ପୁତ୍ର ଭାବେ ଅବିହିତ କରିଥିଲେ । ଭାନୁଦେବ ତୃତୀୟ ( ୧୩୦୮-୧୩୨୮) ଶ୍ରୀଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ସ୍ୱୀକାର କରି ମହାପ୍ରଭୁଙ୍କ ନାମରେ ଅଙ୍କ ଗଣନା ଆରମ୍ଭ କରିଥିଲେ । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ( ୧୪-୩୫-୧୪୬୬) ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତାରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ସ୍ପୀକାର କରିଥିଲେ । ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ । କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ତଢା଼ଉ ବେଶ ।

ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ı ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ଵାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ବଡ଼ ତଢ଼ାଉଙ୍କ ଶ୍ରଦ୍ଧା ଓ ଅନୁରୋଧକ୍ରମେ କପିଳେନ୍ଦ୍ର ଦେବ ବଡ଼ ତଢ଼ାଉ ନାମକ ଏକ ପ୍ରକାର କଣ୍ଠମାଳା ସମେତ ଶ୍ରୀଭୁଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି, କଣ୍ଠିମାଳ, ମର୍କତ କାଉଁଳି, ବଳା, ବାହୁଟି, କାନ୍ତି ଜରକବର, କଟି ମେଖଳା, ପ୍ରଭୃତି ୧୩୮ ପ୍ରକାରର ରତ୍ନ ଖଞ୍ଜିତ ସ୍ୱର୍ଣ୍ଣାଳଙ୍କାର କରି ପ୍ରଥମ ରଥ ଉପରେ ମହାପ୍ରଭୁମାନଙ୍କ ଲାଗି ସୁନାବେଶ କରାଇଥିଲେ ବୋଲି କିମ୍ବଦନ୍ତୀ କହୁଛି । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ଵାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ଅଦ୍ୟାବଧି ଏହି ପରମ୍ପରା ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇ ଆସୁଛି । ବଡ଼ ତଢ଼ାଉଙ୍କ ଅଳିକୁ ସମ୍ମାନ ଦେଇ ସେହି ଦିନଠାରୁ ଏହି ସୁନାବେଶ ‘ବଡ଼ ତଢ଼ାଉ ବେଶ’ ନାମରେ ନାମିତ ହୋଇଛି ।
ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନା ବେଶ ଅନୁଷ୍ଠିତ ହୋଇଥାଏ। 


       *ସଂଗୃହିତ*
*ଶ୍ରୀମଦ ଭାଗବତ ନିତ୍ୟପାଠ*  *ଶ୍ରୀ ଜଗନ୍ନାଥ ଶରଣଂ*

Post a Comment

Previous Post Next Post