ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ନିତି 
              ଓ ଭକ୍ତ ମାଧବ ଦାସ 
          
ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଲାଭ କରିଥିବା ଆମେ ବହୁ ଭକ୍ତଙ୍କର କାହାଣୀ,କିମ୍ବଦନ୍ତୀ ଏବଂ  ଉପାଖ୍ୟାନମାନ ଶୁଣିଛନ୍ତି l ସେହି ଭକ୍ତମାନଙ୍କ  ମଧ୍ୟରେ ଜଣେ ଭକ୍ତ ହେଉଛନ୍ତି ମାଧବ ଦାସ l ମାଧବ ଦାସ ଥିଲେ ଫଳାହାରୀ ମଠର ମହନ୍ତ l ସେ ଜୀବନ ବ୍ୟାପି ହରିଭକ୍ତି ସାଧନା କରି ଶହେ ବର୍ଷ ଆୟୁରେ ଉପନୀତ ହୋଇ ଥିଲେ l ଶହେ ବର୍ଷ ବୟସରେ ସେ ଅତିସାର ରୋଗରେ ପୀଡ଼ିତ ହୋଇ ଖୁବ ଯନ୍ତ୍ରଣା ଭୋଗ କଲେ l ମୃତ୍ୟୁ ଫାଶ ତାଙ୍କୁ କବଳିତ କରିବାକୁ ଲାଗିଲା l ଏ ରୋଗର  ଉପଶମ ନିମନ୍ତେ କେବଳ ହରିନାମ ରସାୟନକୁ ସେ ମହୌଷଧି ମାତ୍ରେ ଆପଣାଇ ଥାନ୍ତି,ଜଗନ୍ନାଥ ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କରି ଜଣାଉ ଥାନ୍ତି ସେ ଆରୋଗ୍ୟ ପାଇଁ l ଶୁଣାଯାଏ ମହାପ୍ରଭୁ କଳା ଗୋରା ଦୁଇଟି ବାଳକରୂପେ ଆସି ତାଙ୍କର ସେବା ଶୁଶ୍ରୁଷା କରୁଥିଲେ l ଈଶ୍ଵରାନୁରାଗୀ ମାଧବ ଦାସ ଙ୍କ ପକ୍ଷେ ସେ ବାଳକ ଦ୍ବୟ କିଏ ତାହା ଜାଣିବାକୁ  ଅଛପା ରହିଲା ନାହିଁ l ମାଧବ ଦିନେ ସେହି ଦୁଇ ବାଳକଙ୍କୁ କହିଲେ,"ପ୍ରଭୁ ! କାହିଁକି ଆଉ ଛଳନା କରୁଛନ୍ତି lମୋତେ ଆରୋଗ୍ୟ କରିଦିଅନ୍ତୁ ନଚେତ  ସଂସାରରୁ ବିଦାୟ ଦିଅନ୍ତୁ l ତାଙ୍କୁ ଉତ୍ତର ମିଳିଲା ନାହିଁରେ ଭକ୍ତ,ସେ ଶକ୍ତି ଆମର ନାହିଁ l ସଂସାର ମଧ୍ୟରେ ଯାହାର ଯେମିତି ଭୋଗିବାର ଅଛି ତାହା ବଦଳାଇବା କ୍ଷମତା ଆମର ନାହିଁ l କିନ୍ତୁ ତୁମର ଏ ରୋଗ ଯନ୍ତ୍ରଣାକୁ ଆମେ ଭୋଗ କରି ପାରିବୁ l ଏତକ କହି ବାଳକ ଦୁଇଜଣ କୁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ l ସେବେଠାରୁ ମାଧବ ଦାସ କ୍ରମଶଃ ଆରୋଗ୍ୟ ହେବାକୁ ଲାଗିଲେ l ପୂର୍ଣ୍ଣ ମାତ୍ରାରେ  ରୋଗମୁକ୍ତ ହୋଇଗଲା ପରେ ଦିନେ ମହୋଦଧି ସ୍ନାନ ସାରି ସେ ଯାଇ ଶ୍ରୀ ମନ୍ଦିରରେ ପହଞ୍ଚିଲେ l ଶ୍ରୀମନ୍ଦିରରେ ଭିତରକାଠ ବନ୍ଦ ଥିବା ଦେଖି ସେ ବଡ଼ ପାଟିରେ ଡାକ ଚ୍ଛାଡ଼ିଲେ,"ହେ ପ୍ରଭୁ କାଳିଆ ବଳିଆ ଠାକୁର,ଏ ଅଧମ ଭକ୍ତକୁ ଦର୍ଶନ ଦେବା ହେଉ l ବଡ଼ପଣ୍ଡା ଭିତରୁ ଉତ୍ତର ଦେଲେ ଠାକୁର ମାନଙ୍କୁ ଜ୍ୱର ହୋଇଛି,ଦର୍ଶନ ସମ୍ଭବନୁହେଁ,ତୁମେ  ଫେରି ଯାଅ l ଏହା ଶୁଣି ମାଧବ ହଠାତ ମୂର୍ଛିତ ହୋଇ ପଡ଼ିଲେ ଏବଂ ଭାବିଲେ ମହାପ୍ରଭୁ ତାଙ୍କୁ ଉପଶମ କରାଇଦେଇ ବୋଧହୁଏ ନିଜେ ଜ୍ବରରେ ଆକ୍ରାନ୍ତ ହୋଇ ପଡିଛନ୍ତି l ସେହି ମୂର୍ଛିତ ଅବସ୍ଥା ମଧ୍ୟରେ ସେ ପନ୍ଦର ଦିନ ପରେ ଶରୀର ତ୍ୟାଗ  କଲେ l ଏବେ ସେହି ପନ୍ଦରଦିନକୁ ମହାପ୍ରଭୁଙ୍କ ଅନବସର ବା ଅଣସର ଭାବେ ପାଳନ କରା ଯାଉଛି ଏବଂ ଏହା ସେବେଠୁଁ ଆରମ୍ଭ ହୋଇଛି l ଭକ୍ତର ରୋଗ ଯନ୍ତ୍ରଣା ହରଣ କରି ଶ୍ରୀଜଗନ୍ନାଥ ସ୍ୱୟଂ ଜ୍ବରରେ ଆକ୍ରାନ୍ତ ହୋଇଥିଲେ,ଏ କିମ୍ବଦନ୍ତୀ  ମହାପ୍ରଭୁଙ୍କ ଅନବସର ନିତି ପଛରେ ପ୍ରଚଳିତ ଅଛି l ଏହା ମହାପ୍ରଭୁଙ୍କ ଭକ୍ତବତ୍ସଳତାର ଆଉ ଏକ ନିଦର୍ଶନ l ସେହି ଦିନଠାରୁ ଅଦ୍ୟାବଧି ଏହି ଅଣସର ପରମ୍ପରା ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଛି l ଭକ୍ତ ମାଧବ ଦାସଙ୍କ ଲୀଳା ମାଧ୍ୟମରେ ମହାପ୍ରଭୁ ସଂସାରକୁ ଶ୍ରୀମଦ ଭଗବତ ଗୀତାର ସେହି ମହାନ ବାଣୀ ଶିକ୍ଷା ଦେଇଛନ୍ତି," ତୁମର କର୍ତ୍ତବ୍ୟ,କର୍ମ ସବୁ ମୋତେ ସମର୍ପଣ କରି ଦିଅ, ମୁଁ ତୁମ୍ଭର ନିଶ୍ଚୟ ରକ୍ଷା କରିବି "l ଏହି ବାଣୀକୁ ମନବୋଧ ଚଉତିଶାରେ କବି ଭକ୍ତ ଚରଣ ଦାସ ପ୍ରକାଶ କରି ଲେଖିଛନ୍ତି :-
    କ୍ଷୟ ଦୁର୍ଲ୍ଲଭ ଦେହ ହୋଏ ଆୟୂଷ l
    କ୍ଷୟ ନଯିବ ନାମ ହୃଦରେ ଘୋଷ ll
    ଛାର ଦେହକୁ ମନ ନ ଯା ବିଶ୍ବାସ l
    ଛାର ଦୁର୍ବୁଦ୍ଧି କହେ ଭକତ ଦାସ ll
    
             !!! ଜୟ ଜଗନ୍ନାଥ !!!
                   🙏🙏🙏

Post a Comment

Previous Post Next Post