ଆଜି ହରି ଶୟନ ଏକାଦଶୀ :
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ରେ ଏହି ଉତ୍ସବ ପାଳନ କରାଯାଏ। ଏହା ହରି ଶୟନ ଯାତ୍ରା ନାମରେ ସୁପରିଚିତ । ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ୪ ମାସ ଧରି ଶୟନ କରୁଥିବାରୁ ଏହାକୁ ଚାତୁର୍ମାସ୍ୟା କୁହାଯାଏ। ଏହି ସମୟରେ ସାଧୁ ,ସନ୍ଥ , ବୈଷ୍ଣବ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଚାତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି।

"ଅତଃ ପରଂ ପ୍ରବକ୍ଷ୍ୟାମି ଶୟନୋତ୍ସବମୁତ୍ତମମ୍।
ଆଷାଢୀମବଧିଂ କୃତ୍ଵା ହରେଃ ସ୍ୱାପସ୍ତୁ କର୍କଟେ ।।
ବାର୍ଷିକାଂଶ୍ଚତୁରୋ ମାସନ୍ ଯାବତ୍ ସ୍ୟାତ୍ କାର୍ତ୍ତିକୀ ଦ୍ଵିଜାଃ ।
ଅୟଂ ପୁଣ୍ୟତମଃ କାଳୋ ହରେରାଧାନଂ ପ୍ରତି।।"

ଆଜି ରାତ୍ରିରେ ରଥ ଉପରେ ଶ୍ରୀଜୀଉଙ୍କର  ବଡ଼ସିଂହାର ବେଶ , ଭୋଗ ଇତ୍ୟାଦି ସରି ମହାସ୍ନାନ ପୂଜାଠା ନୀତି କରିଯିବା ପରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ତିନି ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ୩ଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି।

ତିନି ବାଡ଼ରେ ଯଥାକ୍ରମେ ବଡବାଡ଼ରେ ବାସୁଦେବ , ମଝି ବାଡ଼ରେ ଭୁବନେଶ୍ଵରୀ ଓ ମହାପ୍ରଭୁଙ୍କ ବାଡ଼ରେ ନାରାୟଣ ଏହି ତିନି ମୂର୍ତ୍ତି ବିଜେ ହୋଇ  ଶ୍ରୀଅଙ୍ଗ ଲାଗି ହେଲେ ତିନି ଜଣ ପୂଜାପଣ୍ଡା ତିନି ରଥରେ ମହାସ୍ନାନ ପୂଜା ବଢ଼ିଇଥାନ୍ତି।

ଏହି ଦିନ ରାତ୍ରିକାଳରେ ଦୁଇଥର ବଡ଼ ସିଂହାର ବେଶ ଓ ଭୋଗ ହୋଇଥାଏ। ପ୍ରଥମେ ଶୟନ ଠାକୁରମାନେ ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହେବା ପରେ ପୁନଃ ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଥାଏ।

ଏହାକୁ ବଲ୍ଲଭ ବଡ଼ସିଂହାର କୁହାଯାଇଥାଏ।

"ଜଗଦ୍ ବନ୍ଦ୍ୟ ଜଗନ୍ନାଥ ଜଗତ୍ ତ୍ରାଣ ପରାୟଣ।
ହିତାୟ ଜଗତାମୀଶ ଚାତୁର୍ମସ୍ୟାନ୍ ଘନାଗମାନ୍।।
ସୁପ୍ତ୍ଵା ପ୍ରଶମୟରିଷ୍ଟାନ୍ ଶକ୍ରେଣ ସହ ପୁଜିତଃ ।
ଏହ୍ୟେହି ଶୟନାଗାରଂ ସୁଖମତ୍ର ସ୍ବପ ପ୍ରଭୋ।। "

ଆଜି ଶ୍ରୀଜୀଉ ସର୍ବାଙ୍ଗ ଲାଗି , ନୂଆ ପତନି ଓ ମାଳଫୁଲ ଲାଗି ହୋଇ ବେଶ ବଢ଼ିଥାଏ। ଏହାପରେ ପାଣି ପଡି ଟେରା ବନ୍ଧାଯିବା ପରେ ଘଣ୍ଟ , ଛତ୍ର , କାହାଳି ସହ ବଲ୍ଲଭ ବଡ଼ସିଂହାର ହୋଇଥାଏ। ଏହା ଷୋଡଶ ଉପଚାର ବିଧିରେ ଅନୁଷ୍ଠିତ ହୋଇଥାଏ। ଭୋଗ ସରି କର୍ପୂର ଆଳତି ବଢିଲେ ଶୟନ ପ୍ରତିମା ମାନେ ହସ୍ତରେ ବିଜେ ହୋଇ  ଭଣ୍ଡାର ଘର ନିକଟରେ ପହଂଚିଥାନ୍ତି। ଶୟନ ଘରେ କୋଠ ସୁଆଁସିଆ ଦେଇଥିବା ପେଡାତାଟ ଏବଂ ଦର୍ଜି ସେବାୟତ ଦେଇଥିବା ଶେଜ ଓ ମାଣ୍ଡି ରେ ଶୟନ ଠାକୁରଙ୍କୁ ଶୟନ କରାଯାଏ। ଏହାପରେ ମୁଦିରସ୍ତ ସେବାୟତ ପ୍ରସାଦ ଲାଗି , ପୁଷ୍ପାଞ୍ଜଳି , କର୍ପୂର ଆଳତି ଓ ସାତକାଳୀ ସଞ୍ଜବତୀ , ଦୁର୍ବାକ୍ଷାତ ବନ୍ଦାପନା ଇତ୍ୟାଦି କରିବା ପରେ ପେଡା ବନ୍ଦ କରି ତହିଁ ଉପରେ ଖୋଳ ପକାନ୍ତି । ଏହି ନୀତି ସମାପ୍ତ ପରେ ସଂପୃକ୍ତ ସେବାୟତମାନେ ବାହାରକୁ ଆସିବା ପରେ ତଢ଼ାଉକରଣ ସେବକ ଶୟନ ଘର ଦ୍ଵାରକୁ ମୁଦ ଦେଇଥାନ୍ତି।

Post a Comment

Previous Post Next Post