ଦଶମୂଳ ମହୌଷଧୀ କ’ଣ ଓ କିପରି ଏହା ପ୍ରସ୍ତୁତ ହୋଇଥାଏ?


୧୦୮ ଗରା ଜଳ ସ୍ନାନ ପରେ ଜ୍ଵରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଗୃହରେ ପଣା, ଫୁଲୁରି ତେଲ, ଫଳ, ଆୟୁର୍ବେଦିକ ଜଡ଼ିବୁଟ୍ଟି ଆଦି ଲାଗି କରାଯାଇ ଉପଶମ କରାଯାଉଛି। ରବିବାର ଦଶମୀ ତିଥିରେ ଶ୍ରୀବିଗ୍ରହମାନେ ଶୟନ ଅବସ୍ଥାରୁ ଉଠି ଚକା ବିଜେ ଅର୍ଥାତ୍ ଚକା ଉପରେ ବସିଛନ୍ତି। ଏହା ମହାପ୍ରଭୁଙ୍କ ସୁସ୍ଥ ହେବା ନେଇ ସଙ୍କେତ ଦେଇଛି। ଏହାପରେ ଚତୁର୍ଦ୍ଧା ମୂରତିଙ୍କୁ ପୂର୍ଣ୍ଣ ଉପଶମ ପାଇଁ ଦଶମୂଳ ମହୌଷଧୀ ବା ମୋଦକ ଲାଗୁ କରାଯିବ। ତେବେ ଏହି ଦଶମୂଳ ମହୌଷଧୀ କ’ଣ ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ ଆପଣ ଜାଣିନ୍ତି କି?
*ଦଶମୂଳ ମହୌଷଧୀ କ’ଣ?*

ଦଶମୂଳ ମହୌଷଧୀ ବା ମୋଦକ ହେଉଛି ଏକ ପ୍ରକାର ଔଷଧ, ଯାହା ମହାପ୍ରଭୁଙ୍କୁ ଅଣସର ବେଳେ ଲାଗି କରାଯାଏ। ଦଶଟି ପ୍ରାକୃତିକ ଚେରମୂଳିରୁ ଏହାକୁ ପ୍ରସ୍ତୁତ କରାଯାଉଥିବାରୁ ଏହାକୁ ଦଶମୂଳ ମହୌଷଧୀ କୁହାଯାଏ। ସେହିପରି ଗୋଲାକାର ଅର୍ଥାତ୍ ଛୋଟ ଛୋଟ ଲଡୁଭଳି ଆକାରରେ ପ୍ରସ୍ତୁତ କରାଯାଉଥିବାରୁ ଏହାକୁ ଦଶମୂଳ ମୋଦକ ମଧ୍ୟ କୁହାଯାଏ।

*କେମିତି ପ୍ରସ୍ତୁତ ହୁଏ ଦଶମୂଳ ମହୌଷଧୀ?*

ଗମ୍ଭାରୀ, ବେଲଛେଲି, ଶାଳପର୍ଣ୍ଣି, ଅଗବଧୁ, ଫଣଫଣା, ଅଙ୍କରାନ୍ତି, ଲବଙ୍ଗକୋଳି, କୃଷ୍ଣପର୍ଣ୍ଣା, ପାଟେଳି ଓ ଖଣିବୁଥୁ ଆଦି ୧୦ଟି ପ୍ରାକୃତିକ ଚେରମୂଳିରୁ ଏହି ଦଶମୂଳ ମହୌଷଧୀକୁ ପ୍ରସ୍ତୁତ କରାଯାଏ। ପ୍ରଥମେ ଏହିସବୁ ଚେରମୂଳିକୁ ସଂଗ୍ରହ କରାଯାଇ ଖରାରେ ଶୁଖା ଯାଇଥାଏ। ଭଲଭାବେ ଚେରମୂଳିଗୁଡ଼ିକୁ ଶୁଖିଯିବା ପରେ ଏଗୁଡ଼ିକୁ ଗୁଣ୍ଡ କରି ଦେଶୀ ଘିଅ, ମହୁ, ନବାତ ଖଣ୍ଡ, ଖୁଆ ଏବଂ ଭାଙ୍ଗ ସହ ମିଶାଯାଇ ରନ୍ଧାଯାଏ। ପାଗ ହୋଇଯିବା ପରେ ହାତରେ ଏହାକୁ ଛୋଟ ଛୋଟ ମୋଦକ ବା ଲଡୁ ଭଳି ଗୁଳା ଆକାରର ତିଆରି କରାଯାଇଥାଏ। ଦେଖିବାକୁ ଏହାର ରଙ୍ଗ ଇସତ୍‌ କୃଷ୍ଣ ବର୍ଣ୍ଣ ବା କଳା। ଅନବସର ଦଶମୀ ତିଥିରେ ଏହି ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ଆସିବା ପରେ ଖଳିଲାଗି ଏକାଦଶୀରେ ଏହା ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ।
*କେଉଁଠୁ ଆସେ?*

ମହାପ୍ରଭୁଙ୍କ ରାଜବୈଦ୍ୟ ଏବଂ କବିରାଜମାନେ ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଦଶମୂଳ ମହୌଷଧୀକୁ ପ୍ରସ୍ତୁତ କରି ଦିଅଁଙ୍କ ପାଇଁ ଶ୍ରୀମନ୍ଦିର ପଠାଇଥାନ୍ତି। ଏଥିପାଇଁ ଆବଶ୍ୟକୀୟ ସମସ୍ତ ଚେରମୂଳି, ଫଳ, କଢ଼ ଓ ପତ୍ର ଆଦିକୁ କିଛିଦିନ ପୂର୍ବରୁ ସେମାନେ ସଂଗ୍ରହ କରିଥାନ୍ତି। ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ରାଜବୈଦ୍ୟଙ୍କ ଘରେ ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ। ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହେଉଥିବା ବେଳେ ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ କରାଯାଏ।

ଦଶମୂଳ ମହୌଷଧୀ ସେବନ ପରେ ଶ୍ରୀବିଗ୍ରହମାନେ ସପୂର୍ଣ୍ଣଭାବେ ସୁସ୍ଥ ହୋଇଥାନ୍ତି। ପରେ ମହାପ୍ରଭୁଙ୍କୁ ନୂଆ ବସ୍ତ୍ର ପିନ୍ଧାଯାଇ ଚନ୍ଦନ ଲାଗି କରାଯାଏ। ଏହାପରେ ଶ୍ରୀବିଗ୍ରହମାନେ ନବଯୌବନ ଦର୍ଶନ ଦେଇଥାନ୍ତି।

Post a Comment

Previous Post Next Post