*༺⭕ମହାପ୍ରଭୁଙ୍କ ମହାଲୀଳା⭕༻*
 *ତୃ୍ତୀୟ ଭାଗ*
  
ରଥ ନିର୍ମାଣର ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ସମଗ୍ର ଭାରତ ବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି। ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ଵାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ । ୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ। ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲି ଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତା ଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲି ଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲି ଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢେଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ। ପ୍ରଥମେ ପଟଳ ଲମ୍ବ ୮ ଚଉଠ,ରାହା କାଟଣ ଶେଷ ଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖା ଠାରୁ ପାରାଭାଡି ଭୂଇଁ ତଳ ପର୍ଯ୍ୟନ୍ତ ଦଖିନଉତି ଖୋଜ ହେବ। ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶ ଗୁଡିକ ମଧ୍ୟରେ ଚକ, ଦଣ୍ଡି, ଅର,ବାଙ୍କି,ହଂସପଟା,କଣି,ଶଙ୍ଖଦ୍ଵାର,ଜାଲି,ଗାଈପଟା,ସିଂହାସନ,କନକ ମୁଣ୍ଡେଇ, ଭୂମି,ଷୋଳ ନାହକ,ମଗରଦଣ୍ଡା, ବସନ୍ତ, ଦୁଆରଘୋଡା, ସାରଥୀ ପୀଡ଼,କୁମ୍ଭପଟି,ରାହୁପଟି,ଆଠ ନାହାକା, ପୀଢ଼,ଋଷିପଟା,ଦଣ୍ଡା, ପାରାଭାଡି,ଖପୁରୀ,ପାଦ, ଓଲଟ ଶୁଆ,ଦଧିନଉତି,କଣ୍ଠି,ଦଣ୍ଡ,ଚକ୍ର ଓ କେତନ । ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା- (୧) ଚକ୍ରପୀଠ, (୨) ଅରଦଣ୍ଡା,(୩)ଗଗରା,(୪) ମୂଳନାଭ,(୫) ବରାଣ୍ଡି,(୬) ହଂସପଟା, (୭) ରଥଗର୍ଭ,(୮) ପାରାଭାଡି,(୯) କଳସ ପୀଠ, (୧୦) ଦଧିନଉତି, (୧୧) କର୍ଣ୍ଣଅଳା,(୧୨) ଧାତୁ କଳସ ଓ (୧୩) ଆୟୁଧ ଧ୍ଵଜା।

ରଥଖଳାରେ ରଥ ନିର୍ମାଣ କାମ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହି ପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ଵଜ। ସମ୍ପ୍ରତି ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତୋନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ। ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ଵତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ। କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା - ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ଵାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ଵକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ ଶାଢୀ ବନ୍ଧାଇ ଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ଵାର ସମ୍ମୁଖରେ ରଖାଯାଏ।

ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ ଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ l ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି।

ତେବେ ପ୍ରଭୁ ଜଗନ୍ନାଥ ଙ୍କ ଲୀଳା ମଣିଷ ଅଗୋଚର, ତାଙ୍କ ବିଷୟରେ ଗବେଷଣା ଆହୁରି ରହସ୍ୟ ଯୁକ୍ତ l ଛାର ମାନବ କଣ ବା ଜାଣିବ ମହାପ୍ରଭୁଙ୍କ ମହା ଲୀଳା l


*ସଂଗୃହିତ*

Post a Comment

Previous Post Next Post