ଶ୍ରୀମନ୍ଦିରେ ଋଷି ପଞ୍ଚମୀ ନୀତି 
ଶ୍ରୀମନ୍ଦିର ରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ। ଏହି ବ୍ରତ ସ୍ୱୟଂ ମା ଶ୍ରୀଦେବୀ ପାଳନ କରିଥାନ୍ତି।  ଏକ ଉପାଖ୍ୟାନ ରୁ ଜଣା ଯାଏ ଯେ ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତ ଋଷି ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। 
ଏହି ଦିନ ସକାଳ ଧୂପ ବଢ଼ିବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନ ରୁ ବିଜେ କରାଇ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରନ୍ତି ଏବଂ ତତ୍ପରେ ଶ୍ରୀଦେବୀ ମାର୍କଣ୍ଡେୟ ମହାଦେବ ମନ୍ଦିର କୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଦେବୀଙ୍କ ମାଜଣା କରାଯାଏ ଓ ପରେ ପୂଜାପଣ୍ଡା ବରୁଣ ପୂଜା ଆଦି କରି ସପ୍ତ ଋଷିଙ୍କୁ ନୈବେଦ୍ୟ ସମର୍ପଣ କରନ୍ତି। 
ଏହାପରେ ପୂଜାପଣ୍ଡା ବ୍ରତକଥା ପଠନ କରନ୍ତି।ବ୍ରତ କଥା ଶେଷ ହେବାପରେ ବନ୍ଦାପନା ହୋଇ ଶ୍ରୀଦେବୀ ପ୍ରତ୍ୟବର୍ତ୍ତନ କରିଥାନ୍ତି ଓ ଏହାପରେ ମଧ୍ୟାହ୍ନ ଧୂପ ହୋଇଥାଏ। ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର , କଦଳୀ ଓ ଫଳ ଭୋଗ ହୋଇଥାଏ।
ଆଜି ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି। ଏହି ତିଥିରେ ପାଳିତ ହୁଏ ଋଷି ପଞ୍ଚମୀ। ମହିଳା ମାନେ ବ୍ରତ ପାଳନ କରନ୍ତି। ବିଶ୍ୱାସ ରହିଛି ଯେ ଏହି ବ୍ରତ କରିବା ଦ୍ୱାରା ରଜସ୍ୱଳା ଦୋଷରୁ ମୁକ୍ତି ମିଳିଥାଏ।

ମାନ୍ୟତା ଯାହାବି ରହିଥାଉ ପଛରେ, କିନ୍ତୁ ଏଭଳି ପର୍ବ ପାଳନ ଭାରତୀୟ ସନାତନ ପରମ୍ପରା ରେ ଋଷି ମାନଙ୍କ ପ୍ରତି ଆଦର, ଶ୍ରଦ୍ଧା ଓ ସମ୍ମାନର ନିଦର୍ଶନ ନିଶ୍ଚୟ।
ଏହି ଦିନ ସପ୍ତଋଷି ଙ୍କୁ ପୂଜା କରାଯାଏ। ସେହି ସପ୍ତଋଷି ଙ୍କ ବିଷୟରେ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାରରେ ଉଲ୍ଲେଖ ମିଳେ। ସପ୍ତର୍ଷି ପୂଜନ ପାଇଁ ବିଭିନ୍ନ ମନ୍ତ୍ର ରହିଥିଲେ ମଧ୍ୟ ସବୁଠାରୁ ଅଧିକ ଆଦୃତ ମନ୍ତ୍ରଟି ହେଉଛି

'कश्यपोत्रिर्भरद्वाजो विश्वामित्रोथ गौतमः।
जमदग्निर्वसिष्ठश्च सप्तैते ऋषयः स्मृताः॥
दहन्तु पापं सर्व गृह्नन्त्वर्ध्यं नमो नमः'॥

ଏହି ସପ୍ତଋଷି ହେଉଛନ୍ତି କଶ୍ୟପ, ଭରଦ୍ୱାଜ, ବିଶ୍ଵାମିତ୍ର, ଗୌତମ, ଯମଦଗ୍ନି, ବଶିଷ୍ଠ ଓ ଅତ୍ରି।
★ କଶ୍ୟପ - କଶ୍ୟପ ଋଷିଙ୍କ ଭିନ୍ନ ଭିନ୍ନ ପତ୍ନୀଙ୍କ ଔରସରୁ ବିଭିନ୍ନ ଜୀବ ଙ୍କ ସୃଷ୍ଟି ହୋଇଛି ବୋଲି କୁହାଯାଏ, ଯେପରିକି ତାଙ୍କ ପତ୍ନୀ ଅଦିତି ଙ୍କ ଠାରୁ ଦେବତା ଓ ଦିତିଙ୍କ ଠାରୁ ଦୈତ୍ୟ ମାନେ ଜନ୍ମ ହୋଇଥିଲେ।

★ ଭରଦ୍ୱାଜ - ଆୟୁର୍ବେଦ ସମେତ ଅନେକ ମହାନ ଗ୍ରନ୍ଥ ରଚନା  ଋଷି ଭରଦ୍ୱାଜ ଙ୍କ ଦ୍ଵାରା ହୋଇଥିଲା ବୋଲି ମାନ୍ୟତା ରହିଛି। ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କ ପୁତ୍ର ଥିଲେ।
★ ବିଶ୍ଵାମିତ୍ର - ଋଷି ବିଶ୍ଵାମିତ୍ର ନିଜ ତପୋବଳ ପ୍ରଭାବରେ ଦ୍ଵିତୀୟ ସ୍ୱର୍ଗ ନିର୍ମାଣ କରିବାର କ୍ଷମତା ରଖିଥିଲେ। ସେଥିପାଇଁ ତାଙ୍କ ତପଭଙ୍ଗ କରିବାକୁ ଅପ୍ସରା ମେନକାଙ୍କୁ ପଠାଇଥିଲେ। ତେବେ ତାଙ୍କ ତପ ପ୍ରଭାବ ଯୋଗୁଁ ସେ ମହାନ ଋଷି ହୋଇଥିଲେ। ଜାନକୀ ସ୍ଵୟମ୍ବର ପାଇଁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସେ ହିଁ ମିଥିଳା ନେଇ ଯାଇଥିଲେ।
★ ଗୌତମ - ମହର୍ଷି ଗୌତମ ଙ୍କ ପତ୍ନୀ ଥିଲେ ଦେବୀ ଅହଲ୍ୟା। ଋଷିଙ୍କ ଅଭିଶାପ ଯୋଗୁଁ ସେ ପାଷାଣ ପାଲଟି ଥିଲେ ଓ ପ୍ରଭୁ ଶ୍ରୀରାମଙ୍କ ସ୍ପର୍ଶରେ ପୁନଃ ସୁସ୍ଥ ହୋଇଥିଲେ।

★ ଯମଦଗ୍ନି - ଋଷି ଯମଦଗ୍ନିଙ୍କ ପତ୍ନୀ ରେଣୁକା ଙ୍କୁ ହତ୍ୟା କରିବା ପାଇଁ ସେ ନିଜ ପୁତ୍ରଙ୍କୁ ଆଦେଶ ଦେଇଥିଲେ ଏବଂ ପିତୃ ଆଦେଶ ପାଳନ ପୂର୍ବକ ତାଙ୍କ ପୁତ୍ର ଭଗବାନ ପର୍ଶୁରାମ ସ୍ୱମାତୃହନ୍ତା ହେବାର ଦାୟ ମୁଣ୍ଡାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତବର୍ଷର ଶ୍ରେଷ୍ଠତମ ଗୁରୁଙ୍କ ଭିତରୁ ଜଣେ ହୋଇଥିଲେ।
★ ବଶିଷ୍ଠ - ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଙ୍କ ଗୁରୁ ଓ ଅଯୋଧ୍ୟା ରାଜ୍ୟ କୂଳଗୁରୁ ଥିଲେ ମହର୍ଷି ବଶିଷ୍ଠ।

★ ଅତ୍ରୀ - ମହର୍ଷି ଅତ୍ରୀ ଙ୍କ ଆଶ୍ରମ ରେ ହିଁ ବନବାସ କାଳରେ ଶ୍ରୀରାମ ଅବସ୍ଥାନ କରିଥିଲେ ବୋଲି ରାମାୟଣ ରେ ବର୍ଣ୍ଣନା ମିଳେ। ତେବେ ଋଷି ପତ୍ନୀ ସତୀ ଅନୁସୂୟା ଓ ତାଙ୍କ ପୁତ୍ର ଦତ୍ତାତ୍ରେୟ ମଧ୍ୟ ଖୁବ ବିଖ୍ୟାତ ଅଟନ୍ତି।

Post a Comment

Previous Post Next Post