ଭଗବାନ କାହିଁକି ଚୁପ ରହିଥାନ୍ତି                          

ଥରେ ଗୋଟିଏ ମନ୍ଦିରର ପୂଜକ ଭଗବାନଙ୍କୁ କହିଲେ, "ହେ ଭଗବାନ! ଆପଣ ଗୋଟିଏ ଜାଗାରେ ବସିଛନ୍ତି କିଛି କାମ କରୁନାହାନ୍ତି, କିନ୍ତୁ ମୁଁ ସକାଳଠୁ ସନ୍ଧ୍ୟା ଯାଏଁ ସବୁଦିନ ସବୁବେଳେ କାମ କରୁଛି। ଆପଣଙ୍କ ଜୀବନ ବହୁତ ସୁନ୍ଦର। ଗୋଟିଏ ଦିନପାଇଁ ମୋ ସ୍ଥାନକୁ ଆପଣ ଆସନ୍ତୁ ଓ ମୁଁ ଆପଣଙ୍କ ସ୍ଥାନକୁ ଯିବି। ଗୋଟିଏ ଦିନ ଟିକେ ଶାନ୍ତିରେ ବସିବି।"

ସେଇଠୁ ଭଗବାନ କହିଲେ, "ତୁ ମୋ ସ୍ଥାନରେ ବସି ପାରିବୁ ନାହିଁ। କାରଣ ଗୋଟିଏ ଜାଗାରେ ବସିବା ଭାରି କଷ୍ଟ। ତୁ ଏ କାମ କରିପାରିବୁ ନାହିଁ।"

ତଥାପି ପୂଜକ ଭଗବାନଙ୍କ ପାଖରେ ଗୁହାରି କଲେ, "ମୋତେ ତ ଥରେ ସୁଯୋଗ ଦିଅନ୍ତୁ।"

ଭଗବାନ ତ ପରମ ଦୟାଳୁ। ସେ ତାଙ୍କର ମନୋବାଞ୍ଛା ପୂରଣ କଲେ। କହିଲେ, "ତୁ ଖାଲି ବସିବୁ। କିଛି କହିବୁ ନାହିଁ, କି କିଛି ବି କରିବୁ ନାହିଁ। କାରଣ ଏଠାକୁ ବହୁତ ପ୍ରକାରର ଲୋକ ଆସନ୍ତି।"

ଏହାପରେ ପୂଜକ ଭଗବାନଙ୍କ ସ୍ଥାନରେ ବସିଲେ। ସେଦିନର ପ୍ରଥମ ଭକ୍ତ ଆସିଗଲେ ଓ ଭଗବାନଙ୍କୁ ପ୍ରଣାମ କରି ୫୦ ହଜାର ଟଙ୍କା ମନ୍ଦିର ହୁଣ୍ଡିରେ ପକାଇବା ସମୟରେ ଅଜାଣତରେ ଟଙ୍କାଥଳୀଟି ତଳେ ଖସିପଡ଼ିଲା। ପୂଜକ ତ ଭଗବାନଙ୍କ ସ୍ଥାନରେ ବସିଛନ୍ତି; ତାଙ୍କର କହିବାକୁ ଇଚ୍ଛା ହେଉଥିଲା, "ରେ ଭକ୍ତ ତୋ ଟଙ୍କାଥଳୀଟି ତଳେ ଖସିପଡ଼ିଲା।"

କିନ୍ତୁ ସେ କହିଲା ନାହିଁ। କାରଣ ତାକୁ ଭଗବାନ ମନା କରିଛନ୍ତି - ତୁ କାହାକୁ କିଛି କହିବୁ ନାହିଁ। ପରେ ଆଉ ଜଣେ ଭକ୍ତ ଆସିଲେ। ସେ ହୁଣ୍ଡିରେ ଗୋଟିଏ ଟଙ୍କା ପକାଇ କହିଲେ, "ହେ ଭଗବାନ, ମୋର ୫୦ ହଜାର ଟଙ୍କା ଦରକାର ଅଛି। ମୋତେ ଆଶୀର୍ବାଦ କରନ୍ତୁ ପଇସା ମିଳିଯାଉ। ଏତିକିବେଳେ ମନ୍ଦିରରେ ପଡ଼ିଥିବା ଟଙ୍କାଥଳୀଟି ପାଇ ସେ ଭାରି ଖୁସି ହୋଇଗଲା। କହିଲା, ଭଗବାନ ତୁମେ କେତେ ମହାନ୍; ସାଙ୍ଗେ ସାଙ୍ଗେ ମୋ ଦୁଃଖ ବୁଝିଦେଲ।"

ପୂଜକ ତ ଭଗବାନଙ୍କ ସ୍ଥାନରେ ଅଛି। ଟିକେ ରାଗିଯାଇ ମନେ ମନେ କହୁଥିଲା, ଗୋଟିଏ ଟଙ୍କା ଦେଲୁ ୫୦ହଜାର ଟଙ୍କା ନେଇଗଲୁ। ଚୋରଟା, ଗୋଟାଏ ଠକ ତୁ। କିନ୍ତୁ କିଛି କହି ପାରୁନଥାଏ, କାରଣ ତାକୁ ଭଗବାନ ମନା କରିଛନ୍ତି। 

ପରେପରେ ତୃତୀୟ ଭକ୍ତ ଆସିଲେ। ତାଙ୍କର ପରିବାର ସହ ସାଙ୍ଗରେ ଭୋଗ ଧରି ଆସିଥା'ନ୍ତି। ଭଗବାନଙ୍କୁ ପ୍ରଣାମ କରି କହୁଥା'ନ୍ତି, "ହେ ପ୍ରଭୋ, ମୁଁ ୧୫ ଦିନପାଇଁ ପାଣିଜାହାଜରେ ଯିବି। ମୋତେ ଆଶୀର୍ବାଦ କର; ମୁଁ ଭଲରେ ଭଲରେ ଯାଇ ଭଲରେ ଭଲରେ ଫେରି ଆସିବି। ଆସିଲେ ତୁମ ପାଖରେ ୧୦୮ ନଡ଼ିଆ ଭୋଗଦେବି। ଏତିକିବେଳେ ପ୍ରଥମ ଭକ୍ତ ଯାହାର ଟଙ୍କାଥଳୀଟି ଖସି ପଡିଥିଲା ସେ ପୁଲିସ ଧରି ଆସିଲେ। ସେ ସେଠାରେ ଉପସ୍ଥିତ ଥିବା ତୃତୀୟ ଭକ୍ତକୁ ଦେଖି କହିଲେ, "ମୋର ଟଙ୍କାଥଳୀଟି ଏଇଠି ଖସି ପଡ଼ିଥିଲା, ତୁମେ ନେଇଯାଇଛ।"

ସେ ଭକ୍ତଟି ମନା କଲା। କିନ୍ତୁ ପୁଲିସର ସେ ଲୋକ ଉପରେ ସନ୍ଦେହ ହେଲା। ସେ ଜବରଦସ୍ତ କଲା ପୁଲିସଷ୍ଟେସନକୁ ଯିବାପାଇଁ। ଏସବୁ କଥା ଭଗବାନଙ୍କ ସ୍ଥାନରେ ବସି ପୂଜକ ଦେଖୁଥିଲେ। ସେ ଆଉ ଜମା ସହି ପାରିଲେ ନାହିଁ। 

ସେ କହିଲେ ସମସ୍ତେ ରହିଯାଅ। ମୁଁ ଭଗବାନ; ସବୁ କଥା ଶୁଣିଛି ଓ ଦେଖିଛି ଏ ଲୋକ ଟଙ୍କାଥଳୀଟି ନେଇନାହିଁ। ଗୋଟିଏ ଭିକାରି ଆସିଥିଲା, ଗୋଟିଏ ଟଙ୍କା ହୁଣ୍ଡିରେ ପକାଇ ୫୦ ହଜାର ଟଙ୍କା ନେଇଗଲା। ପରେ ସେ ଲୋକର ଚେହେରା ବି ପୂଜକ ପୁଲିସକୁ କହିଲେ। ପୁଲିସ ଚେକ କଲା ପରେ ସେ ଲୋକଟି ଆରେଷ୍ଟ ହେଲା। ଏ ଲୋକକୁ ପୁଲିସ ଛାଡିଦେଲେ। ଏ ଭକ୍ତ ଜଣଙ୍କ ଜଣେ ନାବିକ ଥିଲା। ସେ ପାଣିଜାହାଜରେ ଗଲା। 

ରାତି ହୋଇଗଲା, ଭଗବାନ ଆସି ପୂଜକଙ୍କୁ ପଚାରିଲେ, "ଦିନଟି କେମିତି କଟିଲା। ପୂଜକ କହିଲେ ଭାରି ଭଲ। ମୁଁ ଆଜି ବଡ଼ କାମଟିଏ କରିଛି। ଗୋଟିଏ ନିର୍ଦ୍ଦୋଷକୁ ରକ୍ଷା କରିଛି। ଭଗବାନ ସେଇଠୁ କହିଲେ, "ମୁଁ ତତେ ମନା କରିଥିଲି କିଛି କଥା କହିବୁନି ବୋଲି, କିନ୍ତୁ ତୁ ସବୁ କିଛି ନିୟମ ଭାଙ୍ଗି ବିଗାଡ଼ି ଦେଲୁ। ଆରେ ମୂର୍ଖ ପୂଜକ, ଯିଏ ପ୍ରଥମେ ଆସି ୫୦ ହଜାର ଟଙ୍କା ଦେଲା ସେ ଚୋରି କରି ଲକ୍ଷେ ଟଙ୍କା ଆଣିଥିଲା। ଯେତେବେଳେ ସେ ଚୋରି କରି ପଇସା ଆଣେ ଅଧା ପଇସା ମନ୍ଦିରରେ ଦିଏ ଅଧା ପଇସା ସିଏ ରଖେ।” 

“ଦ୍ୱିତୀୟ ଭକ୍ତ; ଯିଏ ପଇସା ନେଇଗଲା ସେ ତା' ମାଆର ଅପରେସନ କରିବାର ଥିଲା। ସେ ପଇସାରେ ତା’ ମା ଅପେରସନ ହୋଇଥାନ୍ତା ଏବଂ ତା’ ମାଆ ବଞ୍ଚି ଯାଇଥା'ନ୍ତା। ଯେଉଁ ତୃତୀୟ ବ୍ୟକ୍ତି ଆସିଥିଲା; ସେ ଚୋରି ଅଭିଯୋଗରେ ଜେଲ ଯାଇଥାନ୍ତା। ଜେଲରେ ରହିଥିଲେ ସେ ସମୁଦ୍ରକୁ ଯାଇପାରିନଥା'ନ୍ତା ଏବଂ ତା' ଜୀବନ ବଞ୍ଚି ଯାଇଥା'ନ୍ତା କାରଣ ସମୁଦ୍ରରେ ଏବେ ସୁନାମି ଆସିବାର ଅଛି। ଏଥର ବୁଝିଲୁ ତ ପୂଜକ, ମୁଁ କ’ଣପାଇଁ ଚୁପ ରହିଥାଏ। ଆଗକୁ କ'ଣ ହେବ ମୁଁ ଭଲ ଭାବରେ ଜାଣିପାରିଥାଏ। ଏ ସୃଷ୍ଟି ମୋର। ଏ ସମସ୍ତ ପ୍ରାଣୀ ବି ମୋର। ମୁଁ କେବେ କାହାର କିଛି କ୍ଷତି କରିବି ନାହିଁ।"

ପୂଜକ ତାଙ୍କର ଭୁଲ ବୁଝିପାରି ଭଗବାନଙ୍କୁ କ୍ଷମା ମାଗିଲେ। ଆଉ କହିଲେ, "ଆମେ ସାଧାରଣ ମାନବ ଆପଣଙ୍କର ଗୂଢ଼ ରହସ୍ୟକୁ ବୁଝି ପାରିଲୁନି ପ୍ରଭୁ। ଆପଣ ସର୍ବଜ୍ଞ ହେତୁ ଏସବୁ ବୁଝିଛନ୍ତି। କରୁଣା ରଖନ୍ତୁ ପ୍ରଭୋ, ଆପଣଙ୍କର ଦାସାନୁଦାସ ହୋଇ ମୋର ଅବଶିଷ୍ଟ ଜୀବନ ବିତିଯାଉ।"
🌴 🌿 🌾 🌴 🌾 🌿 🌴
ସଂଗ୍ରହ - ରଙ୍ଗନାଥ ରଥ
🌴 🌿 🌾 🌴 🌾 🌿 🌴

ଆମ ଜୀବନରେ କିଛି ଅଘଟଣ, ଦୁର୍ଘଟଣା ଘଟିଲେ ଆମେ ବିଚଳିତ ହୋଇଯାଉ। ଭଗବାନଙ୍କୁ ଗାଳି ଦେଉ। ଆଉ କହୁ - ହେ ଭଗବାନ ଏତେ ଦୁଃଖ କ'ଣପାଇଁ ଦେଉଛ; କିନ୍ତୁ ବୁଝିବାକୁ ହେବ ଏ ଅଘଟଣ ପଛରେ, ଏ ଦୁଃଖ ପଛରେ ତାଙ୍କରି ମଙ୍ଗଳମୟ ହାତ ହିଁ ରହିଥାଏ। 

ଯାହା ହୋଇଛି ଭଲ ହୋଇଛି, ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହିଁ ହେବ।  କାରଣ ଏ ସୃଷ୍ଟି ଭଗବାନଙ୍କର। ଆମେ ସମସ୍ତେ ପରମ ପିତାଙ୍କର ସନ୍ତାନ। ଏଣୁ ଭଗବାନ ଆମର କୌଣସି କ୍ଷତି କରିବେ ନାହିଁ। ସେ କ୍ଷମାସାଗର ହେତୁ ହୃଦୟର ସହ ତାଙ୍କର ଅମୃତମୟ ନାମ ଓ ଗୁଣକୁ ବାରମ୍ବାର ଶ୍ରବଣ, କୀର୍ତ୍ତନ, ସ୍ମରଣ, ମନନ ଓ ନିଦିଧ୍ୟାସନ କରିବା ଯଥେଷ୍ଟ। କେବଳ ଭକ୍ତି ସହକାରେ ଧୈର୍ଯ୍ୟର ସହିତ ମାନସିକ ଭାବରେ ତାଙ୍କୁ ଡାକିବାକୁ ପଡ଼ିବ।

🙏 ଜୟ ଜଗନ୍ନାଥ 🙏

Post a Comment

Previous Post Next Post