#ପୁରୀ ର ବହୁ ନାମ:- 
ଏହି କ୍ଷେତ୍ର ଓ ଧାମର ବହୁନାମ ରହିଛି । 
୧ . ଶ୍ରୀକ୍ଷେତ୍ର , ୨ . ପୁରୁଷୋତ୍ତମ କ୍ଷେତ୍ର , ୩ . ନୀଳାଚଳ କ୍ଷେତ୍ର , ୪ . ଶଙ୍ଖ କ୍ଷେତ୍ର , ୫ . ଜଗନ୍ନାଥ ଧାମ , ୬ . ଯମନୀକ ତୀର୍ଥ , ୭ . ମର୍ତ୍ତ୍ୟବୈକୁଣ୍ଠ , ୮ . ନୀଳଗିରି , ୯ . ଉଡୀୟାନ ପୀଠ , ୧୦ , ପୁରୀ , ୧୧ . ଦଶାବତାର କ୍ଷେତ୍ର ଓ ୧୨ . ଭୌମ କ୍ଷେତ୍ର । 

🦚ଶ୍ରୀକ୍ଷେତ୍ର – ଏହି କ୍ଷେତ୍ରରେ ଜଗତମାତା , ଜଗତଜନନୀ ମା ମହାଲକ୍ଷ୍ମୀ । ସ୍ଵୟଂ ବିଦ୍ୟମାନ ହୋଇ , ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିମିତ୍ତ ବୈଷ୍ଣବାଗ୍ନିରେ ଅନ୍ନ , ବ୍ୟଞ୍ଜନ ପ୍ରସାଦ ପ୍ରସ୍ତୁତ କରନ୍ତି । ଏଣୁ ମା ଲକ୍ଷ୍ମୀଙ୍କ ଅନ୍ୟ ନାମ ଶ୍ରୀ ’ ହୋଇଥିବାରୁ ଏହି କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର । 

🦚ଶଙ୍ଖକ୍ଷେତ୍ର – ଶ୍ରୀବିଷ୍ଣୁ ଭଗବାନ ଙ୍କ ଆୟୁଧ ହେଉଛି ଶଙ୍ଖ । ଶଙ୍ଖା ସୁରଙ୍କୁ ଶ୍ରୀବିଷ୍ଣୁ ମୁଖବାଦ୍ୟନ ( ଫୁଙ୍କି ) ପ୍ରାଣନାଶ କରିଥିଲେ । ଶଙ୍ଖାସୁର ବର ମାଗିଥିଲେ ଯେ ତା’ର ଶରୀର ଶଙ୍ଖ ଆକୃତି ହେବ , ସମସ୍ତ ପୂଜାପାର୍ବଣ , ହୋମ ଯଜ୍ଞ , ଦେବାର୍ଚ୍ଚନା , ବେଦପାଠ , ଗୀତା ପାଠ , ସଦ୍‌ଗ୍ରନ୍ଥ ପାଠ , ସତ୍ତ୍ ସଂଘ , ବିବାହ , ବ୍ରତ , ସମସ୍ତ ପୁଣ୍ୟକର୍ମରେ ଶଙ୍ଖ ବାଦନ , କରାହେବ ଏବଂ ସେ ଶ୍ରୀବିଷ୍ଣୁ ହସ୍ତରେ ସର୍ବଦା ବିଦ୍ୟମାନ ହେବ । ମହାପ୍ରଭୁ ତଥାସ୍ତୁ କହିଥିଲେ । ଏଣୁ ଶ୍ରୀଜଗନ୍ନାଥଙ୍କ ଶୂନ୍ୟ ହସ୍ତରେ ଶଙ୍ଖ ଚିହ୍ନ ରହିଅଛି ଏବଂ ନବକଳେବର ଦାରୁରେ ଶଙ୍ଖ ଚିହ୍ନ ଥାଏ । ପୁରୀ କ୍ଷେତ୍ରର ଆକୃତି ଠିକ୍ ଶଙ୍ଖ ପରି । ଏହି ଧାମ ଶଙ୍ଖ ଆକୃରି ହୋଇଥିବାରୁ ଏହାକୁ ଶଙ୍ଖକ୍ଷେତ୍ର , ଶଙ୍ଖନାଭି ମଣ୍ଡଳ କୁହାଯାଏ ।

🦚ପୁରୁଷୋତ୍ତମ କ୍ଷେତ୍ର - ପୁରୁଷାନାଂ ପୁରୁଷେଷୁତ୍ତମଃ ପୁରୁଷୋତ୍ତମ । ସମସ୍ତ ଦେବତା ଦେବୀଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରେଷ୍ଠ ହୋଇଥିବାରୁ ତାଙ୍କ ନାମ ପୁରୁଷୋତ୍ତମ । ସେ ସ୍ଵୟଂ ବିଷ୍ଣୁ ଏବଂ ଶ୍ରୀକୃଷ୍ଣ ହୋଇଥିବାରୁ ତାଙ୍କର ଶ୍ରୀମୁଖ ନିସୃତ ବାଣୀ ଗୀତାର ଶ୍ରେଷ୍ଠ ଯୋଗର ନାମ ପୁରୁଷୋତ୍ତମ ଯୋଗ ଅଟେ ।ଶ୍ରୀଜଗନ୍ନାଥ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ଓ ରାଜା ହୋଇଥିବାରୁ ତାଙ୍କ କ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର । ସେ ଯେପରି ରହସ୍ୟମୟ ତାଙ୍କର ଧାମ ମଧ୍ୟ ରହସ୍ୟମୟ।

🦚ଦଶାବତାର କ୍ଷେତ୍ର - ବିଶ୍ଵର ମଙ୍ଗଳ ପାଇଁ ଭଗବାନଙ୍କ ବିଭିନ୍ନ ଅବତାରମାନ ବିଭିନ୍ନ ସ୍ଥାନରେ ଲୀଳାକରି ସ୍ଵସ୍ଥାନକୁ ଫେରିଥାନ୍ତି କିମ୍ବା ସ୍ଵୟଂ ବିଷ୍ଣୁଙ୍କ ଦେହରେ ଲୀନ ହୋଇଥାନ୍ତି । ଜନହିତ , ଲୋକ ହିତ ପାଇଁ ମତ୍ସ୍ୟ, କୁର୍ମ , ନରସିଂହ , ହଳଧର , ବାମନ ଆଦି ଅବତାରମାନ , ସୃଷ୍ଟି ହୋଇଥିଲେ ଏବଂ ଏହି ଅବତାରମାନଙ୍କ ଲୀଳା ଜଗନ୍ନାଥ କ୍ଷେତ୍ରରେ ପରିଦୃଷ୍ଟ ହୁଏ । ଶ୍ରୀଜଗନ୍ନାଥଙ୍କ ଦଶଅବତାର ଯାତ୍ରା ମଧ୍ୟ ରଥଯାତ୍ରା ମଧ୍ୟରେ ଅନୁଷ୍ଠିତ ହୁଏ । ଶ୍ରୀଜଗନ୍ନାଥ ମଧ୍ୟ ଦଶଅବତାର ବେଶ ହୁଅନ୍ତି । ଏଣୁ ଏହି କ୍ଷେତ୍ରର ନାମ ଦଶାବତାର କ୍ଷେତ୍ର । 

Post a Comment

Previous Post Next Post