#ଆଜି_ବଡ଼ଠାକୁରଙ୍କ_ପ୍ରଳମ୍ବାସୁର_ବଧ_ବେଶ 🌹

ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରେ ଶ୍ରୀବଳଭଦ୍ରଙ୍କ ପ୍ରଲମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ପ୍ରସ୍ତୁତି ଆରମ୍ଭ ହୋଇଥାଏ।

ପ୍ରଳମ୍ବାସୁର ବଧ ବେଶରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ମା ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି। କେବଳ ଶ୍ରୀବଳଭଦ୍ର ଙ୍କୁ ପ୍ରଳମ୍ବାରି ବେଶରେ ଭୂଷିତ କରାଯାଇଥାଏ। ବଡ଼ଠାକୁରଙ୍କ ଦୁଇ ହସ୍ତରେ ହଳ , ମୁଷଳ ଶୋଭାପାଇଥାଏ। ପ୍ରାୟ ୪ ଫୁଟ ଉଚ୍ଚର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନ ସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜାଯାଇଥାଏ। ଏହି ଅସୁର ର ସ୍କନ୍ଧରେ ଓ ଦୁଈ ଭୁଜରେ ବଡ଼ଠାକୁର ବସିଥିବା ସ୍ପଷ୍ଟ ଜଣାଯାଇଥାଏ। ବେତ , ଧଳା ଓ ନେଳି କନା , କଇଁଥ ଅଠା ରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଥାଏ। ଏହା ଶ୍ରୀମନ୍ଦିର ର ପାରମ୍ପରିକ ଚିତ୍ରକାର ଓ ସୋଲ କାରିଗର ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ।

ପ୍ରଳମ୍ବାସୁର ଆଖ୍ୟାୟିକା:- ସମ୍ପର୍କରେ ଶ୍ରୀମଦଭାଗବତର ଦଶମ ସ୍କନ୍ଧରେ ବିସ୍ତୃତ ବର୍ଣ୍ଣନା ରହିଅଛି । ଉକ୍ତ ବର୍ଣ୍ଣନା ଅନୁଯାୟୀ ଯମୁନା ନଦୀ କୂଳରେ ଥିବା ପବିତ୍ର ବୃନ୍ଦାବନ ଭୂମି ଶ୍ରୀବଳଭଦ୍ର ଓ ଶ୍ରୀକୃଷ୍ଣଙ୍କର ଗୋପାଳ ବାଳକ, ଗୋଇ ଓ ଗୋବତ୍ସାଙ୍କ ସହିତ ଏକତ୍ର କ୍ରୀଡା ଭୂମି । ସେହି କ୍ରୀଡା କାଳରେ ଏକ ଯୁଦ୍ଧକାଳୀନ ଅଭିନୟ ସେମାନଙ୍କର କ୍ରୀଡାର ବିଷୟବସ୍ତୁ ହୋଇଥିଲା । ଗୋପ ବାଳକଙ୍କ ସମେତ ଶ୍ରୀକୃଷ୍ଣ ଓ ବଳରାମଙ୍କର କ୍ରୀଡା ଦେଖି କଂସର ନିର୍ଦ୍ଦେଶ ମତେ ସେମାନଙ୍କୁ ମାରିବ ବୋଲି ମନେ ମନେ ଭାବି ପ୍ରଳମ୍ବାସୁର ଗୋପାଳ ବାଳକ ବେଶରେ ସେମାନଙ୍କ ସହିତ ଆସି ମିଶିଲା । ଏକଥା କିନ୍ତୁ କୃଷ୍ଣଙ୍କୁ ଅଜଣା ଥିଲା । ସେ ଗୋପାଳ ବାଳକମାନଙ୍କୁ ପ୍ରସ୍ତାବ ଦେଲେ ଯେ ରାଜା ପରଜା ନାମକ ଏକ ଖେଳ ଅଛି,ବର୍ତ୍ତମାନ ଆମେମାନେ ସେହି ଖେଳ ଖେଳିବା । ଏକଥା ଶୁଣି ଗୋପାଳ ବାଳକମାନେ ଆନନ୍ଦ ମନରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାଜା କରି ଅନ୍ୟ ସମସ୍ତ ଗୋପାଳ ପ୍ରଜା ହେଲେ । ଏହି ଖେଳରେ ବଳ କଷାକଷିର କାର୍ଯ୍ୟରହିଲା । ଯେ ଯୁଦ୍ଧରେ ହାରିବ, ସେ ବିଜେତାକୁ କନ୍ଧରେ ବସାଇ ଭାଣ୍ଡୀର ନାମକ ବଟବୃକ୍ଷ ତଳକୁ ବୋହିନେବ । ତତ୍ପରେ ଛଦ୍ମବେଶୀ ପ୍ରଳମ୍ବାସୁର ସହିତ ବଳରାମଙ୍କର ଯୁଦ୍ଧ ହେଲା । ପ୍ରଳମ୍ବ ଜାଣି ଜାଣି ହାରି, ବଳରାମଙ୍କୁ ସ୍କନ୍ଧରେ ବହନ କରି ନିର୍ଦ୍ଧିଷ୍ଟ ସ୍ଥଳକୁ ଯିବା ପରିବର୍ତ୍ତେ ଦ୍ରୁତ ଗତିରେ ଆକାଶ ମାର୍ଗରେ ଗତିକଲା ବେଳେ ବଳରାମ କଳାମେଘରେ ବିଜୁଳି ସମ ଶୋଭା ପାଇଲେ । ପ୍ରଭୁ ବଳରାମ ମାୟାବୀ ଅସୁରକୁ ଚିହ୍ନି ତାହାର ମୁଣ୍ଡ ଉପରେ ବଜ୍ର ସମ ଏକ ମୁଷ୍ଟି ପ୍ରହାର କଲେ । ତାହାର ମୁଣ୍ଡ ଶତ ଖଣ୍ଡ ହେଲା ଓ ଗୋବର୍ଦ୍ଧନ ନିକଟରେ ତାହାର ମୃତ୍ୟୁ ଘଟିଲା । ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଆସୁଅଛି ।

ଏହି ବେଶରେ ବଡଠାକୁର ହଳାୟୁଧ ସଂକର୍ଷଣ ମହାପ୍ରଭୁ ସର୍ବଭକ୍ତ ଗଣଙ୍କ ଦୃଷ୍ଟି ନିଜ ଆଡକୁ ଆକର୍ଷିତ କରିନେଇଥାଆନ୍ତି। ଅପୂର୍ବ ଦିବ୍ୟ ଶୋଭା ମାଧ୍ୟମରେ।

Post a Comment

Previous Post Next Post