ଇନ୍ଦ୍ର ଗୋବିନ୍ଦ ବନ୍ଦାପନା 
ଭାଦ୍ରବ ପୂର୍ଣ୍ଣିମାକୁ  ଇନ୍ଦ୍ର ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ନାମରେ ସୁପରିଚିତ। 
ଏହିଦିନ ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁଙ୍କୁ ଖଣ୍ଡିଏ ମାଳ ଲାଗିଥାଏ। ଦକ୍ଷିଣୀ ଘର ଭୋଗ ସରିବା ପରେ ଛାମୁ ଦିହୁଡ଼ି ସହ ଦୋଳଗୋବିନ୍ଦ ଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ଭିତର ସିଂହାସନ ଉପରେ ରଖିଥାନ୍ତି।

ଏହାପରେ ପୂଜାପଣ୍ଡା ଦୋଳଗୋବିନ୍ଦ ଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ତତ୍ପରେ ମହାଜନ ସେବକ ଦୋଳଗୋବିନ୍ଦଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କିଟିକୁ ଘଣ୍ଟ , ଛତ୍ର , କାହାଳୀ ସହ ବଡ଼ ଛତା ମଠ ନିକଟରେ ଥିବା ଟିକିରା ଗୋହିରୀ   ନିକଟକୁ  ନେଇଥାନ୍ତି। 

ଏହି ଦିନ ବସେଲି ସାହି ରୁ ଇନ୍ଦ୍ର ହାତୀ ଆସିଥାଏ। ଶୀତଳ ଭୋଗ ହେବା ପରେ ଭିତରଚ୍ଛ ମହାପାତ୍ର ଇନ୍ଦ୍ର , ଚନ୍ଦ୍ର , ଗୋବିନ୍ଦଙ୍କୁ ବନ୍ଦାପନା କରିଥାନ୍ତି। ବନ୍ଦାପନା ପରେ ଦିଅଁ ଦେଉଳକୁ ବାହୁଡା ବିଜେ କରିଥାନ୍ତି।

ପୁରାଣ ଅନୁସାରେ ମହାପ୍ରଭୁ ଆଜିର ଦିନରେ ଗୋବର୍ଦ୍ଧନ କୁ ବାମ କର କନିଷ୍ଠ ଆଙ୍ଗୁଳି ରେ ଧରି ଗୋକୁଲକୁ ରକ୍ଷା କରିବା ସହ ଇନ୍ଦ୍ରଙ୍କ ଗର୍ବଙ୍କୁ ଚୂର୍ଣ୍ଣ କରିଥିଲେ। ତେଣୁ ଭାଗବତ ରେ କୁହାଯାଇଛି।
ଇନ୍ଦ୍ର ସପତ ଦିନ ବର୍ଷା କଲା।
ଗୋପେ ଗୋବିନ୍ଦ ନାମ ଦେଲା।।
ଇନ୍ଦ୍ର କହିଛନ୍ତି ମୁଁ ସିନା ସ୍ଵର୍ଗର ଇନ୍ଦ୍ର କିନ୍ତୁ ଆପଣ ଗୋପ ର ରକ୍ଷାକର୍ତ୍ତା ବା ଇନ୍ଦ୍ର, ତେଣୁ ଆପଣ ଆଜିଠୁ ଗୋପର ଇନ୍ଦ୍ର ବା ଗୋବିନ୍ଦ।

ତେଣୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଦୋଳ ଗୋବିନ୍ଦ ବନ୍ଦାପନା ପାଇଁ ବିଜେ ହୁଅନ୍ତି।

*ଇନ୍ଦୁ ପୁର୍ଣ୍ଣୀମା ବା ଇନ୍ଦ୍ରୋତ୍ସବର ଅଭିନନ୍ଦନ*

*ଭାଦ୍ରବ ପୂର୍ଣ୍ଣିମା ଇନ୍ଦୁପୁନେଇଁ ବା 'ଇନ୍ଦ୍ର ପୂର୍ଣ୍ଣିମା ଭାବ ଖ୍ୟାତ।*
*କୃଷିପ୍ରଧାନ ଭାରତବର୍ଷରେ ବୃଷ୍ଟିଦେବତା ଇନ୍ଦ୍ରଙ୍କ ଜନ୍ମତିଥିକୁ ପ୍ରାଧାନ୍ୟ ଦେଇ ଇନ୍ଦ୍ରୋତ୍ସବ ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଅଛି ।*

*‘ଇନ୍ଦ୍ରୌରମତେ ଇତି ଇନ୍ଦୁ’।*

ଇନ୍ଦୁ ଅର୍ଥ ଐଶ୍ୱର୍ଯ୍ୟ ଏବଂ ପ୍ରଦୀପ୍ତ । ଯିଏ ପରମ ଐଶ୍ୱର୍ଯ୍ୟଶାଳୀ ଈଶ୍ୱର ସେ ଇନ୍ଦ୍ରପଦବାଚ୍ୟ ଏବଂ ଯିଏ ପ୍ରଦୀପ୍ତ କରାନ୍ତି ସେ ଇନ୍ଦ୍ର ଅଟନ୍ତି ।

ଆଧିଭୌତିକ ଅର୍ଥପକ୍ଷେ ଇନ୍ଦ୍ର-ବର୍ଷା, ଆଧିଭୌତିକ ଅର୍ଥପକ୍ଷେ- ଇନ୍ଦ୍ରଦେବତା ଏବଂ ଆଧ୍ୟାତ୍ମିକ ଅର୍ଥପକ୍ଷେ ଇନ୍ଦ୍ରମନ ଅର୍ଥ ପରକ ।

*ଗୋପଥ ବ୍ରାହ୍ମଣରେ ଇନ୍ଦ୍ରମନ ବୋଲି ଉଲ୍ଲେଖ ମିଳେ- ‘ଯନ୍ ମନଃ ସଃ ଇନ୍ଦ୍ରଃ’।*

 ଆଧ୍ୟାତ୍ମିକ ଅର୍ଥରେ ଇନ୍ଦ୍ର, ମନ ଓ ସୋମ ବା ଇନ୍ଦୁ ଆନନ୍ଦ ଅଟେ । ବୈଦିକ ଆର୍ଯ୍ୟମାନଙ୍କ ପ୍ରିୟତମ ରାଷ୍ଟ୍ରୀୟ ଦେବତା ଭାବେ ଇନ୍ଦ୍ର ପ୍ରସିଦ୍ଧ ।
ଅଥର୍ବ ବେଦରେ ଇନ୍ଦ୍ର ଓ ସୂର୍ଯ୍ୟ ଅଭିନ୍ନ ଅଟନ୍ତି । ଶତପଥ ବ୍ରାହ୍ମଣରେ ‘ଅୟଂ ବା ଇନ୍ଦ୍ରୋ ଯ ଏଷପବତେ’ରୁ ବାୟୁ ସହିତ ଇନ୍ଦ୍ରଙ୍କ ତାଦାତ୍ମା ସୂଚିତ ହୋଇଥାଏ । ଏଣୁ ଇନ୍ଦ୍ରଙ୍କ ମରୁତ୍ୱାନ୍ ବିଶେଷଣ ଯଥାର୍ଥ । ରୁକ୍ ବେଦ ୧୦ /୫୪ /୨ରେ ଇନ୍ଦ୍ରଙ୍କୁ ପରଂବ୍ରହ୍ମ ଭାବେ ମଧ୍ୟ ଅଭିହିତ କରାଯାଇଛି ।

*ମହାଭାରତକାଳୀନ ‘ଇନ୍ଦ୍ରପ୍ରସ୍ଥ’ ଇନ୍ଦ୍ର ଉପାସନାର ସଂକେତ ବହନ କରିଥାଏ ।*
*ଇନ୍ଦ୍ର ପ୍ରସ୍ତ ଗମସ୍ତା ବତକାରୀ ମା’ ସନ୍ତୁ ଚେୟଦ’ (ଶିଶୁପାଳ- ମହାକାବ୍ୟ-୨ /୬୩) ।*

*ଇନ୍ଦ୍ରଗୋବିନ୍ଦ ମହୋତ୍ସବ ରାଜକୀୟ ଉତ୍ସବ ହୋଇଥିବାରୁ ଏହା ଶ୍ରୀମନ୍ଦିର ମଧ୍ୟରେ ଓ ରାଜନବରରେ ପରିପାଳିତ ।*
ଏପରି ଅନ୍ୟତ୍ର ପ୍ରାୟ ବିରଳ । ଏକ କାଠନିର୍ମିତ ଐରାବତ ହସ୍ତୀପୃଷ୍ଠରେ ଇନ୍ଦ୍ର ହରଚଣ୍ଡି ସାହି ଆଖାଡ଼ାଘରଠାରୁ ବାଲିସାହି ମଧ୍ୟଦେଇ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି । ଇନ୍ଦ୍ର ଓ ଗୋବିନ୍ଦ ଉଭୟଙ୍କୁ ବନ୍ଦାପନା କରାଯାଇ ଉତ୍ସବ ସମାହିତ ହୋଇଥାଏ । ବର୍ତ୍ତମାନ କେବଳ ଜଣେ ସେବକ ଏକ କ୍ଷୁଦ୍ର ହସ୍ତୀପ୍ରତିମା ଆଣି ଏହି ସେବା ସମ୍ପନ୍ନ କରୁଛନ୍ତି ।

ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଇନ୍ଦ୍ରଙ୍କ ଏକ ବିଗ୍ରହ ଏବଂ ଏକ ମନ୍ଦିର ରହିଅଛି । ତାହାକୁ ଲୋକେ ସୂର୍ଯ୍ୟ ମନ୍ଦିର ବୋଲି ଜାଣନ୍ତି । କୋଣାର୍କର ପତନପରେ ସୂର୍ଯ୍ୟମୂର୍ତ୍ତିକୁ ଅଣାଯାଇ ଇନ୍ଦ୍ରଙ୍କ ସମ୍ମୁଖରେ ରଖାଯାଇଛି । କଳ୍ପବଟ ତଳେ ଦେବୀ ଇନ୍ଦ୍ରାଣୀଙ୍କ ମନ୍ଦିର ବିରାଜମାନ, ଯାହା ଘୁମୁଷର ପଣ୍ଡାଙ୍କ ଅଧିନରେ । ଲକ୍ଷ୍ମୀ ମନ୍ଦିର ସମ୍ମୁଖସ୍ଥ ଶ୍ରୀମନ୍ଦିରର ପିଢ଼ୀକୁ ଦେବସଭା ବୋଲି କୁହାଯାଏ ।

*ଇନ୍ଦ୍ରୋତ୍ସବ ଦିନ ଲକ୍ଷେ ବଳିତା ଝାଡ଼ ଜଳାଯାଇ ଇନ୍ଦ୍ରୋତ୍ସବକୁ ସ୍ୱାଗତ କରାଯାଏ ।*
“ ଭାଦ୍ରମାସେ ପୌର୍ଣ୍ଣମାସ୍ୟା କୁର୍ଯ୍ୟାତ୍ ଇନ୍ଦ୍ରୋମହୋତ୍ସବ
ମେଘେନୁକ୍ତେ ସମାଖ୍ୟାତା କାର୍ଯ୍ୟାଲୋକ ବିଭୂତୟେ ସଂବର୍ତ୍ତାଦି ମହାମେଘ ସହ ପୂଜୟେତ୍ ସୁରେଶ୍ୱର ମେଘ ବେଦ୍ୟେତ୍ତରେ ତତ୍ର ପ୍ରପୂଜୟେତ୍ ଦେବକୀ ସୁତ ନାନାରତ୍ନ ସୁବର୍ଣ୍ଣେନ ବିଚିତ୍ର ଶିବିକୋପରି ପ୍ରପୂଜୟେତ ଦେବ ଗୋବିନ୍ଦଂ ଗନ୍ଧପୁଷ୍ପ କ୍ଷତୈ ସହ ଇନ୍ଦ୍ର ଗୋବିନ୍ଦ ଚଂ ପ୍ରପୂଜୟେତ୍ କେଳି କୌତୁକ ଯୁଗତଃ”

*(ବାମଦେବ ସଂହିତା)*

Post a Comment

Previous Post Next Post