ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତି : 
ସନ୍ଧ୍ୟାଧୂପ ଭୋଗରେ ମହାପ୍ରଭୁଙ୍କୁ ୨ଖଣ୍ଡ ଆଜ୍ଞାମାଳ ଲାଗି ହୋଇଥାଏ। ଭୋଗ ପରେ ପାଣି ପଡିବା ପରେ ଦକ୍ଷିଣ ଘରୁ ଶ୍ରୀ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି। ପୂଜାପଣ୍ଡା ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେଲା ପରେ ମହାଜନ ସେବକଙ୍କ ହାତରେ ବିଜେ ହୋଇ ୭ ପାହାଚ ନିକଟରେ ଥିବା ପାଲିଙ୍କିରେ ବିଜେ କରିଥାନ୍ତି ।

ବିମାନବଡ଼ୁ ସେବକ ମାନେ ବାହାର କୁଆଁର ନିମନ୍ତେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନରେ ଖଟ ଉପରେ ବିଜେ କରାଇଥାନ୍ତି। ଏଠାରେ ମହାପ୍ରଭୁଙ୍କ ପ୍ରତିନିଧି ମୁଦିରସ୍ତ ଓ ମହାଲକ୍ଷ୍ମୀ ଙ୍କ ପ୍ରତିନିଧି ଭିତରଛ ଉଭୟ ପଶା ଶକଟା ଖେଳିଥାନ୍ତି। ପରେ ଶ୍ରୀଛାମୁରେ ପାଣି ପଡି ଫଳ ସାମଗ୍ରୀ ଶୀତଳ ମଣୋହି ହୋଇ ବାହୁଡା ବିଜେ କରିଥାନ୍ତି। ଶ୍ରୀଦେବୀ ରତ୍ନସିଂହାସନକୁ ଓ ଶ୍ରୀ ମଦନମୋହନ ଦକ୍ଷିଣ ଘରକୁ ବିଜେ କରିଥାନ୍ତି।

ଏହାପରେ ଚନ୍ଦନ ଲାଗି ବଢ଼ି ବଡ଼ସିଂହାର ବେଶ ହୋଇଥାଏ। ଏ ବେଶରେ ନୂଆ ପତନୀ ଲୁଗା ହୋଇ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାଏ। ଆଜ୍ଞା ମାଳ ଖଣ୍ଡେ ଲାଗି ମଧ୍ୟ ହୋଇଥାଏ। ବଡ଼ ସିଂହାର ଧୂପ ବଢିବା ପରେ ଭିତରେ ପାଣି ପଡିବା ପରେ ମହାସୁଆର ପନ୍ତି କରିଥାନ୍ତି । ପରେ ପଣ୍ଡା , ପତି , ମୁଦିରସ୍ତ ରତ୍ନସିଂହାସନ ତଳେ ଜୁଆ , ଶକତା , ପଶା ଓ କଉଡ଼ି ଖେଳିଥାନ୍ତି। ସିଂହାସନ ଉପରେ ମଧ୍ୟ ଖେଳ ହୋଇଥାଏ। ଏହି ଖେଳ ରେ ମହାଲକ୍ଷ୍ମୀ ଙ୍କ ଥାରୁ ମହାପ୍ରଭୁ ହାରି ଯାଇଥାନ୍ତି। ଶ୍ରୀ ମାଧବ ମହାଲକ୍ଷ୍ମୀଙ୍କ ମନ୍ଦିରରେ ୭ ଦିନ ବନ୍ଧା ପଡ଼ିଥାନ୍ତି।

" ସାତ ମୁଠି ଜୁଅ ପଡନ୍ତେ , ପ୍ରଭୁ ହୋଇଲେ ଧନ୍ଦା ।

ହସି କମଳିନୀ କହନ୍ତି , ତୁମେ ରହିଲ ବନ୍ଧା "।।

ଅଷ୍ଟମ ଦିନ ଅବକାଶ ନୀତି ସମୟରେ ବନ୍ଧାରୁ ଫିଟି ମାଧବ ରତ୍ନସିଂହାସନକୁ ବିଜେ କରିଥାନ୍ତି। ଏହି ମଧ୍ୟରେ ଗୁରୁବାର ଦିନ ଏକାନ୍ତ ନୀତି ହୋଇନଥାଏ।

Post a Comment

Previous Post Next Post