#ଶ୍ରୀମନ୍ଦିରେ_ମହାପ୍ରଭୁଙ୍କର_ଡାଳିକିଆ_ବା_ଲକ୍ଷ୍ମୀନୃସିଂହ_ବେଶ🌹🙏
କାର୍ତ୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନୃସିଂହ ବେଶରେ ସୁସଜ୍ଜିତ ହୁଅନ୍ତି । ସେଦିନ ଠାକୁରମାନଙ୍କର ଅବକାଶ ନୀତି ପରେ ଏହି ବେଶ ହୁଏ ଓ ତାହା ବାଳଭୋଗ ପର୍ଯ୍ୟନ୍ତ ରହେ । ଏହି ବେଶ ମଧ୍ୟ ଡାଳିକିଆ ବେଶ ନାମରେ ନାମିତ । ଏହି ବେଶରେ ସୁନାକିଆ ଡାଳି ଭଳି ଖଞ୍ଜାଯାଇଥିବାରୁ ଏହାର ଏପରି ନାମକରଣ ହୋଇଛି । ଜଗନ୍ନାଥ ଓ ବଳଭଦ୍ର ମହାପ୍ରଭୁଙ୍କର ମସ୍ତକର  ଶୀର୍ଷ ଭାଗରେ ଜରି , ବେତ କନାରେ ଦୁଇଟି ଡାଳି ଚୂଳ ସହିତ ଲାଗି କରାଯାଏ । ଏହି ଡାଳି ଓ ଚୂଳରେ ସୋଲ ଜରିରେ ନିର୍ମିତ ଗୁଡ଼ିଏ ଫୁଲ ଧାଡ଼ି ଧାଡ଼ି କରି ଲଗାଯାଏ। ତାହା ମଝିରେ ସୁବର୍ଣ୍ଣ କିଆ ଖୋସା ଯାଏ।   ସମଗ୍ର ବେଶକୁ ଧରି ରଖିଥାଏ ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା । ଅନ୍ୟାନ୍ୟ  ବେଶରେ  ବ୍ୟବହାର କରାଯାଉଥିବା ସୁନା ଅଳଙ୍କାର ମଧ୍ୟ ଏହି ବେଶରେ ଲାଗି କରାଯାଏ । ଡାଳିକିଆ ବେଶରେ ମାଳି , ପଦକ ମାଳି ଓ ତାବିଜ ମାଳି ଲଗାଯାଏ ।ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗି କରାଯାଏ । ଆୟୁଧ ଶଙ୍ଖ , ଚକ୍ର , ହଳ , ମୁଷଳ ମଧ୍ୟ ଲାଗି କରାଯାଏ । ସୁଭଦ୍ରା ମଧ୍ୟ ଏହି ବେଶରେ ଅନେକ ସୁନା ଅଳଙ୍କାରରେ ଆଭୂଷିତ ହୁଅନ୍ତି ।ଦେବୀଙ୍କର ଶିରରେ ସୁନାର  କିରୀଟ ଲାଗେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ । 
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ବେଶ  ମହାପ୍ରଭୁଙ୍କୁ ନୃସିଂହ ଭାବରେ ପ୍ରମାଣିତ କରେ । ସ୍କନ୍ଧ ପୁରାଣ ଅନୁସାରେ ମହାପ୍ରଭୁ ପ୍ରଥମେ ନୃସିଂହ ରୂପରେ ଦେଖା ଦେଇଥିଲେ । ତାଙ୍କର ନବକଳେବରରେ ସମସ୍ତ କାର୍ଯ୍ୟ ନୃସିଂହ ମନ୍ତ୍ରରେ କରାଯାଏ । ବସ୍ତୁତଃ ଜଗନ୍ନାଥ ହିଁ ନୃସିଂହ - ଏହି ପ୍ରଥା ପ୍ରଦର୍ଶନ ପାଇଁ ଏହି ବେଶ କରାଯାଏ । ସ୍କନ୍ଧ ପୁରାଣ ଅନୁସାରେ ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରାର୍ଥନା ଫଳରେ ବ୍ରହ୍ମାଙ୍କ ଦ୍ବାରା ପ୍ରତିଷ୍ଠିତ ଦାରୁମୂର୍ତ୍ତି ତେଜୋମୟ ଉଗ୍ରରୂପ ତ୍ୟାଗ କରି ଶାନ୍ତ ନୃସିଂହ ମୂର୍ତ୍ତି  ଧାରଣ କରନ୍ତି । ଦେବୀ କମଳା ତାଙ୍କର ହୃଦୟ ପଦ୍ମରେ ବିରାଜମାନ ହୁଅନ୍ତି ।ଚନ୍ଦ୍ର ସୂର୍ଯ୍ୟ  ତୁଲ୍ୟ  ନୟନ ଯୁଗଳ ସମୁଜ୍ଜ୍ୱଳ  ହେଲା । ଦୁଇ ହସ୍ତରେ ଚକ୍ର ଓ ପିନାକ ଶୋଭା ପାଇଲା । ଅନ୍ୟ ଦୁଇଟି ହସ୍ତ ଜାନୁ ଉପରେ ପ୍ରସାରିତ ହୋଇ ଦୁଇଟି ପଦ୍ମ ପରି ଅପୂର୍ବ ଶୋଭା ଧାରଣ କଲା। ଓଁକାର ରୂପ କର୍ଣ୍ଣିକା ଶୋଭିତ ମନ୍ତ୍ରାକ୍ଷଣମୟ ଦ୍ଵାତ୍ରିଂଶ ପଦ୍ମଦଳ ମଧ୍ୟରେ ସୁଖାସୀନ ହୋଇ ପ୍ରଭୁ କମଳା ଦେବୀଙ୍କର ମୁଖ ପଦ୍ମକୁ ନିରୀକ୍ଷଣ ପୂର୍ବକ  ଅଟ୍ଟହାସ୍ୟ  କଲେ । ତାଙ୍କର ସର୍ବାଙ୍ଗ ରତ୍ନ ଅଳଙ୍କାରରେ  ଉଦ୍ଭାସିତ ହେଉଥିଲା ଏବଂ ସେ ଯୋଗ ମାର୍ଗରେ ଅଧିଷ୍ଠିତ ଥିଲେ । ହଳ ଲଙ୍ଗଳଧାରୀ ବଳଦେବ ତାଙ୍କ ପୃଷ୍ଠ ଦେଶରେ ସହସ୍ର ଫଣା ମଣ୍ଡଳ ବିସ୍ତାର ପୂର୍ବକ ଛତ୍ରାକାର କରି ରହିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କର ଏହି ରୂପ ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ ହେଲେ । ବୋଧହୁଏ ଜଗନ୍ନାଥଙ୍କର ଏହି ପ୍ରସଙ୍ଗକୁ ବିଚାରକୁ ନେଇ ଲକ୍ଷ୍ମୀନୃସିଂହ  ବେଶ କରାଯାଉଛି । ଏହି ବେଶ କେବେଠାରୁ ହେଉଛି ତାହା କହିବା ବଡ଼ କଷ୍ଟକର ।

Post a Comment

Previous Post Next Post