*❀⛵କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା❣️❀*
ଆଜି ହେଉଛି କାର୍ତ୍ତିକ ମାସ ଶୁକ୍ଳପକ୍ଷର ପବିତ୍ର ପୂର୍ଣ୍ଣିମା ତିଥି।ଏହି ଦିନଟି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ନାମରେ ପରିଚିତ ହୋଇଥିବା ବେଳେ ଏହା ତ୍ରିପୁରାରୀ ପୂର୍ଣ୍ଣିମା ବା ଦେବ ଦୀପାବଳି ନାମରେ ମଧ୍ୟ ଖ୍ୟାତ ଅଟେ। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଅଙ୍ଗାଅଙ୍ଗି ଭାବେ ଜଡିତ। ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ମଧ୍ୟ ନିବିଡ ଭାବେ ସମ୍ପୃକ୍ତ।ଏହି ଦିନ ମହିଳାମାନେ ରାଇ ଦାମୋଦର ବ୍ରତ ଉଦଯାପନ କରିଥାନ୍ତି ଓ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ।ଏହି ଦିବସଟିକୁ ସାରା ଦେଶରେ ହିନ୍ଦୁ, ଶିଖ୍‌ ଓ ଜୈନମାନେ ମହାଆଡ଼ମ୍ବରରେ ପାଳନ କରିଥାଆନ୍ତି। ବିଶେଷକରି ଓଡ଼ିଶାରେ ଏହି ଦିବସଟିକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ହିନ୍ଦୁଧର୍ମରେ କାର୍ତ୍ତକ ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି। ମାନ୍ୟତା ଏହା ମଧ୍ୟ ରହିଛି ଯେ  ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥଲେ ଯେଉଁଥିପାଇଁ ଏହାକୁ ତ୍ରିପୁରାରୀ ପୂର୍ଣ୍ଣିମା ବୋଲି କୁହାଯାଏ। ଅଧିକାଂଶ ଲୋକ ଏହି ପବିତ୍ର ଦିନରେ ଗଙ୍ଗାରେ ସ୍ନାନ କରିଥାନ୍ତି। ଏହିଦିନରେ ଗରିବମାନଙ୍କୁ ଚାଉଳ ଦାନ କରିବା, ଘରର ଦ୍ୱାରରେ ମୁରୂଜ ପକାଇବା ଶୁଭଙ୍କର ହୋଇଥାଏ ବୋଲି ଏବଂ ଶିବଲିଙ୍ଗରେ ଜଳ ଢାଳିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଅଛି। ଓଡ଼ିଶାର ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତର ଆଦି ପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ-ବୃଦ୍ଧ-ବନିତା ପ୍ରତ୍ୟେହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖିବାକୁ ମିଳିଥାଏ। କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଏବଂ ଭୀଷ୍ମ ପଞ୍ଚକ ନାମରେ ପରିଚିତ। ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି। କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ। ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣିମା ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି ଦିନ ମହିଳାମାନେ ରାଇଦାମୋଦର ବ୍ରତର ଉଦ୍‌ଯାପନ କରିଥାନ୍ତି। ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟେହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ବଳନ କରିଥାନ୍ତି। ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଇଥାଏ।

ଆଜିର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ କଟକରୁ କୋଚିନ୍, ସୁରଟରୁ ମିରଟ ଯେଉଁଠାରେ ଓଡ଼ିଆ ବାସ କରନ୍ତି ସବୁଠି ଆବାଳ-ବୃଦ୍ଧ-ବନିତା, ରାତି ନ ପାହୁଣୁ ବିଛଣା ଛାଡି ଆଖପାଖ ନଦୀ, ନାଳ, ପୋଖରୀରେ ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଉତ୍ ଫୁଲ୍ଲିତ ଚିତ୍ତରେ ‘ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର’ ମାସକ ଧର୍ମ ମୋର ଗୀତ ଗାଇ ମାସକର ଧର୍ମ ଅକ୍ତିଆର କରି ନିଅନ୍ତି ଓ ନିଜକୁ “ଖାଣ୍ଟି ଓଡ଼ିଆ” ଭାବେ ମଧ୍ୟ ଭାଵିଥାଆନ୍ତି। କିନ୍ତୁ ଡଙ୍ଗା ଭସାଇବାର କାରଣ ଆଉ ଧରମ ଅର୍ଜିବାର ତତ୍ତ୍ଵ ପଚାରିଲେ ଆମେ ଏଇ ପର୍ବଟିର ଅସଲ ଅସ୍ତିତ୍ୱକୁ ଠିକ୍ ଭାବେ କହି ପାରି ନଥାଉ। ଏଇ ପର୍ବର ଅସଲ ଗାରିମା ଓ ସ୍ପନ୍ଦନଠାରୁ ଆମେ କାହିଁ କେତେ ଦୂରରେ ସତେ ଅଛୁ। ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସମ୍ପୃକ୍ତ ଯେ ଏହି ଦିବସର ଗୁରୁତ୍ୱକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ନ ପାରେ। ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ।ଓଡ଼ିଶାରେ ଆଜି ଏକ ସ୍ବତନ୍ତ୍ର ଉତ୍ସବ ପାଳିତ ହୁଏ ଯାହା ବୋଇତ ବନ୍ଦାଣ ନାମରେ ଖ୍ୟାତ। ଏହାପଛରେ ରହିଛି ପ୍ରାୟ ଅଢ଼େଇ ହଜାର ବର୍ଷର ଗୌରବପୂର୍ଣ୍ଣ ଐତିହ୍ୟ ଏବଂ ଅନେକ ଲୋକକଥା।

ପବିତ୍ର କାର୍ତ୍ତିକ ମାସର ବିଭିନ୍ନ ରୀତି ନୀତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତି ଉଜ୍ଜୀବିତ ହୋଇଥାଏ। ବାଲିଯାତ୍ରା, ବୋଇତ ବନ୍ଦାଣ ବା ଡଙ୍ଗାଭସା ସହ ଜଡ଼ିତ ହୋଇ ରହିଛି ଲୋକବିଶ୍ବାସ, କିମ୍ବଦନ୍ତୀ ଓ ଇତିହାସ। ଦିନ ଥିଲା ଓଡ଼ିଆ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଆଉ ପରିପୁଷ୍ଟ କରିଥିଲେ ଏ ମାଟିର ଅର୍ଥନୀତିକୁ, ଏ ମାଟିର ସଂସ୍କୃତିକୁ, ସେଇ ସାଧବମାନଙ୍କର ସାହସ, ସଫଳତା ଓ ଗାରିମାର ସ୍ମୃତିରେ ଆଜିର ଏଇ ବୋଇତ ବନ୍ଦାଣ ଉତ୍ସବ। ସେଇ ନୌବାଣିଜ୍ୟ ଆଜି ଲୁପ୍ତ କିନ୍ତୁ ଛାଡ଼ିଯାଇଛି ମହାର୍ଘ ଇତିହାସ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ରଚିତ ମଞ୍ଜୁଶ୍ରୀମୂଳକଳ୍ପରେ ବଙ୍ଗୋପସାଗରକୁ “କଳିଙ୍ଗ ସାଗର” ବୋଲି କୁହାଯାଇଛି ।ଏହା ସେହି ସମୟର ସାମୁଦ୍ରିକ ବାଣିଜ୍ୟରେ କଳିଙ୍ଗର ଏକଛତ୍ର ପ୍ରଭାବର ସୂଚନା ଦିଏ।ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପାଳିତ ହେଉଥିବା ବାଲିଯାତ୍ରା, ବୋଇତ ବନ୍ଦାଣ ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ। ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେହି ସ୍ମୃତିକୁ ମନେପକାଇ ଉପକୂଳ ଅଞ୍ଚଳରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ।ଏହି ସମୟକୁ ସାଧବମାନେ ବୋଇତରେ ବିଦେଶ ଯିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଭାବୁଥିଲେ। କାରଣ ଏହି ସମୟରେ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା। ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।   

ଉଭୟ ଆଧ୍ୟାତ୍ମିକ ଓ ଐତିହାସିକ ଦିଗରୁ ଆଜିର ଦିନଟି ବେଶ୍‌ ଗୁରୁତ୍ବପୂର୍ଣ୍ଣ। ମାସେ ଧରି ବ୍ରତ ପାଳନ କରୁଥିବା ହବିଷ୍ୟାଳି ଆଜି ମହାପ୍ରଭୁଙ୍କୁ ରାଜରାଜେଶ୍ବର ବେଶରେ ଦର୍ଶନ କରିବା ସହ କାର୍ତ୍ତିକ ବ୍ରତ ସମାପନ କରିଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣିମାର ଗୁରୁତ୍ବ ସାରା ଦେଶରେ ମଧ୍ୟ ରହିଛି। ଏହି ଦିନ ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାସ୍ନାନ କରି ଭଗବାନ ବିଷ୍ଣୁଙ୍କ ଦର୍ଶନ କରିଥାନ୍ତି। ଏଥିପାଇଁ ଏହାକୁ ଗଙ୍ଗାସ୍ନାନ ପୂର୍ଣ୍ଣିମା କୁହାଯାଇଥାଏ। ପ୍ରତ୍ୟୁଷରୁ ବୁଡ଼ ପକାଇଲେ କୋଟି କୋଟି ପାପକ୍ଷୟ ହୋଇଥାଏ ବୋଲି କିମ୍ବଦନ୍ତୀ ରହିଅଛି। ଏହି ପବିତ୍ର ଦିନରେ ଶିଖ ଧର୍ମର ପଥପ୍ରଦର୍ଶକ ଗୁରୁ ନାନକ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥି ପାଳନ ପାଇଁ ଏହି ଦିବସଟି ଶିଖ୍‌ ଧର୍ମରେ ପ୍ରକାଶ ପର୍ବ ଭାବେ ପାଳିତ ହୋଇ ଆସୁଅଛି। କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସାରା ଦେଶ ବେଶ୍‌ ଚଳଚଞ୍ଚଳ ହୋଇଉଠେ।

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଉତ୍କଳର ଐତିହାସିକ ନଗରୀ କଟକରେ ଆଜିଠାରୁ ଆରମ୍ଭ ହୋଇଥାଏ କଟକ ପ୍ରସିଦ୍ଧ ବାଲିଯାତ୍ରା। ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା। ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ଵୟଭିତ୍ତିକ ଯାତ୍ରା।ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ। ସେହିପରି ଶ୍ରୀଚୈତନ୍ୟ ଯେତେବେଳେ ପଶ୍ଚିମବଙ୍ଗର ନଦୀୟାରୁ ପୁରୀ ଆସୁଥିଲେ, ସେତେବେଳେ ସେ ଉଦଣ୍ଡ କୀର୍ତ୍ତନ କରି ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡ଼ି ଯାଇଥିଲେ। ସେଥିପାଇଁ କଟକର ସେହି ଘାଟ ଗଡ଼ଗଡିଆ ଘାଟ ଭାବେ ଜଣାଶୁଣା ହେଲା ଓ ସେହି ସ୍ମୃତି ଆଧାରରେ ଏଠାରେ ବାଲିଯାତ୍ରା ଉତ୍ସବ ଆୟୋଜିତ ହେଲା। ତେବେ ଅନେକ ଗବେଷକ ଏହି ମତକୁ ଖଣ୍ଡନ କରିଥାନ୍ତି। ସେମାନଙ୍କ କହିବା ଅନୁସାରେ ଗଡ଼ର ଘାଟ ହୋଇଥିବାରୁ ସେଠାରେ ଗଡ଼ଚଣ୍ଡୀ ପୀଠ ରହିଛି ଓ ଲୋକ ଉକ୍ତି ଅନୁସାରେ ଏହା ଗଡ଼ଗଡ଼ିଆ ଘାଟ ଭାବେ ଜଣାଶୁଣା ହୋଇଅଛି।ଉତ୍କଳର ରାଜା ଉଦ୍ୟୋତ କେଶରୀ ସିଂହଳ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି କେହି କେହି କହନ୍ତି। ଐତିହାସିକ ତଥ୍ୟ ଅନୁସାରେ ଉଦ୍ୟୋତ କେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାସ୍ତ କରି ଦକ୍ଷିଣ ଭାରତ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ। ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର। ସିଂହଳ ବିଜୟ ପରେ ବହୁ ଧନରତ୍ନ ଧରି ସେ ଓଡ଼ିଶା ଫେରିଥିଲେ। ଜଳପଥରେ ମହାନଦୀ ମୁହାଣ ଦେଇ ସେ କଟକରେ ବିଶ୍ରାମ ନେଇଥିଲେ ଆଉ ସେହି ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହୁଏ ବୋଲି ଅନେକ ଲୋକମତ ରହିଅଛି। ବାଲିଯାତ୍ରା ସହ ଓଡ଼ିଶା ଅଢ଼େଇ ହଜାର ବର୍ଷର ଐତିହ୍ୟ ଜଡ଼ିତ ଥିବା କୁହାଯାଏ।

ବିଶ୍ଵାସ ଏହା ରହିଛି ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ। ଆଷାଢ଼, କାର୍ତ୍ତିକ,ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ।ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବତାଙ୍କ ଉପାସନା କରାଯାଏ। ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ। ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ଆ କା ମା ବୈ’ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନ ପାରେ। ହୁଏତ ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା କରିବା ଛଳରେ ଓଡ଼ିଶାର ନରନାରୀ ଜଳରେ ସ୍ଵଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ଵରୂପ ଦେବତାଙ୍କ ଠାରୁ ପୁଣ୍ୟ କାମନା କରିଥା’ନ୍ତି। ସେହି ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଆଜି ଭଳି ପବିତ୍ର ଦିବସରେ ସାରା ରାଜ୍ୟରେ ଡଙ୍ଗା ଭସାଣ କାର୍ଯ୍ୟକ୍ରମ ପାଳିତ ହୋଇଥାଏ। ଆ କା ମା ବୈ...ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର...। ଭୋର୍‌ରୁ ସମସ୍ତ ପୁଷ୍କରିଣୀ, ନଦୀ କୂଳରେ ଗୁଞ୍ଜରିତ ହୋଇଥାଏ ଏହି ଗୀତ।କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଆମାନେ ଏହି ଗୀତ ଗାଇ ବୋଇତ ବନ୍ଦାଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଥାଆନ୍ତି। ଶ୍ରଦ୍ଧାଳୁମାନେ ପରମ୍ପରାର ପ୍ରତୀକ କଦଳୀ ପାଟୁକା, ସୋଲରେ ତିଆରି ଡଙ୍ଗାରେ ଦୀପାଳି ଦେଇ ବେଶ୍‌ ଆଗ୍ରହର ସହିତ ନଦୀଘାଟରେ ଭସାଇବାର ଦୃଶ୍ୟ ବେଶ୍ ରୋମାଞ୍ଚକର ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମାରେ ଗୋପ ନାରୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା। ଶ୍ରୀମଦ୍ ଭାଗବତରେ ଉଲ୍ଲେଖ ଅଛି-

*‘ରାସୋତ୍ସବଃ ସମ୍ପ୍ରବୃତ୍ତୋ*
 *ଗୋପୀ  ମଣ୍ଡଲ  ମଣ୍ଡିତଃ,*
 *ଯୋଗେଶ୍ୱରେଣ  କୃଷ୍ଣେନ*
 *ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ।’*

ପୂର୍ଣ୍ଣକାମ ଯୋଗେଶ୍ୱର, ରାସେଶ୍ୱର ଶ୍ରୀକୃଷ୍ଣ ଦୁଇ ଦୁଇ ଜଣ ଗୋପୀଙ୍କର ମଝିରେ ସ୍ୱୟଂ ଆବିର୍ଭାବ ହୋଇ ସେମାନଙ୍କ ଗଳାରେ ହାତ ଛନ୍ଦି ଦେଲେ। ଏହିଭଳି ଜଣେ ଗୋପୀ ଓ ଜଣେ କୃଷ୍ଣ ସେତେବେଳେ ଏପରି କ୍ରମ ଥିଲା। ନିଜର ପ୍ରାଣ ପ୍ରିୟ ନିଜ ପାଖରେ ଥିବା ସମସ୍ତ ଗୋପୀ ଅନୁଭବ କରିବାରେ ଲାଗିଲେ।ଏହିପରି ହଜାର ହଜାର ଗୋପୀଙ୍କଦ୍ୱାରା ଶୋଭାୟମାନ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ରାସୋତ୍ସବ ଆରମ୍ଭ ହୋଇଥିଲା।ରାସମଣ୍ଡଳରେ ସମସ୍ତ ଗୋପୀ ସେମାନଙ୍କର ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ନୃତ୍ୟ କରିଥିଲେ।ଭାରତରେ ବୈଷ୍ଣବମାନେ ଏହି ସ୍ମୃତି ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଆରମ୍ଭ ହେଉଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ। ଭଗବାନ ଶ୍ରୀକୃଷ୍ଣ ରାସେଶ୍ୱରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ରାସ ରଚନା କରିଥିଲେ ସେହି ମଧୁର ପ୍ରତିଛବିକୁ ରାସ କୁଞ୍ଜମାନଙ୍କରେ ଉପସ୍ଥାପନା କରାଯାଏ । ରାଧାକୃଷ୍ଣଙ୍କ ଅମୃତ ପ୍ରେମ କଥାକୁ ସଚିତ୍ର ଆକାରରେ ବିଭିନ୍ନ ରାସ କୁଞ୍ଜରେ ଗାନ କରାଯାଏ। ଏହି ଅବସରରେ ପ୍ରତ୍ୟେକ ରାସ ମଣ୍ଡପରେ ରାଧାକୃଷ୍ଣଙ୍କ ଚିତ୍ର ସ୍ଥାପନା କରାଯାଇଥାଏ। ପ୍ରତ୍ୟେହ ସଂଧ୍ୟାରେ ତୁଳସୀ ବନ୍ଦନା, ଆକାଶ ଦୀପ ପ୍ରତିଷ୍ଠା, ମଙ୍ଗଳ ଆରତୀ ସହିତ ଭାଗବତର ଦଶମ ସ୍କନ୍ଦର ୩୦ରୁ ୩୪ ଅଧ୍ୟ୍ୟାୟରେ ବର୍ଣ୍ଣିତ ରାସଲୀଳା ପାଠ କରାଯାଏ।

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀ ମନ୍ଦିର ରତ୍ନସିଂହାସନରେ ବିରାଜିତ ତିନି ଚତୁର୍ଦ୍ଧାମୂର୍ତ୍ତୀଙ୍କର ରାଜାରାଜେଶ୍ଵର ବେଶ ଅନୁଷ୍ଠିତ ହୋଇଥାଏ। ଏହା ସୁନାବେଶର ଅନୁରୂପ। ଅତୀତରେ ଓଡ଼ିଶାର ବହୁ ରାଜା, ଜମିଦାର ଓ ସାମନ୍ତ ବର୍ଗ ଶ୍ରୀମନ୍ଦିରକୁ ଆଗମନ ପୂର୍ବକ ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ଏହି ବେଶ ଦେଖି ପରମ ସନ୍ତୋଷ ଲାଭ କରିବା ସହ ଠାକୁରଙ୍କ ଉଦ୍ଦେଶ୍ୟରେ ରତ୍ନ ଅଳଙ୍କାର ଦାନ କରୁଥିଲେ। ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉଙ୍କୁ ରାଜରାଜେଶ୍ଵର ବେଶରେ ସୁସଜ୍ଜିତ କରିଥାଆନ୍ତି।

✍️ *ଭାବଗ୍ରାହୀ ତ୍ରିପାଠୀ*
       *ମାଲକାନଗିରି*

✿❁❣️ *ଶ୍ରୀ ଜଗନ୍ନାଥ ଶରଣଂ* ❣️❁✿

1 Comments

  1. Lucky Club Casino Site | Loto Vegas, NV
    Lucky Club Casino is your new home luckyclub for the best Vegas experience, guaranteed. Sign up and login with Lucky Club Casino today! Rating: 3.8 · ‎44 votes · ‎Price range: €/£/€ 20

    ReplyDelete

Post a Comment

Previous Post Next Post