#ପଙ୍କୋଦ୍ଧାର_ଏକାଦଶୀ
#ପଙ୍କୋଦ୍ଧାର_ଏକାଦଶୀ_କାହିଁକି_କୁହାଯାଏ ? 
    ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣିଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଇଥାଏ ।
      ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଯେତେବେଳେ ଲଙ୍କା ଆକ୍ରମଣ କରିବା ପାଇଁ ସମୁଦ୍ର କୂଳରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ସମୁଦ୍ର ପାରି ହେବା ପାଇଁ କୌଣସି ଉପାୟ ଦେଖାଯାଉ ନଥିଲା । ସେ ଲକ୍ଷ୍ମଣଙ୍କୁ ପଚାରିଲେ : "ସୁମିତ୍ରାନନ୍ଦନ! କେଉଁ ଉପାୟରେ ଏହି ସମୁଦ୍ରକୁ ପାରି କରାଯାଇପାରିବ ? ଏହା ଅତ୍ୟନ୍ତ ଗଭୀର ଏବଂ ଭୟଙ୍କର ଜଳ- ଜନ୍ତୁରେ ପରିପୂର୍ଣ୍ଣ । ଏହାକୁ ସୁଗମତା ପୂର୍ବକ ପାରି କରାଯାଇପାରିଲା ଭଳି ମୋତେ କୌଣସି ସରଳ ଉପାୟ ଦେଖାଯାଉ ନାହିଁ ।"
     ଲକ୍ଷ୍ମଣ କହିଲେ : ହେ ପ୍ରଭୁ ! ଆପଣ ହିଁ ଆଦିଦେବ ଏବଂ ପୁରୁଷୋତ୍ତମ ଅଟନ୍ତି । ଆପଣଙ୍କୁ କ’ଣ ଅଛପା ଅଛି ? ଏଠାରୁ ଅଧା ଯୋଜନ ଦୂରରେ କୁମାରୀ ଦ୍ଵୀପରେ ବକଦାଲଭ୍ୟ ମୁନି ରହୁଛନ୍ତି । ଆପଣ ସେହି ପ୍ରାଚୀନ ମୁନୀଶ୍ଵରଙ୍କ ପାଖକୁ ଯାଇ ଏହାର ଉପାୟ ପଚାରନ୍ତୁ ।
      ଶ୍ରୀରାମଚନ୍ଦ୍ର ମହାମୁନି ବକଦାଲଭ୍ୟଙ୍କ ଆଶ୍ରମରେ ପହଞ୍ଚିଲେ ଓ ମୁନିଙ୍କୁ ପ୍ରଣାମ କଲେ । ମହର୍ଷି ପ୍ରସନ୍ନ ହୋଇ ଶ୍ରୀରାମଙ୍କ ଆଗମନର କାରଣ ପଚାରିଲେ ।
     ଶ୍ରୀରାମ କହିଲେ : ବ୍ରହ୍ମନ୍ ! ମୁଁ ଲଙ୍କା ଉପରେ ଆକ୍ରମଣ କରିବାକୁ ନିଜ ସେନା ସହିତ ଏଠାକୁ ଆସିଛି । ମୁନିବର! ଏବେ କିପରି ସମୁଦ୍ର ପାରିହେବୁ, କୃପା କରି ଏହାର ଉପାୟ କହନ୍ତୁ ।
     ବକଦାଲଭ୍ୟ ମୁନି କହିଲେ : ହେ ଶ୍ରୀରାମ ! ଫାଲଗୁନ କୃଷ୍ଣପକ୍ଷରେ ଯେଉଁ "ବିଜୟା" ନାମକ ଏକାଦଶୀ ପଡ଼େ, ଏହାର ବ୍ରତ କଲେ ଆପଣଙ୍କର ବିଜୟ ହେବ । ନିଶ୍ଚିତଭାବେ ଆପଣ ନିଜର ବାନର ସେନା ସହିତ ସମୁଦ୍ର ପାର କରି ପାରିବେ । ରାଜନ ! ଏବେ ଏହି ବ୍ରତର ଫଳଦାୟକ ବିଧଧି ଶୁଣନ୍ତୁ ।
      ଦଶମୀ ଦିନ ସୁନା, ରୂପା, ତମ୍ବା ଅଥବା ମାଟିର ଗୋଟିଏ କଳସ ସ୍ଥାପନ କରି ତହିଁରେ ଜଳ ପୂର୍ଣ୍ଣ କରି କଅଁଳ ପତ୍ର ରଖନ୍ତୁ । ଏହା ଉପରେ ଭଗବାନ ନାରାୟଣଙ୍କ ସୁବର୍ଣ୍ଣମୟ ବିଗ୍ରହ ସ୍ଥାପନା କରନ୍ତୁ । ତା'ପରେ ଏକାଦଶୀ ଦିନ ପ୍ରାତଃ ସମୟରେ ସ୍ନାନ ସାରି କଳସକୁ ପୁନଃ ସ୍ଥାପନ କରନ୍ତୁ । ମାଳା, ଚନ୍ଦନ, ଗୁଆ ତଥା ନଡ଼ିଆ ଆଦି ଦ୍ଵାରା ବିଶେଷ ଭାବରେ ଏହାର ପୂଜନ କରନ୍ତୁ । କଳସ ଉପରେ ସପ୍ତଧାନ ଏବଂ ଜବ ରଖି ଗନ୍ଧ, ଧୂପ, ଦୀପ ଓ ନାନାଦି ନୈବେଦ୍ୟ ଦ୍ୱାରା ପୂଜନ କରନ୍ତୁ । ଅଖଣ୍ଡ ବ୍ରତ ସିଦ୍ଧି ନିମନ୍ତେ ଘିଅର ଦୀପ ଜାଳନ୍ତୁ । ତା'ପରେ ଦ୍ଵାଦଶୀ ଦିନ ସୂର୍ଯ୍ୟୋଦୟ ପରେ ଏହି କଳସକୁ କୌଣସି ନଦୀ, ଝରଣା କିମ୍ବା ପୋଖରୀ ତଟରେ ସ୍ଥାପନ କରି ଏହାର ପୂଜନ କରନ୍ତୁ ଏବଂ ଦେବ-ପ୍ରତିମା ସହିତ ସେହି କଳସକୁ ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କରିଦିଅନ୍ତୁ । କଳସ ସହିତ ଅନ୍ୟାନ୍ୟ ବଡ଼ ବଡ଼ ଦାନ ମଧ୍ୟ ଦେବା ଉଚିତ । ଶ୍ରୀରାମ ! ଆପଣ ନିଜ ସେନାପତିଙ୍କ ସହିତ ଏହି ବିଧିରେ ପ୍ରଯତ୍ନପୂର୍ବକ "ବିଜୟା" ଏକାଦଶୀ ବ୍ରତ କରନ୍ତୁ । ଏହାଦ୍ୱାରା ଆପଣଙ୍କର ବିଜୟ ହେବ ।   ଏହା ଶୁଣି ଶ୍ରୀରାମଚନ୍ଦ୍ର ମୁନିଙ୍କ କହିବା ଅନୁସାରେ ସେହି ସମୟରେ 'ବିଜୟା ଏକାଦଶୀ' ବ୍ରତ କଲେ । ସେହି ବ୍ରତ କରିବାରୁ ଶ୍ରୀରାମଚନ୍ଦ୍ର ବିଜୟୀ ହେଲେ । ସେ ସଂଗ୍ରାମରେ ରାବଣକୁ ମାରିଲେ ଏବଂ ଲଙ୍କାକୁ ଜୟ କରି ମାତା ସୀତାଙ୍କୁ ଉଦ୍ଧାର କଲେ । ଯେଉଁ ମନୁଷ୍ୟ ଉକ୍ତ ବିଧିମତେ ବ୍ରତ କରନ୍ତି, ସେମାନଙ୍କୁ ଇହ ଲୋକରେ ବିଜୟ ପ୍ରାପ୍ତ ହୁଏ ଓ ସେମାନଙ୍କର ପରଲୋକ ମଧ୍ୟ ସୁରକ୍ଷିତ ରହେ ।
     ଶ୍ରୀ ଲୋକନାଥ ମହାପ୍ରଭୁଙ୍କ ଲିଙ୍ଗ ବର୍ଷସାରା ପାଣିରେ ବୁଡ଼ି ରହିଥାନ୍ତି। ଫୁଲ ବେଲପତ୍ର ଓ ପଙ୍କରେ ଶ୍ରୀଲିଙ୍ଗ ଭର୍ତ୍ତି ହୋଇ ରହିଥାଆନ୍ତି। ଏହିଦିନ ସକାଳୁ ମଙ୍ଗଳ ଆଳତି, ଅବକାଶ ନୀତି ଓ ଗୋପାଳବଲ୍ଲଭ ଭୋଗ ପରେ ସେବକମାନେ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ କରନ୍ତି।ଦିନ ବ୍ୟାପୀ ଏହି କାର୍ଯ୍ୟ ଲାଗିରହେ। ଏହାପରେ ପ୍ରଭୁଙ୍କ ଶ୍ରୀଲିଙ୍ଗ ଦୃଶ୍ୟମାନ ହୁଅନ୍ତି। ପ୍ରଭୁ ଲୋକନାଥ ହେଉଛନ୍ତି ଶ୍ରୀମନ୍ଦିରର ରତ୍ନଭଣ୍ଡାରର ରକ୍ଷକ।

Post a Comment

Previous Post Next Post