*❀❣️ପୁଷ୍ପପ୍ରିୟ ଶ୍ରୀଜଗନ୍ନାଥ❣️❀*


*ବଡ଼ସିଂହାର ବେଶର ପୁଷ୍ପାଳଙ୍କାର*-
ଶ୍ରୀଜୀଉମାନଙ୍କ ଦୈନନ୍ଦିନ ବେଶର ଅନ୍ତିମ ବେଶ ହେଉଛି ବଡ଼ସିଂହାର ବେଶ ବା ବଡ଼ ଶୃଙ୍ଗାର ବେଶ। ଏହି ପବିତ୍ର ପୁଷ୍ପ ବେଶ ପ୍ରତ୍ୟହ ଶ୍ରୀଜୀଉମାନଙ୍କ ରାତ୍ର ଚନ୍ଦନ ଲାଗି ନୀତି ପରେ ହୋଇଥାଏ। ଚନ୍ଦନଲାଗି ନୀତି ବଢିବା ପରେ ଚାଙ୍ଗଡ଼ା ମେକାପ ଗୀତଗୋବିନ୍ଦ ପାଟ ପୁଷ୍ପାଳକ ସେବକଙ୍କୁ ବଢାଇଥାଆନ୍ତି। ଏହି ପାଟରେ ଶ୍ରୀଗୀତଗୋବିନ୍ଦର କିଛି ଅଂଶ ଲେଖା ହୋଇଥାଏ। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କର‌ ବସ୍ତ୍ର ଶୃଙ୍ଗାର ଓ ପୁଷ୍ପ ଶୃଙ୍ଗାର କରିଥାଆନ୍ତି। ବଡ଼ସିଂହାର ବେଶରେ ଶ୍ରୀଜୀଉମାନଙ୍କର ତିନିଗୋଟି ଶୃଙ୍ଗାର ଯଥା-
୧) ବସ୍ତ୍ର ଶୃଙ୍ଗାର,
୨) ପୁଷ୍ପ ଶୃଙ୍ଗାର,
୩) ରତ୍ନଶୃଙ୍ଗାର କରାଯାଇଥାଏ। 
ଏହି ବେଶରେ ତ୍ରିଶୃଙ୍ଗାର ଏକତ୍ର ମିଳନ ହେଉଥିବାରୁ ସେଥିପାଇଁ ଏହି ବେଶରେ ବଡ଼ସିଂହାର ବେଶ ବା ବଡ଼ଶୃଙ୍ଗାର ବେଶ କୁହାଯାଇଥାଏ। ବସ୍ତ୍ର ଶୃଙ୍ଗାରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନାଲି ରଙ୍ଗର 'ଗୀତଗୋବିନ୍ଦ ଖଣ୍ଡୁଆ ପାଟ', ପୁହାରଣୀ(ପହରଣ) ଲାଗି ‌ହୋଇଥାଏ। ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଠାକୁର ଓ ସୁଭଦ୍ରାଙ୍କ ଶିରରେ ଫୁଟାଶିର କାପଡ଼ା (ଶ୍ରୀକାପଡ଼ା) ପକାଇ ଦିଆଯାଏ। ଏହା ଧଳ ରଙ୍ଗର। ମାତ୍ର ବଡ଼ ଠାକୁରଙ୍କ ଶିରକାପଡାର ଧଡି ନୀଳ ରଙ୍ଗ, ସୁଭଦ୍ରାଙ୍କ ଶିର କାପଡାର ଧଡି ନାଲି ରଙ୍ଗ ଓ ଶ୍ରୀଜଗନ୍ନାଥଙ୍କ ଶିର କାପଡାର ଧଡି ହଳଦିଆ ରଙ୍ଗ ହୋଇଥାଏ। ଏହା ବ୍ୟତୀତ ତିନି ଠାକୁରଙ୍କ ଗୋଟିଏ ଗୋଟିଏ ଶୁକ୍ଳ ଚାଦର ମଧ୍ୟ ପିନ୍ଧାଯାଇଥାଏ।

ଠାକୁରଙ୍କ ବଡ଼ ସିଂହାର ବେଶ ମୁଖ୍ୟତଃ ପୁଷ୍ପ ବେଶ।ଶ୍ରୀଗୋପାଳର୍ଚ୍ଚନ ପୂଜା ପଦ୍ଧତି ଅନୁସାରେ ମହାପ୍ରଭୁଙ୍କୁ ସକାଳ ଧୂପରେ ବାଳକୃଷ୍ଣ, ମଧ୍ୟାହ୍ନରେ ବୃନ୍ଦାବନର ଶ୍ରୀକୃଷ୍ଣ, ସନ୍ଧ୍ୟାରେ ଦ୍ବାରକାଧିପତି କୃଷ୍ଣ ଓ ରାତ୍ରରେ ରାସକ୍ରୀଡା ପ୍ରବୀଣ ପ୍ରେମିକ ପୁରୁଷ କୃଷ୍ଣ ଭାବରେ ଧ୍ୟାନ କରାଯାଉଥିବାରୁ ରାତ୍ରରେ ମହାପ୍ରଭୁ ଶୃଙ୍ଗାରକ ବେଶରେ ସଜ୍ଜିତ ହୁଅନ୍ତି। ବଡ଼ସିଂହାର ବେଶ ମୁଖ୍ୟତଃ ଫୁଲ ବେଶ ହୋଇଥିବାରୁ ଏହି ବେଶରେ ଠାକୁରମାନେ ନିମ୍ନଲିଖିତ ଦ୍ବାଦଶ ପ୍ରକାର ପୁଷ୍ପାଳଙ୍କାରରେ ଆଭୂଷିତ ହୁଅନ୍ତି।

#ଗଭାମାଳ- ଏହା ହେଉଛି ଠାକୁରଙ୍କ ଶ୍ରୀମସ୍ତକରେ ଲାଗି ହେବା ପାଇଁ ସୁବାସିତ ପୁଷ୍ପ ଘେରା ପେନ୍ଥାଏ ତୁଳସୀ। ଏହାକୁ ଠାକୁରଙ୍କ ମସ୍ତକର କେଶ ରୂପରେ କଳ୍ପନା କରାଯାଇଥାଏ।

୨)#ଚନ୍ଦ୍ରିକା (ଫୁଲ ଚୂଳ)- ଗଭା ଉପରେ ଚନ୍ଦ୍ରିକା ରୁହେ।

୩) #ଅଳକା- ଅଳକାଗୁଡିକୁ ମହାପ୍ରଭୁଙ୍କ ଗଭାର ଚୂର୍ଣ୍ଣକୁନ୍ତଳ ରୂପରେ କଳ୍ପନା କରାଯାଇଥାଏ। ଶ୍ରୀମନ୍ଦିରରେ ଠାକୁରଙ୍କ ବଡ଼ସିଂହାର ବେଶରେ ଶ୍ରୀବଳଭଦ୍ରଙ୍କ ମସ୍ତକ ଅଳକାରେ ଦଶଗୋଟି, ସୁଭଦ୍ରାଙ୍କ ମସ୍ତକ ଅଳକାରେ ଆଠଗୋଟି ଓ ଶ୍ରୀଜଗନ୍ନାଥଙ୍କ ମସ୍ତକ ଅଳକାରେ ଏଗାରଗୋଟି ପୁଷ୍ପ ନିର୍ମିତ ଝୁମ୍ପା ଲାଗି ହୋଇଥାଏ।ଅଳକାର ମଝି ଝୁମ୍ପାରେ ଫୁଲର ଏକ ଚିତା ସଂଯୁକ୍ତ ହୋଇଥାଏ। 

୪) #ପୁଷ୍ପତିଳକ- ବଡ଼ସିଂହାର ବେଶରେ ମହାପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ କପାଳ ଦେଶରେ ପୁଷ୍ପ ତିଳକ ଲଗାଯାଏ। ଏହା ଏକ ସରିକିଆ ଛୋଟ ମାଳଟିଏ। ଏହା ଠାକୁରମାନଙ୍କର  ସୁବର୍ଣ୍ଣ ଚିତାର ଚତୁଃପାର୍ଶ୍ଵକୁ ପରିବେଷ୍ଟନ କରିଥାଏ। ଏହା କେବଳ ଶ୍ବେତ ପୁଷ୍ପରେ ନିର୍ମିତ ହୁଏ।

୫) #ନାକଚଣା (ଗୁଣା)- ମହାପ୍ରଭୁଙ୍କ ବେଶ ପାଇଁ ଫୁଲରେ ନାକଚଣା ତିଆରି କରାଯାଇ ବଡ଼ସିଂହାର ବେଶରେ ଲାଗି କରାଯାଏ।ନାକଫୁଲ ଭଳି ପୁଷ୍ପ ନିର୍ମିତ ଏହି ପୁଷ୍ପଭୂଷା (ନାକଚଣା) ତିନି ଠାକୁରଙ୍କ ନାସାରେ ଲାଗି କରାଯାଏ।

୬) #ମକରକୁଣ୍ଡଳ ଓ #ତଡଗି- ଏହା ଠାକୁରଙ୍କ କର୍ଣ୍ଣାଳଙ୍କାର ବିଶେଷ। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ କର୍ଣ୍ଣରେ ପୁଷ୍ପ ନିର୍ମିତ ମକର କୁଣ୍ଡଳ ଲାଗି ହେଉଥିବା ବେଳେ ସୁଭଦ୍ରାଙ୍କ କର୍ଣ୍ଣଭୂଷା ନିମନ୍ତେ ପୁଷ୍ପ ନିର୍ମିତ ତଡଗୀ ନାମକ ଏକ ଅଳଙ୍କାର ସୁଭଦ୍ରାଙ୍କ ଶିରର ଦୁଇ ପାର୍ଶ୍ଵରେ ଲାଗି ହୋଇଥାଏ। 

୭) #ନାକୁଆସି(ଝୁମ୍ପା)- ଠାକୁରଙ୍କ ଶ୍ରୀମୁଖର ତିଳକ ତଳୁ ନାସାଗ୍ର ପର୍ଯ୍ୟନ୍ତ ଲମ୍ବିଥିବା ଫୁଲର ଝୁମ୍ପାକୁ ନାକୁଆସି କୁହାଯାଏ। ଏହାର ଉପର ଅଂଶଟି ଚଉଡ଼ା।ମଝି ଅଂଶ ସରୁ ପୁନଶ୍ଚ ତଳ ଅଂଶ ସରୁ। ଏହା ପେନ୍ଥା ପେନ୍ଥା ହୋଇ ଗୁନ୍ଥା ହୋଇଥାଏ। ମଝିରେ ମଝିରେ ତୁଳସୀ ଗୋଚ୍ଛା ଦିଆଯାଇଥାଏ। ମୁଖ୍ୟତଃ 'ଗୀତଗୋବିନ୍ଦ' ଶ୍ରୀଜଗନ୍ନାଥଙ୍କର ପ୍ରିୟ ସଂଗୀତ ହୋଇଥିବାରୁ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ବେଶ ପାଇଁ ଉଦ୍ଦିଷ୍ଟ ନାକୁଆସି ମଧ୍ୟରେ ତୁଳସୀ ପତ୍ର ଉପରେ ସୁବାସିତ ଘୋରା ଚନ୍ଦନରେ ଗୀତଗୋବିନ୍ଦର କିଛି ଅଂଶ ଲେଖାଯାଇ ସେହି'ଗୀତଗୋବିନ୍ଦ ତୁଳସୀ'ଟିକୁ ଶ୍ରୀଜଗନ୍ନାଥଙ୍କୁ ବଡ଼ସିଂହାର ବେଶରେ ଲାଗି କରାଯାଇଥାଏ।

୮) #କରପଲ୍ଲବ- ଠାକୁରଙ୍କର ଶ୍ରୀହସ୍ତର ପୁଷ୍ପ ଭୂଷଣ। ଠାକୁରଙ୍କ ବେଶ ପାଇଁ କରପଲ୍ଲବ ପଣସ ପତ୍ର ଓ ଫୁଲରେ ନିର୍ମିତ ହୋଇଥାଏ। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଦୁଇଗୋଟି ଲେଖାଏଁ କରପଲ୍ଲବ ଲାଗି ହୁଏ। ଏହା ପାପୁଲି ଓ ଆଙ୍ଗୁଠି ଭଳି ଦେଖାଯାଏ। ଏଥିରେ ପାଞ୍ଚଆଙ୍ଗୁଳି ପାଇଁ ପାଞ୍ଚଗୋଟି ଫୁଲମାଳ ଓ ଶ୍ରୀଜଗନ୍ନାଥଙ୍କ କରପଲ୍ଲବରେ ଶଙ୍ଖ,ଚକ୍ର ଓ ବଳଭଦ୍ରଙ୍କ କରପଲ୍ଲବରେ ହଳ,ମୂଷଳ ସଜ୍ଜିତ ହୋଇଥାଏ।

୯) #ହୃଦପଦକ- ପଣସ ପତ୍ରରେ ନିର୍ମିତ ବିଭିନ୍ନ ପୁଷ୍ପ ମଣ୍ଡିତ ଏକ ବକ୍ଷ ଭୂଷା। ୧୦) କଳିପଦକ- ଛୋଟ ଛୋଟ ତୁଳସୀ କଢି( ନଖ ତୁଳସୀ) ରେ ନିର୍ମିତ ପଦକକୁ କଳିପଦକ କୁହାଯାଏ। ଠାକୁରଙ୍କ ବଡ଼ ସିଂହାର ବେଶରେ ମହାପ୍ରଭୁଙ୍କ ନାଭି ଦେଶରେ ଏହାକୁ ଲାଗି କରାଯାଏ।

୧୧) #ଅଧରମାଳା - ଶ୍ରୀମନ୍ଦିରରେ ଶ୍ରୀଜୀଉ ଗଳାରେ ପିନ୍ଧୁଥିବା ପୁଷ୍ପମାଳାକୁ ଅଧରମାଳା କୁହାଯାଏ।ଅଧରମାଳା ଶ୍ରୀଜୀଉଙ୍କ ଅଧର (ଓଠ) ପର୍ଯ୍ୟନ୍ତ ଲମ୍ବିଥାଏ।ଏ ମାଳା ଶ୍ରୀ ଅଧରର ଅଧୋଭାଗରେ ଶ୍ରୀମୁଖକୁ ଲାଗି ଦୁଇପଟକୁ ସରୁ ଓ ମଧ୍ୟଭାଗକୁ ମୋଟା କରାଯାଇ ନିର୍ମିତ କରାଯାଇଥାଏ। ଏହା ତିନି ପ୍ରକାରର। ଯଥା- ଷୋହଳ ହାତିଆ, ଚଉଦ ହାତିଆ ଓ ବାର ହାତିଆ। ଶ୍ରୀଜଗନ୍ନାଥଙ୍କୁ ଷୋଳହାତିଆ, ଶ୍ରୀବଳଭଦ୍ରଙ୍କ ଚଉଦ ହାତିଆ ଓ ଦେବୀ ସୁଭଦ୍ରାଙ୍କୁ ବାର ହାତିଆ ଅଧରମାଳା ଲାଗି ହୋଇଥାଏ।

୧୨)#ଶ୍ରୀପୟର ମାଳ(ଚଉସରା)- ଠାକୁରଙ୍କର ଭୁଜରୁ ପାଦ ଦେଶ ପର୍ଯ୍ୟନ୍ତ ଲମ୍ବିଥିବା ବିରାଟ ପୁଷ୍ପମାଳାକୁ ଶ୍ରୀପୟର ମାଳ କୁହାଯାଏ। ଏହା ଏକ ଚାରିସରିଆ ମାଳ ହୋଇଥିବାରୁ ଏହାକୁ ମଧ୍ୟ ଚଉସରା କୁହାଯାଏ।

୧୩) #କମରପେଟି- ଏହି ଅଳଙ୍କାର ତରାଟ ଫୁଲ କଢିରେ ଗୁନ୍ଥା ଯାଇଥାଏ। ଏହି ପୁଷ୍ପାଳଙ୍କାରକୁ ଠାକୁରମାନେ କମରରେ ଧାରଣ କରନ୍ତି। ପ୍ରକାଶଯୋଗ୍ୟ ଯେ, ଶ୍ରୀଜୀଉମାନଙ୍କର ରାତ୍ର ବଡ଼ସିଂହାର ବେଶ ପ୍ରତ୍ୟହ ଅନୁଷ୍ଠିତ ହୁଏ। ମାତ୍ର ଶ୍ରୀଜୀଉମାନଙ୍କ ପଦ୍ମ ବେଶ ଦିନ, ଶ୍ରୀବିଗ୍ରହମାନେ ଅନବସରରେ ଥିବା ସମୟରେ, ଗୁଣ୍ଡିଚା ଯାତ୍ରା ଓ ସ୍ନାନ ଯାତ୍ରା ଇତ୍ୟାଦିରେ ଠାକୁରମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ନଥିବା ଯୋଗୁଁ ବଡ଼ସିଂହାର ବେଶ ‌ହୋଇନଥାଏ। ବାସ୍ତବରେ ଏହି ବେଶର ମାହାତ୍ମ୍ୟ ଅତ୍ୟନ୍ତ ଚମତ୍କାର। ଶ୍ରୀଜୀଉମାନଙ୍କ ଏହି ବେଶ ଯେତିକି ଆକର୍ଷଣୀୟ ବେଶ ସମଗ୍ର ଭାରତବର୍ଷରେ ଦେଖିବାକୁ ବିରଳ। ଶ୍ରୀଜୀଉମାନଙ୍କ ବଡ଼ସିଂହାର ବେଶକୁ ଲକ୍ଷ୍ୟକରି ଷୋଡ଼ଶ ଶତାବ୍ଦୀର କବୟିତ୍ରୀ ମାଧବ ଦାସୀ କୁହନ୍ତି- 
"ରାହାସ ମିଳନ ଶୃଙ୍ଗାର ସାର 
ବଡ଼ ଶୃଙ୍ଗାର ବେଶ ସମ୍ଭାର।
ମାଧବେ କହନ୍ତି ନରଖେ ଯେହୁ 
ସାଯୁଯ୍ୟ ମୁକତି ଲଭଇ ସେହୁ।"

ଶ୍ରୀଜୀଉମାନଙ୍କ ପର୍ବପର୍ବାଣୀ ବେଶର ପୁଷ୍ପାଳଙ୍କାର 

କ)🌹 ପଦ୍ମ ବେଶ ଶ୍ରୀଜୀଉମାନଙ୍କର ପ୍ରସିଦ୍ଧ ବେଶଗୁଡିକ ମଧ୍ୟରେ ପଦ୍ମବେଶ ଅନ୍ୟତମ। ପଦ୍ମବେଶ ଏକ ଭାବମୂଳକ ବେଶ। ଶ୍ରୀମନ୍ଦିରରେ ଏହି ବେଶ ସପ୍ତଦଶ ଶତାବ୍ଦୀରୁ ପ୍ରଚଳିତ ହୋଇଥିବା ଅନୁମାନ କରାଯାଏ। କିମ୍ବଦନ୍ତୀ କୁହେ- ଭକ୍ତ ପ୍ରବର ମନୋହର ଦାସଙ୍କ ସ୍ମୃତିରେ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ସପ୍ତଦଶ ଶତାବ୍ଦୀରୁ ପ୍ରତି ବର୍ଷ ମାଘ ମାସ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପଦ୍ମବେଶ ହୋଇଥାଏ।ଶୀତ ଋତୁରେ ପଦ୍ମଫୁଲ ଫୁଟୁ ନଥିବାରୁ ପୂର୍ବ ପରଂପରା ଓ ଭକ୍ତ ମନୋହର ଦାସଙ୍କ ନିଷ୍କାମ ଭକ୍ତିର ନିଦର୍ଶନ ସ୍ବରୂପ ପ୍ରତିବର୍ଷ ସୋଲ ,ଜରି କଦଳୀ ପଟୁକା,କନା କଇଁଥ ଅଠା, ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରଙ୍ଗରେ ସିଂହଦ୍ଵାର ନିକଟସ୍ଥ ବଡ଼ଛତା ମଠରେ ଏହି ବେଶର ସାମଗ୍ରୀମାନ ପ୍ରସ୍ତୁତ ହୋଇଥାଏ। ପରଂପରା କ୍ରମେ ବଡ଼ଛତା ମଠ ତରଫରୁ ଏହି ବେଶ କରାଯାଏ।ଗତ କିଛି ବର୍ଷ ହେଲା ଚିନ୍ତାମଣି ଦାସ ନାମକ ଜଣେ ଶ୍ରଦ୍ଧାଳୁ ଭକ୍ତ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପୁଷ୍କରିଣୀରୁ ପଦ୍ମଫୁଲ ଯୋଗାଡ଼ କରି ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ଯୋଗାଇ ଦେଉଛନ୍ତି। ଏହି ବେଶର ବୈଶିଷ୍ଟ୍ୟ ହେଉଛି ବର୍ଷର ଏହି ଗୋଟିଏ ଦିନ (ପଦ୍ମବେଶ ଦିନ) ଶ୍ରୀଜୀଉଙ୍କର ପାରଂପରିକ ବଡ଼ସିଂହାର ବେଶ ହୋଇ ନ ଥାଏ। ଠାକୁରମାନେ ପରବର୍ତ୍ତୀ ଦିନ ସକାଳ ମଙ୍ଗଳ ଆଳତି ପର୍ଯ୍ୟନ୍ତ ପଦ୍ମବେଶରେ ଥାଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାଆନ୍ତି।

ଖ) 🌹ଚନ୍ଦନ ବେଶ  ବୈଶାଖ ମାସରେ ଅକ୍ଷୟ ତୃତୀୟାଠାରୁ ଶ୍ରୀଜୀଉଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ସର୍ବତ୍ର ଚନ୍ଦନ ଯାତ୍ରା ୨୧ଦିନ ହେଉଥିବା ବେଳେ ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରାର ଅବଧି(ବାହାର ଚନ୍ଦନ,ଭିତର ଚନ୍ଦନ ନାମରେ) ୪୨ ଦିନ। ଏହି ଚନ୍ଦନ ଯାତ୍ରା ସମୟରେ ଠାକୁରମାନଙ୍କର ଚନ୍ଦନ ଲାଗି ବେଶ ନାମକ ଏକ ବିଶେଷ ବେଶ ହୋଇଥାଏ। ଏହି ବେଶରେ ସୁଗନ୍ଧିତ ପୁଷ୍ପ ନିର୍ମିତ ଚାରିସରିଆ ଚଉସରି ନାଳ ଶ୍ରୀଜୀଉଙ୍କ ବାହୁଠାରୁ ଆରମ୍ଭ କରି ପାଦଦେଶ ପର୍ଯ୍ୟନ୍ତ ପକାଯାଇଥାଏ। ପାରଂପରିକ ଚଉସରି ପରି ଶ୍ରୀଜୀଉଙ୍କ ଲାଗି ଚିତାକୁ ଆବୃତ୍ତି କରି ଦୁଇ ପାଖ କପାଳରେ ବିଳମ୍ବିତ ପୂର୍ବକ ଅଳକା ଲାଗି କରାଯାଏ।ତ୍ରିମୁଣ୍ଡିକୁ ଚନ୍ଦ୍ରିକା ଚୂଳ ଏବଂ ସୁବାସିତ ପୁଷ୍ପମାଳା ଦ୍ବାରା ସଜ୍ଜିତ କରାଯାଇଥାଏ। ପୁଷ୍ପାଳକ ସେବକମାନେ ଚିତା,ଗୁଣା ଓ ଅଧରମାଳାକୁ ଚନ୍ଦନ ବେଶରେ ବ୍ୟବହାର କରିଥାଆନ୍ତି।

ଗ)🌹ନବାଙ୍କ ବେଶ ଓ ମକର ଚୂଳ ବେଶ -ମକର ସଂକ୍ରାନ୍ତି ପୂର୍ବ ଦିନ ଶ୍ରୀଜୀଉମାନଙ୍କର ନବାଙ୍କ ବେଶ ହୋଇଥାଏ। ଏହି ବେଶ ପ୍ରାୟତଃ ଏକ ଗେଣ୍ଡୁଫୁଲର ବେଶ। ନବାଙ୍କ ବେଶ ଶ୍ରୀଜୀଉମାନଙ୍କର ଶିରରୁ ରତ୍ନସିଂହାସନ ଚଟାଣ ଯାଏ ଗେଣ୍ଡୁଫୁଲ ମାଳରେ ସୁସଜ୍ଜିତ ହୋଇଥାଏ। ବଡ଼ସିଂହାର ବେଶରେ ଲାଗୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା, ଶ୍ରୀପୟର ମାଳା ଓ ହୃଦପଦକ ଏହି ବେଶ ପାଇଁ ଗେଣ୍ଡୁଫୁଲରେ ନିର୍ମିତ ହୋଇଥାଏ। ଉକ୍ତ ଦିନ ସନ୍ଧ୍ୟା ଆଳତି ବେଶରେ ମାଳ ଚୂଳ (ବାଉଁଶ ପାତିଆରେ ପୁଷ୍ପ ମଣ୍ଡିତ ଚୂଳିଆ ପୁଷ୍ପ ଭୂଷା ) ଲାଗି କରାଯାଏ। ଏହିଦିନ ଲାଗୁଥିବା ଶିରଭୂଷଣ ବା ଟୋପର ଗୁଡ଼ିକ ମଧ୍ୟ ତୁଳସୀ ପତ୍ରରେ ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁ ଫୁଲରେ ମାଳା ଗୁଡାକ ଯାଇଥାଏ।

ଘ) 🌹ଅନ୍ୟାନ୍ୟ ପର୍ବପର୍ବାଣିର ବେଶ ଶ୍ରୀଜୀଉମାନେ ସ୍ନାନଯାତ୍ରା ଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରାରେ ଧାଡ଼ି ପହଣ୍ଡିରେ ଅଥବା ଅଶୌଚ ବିଜେ ବେଳେ ମସ୍ତକରେ ପୁଷ୍ପ ନିର୍ମିତ ଟାହିଆ ଧାରଣ କରିଥାନ୍ତି।ଶ୍ରୀବିଗ୍ରହଙ୍କର ହାତୀବେଶ (ଗଜାନନ ବେଶ) ହେଉ କି ଝୁଲଣ ମଣ୍ଡପରେ ଝୁଲଣ ବେଶ ହେଉ ଶ୍ରୀଜୀଉମାନେ ବିଭିନ୍ନ ପୁଷ୍ପରେ ବିମଣ୍ଡିତ ହୋଇ ଭକ୍ତଙ୍କ ଚିତ୍ତ ଆନ୍ଦୋଳିତ କରିଥାଆନ୍ତି।ଭାଦ୍ରବ କୃଷ୍ଣ ଏକାଦଶୀ ଦିନ କାଳୀୟ ଦଳନ ବେଶରେ ଶ୍ରୀଜଗନ୍ନାଥ ବାମ ହାତରେ କାଳୀୟ ନାଗର ପୁଚ୍ଛ ଧରିବା ସାଙ୍ଗକୁ ପଦ୍ମକଳିକା ଧାରଣ କରିବାର ବିଧି ରହିଛି। କୃଷ୍ଣ ବଳରାମ ବେଶରେ କଦମ୍ବ ଫୁଲର ଆବଶ୍ୟକତା ରହିଛି।ଗଜ ଉଦ୍ଧାରଣ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା ସାଙ୍ଗକୁ ପଦ୍ମ କୋରକ ଧାରଣ କରିଥାଆନ୍ତି। ଚାଚେରୀ ବେଶରେ କୁନ୍ଦାଦି ପୁଷ୍ପ ଦ୍ଵାରା ଶ୍ରୀବିଗ୍ରହମାନେ ସୁଶୋଭିତ ହୋଇଥାଆନ୍ତି।

ଙ)🌹ଫୁଲୁରି ତେଲ ଅଣସର ସମୟରେ ମହାପ୍ରଭୁଙ୍କ ପୀଡାର ଉପଶମ ପାଇଁ ଫୁଲୁରି ତେଲ ଲାଗି ହୋଇଥାଏ। ଫୁଲୁରି ତେଲ ମୁଖ୍ୟତଃ ଘଣାପେଡା ରାଶି ତେଲ ଓ କିଆ, କେତକୀ, ଚମ୍ପା, ବଉଳ, ଯୁଇ, ଜାଇ, ମଲ୍ଲୀ, ମାଳତୀ ଫୁଲ, କୃଷ୍ଣ ଭୋଗ। ଧାନ, ବେଣା ଚେର, ଚନ୍ଦନ ଗୁଣ୍ଡରେ ପ୍ରସ୍ତୁତ ହୋଇଥାଏ। ରାଶି ତେଲରେ ବିଭିନ୍ନ ସୁଗନ୍ଧିତ ଫୁଲ ମିଶାଯାଇ ଫୁଲୁରି ତେଲ ପ୍ରସ୍ତୁତ ହେଉଥିବାରୁ ଏହାକୁ ଫୁଲୁରି ତେଲ କୁହାଯାଇଥାଏ। ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ, ଶ୍ରୀଜଗନ୍ନାଥଙ୍କ ବେଶଭୂଷାରେ ବହୁଳ ମାତ୍ରାରେ ପୁଷ୍ଷାଳଙ୍କାର ବ୍ୟବହୃତ ହୋଇଥାଏ। ସଂକ୍ଷେପରେ କହିଲେ ମହାପ୍ରଭୁଙ୍କର  ପ୍ରତ୍ୟେକ ବେଶରେ ଭକ୍ତି ଭାବ, ପ୍ରିୟ ଭାବ ଓ ସମର୍ପିତ ଭାବ ଥାଏ। ଏକଦା ମହାପ୍ରଭୁଙ୍କର ମନୋମୁଗ୍ଧକର ବେଶ ଦର୍ଶନ କରି ଶ୍ରୀଜଗନ୍ନାଥଙ୍କ ସେବକ ପ୍ରାଚୀନ କବି ଜୟହରି ସିଂହାରୀ ଆବେଗରେ ଗାଇ ଉଠିଥିଲେ- 
ବଡ଼ ଶୃଙ୍ଗାରେ ଭାବ ପ୍ରବଳ 
ଚନ୍ଦନ ଲାଗିରେ ଅଙ୍ଗ ଶୀତଳ 
ମକରେ ମକର ଚୂଳ ବିଚିତ୍ର 
ବସନ୍ତେ ବାସନ୍ତି ବସନ ମିତ।
ଋତୁ ଅନୁସାରେ ଭାବ ଦରବାରେ 
ମଣ୍ଡିବା ପ୍ରଭୁରେ.....


✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Post a Comment

Previous Post Next Post