ଶ୍ରୀମନ୍ଦିର ର ଗୁନ୍ଥା ଘର।
ମହାପ୍ରଭୁଙ୍କ ଦୈନନ୍ଦିନ ବେଶରେ ଲାଗୁଥିବା ପୁଷ୍ପ ଓ ପୁଷ୍ପ ଅଳଙ୍କାର ଦେଖିଲେ ଆଖି ଖୋସି ହୋଇଯାଏ। ପୂର୍ବ ଆଲେଖ୍ୟ ରେ ଆମେ ଆଲୋଚନା କରିଥିଲେ ଶ୍ରୀ ଜୀଉମାନଙ୍କୁ ଲାଗି ହେଉଥିବା ପୁଷ୍ପ ବିଷୟରେ। ଅତି କମ୍ ରେ ଛଅ ଥର ହେଉଥିବା ବେଶ ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ରେ ଥିବା ଗୁନ୍ଥା ଘର ଗୁଡିକୁ ଚଳଚଞ୍ଚଳ ରହିଥାନ୍ତି। 
ମହାପ୍ରଭୁଙ୍କର ଏହି ପୁଷ୍ପ ମାଳ ଓ ଅଳଙ୍କାର କୁ ଗୁନ୍ଥବା ପାଇଁ କିଛି ଉତ୍ସର୍ଗୀକୃତ ଭକ୍ତ ସୂର୍ଯ୍ୟୋଦୟ ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେଇ ବସିଥାଆନ୍ତି। କିଏ ଫୁଲ ତୋଳେ ତ କିଏ ଫୁଲ ଗୁନ୍ଥେ। ପୁଷ୍ପ ଅଳଙ୍କାର ଗୁନ୍ଥିବା ସହଜ ନୁହେଁ, ତେଣୁ ସମସ୍ତେ ଗୁନ୍ଥନ୍ତି ନାହିଁ। କିଛି ଲୋକ ଫୁଲ ଓ ତୁଳସୀ ର ମାଳ ଗୁନ୍ଥନ୍ତି। 

ଶ୍ରୀମନ୍ଦିର ର ଦକ୍ଷିଣ ଦ୍ଵାର ରୁ ପଶ୍ଚିମ ଦ୍ଵାର ପର୍ଯ୍ୟନ୍ତ ଲମ୍ବିଛି ଉପବନ। ଏହା ଛଡା କୋଇଲି ବୈକୁଣ୍ଠରେ ମଧ୍ୟ ବିଭିନ୍ନ ପ୍ରକାରର ଫୁଲ ଓ ତୁଳସୀ ର ବଗିଚା କରାଯାଏ ସେ ସବୁକୁ ମାଙ୍କଡ଼ ଙ୍କ ଠାରୁ ସୁରକ୍ଷା ଦେବାକୁ ତାର ଜାଲି ରେ ଘେରାଇ ଦିଆହୋଇଛି। ଉପବନ ରେ ଦୁବ,ପାନ, ବରକୋଳି, ଦୁର୍ଲଭା,ପଦ୍ମ ଇତ୍ୟାଦି ଲଗାଯାଇଛି। ହେଲେ ସେଗୁଡିକ ଯଥେଷ୍ଟ ହୁଏ ନାହିଁ । ଭକ୍ତମାନେ ପ୍ରତ୍ୟେକ ଦିନ ଫୁଲ, ତୁଳସୀ ଆଣି ଗୁନ୍ଥା ଘରେ ଦେଇଥାଆନ୍ତି। 
ବିଭିନ୍ନ ମାପର ମାଳ ସହ ହୃଦପଦକ,କର ପଲ୍ଲବ,ଚଉସରା, ଝୁମ୍ପା,କୁଣ୍ଡଳ, ନାକଚଣା,ଅଧରମାଳ,ଅଳକା ପରି ପୁଷ୍ପ ଅଳଙ୍କାର ଠାକୁରଙ୍କୁ ଲାଗି କରା ଯାଇଥାଏ। ଏବେ କିଛି ବର୍ଷ ହେବ ଜଗନ୍ନାଥଙ୍କ ମସ୍ତକ ରେ ଗଭା ଲାଗି ହେଉଛି, ଯାହା ଜଣେ କିଏ ନିର୍ଦିଷ୍ଟ ଭକ୍ତ ଦେଉଛନ୍ତି। ମୋ ପିଲାବେଳେ ଠାକୁରଙ୍କ ମସ୍ତକରେ ଗଭା ଦେଖିବାର ମନେ ପଡୁନି। 

ଶ୍ରୀମନ୍ଦିର ରେ ଚାରୋଟି ଗୁନ୍ଥା ଘର ଅଛି।
୧) ପାଟ ଅଗଣାରେ ଥିବା ପାଦପଦ୍ମ ଙ୍କ ପାଖରେ।
୨) କୋଇଲି ବୈକୁଣ୍ଠରେ
୩) ଉପବନରେ
୪) ଦକ୍ଷିଣ ଦ୍ଵାର ରେ ଥବା ଶ୍ରୀରାମ ମନ୍ଦିର ରେ।

ଏହି ଚାରୋଟି ଗୁନ୍ଥା ଘର ନିଜ ନିଜ ଭିତରେ ବାଣ୍ଟି ଦେଇଛନ୍ତି କିଏ କେଉଁ ମାଳ ଓ ଅଳଙ୍କାର ଗୁନ୍ଥି ପ୍ରତ୍ୟେକ ଦିନ ପାଳିଆ ଙ୍କୁ ଯୋଗାଇବ। 

ପାଦପଦ୍ମ ଙ୍କ ପାଖରେ ଥିବା ଗୁନ୍ଥା ଘରେ ବର୍ଷ ସାରା ହୃଦପଦକ ଗୁନ୍ଥା ହୁଏ। ଏଠାରେ ୪୨ ଦିନ ହେଉଥିବା ଚନ୍ଦନ ଯାତ୍ରା ସମୟରେ ଅଳକା ମଧ୍ୟ ଗୁନ୍ଥା ହୁଏ। ଏହା ଛଡା କର ପଲ୍ଲବ ଓ ତିନୋଟି ହୃଦ ପଲ୍ଲବ ପାଇଁ ୨୭ ଟି ନାଲି ରଙ୍ଗର ଫୁଲର ଗୁମ୍ଫା, ୨୭ଟି ଧଳା ଫୁଲର ଗୁମ୍ଫା ଗୁନ୍ଥା ହେଲାପରେ ତାହାକୁ ପଣସ ପତ୍ର ଉପରେ ରଖି ଅତି ଯତ୍ନର ସହ ଆକାର ଦିଆଯାଏ। ଏଥିପାଇଁ ଅଭ୍ୟାସ ଓ ଏକାଗ୍ରତା ର ଆବଶ୍ୟକତା ପଡ଼ିଥାଏ। 

କୋଇଲି ବୈକୁଣ୍ଠରେ ଥିବା ଗୁନ୍ଥା ଘରୁ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ର ନାକଚଣା ଆସିଥାଏ। 

ଉପବନରେ ଥିବା ଗୁନ୍ଥା ଘରୁ ପ୍ରତ୍ୟେକ ଦିନ ଅଧର ମାଳ, ଗୁମ୍ଫା,ଗୋଲ ମାଳ ଇତ୍ୟାଦି ଯୋଗାଇ ଦିଆହୁଏ। ଏହାଛଡା ପଦକ ପାଇଁ ଦରକାର ହେଉଥିବା ଝୁମ୍ପା ମଧ୍ୟ ଏଠାରେ ଗୁନ୍ଥା ହୁଏ।

ରାମ ମନ୍ଦିର ଠାରେ ଥିବା ଗୁନ୍ଥା ଘର ମା ସୁଭଦ୍ରାଙ୍କ ରଥ କମ୍ ପଟି ଓ ଅନ୍ୟାନ୍ୟ ମାଳ ଯୋଗାଇ ଦିଅନ୍ତି। 

ଏହା ସମ୍ୟକ୍ ସୂଚନା ଥିଲା। ଏହା ଛଡା ଅନ୍ୟାନ୍ୟ ଅଳଙ୍କାର ଓ ଫୁଲର ପରିମାଣ ଦେଖି ଅଧିକା ମାଳ ବି ଗୁନ୍ଥା ହୋଇଥାଏ।

ପଦକ, ଝୁମ୍ପା,ମଥାଚକି, ଗୁମ୍ଫା, ନାକଚଣା ଇତ୍ୟାଦି ଥରେ ଦୁଇଥର ଦେଖି ଗୁନ୍ଥି ହେବନି। ଏଥିପାଇଁ କୌଶଳ ର ଆବଶ୍ୟକତା ପଡ଼ିଥାଏ। ବର୍ଷ ବର୍ଷ ଧରି ଗୁନ୍ଥୁଥିବା ନିପୂଣ ହାତ ହିଁ ଜାଣେ କେଉଁଟା କେତେ ବଡ଼ ହେବ ଓ କେଉଁ ଗୁମ୍ଫା କେଉଁଠି ଲାଗିବ। ଏଥିରେ ବହୁତ ଲୋକଙ୍କ ପରିଶ୍ରମ ଜଡ଼ିତ ଓ ଏମାନଙ୍କୁ କେହି ପାରିଶ୍ରମିକ ଦିଅନ୍ତି ନାହିଁ। ଠାକୁର ଙ୍କ ସେବା କରିପାରୁ ଥିବାରୁ ଏମାନେ ନିଜକୁ ଧନ୍ୟ ମନେ କରନ୍ତି। 
ରଥଯାତ୍ରା ସମୟରେ ମଧ୍ୟ ଏହି ଗୁନ୍ଥା ଘରୁ ପ୍ରତ୍ୟେକ ଦିନ ମାଳ ଓ ପୁଷ୍ପାଳଙ୍କାର ଯାଇଥାଏ। ଆଗରୁ ଗୁଣ୍ଡିଚା ମନ୍ଦିର ରେ ଥିବା ଗରୁଡ଼ ସ୍ତମ୍ଭ ନିକଟରେ ଗୁନ୍ଥାଳି ମାନେ ଯାଇ  ଗୁନ୍ଥୁଥଲେ କିନ୍ତୁ କାଳକ୍ରମେ ଭିଡ଼ ବଢିବାରୁ ଏମାନେ ଶ୍ରୀମନ୍ଦିର ରେ ଥିବା ଗୁନ୍ଥା ଘରେ ହିଁ ଗୁନ୍ଥିକି ପଠେଇ ଦେଉଛନ୍ତି। ରଥାରୁଢ଼ ଠାକୁର ଯେଉଁଠି ଥିଲେ ବି ପୁଷ୍ପ ଅଳଙ୍କାର ଲାଗି ହୋଇଥାନ୍ତି। ମହାପ୍ରଭୁ ବଡ଼ସିଂହାର ବେଶ ରେ ପ୍ରାୟ ସମସ୍ତ ପୁଷ୍ପ ଅଳଙ୍କାର ଲାଗି ହୋଇଥାନ୍ତି। ସେଥିପାଇଁ ତ ବଡ଼ସିଂହାର ବେଶରେ ଠାକୁରମାନେ ଖୁବ୍ ସୁନ୍ଦର ଦେଖାଯାଆନ୍ତି।

ଆପଣ ମାନଙ୍କ ଭିତରୁ ଯଦି କେହି ଶ୍ରୀମନ୍ଦିର ରେ ଥିବା ଗୁନ୍ଥା ଘର ଦେଖି ନାହାନ୍ତି, ତା' ହେଲେ ଏଥର ଗଲେ ନିଶ୍ଚୟ ଦେଖିଆସିବେ। ନିଜ ବାଡିରୁ କିଛି ତୁଳସୀ, ଫୁଲ, ପଣସ ପତ୍ର ବା କଦଳୀ ପଟୁକା  ନେଇ ମଧ୍ୟ ସେଠାରେ ଦେଇ ପାରିବେ।

ଏହି ଆଲେଖ୍ୟ ପାଇଁ ଦୀର୍ଘ ୪୦ ବର୍ଷ ରୁ ବି ଅଧିକ ସମୟ ମହାପ୍ରଭୁଙ୍କ ପାଇଁ ଫୁଲ ସଂଗ୍ରହ କରି ନିଷ୍ଠାର ସହ ଗୁନ୍ଥୁଥିବା ସତ୍ୟଭାମା ପୁରୋହିତ ଙ୍କ ପାଖରେ ମୁଁ ଋଣୀ ରହିଲି। 

Post a Comment

Previous Post Next Post