#ନିର୍ଜଳା_ଏକାଦଶୀ_ତଥା_ରୁକ୍ମିଣୀ_ହରଣ_ଏକାଦଶୀ
ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ ‘ନିର୍ଜଳା ଏକାଦଶୀ’ କୁହାଯାଏ। ବର୍ଷକୁ ପଡ଼ିଥିବା ୨୪ ଏକାଦଶୀଠାରୁ ନିର୍ଜଳା ଏକାଦଶୀ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ପାଣି ନ ପିଇ ଉପବାସ କରିବାର ପ୍ରଥା ରହିଛି। ଏହାଦ୍ୱାରା ସବୁ ଏକାଦଶୀର ଫଳ ଏକାଥରେ ପ୍ରାପ୍ତ ହୋଇଥାଏ।ଏହି ଏକାଦଶୀରେ ପାଣି ପିଇବା ମନା। ଖାସ୍ ଏଥିପାଇଁ ଏହାର ନାମକରଣ ନିର୍ଜଳା ଏକାଦଶୀ ଭାବେ କରାଯାଇଛି। ଏହି ଦିନ ବ୍ରତ ରଖିଲେ ବ୍ୟକ୍ତିଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତି ହୋଇଥାଏ।
*ନିର୍ଜଳା ଏକାଦଶୀର ମହତ୍ୱ:* -
ଏହି ଏକାଦଶୀରେ ନିର୍ଜଳ ରହି ବିଷ୍ଣୁଙ୍କୁ ଆରାଧନା କରାଯାଏ। ବ୍ରତଧାରୀଙ୍କୁ ବର୍ଷର ସବୁ ଏକାଦଶୀର ଫଳ ମିଳିଥାଏ। ଭଗବାନ ବିଷ୍ଣୁ କୃପା ଲାଭ ହୋଇଥାଏ। ତେବେ ଏହି ଦିନ ଉପବାସ କରି ଭୀମ ମୁର୍ଚ୍ଛା ହୋଇଯାଇଥିଲେ। ଏଣୁ ଏହି ଦିନକୁ ଭୀମସେନୀ ଏକାଦଶୀ ବୋଲି ମଧ୍ୟ କୁହାଯାଏ।
*କ’ଣ ରହିଥାଏ ପୂଜାବିଧି:*-
-ସକାଳେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରାଯାଇଥାଏ। ଏହା ପରେ ହଳଦିଆ ପୋଷାକ ପିନ୍ଧି ବିଷ୍ଣୁଙ୍କୁ ପୂଜା କରାଯାଏ।
-ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ, ପଞ୍ଚାମୃତ, ତୁଳସୀ ପତ୍ର ଅର୍ପଣ କରାଯାଏ। ଏହାଫରେ ଶ୍ରୀ ହରି ଏବଂ ମା’ ଲକ୍ଷ୍ମୀଙ୍କ ମନ୍ତ୍ରକୁ ଜପ କରାଯାଏ।
-ବ୍ରତଧାରୀମାନେ ଗରିବମାନଙ୍କୁ ଖାଦ୍ୟ, ପୋଷାକ, ଚପଲ ଆଦି ଦାନ କରିଥାନ୍ତି।
– ଏହି ଏକାଦଶୀ ପାଣି ନ ପିଇ କରିବାର ପରମ୍ପରା ରହିଛି। ହେଲେ ଆବଶ୍ୟକତା ପଡ଼ିଲେ ଏହି ଦିନ ଫଳାହାର ଏବଂ ଜଳୀୟ ଆହାର କରିପାରିବେ।
*ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଭୀମସେନୀ / ପାଣ୍ଡବ ଏକାଦଶୀ ବ୍ରତ କଥା*-
ଭୀମ ବ୍ୟାସଙ୍କୁ କହିଲେ ହେ ପିତାମହ, ଭ୍ରାତା ଯୁଧିଷ୍ଟିର, ମାତା କୁନ୍ତୀ, ଦ୍ରୌପଦୀ, ଅର୍ଜୁନ, ନକୁଳ ଏବଂ ସହଦେବ ଆଦି ସଭିଏଁ ଏକାଦଶୀ ବ୍ରତ କରିବାକୁ କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ କହୁଛି ଯେ ଭାଇ ମୁଁ ଭଗବାନଙ୍କର ଶକ୍ତି ପୂଜା ଆଦି କରିପାରିବି, ଦାନ ବି ଦେଇପାରିବି କିନ୍ତୁ ଭୋଜନ ବିନା ରହିପାରିବି ନାହିଁ ।ବ୍ୟାସ କହିଲେ ହେ ଭୀମସେନ, ଯଦି ତୁମେ ନର୍କକୁ ଖରାପ ଓ ସ୍ୱର୍ଗକୁ ଭଲ ମଣୁଛ, ପ୍ରତିମାସର ଦୁଇ ଏକାଦଶୀରେ ଅନ୍ନ ଖାଅନାହିଁ । ଭୀମ କହିଲେ, ପିତାମହ, ମୁଁ ତ ପ୍ରଥମରୁ କହି ରଖିଛି କି ମୁଁ ଭୋକ ସହି ପାରେନା । ଯଦି ବର୍ଷରେ କେଉଁ ଗୋଟିଏ ବ୍ରତ ରଖିବା ପାଇଁ କହୁଛନ୍ତି ତେବେ ମୁଁ ରଖିପାରିବି କାରଣ ମୋ ପେଟରେ ବୃକ ନାମକ ଅଗ୍ନି ଅଛି ଯେଉଁଥି ପାଇଁ ମୁଁ ଭୋଜନ ବିନା ରହିପାରିବିନି । ଭୋଜନ ପରେ ତାହା ଶାନ୍ତ ହୁଏ । ଏଇଥିପାଇଁ ପୂରା ଉପବାସ କଣ କେଭେ ଭୋଜନ ବିନା ରହିପାରିବି ନାହିଁ ।
ଅର୍ଥାତ ଆପଣ ମୋତେ ଏମିତି ଏକ ବ୍ରତ କଥା କୁହନ୍ତୁ ଯାହା ବର୍ଷକରେ ମାତ୍ର ଥରେ କରିବାକୁ ପଡ଼ୁଥିବ ଆଉ ତାକୁ ପାଳନ କରି ମୁଁ ସ୍ୱର୍ଗପ୍ରାପ୍ତ କରିପାରିବି ।
ବ୍ୟାସ କହିଲେ, ପୁତ୍ର! ବଡ଼ ବଡ଼ ଋଷିଗଣ ବହୁତ ଶାସ୍ତ୍ର ଆଦି ରଚନା କରି ଯାଇଛନ୍ତି ଯେଉଁଥିରେ କୁହାଯାଇଛି ବିନା ଧନରେ ସ୍ୱଳ୍ପ ପରିଶ୍ରମ କରି ସ୍ୱର୍ଗ ପ୍ରାପ୍ତି କରିହେବ । ଶାସ୍ତ୍ରରେ କୁହାଯାଇଛି ଯେ ଦୁଇ ପକ୍ଷର ଏକାଦଶୀ ବ୍ରତ ମୁକ୍ତି ପାଇଁ ପାଳନ କରାଯାଏ ।ବ୍ୟାସଙ୍କ କଥା ଶୁଣି ଭୀମ ନର୍କକୁ ଯିବା ଭୟରେ ଚିନ୍ତିତ ହେଲେ ଓ କହିଲେ ଏବେ ମୁଁ କଣ କରିପାରିବି? ମାସରେ ଦୁଇଟି ବ୍ରତ ମୁଁ କରିପାରିବି ନାହିଁ । ବର୍ଷରେ କେବଳ ଗୋଟିଏ ବ୍ରତ କରିବା ପାଇଁ ପ୍ରଯତ୍ନ ଅବଶ୍ୟ କରିପାରିବି । ଅର୍ଥାତ ବର୍ଷରେ ଥରେ ବ୍ରତ କରି ଯଦି ମୋତେ ମୁକ୍ତି ପ୍ରାପ୍ତ ହୋଇପାରିବ, ସେମିତି କିଛି ବ୍ରତଟିଏ କୁହନ୍ତୁ ।
ଏହା ଶୁଣି ବ୍ୟାସ କହିଲେ ବୃଷଭ ଓ ମିଥୁନ ସଂକ୍ରାନ୍ତି ମଝିରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ପଡ଼େ, ତାହାର ନାମ ନିର୍ଜଳା ଅଟେ । ତୁମେ ସେହି ବ୍ରତ କର । ଏହି ଏକାଦଶୀରେ ସ୍ନାନ ଓ ଆଚମନ ବ୍ୟତୀତ ଜଳ ବର୍ଜିତ ଅଟେ । ଆଚମନରେ ଜଳ ୬ମାସରୁ ଅଧିକ ହେବା ଉଚିତ ନୁହେଁ ନଚେତ ତାହା ମଦ୍ୟପାନ ସଦୃଶ ହୋଇଯାଏ । ଏହିଦିନ ଭୋଜନ କରାଯାଏ ନାହିଁ କାରଣ ଭୋଜନ କଲେ ବ୍ରତ ନଷ୍ଟ ହୁଏ ।ଯଦି ଏକାଦଶୀର ସୂର୍ଯ୍ୟୋଦୟରୁ ଦ୍ୱାଦଶୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଜଳ ଗ୍ରହଣ କରିବ ନାହିଁ ତେବେ ସମ୍ପୂର୍ଣ୍ଣ ଏକାଦଶୀ ଫଳ ପ୍ରାପ୍ତ ହୁଏ । ଦ୍ୱାଦଶୀ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ବ୍ରାହ୍ମଣଙ୍କୁ ଦାନ ଆଦି ଦେବା ଉଚିତ । ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ ଦେଇ ଆପଣ ଭୋଜନ କରିବା ଉଚିତ । ଏହାର ଫଳ ପୂରା ବର୍ଷର ସମ୍ପୂର୍ଣ୍ଣ ଏକାଦଶୀ ସମାନ ଅଟେ ।
ବ୍ୟାସ କୁହନ୍ତି ହେ ଭୀମସେନ! ଗୋଟିଏ ଏକାଦଶୀର ପୁଣ୍ୟ ସମସ୍ତ ତୀର୍ଥ ଏବଂ ଦାନଠାରୁ ଅଧିକ । କେବଳ ଗୋଟିଏ ଦିନ ମଣିଷ ନିର୍ଜଳା ରହିଲେ ପାପରୁ ମୁକ୍ତ ହୋଇଯାଏ ।ଏହି ପ୍ରକାରେ ବ୍ୟାସଙ୍କ ପରାମର୍ଶ କ୍ରମେ ଭୀମ ଏହି ବ୍ରତ କଲେ । ସେଥିପାଇଁ ଏହି ବ୍ରତର ନାମ ଭୀମସେନ ବା ପାଣ୍ଡବ ଏକାଦଶୀ ମଧ୍ୟ କୁହାଯାଏ । ନିର୍ଜଳା ବ୍ରତ ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କର କି ହେ ଭଗବାନ! ଆଜି ମୁଁ ନିର୍ଜଳା ବ୍ରତ କରୁଅଛି, ପର ଦିନ ଭୋଜନ କରିବି । ମୁଁ ଏହି ବ୍ରତକୁ ଶ୍ରଦ୍ଧା ପୂର୍ବକ କରିବି, ଏଣୁ ଆପଣଙ୍କ କୃପାରୁ ମୋ ପାପ ସବୁ ନଷ୍ଟ ହେଇଯାଉ । ପୌରାଣିକ ମତେ ଯେଉଁ ବ୍ୟକ୍ତି ଏହି ବ୍ରତ କରିଥାନ୍ତି ସେ ବିଷ୍ଣୁ ଲୋକ ପ୍ରାପ୍ତ ହୁଅନ୍ତି । ଯେଉଁ ବ୍ୟକ୍ତି ଏହିଦିନ ଅନ୍ନ ସେବନ କରନ୍ତି ସେ ଚଣ୍ଡାଳ ସମାନ ଅଟନ୍ତି । ସେ ନର୍କକୁ ଗମନ କରନ୍ତି । ବ୍ରତ କରିଥିବା ବ୍ୟକ୍ତି ବ୍ରହ୍ମହତ୍ୟା, ମଦ୍ୟପାନ, ଚୋରି, ଗୁରୁ ଦ୍ଵେଷ କରିଥିଲେ ମଧ୍ୟ ବ୍ରତ ପ୍ରଭାବରେ ସ୍ୱର୍ଗ ପ୍ରାପ୍ତି ହୋଇପାରନ୍ତି ।ହେ କୁନ୍ତୀ ପୁତ୍ର, ଯେଉଁ ପୁରୁଷ ବା ସ୍ତ୍ରୀ ଶ୍ରଦ୍ଧା ପୂର୍ବକ ଏହି ବ୍ରତ କରନ୍ତି ତାଙ୍କୁ ଏହି କର୍ମ ସବୁ କରିବା ଉଚିତ । ପ୍ରଥମେ ଭଗବାନଙ୍କୁ ପୂଜା, ଗୋଦାନ, ବ୍ରାହ୍ମଣଙ୍କୁ ମିଷ୍ଠାନ୍ନ ଓ ଦକ୍ଷିଣା ତଥା ଜଳ ପୂର୍ଣ୍ଣ କଳସ ଦାନ ଦେବା ଉଚିତ । ନିର୍ଜଳା ଦିନ ଅନ୍ନ, ବସ୍ତ୍ର, ଉପହାନ (ଜୋତା ଚପଲ ) ଆଦି ଦାନ କରିବା ଉଚିତ । ଭକ୍ତିପୂର୍ବକ ପାଣ୍ଡବଙ୍କ ଏହି କଥା ବସ୍ତୁ ଶ୍ରବଣ କରିବା ଉଚିତ ।
ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ ।ଭୀମସେନ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରିଥିବାରୁ ଏହାକୁ ଭୀମସେନୀ ଏକାଦଶୀ ବୋଲି କୁହାଯାଏ ।
*ଏକାଦଶୀ ମାହାତ୍ମ୍ୟ* :-
ଯେ ରହି ହରିଙ୍କ ନିବାସ। କଲା ନିର୍ଜଳା ଉପବାସ।।
ଗୋ ବସ୍ତ୍ର କମଣ୍ଡଳୁ ଅନ୍ନ। ଛତ୍ର ଆସନ ଶଯ୍ୟାଦାନ।।
ଉଦକ ବ୍ରତ ତାକୁ କରି। ଦେବ ଏ ଦାନ ମାନଭରି।।
ଯେ କରେ ଉପାନହ ଦାନ। ପାଇ ସପାତ୍ର ବିପ୍ରୋତ୍ତମ।।
ସେ ଜନ ସ୍ୱର୍ଣ୍ଣଦାନ ପାଇ। ସ୍ୱର୍ଗଲୋକରେ ପୂଜା ହୋଇ।।
ଶୁଣିବା ପଢିବା ନିର୍ଜଳା। ସ୍ୱର୍ଗ ଦାନରେ ଏ କୁଶଳା।।
ସିନ୍ଧୁ ଗଙ୍ଗାରେ ଉପରାଗେ। ଶ୍ରଦ୍ଧା କରିଣ ଶ୍ରଦ୍ଧା ଭାବେ।।
ଦନ୍ତ ଧାବନ ପର୍ବ କରି। ନିୟମ କରିବ ବିଚାରି।।
ଏକାଦଶୀରେ ନିରାହାର। ହୋଇ ଛାଡ଼ିବ ନିଶ୍ଚେ ଜଳ।।
କରିବ ଏକା ଆଚମନ। ଶ୍ରୀକୃଷ୍ଣ ପାଦ ପ୍ରୀତି କାମ।।
ଦ୍ୱାଦଶୀ ଦିନ ତ୍ରିବିକ୍ରମ। ପୂଜା କରିବ ଯଥାକ୍ରମ।।
ଦେବ ଶୋଭନ ଧୂପଦୀପ। ଯେ ଅଳଙ୍କାର ବସ୍ତ୍ରପୂତ।।
ଖଣ୍ଡ କଦଳୀ ଦୁଗ୍ଧ ସର। ଯେ ମଧୁ ସୁବିଧିଶାକର।।
ନୈବେଦ୍ୟ ଯଥାବିଧି କରି। ପଢିବ ଏ ମନ୍ତ୍ର ଉଚ୍ଚାରି।।
ହେ ଦେବ ଦେବ ହୃଷୀକେଶ। ସଂସାର ସମୁଦ୍ର ବିକାଶ।।
ଉଦକ କୁମ୍ଭ ଦାନ କରି। ପାଇବ ବଇକୁଣ୍ଠ ପୁରୀ।।
ଏମନ୍ତ ବୋଲି କୁମ୍ଭ ଦେଇ। ଦକ୍ଷିଣା ଯଥାଶକ୍ତି ଚାହିଁ।।
ଜ୍ୟୋଷ୍ଠର ଶୁକ୍ଳ ଏକାଦଶୀ। ଯେ ଜନ କରଇ ବିଶେଷି।।
ଜଳ କୁମ୍ଭକୁ ସ୍ପର୍ଶ କରି। କରି ଦିଅଇ ଦ୍ୱିଜବରି।।
ସେ ବିଷ୍ଣୁ ସନ୍ନିଧିକି ପାଇ। ରହଇ ପ୍ରମୋଦିତ ହୋଇ।।
ବ୍ରାହ୍ମଣମାନଙ୍କୁ ଭୁଞ୍ଜାଇ। ଭୁଞ୍ଜିବ ଘେନି ବନ୍ଧୁଭାଇ।।
ଏ ରୂପେ ଏ ପାପନାଶିନୀ। ଏକାଦଶୀକି ଯେଉଁ ଜ୍ଞାନୀ।।
ସମ୍ପୂର୍ଣ୍ଣ ବିଧି କରି କରେ। ସେ ସର୍ବପାପରୁ ନିସ୍ତରେ।।
ଅନ୍ତରେ ନିରାମୟ ପଦ। ପାଇ ଭୁଞ୍ଜଇ ସୁସମ୍ପଦ।।
ଏ ଶୁଭ ଏକାଦଶୀ ପୁଣି। କଲେକ ଭୀମ ବୀରମଣି।।
ସେ ଦିନୁ ଆରମ୍ଭ ଏ ଜ୍ୟୋଷ୍ଠ। ମାସର ଏକାଦଶୀ ଶ୍ରେଷ୍ଠ।।
ସେ ଦିନୁ ପାଣ୍ଡବ ଦ୍ୱାଦଶୀ। ହୋଇ ରହିଲା ପ୍ରତିଦିଶି।।
ଇତି ଶ୍ରୀ ବ୍ରହ୍ମବୈବର୍ତ୍ତ ପୁରାଣେ ଜ୍ୟୋଷ୍ଠ ଶୁକ୍ଳ ନିର୍ଜାଳୈକାଦଶୀ ମାହାତ୍ମ୍ୟେ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ।।
ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ହିନ୍ଦୁ ପୌରାଣିକ ମତରେ ରୁକ୍ମିଣୀ ବିବାହ ବା ରୁକ୍ମିଣୀ ହରଣ ଏକାଦଶୀ ନାମରେ ଖ୍ୟାତ। ଏହି ପୌରାଣିକ ଘଟଣାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ କୃଷ୍ଣ ମନ୍ଦିର ଗୁଡ଼ିକରେ ଏହି ବିବାହ ଉତ୍ସବ ପାଳନ ହୋଇଥାଏ। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୁକ୍ମିଣୀ ବିବାହ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ।
Post a Comment