#ବୀଜୟା_ଏକାଦଶୀ, #ପଙ୍କୋଦ୍ଧାର_ଏକାଦଶୀ

🔱🛑   🌷🕉 🌷  🛑🔱
 *ଫାଲଗୁନ/ କୄଷ୍ଣ /ଏକାଦଶୀ*
🍀🌻☘️🌻☘️🌻☘️🌻☘️

ଫାଲଗୁନ ମାସ କୃଷ୍ଣ ଏକାଦଶୀ ତିଥି (ପଙ୍କୋଦ୍ଧାର ଏକାଦଶୀ)ରେ ବାବା ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଜାଗରଯାତ୍ରା ପ୍ରସ୍ତୁତି ପର୍ଯ୍ୟାୟରେ ଏକାଦଶୀ ତିଥିରେ ବାବା ଶ୍ରୀଲୋକନାଥଙ୍କ ମନ୍ଦିର ଗର୍ଭଗୃହରୁ ପଙ୍କୋଦ୍ଧାର ହେବାର ରହିଛି । ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣିଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଏ । ବାବା ଲୋକନାଥଙ୍କ ଗର୍ଭଗୃହର ଦୁଇ ତୃତୀୟାଂଶ ପାଣିରେ ବୁଡି ରହିଥାଏ । ବର୍ଷତମାମ ଭକ୍ତମାନେ ସମର୍ପଣ କରିଥିବା ଫୁଲ, ପତ୍ର, କ୍ଷୀର, ପୂଜା ସାମଗ୍ରୀ ପଚି ପଙ୍କରେ ଭରିଯାଇଥାଏ । ଏକାଦଶୀ ତିଥିରେ ପଙ୍କୋଦ୍ଧାର ହେବା ପରେ ମହାଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପଙ୍କୋଦ୍ଧାର ଏକାଦଶୀର ବିଶେଷତ୍ୱ ହେଉଛି ବର୍ଷ ତମାମ ପାଣିରେ ବୁଡ଼ି ରହୁଥିବା ବାବା ଲୋକନାଥଙ୍କ ଶିବଲିଙ୍ଗକୁ ଭକ୍ତମାନେ ପ୍ରତ୍ୟକ୍ଷ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏକାଦଶୀ ତିଥିରେ ଭକ୍ତମାନେ ଶ୍ରୀଲୋକନାଥଙ୍କ ଶକ୍ତିକୁ ଦର୍ଶନ କରି ଅପାର କରୁଣା ଲାଭ କରିବା ସହ ଦୁରାରୋଗ୍ୟ ବ୍ୟାଧିରୁ ରକ୍ଷା ପାଆନ୍ତି ବୋଲି ଧର୍ମ ବିଶ୍ୱାସ ରହିଛି । ଭକ୍ତଙ୍କ ପ୍ରତ୍ୟକ୍ଷ ଦର୍ଶନ ପରେ ପୁଣି ଥରେ ବାବା ଲୋକନାଥଙ୍କ ଶକ୍ତି ଗର୍ଭଗୃହ ପାଣି ଝରରେ ବୁଡ଼ି ଯାଇଥାଏ ।

ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ କୁହାଯାଏ । ଏହି ବିଜୟା ଏକାଦଶୀ ବ୍ରତ କଲେ ମଣିଷ ଶତ୍ରୁକୁ ବିଜୟ କରିପାରେ । ପୁରାଣ କଥା ଅନୁଯାୟୀ ସୀତା ହରଣ ବେଳେ ରାମଚନ୍ଦ୍ର ବାନର ସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣ ପରି ବଳବାନ ଶତ୍ରୁ ଓ ସାଗରର ଗମ୍ଭୀରତା ନେଇ ଚିନ୍ତିତ ହୋଇପଡ଼ିଥିଲେ । ସମୁଦ୍ରକୁ କିପରି ପାରହେବେ ସେଥିଲାଗି ଉପାୟ ଖୋଜିବା ବେଳେ ଜଣେ ମୁନିଙ୍କ ପରାମର୍ଶରେ ଏହି ବିଜୟା ଏକାଦଶୀ ବ୍ରତ ପାଳନ କଲେ । ବ୍ରତର ପ୍ରଭାବରେ ସେ ସମୁଦ୍ର ପାର ହୋଇ ରାବଣ ବଧ କରିଥିବାର ବିଶ୍ୱାସ ରହିଛି । 

ପୁରାଣ କଥା
"""""""""""""""""""
ଯୁଧିଷ୍ଠିର ପଚାରିଲେ : ହେ ବାସୁଦେବ! ଫାଲଗୁନ ମାସ କୃଷ୍ଣ ପକ୍ଷରେ କେଉଁ ଏକାଦଶୀ ହୁଏ ଏବଂ ଏହି ବ୍ରତର ବିଧି କ’ଣ ? କୃପା କରି କହନ୍ତୁ ।

ଭଗବାନ ଶ୍ରୀକୃଷ୍ଣ କହିଲେ : ଯୁଧିଷ୍ଠିର! ଥରେ ନାରଦ ବ୍ରହ୍ମାଙ୍କୁ ଫାଲ୍‌ଗୁନ କୃଷ୍ଣପକ୍ଷର "ବିଜୟା (ପଙ୍କୋଦ୍ଧାର) ଏକାଦଶୀ" ବ୍ରତ ଦ୍ଵାରା ହେଉଥିବା ପୁଣ୍ୟ ବିଷୟରେ ପଚାରିବାରୁ ବ୍ରହ୍ମା ଏହି ବ୍ରତର ମାହାତ୍ମ୍ୟ ତଥା ବିଧି ସମ୍ବନ୍ଧରେ ତାଙ୍କୁ ଯାହା କହିଥିଲେ ତାହା ଶୁଣ ।

ବ୍ରହ୍ମା କହିଲେ : ନାରଦ! ଏ ବ୍ରତ ଅତି ପ୍ରାଚୀନ, ପବିତ୍ର ଏବଂ ପାପନାଶକ । ଏହି ଏକାଦଶୀ ରାଜାମାନଙ୍କୁ ବିଜୟ ପ୍ରଦାନ କରିଥାଏ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।

ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଯେତେବେଳେ ଲଙ୍କା ଆକ୍ରମଣ କରିବା ପାଇଁ ସମୁଦ୍ର କୂଳରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ସମୁଦ୍ର ପାରି ହେବା ପାଇଁ କୌଣସି ଉପାୟ ଦେଖାଯାଉ ନଥିଲା । ସେ ଲକ୍ଷ୍ମଣଙ୍କୁ ପଚାରିଲେ : "ସୁମିତ୍ରାନନ୍ଦନ! କେଉଁ ଉପାୟରେ ଏହି ସମୁଦ୍ରକୁ ପାରି କରାଯାଇପାରିବ ? ଏହା ଅତ୍ୟନ୍ତ ଗଭୀର ଏବଂ ଭୟଙ୍କର ଜଳ- ଜନ୍ତୁରେ ପରିପୂର୍ଣ୍ଣ । ଏହାକୁ ସୁଗମତା ପୂର୍ବକ ପାରି କରାଯାଇପାରିଲା ଭଳି ମୋତେ କୌଣସି ସରଳ ଉପାୟ ଦେଖାଯାଉ ନାହିଁ ।"

ଲକ୍ଷ୍ମଣ କହିଲେ : ହେ ପ୍ରଭୁ ! ଆପଣ ହିଁ ଆଦିଦେବ ଏବଂ ପୁରୁଷୋତ୍ତମ ଅଟନ୍ତି । ଆପଣଙ୍କୁ କ’ଣ ଅଛପା ଅଛି ? ଏଠାରୁ ଅଧା ଯୋଜନ ଦୂରରେ କୁମାରୀ ଦ୍ଵୀପରେ ବକଦାଲଭ୍ୟ ମୁନି ରହୁଛନ୍ତି । ଆପଣ ସେହି ପ୍ରାଚୀନ ମୁନୀଶ୍ଵରଙ୍କ ପାଖକୁ ଯାଇ ଏହାର ଉପାୟ ପଚାରନ୍ତୁ ।

ଶ୍ରୀରାମଚନ୍ଦ୍ର ମହାମୁନି ବକଦାଲଭ୍ୟଙ୍କ ଆଶ୍ରମରେ ପହଞ୍ଚିଲେ ଓ ମୁନିଙ୍କୁ ପ୍ରଣାମ କଲେ । ମହର୍ଷି ପ୍ରସନ୍ନ ହୋଇ ଶ୍ରୀରାମଙ୍କ ଆଗମନର କାରଣ ପଚାରିଲେ ।

ଶ୍ରୀରାମ କହିଲେ : ବ୍ରହ୍ମନ୍ ! ମୁଁ ଲଙ୍କା ଉପରେ ଆକ୍ରମଣ କରିବାକୁ ନିଜ ସେନା ସହିତ ଏଠାକୁ ଆସିଛି । ମୁନିବର! ଏବେ କିପରି ସମୁଦ୍ର ପାରିହେବୁ, କୃପା କରି ଏହାର ଉପାୟ କହନ୍ତୁ ।

ବକଦାଲଭ୍ୟ ମୁନି କହିଲେ : ହେ ଶ୍ରୀରାମ ! ଫାଲଗୁନ କୃଷ୍ଣପକ୍ଷରେ ଯେଉଁ "ବିଜୟା" ନାମକ ଏକାଦଶୀ ପଡ଼େ, ଏହାର ବ୍ରତ କଲେ ଆପଣଙ୍କର ବିଜୟ ହେବ । ନିଶ୍ଚିତଭାବେ ଆପଣ ନିଜର ବାନର ସେନା ସହିତ ସମୁଦ୍ର ପାର କରି ପାରିବେ । ରାଜନ ! ଏବେ ଏହି ବ୍ରତର ଫଳଦାୟକ ବିଧଧି ଶୁଣନ୍ତୁ ।

ଦଶମୀ ଦିନ ସୁନା, ରୂପା, ତମ୍ବା ଅଥବା ମାଟିର ଗୋଟିଏ କଳସ ସ୍ଥାପନ କରି ତହିଁରେ ଜଳ ପୂର୍ଣ୍ଣ କରି କଅଁଳ ପତ୍ର ରଖନ୍ତୁ । ଏହା ଉପରେ ଭଗବାନ ନାରାୟଣଙ୍କ ସୁବର୍ଣ୍ଣମୟ ବିଗ୍ରହ ସ୍ଥାପନା କରନ୍ତୁ । ତା'ପରେ ଏକାଦଶୀ ଦିନ ପ୍ରାତଃ ସମୟରେ ସ୍ନାନ ସାରି କଳସକୁ ପୁନଃ ସ୍ଥାପନ କରନ୍ତୁ । ମାଳା, ଚନ୍ଦନ, ଗୁଆ ତଥା ନଡ଼ିଆ ଆଦି ଦ୍ଵାରା ବିଶେଷ ଭାବରେ ଏହାର ପୂଜନ କରନ୍ତୁ । କଳସ ଉପରେ ସପ୍ତଧାନ ଏବଂ ଜବ ରଖି ଗନ୍ଧ, ଧୂପ, ଦୀପ ଓ ନାନାଦି ନୈବେଦ୍ୟ ଦ୍ୱାରା ପୂଜନ କରନ୍ତୁ । ଅଖଣ୍ଡ ବ୍ରତ ସିଦ୍ଧି ନିମନ୍ତେ ଘିଅର ଦୀପ ଜାଳନ୍ତୁ । ତା'ପରେ ଦ୍ଵାଦଶୀ ଦିନ ସୂର୍ଯ୍ୟୋଦୟ ପରେ ଏହି କଳସକୁ କୌଣସି ନଦୀ, ଝରଣା କିମ୍ବା ପୋଖରୀ ତଟରେ ସ୍ଥାପନ କରି ଏହାର ପୂଜନ କରନ୍ତୁ ଏବଂ ଦେବ-ପ୍ରତିମା ସହିତ ସେହି କଳସକୁ ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କରିଦିଅନ୍ତୁ । କଳସ ସହିତ ଅନ୍ୟାନ୍ୟ ବଡ଼ ବଡ଼ ଦାନ ମଧ୍ୟ ଦେବା ଉଚିତ । ଶ୍ରୀରାମ ! ଆପଣ ନିଜ ସେନାପତିଙ୍କ ସହିତ ଏହି ବିଧିରେ ପ୍ରଯତ୍ନପୂର୍ବକ "ବିଜୟା" ଏକାଦଶୀ ବ୍ରତ କରନ୍ତୁ । ଏହାଦ୍ୱାରା ଆପଣଙ୍କର ବିଜୟ ହେବ ।

ବ୍ରହ୍ମା କହିଲେ : ନାରଦ ! ଏହା ଶୁଣି ଶ୍ରୀରାମଚନ୍ଦ୍ର ମୁନିଙ୍କ କହିବା ଅନୁସାରେ ସେହି ସମୟରେ 'ବିଜୟା ଏକାଦଶୀ' ବ୍ରତ କଲେ । ସେହି ବ୍ରତ କରିବାରୁ ଶ୍ରୀରାମଚନ୍ଦ୍ର ବିଜୟୀ ହେଲେ । ସେ ସଂଗ୍ରାମରେ ରାବଣକୁ ମାରିଲେ ଏବଂ ଲଙ୍କାକୁ ଜୟ କରି ମାତା ସୀତାଙ୍କୁ ଉଦ୍ଧାର କଲେ । ପୁତ୍ର ! ଯେଉଁ ମନୁଷ୍ୟ ଉକ୍ତ ବିଧିମତେ ବ୍ରତ କରନ୍ତି, ସେମାନଙ୍କୁ ଇହ ଲୋକରେ ବିଜୟ ପ୍ରାପ୍ତ ହୁଏ ଓ ସେମାନଙ୍କର ପରଲୋକ ମଧ୍ୟ ସୁରକ୍ଷିତ ରହେ ।

ଭଗବାନ ଶ୍ରୀକୃଷ୍ଣ କହିଲେ : ଯୁଧ୍ୟର ! ଏହି କାରଣରୁ "ବିଜୟା ଏକାଦଶୀ" ବ୍ରତ କରିବା ଉଚିତ । ଏହି ପ୍ରସଙ୍ଗକୁ ପଢ଼ିବା ଏବଂ ଶୁଣିବା ଦ୍ଵାରା ବାଜପେୟ ଯଜ୍ଞର ଫଳ ମିଳେ ।

ଏକାଦଶୀ_ମାହାତ୍ମ୍ୟ

ମୁନିରୁବାଚ

ଫାଲଗୁନ କୃଷ୍ଣ ଏକାଦଶୀ ।
ବିଜୟା ବୋଲି ତାକୁ ଭାଷି 
ସେ ଏକାଦଶୀ ବ୍ରତକର। 
ବିଜୟ ତହିଁରେ ତୁ କର 
ଶତ୍ରୁକୁ ମାରି ଲଙ୍କାଜିଣି। 
ଆଣିବ ଜନକଦୁଲଣୀ 
କୀର୍ତ୍ତି ବ୍ୟାପିବ ଅନୁଦିଶେ। 
କହିବା ଯେ ବିଧି ବିଶେଷେ 
ଦଶମୀ ଦିନ ଏକ କୁମ୍ଭ।
 ସ୍ଥାପିବ ଜାଣି ଲଗ୍ନଶୁଭ 
କରିବ କୁମ୍ଭ ଚାହିଁ ଚିତ୍ତ। 
ସ୍ୱର୍ଣ୍ଣ ରଜତ ତାମ୍ର ଯୁତ 
ଜଳରେ ଥିବ ସ୍ୱର୍ଣ୍ଣ କରି। 
ଚ୍ୟୁତ ପଲ୍ଲବ ମୁଖେ ଭରି 
ଉପରେ ଦେଇ ଆସ୍ତରଣ। 
ବସାଇ ସ୍ୱର୍ଣ୍ଣ ନାରାୟଣ 
କୁମ୍ଭ ସମୀପେ ଜାଳିଦୀପ। 
ଯେଉଁ ରୂପରେ ନୋହେ ଲୋପ 
ବିଧିରେ ହବିଷ୍ୟ କରିବ। 
ପ୍ରାତଃରେ ଏକାଦଶୀ ହେବ 
ପ୍ରାତଃକାଳରୁ ସ୍ନାନ କରି। 
କୁମ୍ଭ ସ୍ଥାପିବ ଶୁଦ୍ଧ କରି 
କଣ୍ଠରେ ମାଳା ଅନୁଲେପ। 
ଜ୍ୱଳିତ କରିଥିବ ଦୀପ 
ନାରିକେଳର ପୂଜା କରି।
 ଉପରେ ସପ୍ତଧାନ୍ୟ ଧରି 
ଯବମାନଙ୍କୁ ପକାଇବ। 
ରମ୍ୟ ଅଛିଦ୍ର କୁମ୍ଭ ହେବ 
କୁମ୍ଭର ଅଗ୍ରେ ଜାଳି ଦୀପ। 
ଦେବ ସୁଗନ୍ଧ ଧୂପ ଦୀପ 
ନାନା ନୈବେଦ୍ୟ ପୂଜା କରି। 
ନାନା ବ୍ରତର ମାନ କରି 
ଅଖଣ୍ଡ ଘୃତ ଦୀପ ଜାଳି। 
ଜାଗ୍ରତ ହେବ ବ୍ରତ ପାଳି 
ଜାଣ ଏ ଏକାଦଶୀ ନିଶି। 
ନ କର ଶୟନ ଅଶନ 
ନେବ ଆନନ୍ଦେ ଜୟାଦିନେ। 
ହେ ରାମଚନ୍ଦ୍ର ଏ ବିଧାନେ 
ଯାଉ ଏ ଏକାଦଶୀ ନିଶି। 
ପ୍ରବେଶ ହେବ ଯେ ଦ୍ୱାଦଶୀ 
ଉଦୟ ହେବ ଦିବାକର।
 ତୁମର ହେବ ପଦ୍ମକର 
ଅଥବା ନଦୀ ପ୍ରସ୍ରବଣ। 
କରିବା ପୂଜା ଯେ ପ୍ରମାଣ 
ଦେବତା ସହିତ ସେ କୁମ୍ଭ। 
ଦେବ ପାରଗ ଦ୍ୱିଜେ ଦେବ 
କୁମ୍ଭ ଦାନରେ ଅଙ୍ଗ କରି। 
ଦେବ ଯେ ମହାଦେବ ପରି 
ହେ ରାମ ଏ ବିଜୟା ବ୍ରତ। 
କରିବ ଯେ ବିଧି ବିହିତ 
ସ୍ୱପକ୍ଷ ସୈନ୍ୟର ସହିତ। 
ବିଜୟା ହୋଇବ ନିୟତ 
ଏ ବ୍ରତ ଉପଦେଶ ପାଇ। 
ମୁନି ଚରଣେ ନତ ହୋଇ 
ଗଲେ ଶ୍ରୀରାମ ସନ୍ତୋଷରେ। 
ପ୍ରବେଶ ହେଲେ ଆବାସରେ 
ଫାଲଗୁନ କୃଷ୍ଣ ଏକାଦଶୀ। 
ପ୍ରବେଶ ହୋଇବାରୁ ଆସି 
ପ୍ରାତଃକାଳରୁ ସ୍ନାନ ସାରି।
 ବିଧିରେ ବିଜୟା ଆଚରି 
ଦ୍ୱାଦଶୀ ଦାନ ପୁଣ୍ୟ ବିଧି। 
ସମସ୍ତେ କଲେ ଯଥା ବିଧି 
ପାରି ହୋଇଲେ ମହାଶୟ। 
ଲଙ୍କାକୁ କଲେ ମହାଭୟ 
ରଣରେ ରାବଣ ମାଇଲେ। 
ବିଭୀଷଣକୁ ଲଙ୍କା ଦେଲେ 
ସୀତା ଘେନିଣ ଜୟ କରି। 
ପ୍ରବେଶ ଅଯୋଧ୍ୟା ନଗରୀ 
ବ୍ରହ୍ମା କହିଲେ ହେ ନାରଦ।
 ଶୁଣିଲେ ବିଜୟା ପ୍ରସାଦ 
ଏ ବ୍ରତ ବିଧିମତ କରି। 
ଆଚରି ଯେଉଁ ନରନାରୀ 
ହୋଇବ ଜୟ ଇହଲୋକେ। 
ଅକ୍ଷୟ ହେବ ପରଲୋକେ 
ଏହି କାରଣୁ ସର୍ବଜନ। 
ହୁଅ ଏ ବ୍ରତେ ସାବଧାନ 

     ଇତି ଶ୍ରୀ ସ୍କନ୍ଧ ପୁରାଣେ ଫାଲଗୁନ କୃଷ୍ଣ ଏକାଦଶୀ ବ୍ରତ ମାହାତ୍ମ୍ୟେ ସପ୍ତମୋଽଧ୍ୟାୟଃ।।

🙏💓💓🕉️💓💓🙏

#ଲୋକନାଥ_ମନ୍ଦିର
🔱🛑   🌷🕉 🌷  🛑🔱
 *ପୁରୀ/ ଓଡ଼ିଶା*
🍀🌻☘️🌻☘️🌻☘️🌻☘️🌻🍀
ଲୋକନାଥ ମନ୍ଦିର । ପାର୍ବତୀ ପୋଖରୀ (ସାଗର)
ପୁରୀରେ ଲୋକନାଥ ମନ୍ଦିର ଅବସ୍ଥିତ । ଶ୍ରୀ ମନ୍ଦିର ର ପଶ୍ଚିମ ଦିଗରେ ଦୁଇ କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ଥିତ । ମନ୍ଦିର ବେଢାର ସମ୍ମୁଖ ଭାଗରେ ପାର୍ବତୀ ସାଗର ନାମକ ଏକ ପୁଷ୍କରଣୀ ରହିଛି । ଦଶ ଏକର ପରିମିତ ଜମିରେ ଏହି ମନ୍ଦିର ଅବସ୍ଥିତ । ମନ୍ଦିର ର ପତ୍ତନଠାରୁ ଦଶଫୁଟ ନିମ୍ନ ରେ ଜଳାଶୟରେ ଲିଙ୍ଗ ମୂର୍ତ୍ତି ପୂଜା ପାଉଛନ୍ତି ।ବର୍ଷକରେ ଥରେ ଅର୍ଥାତ୍ ଫାଲଗୁନ କୃଷ୍ଣ ଏକାଦଶୀକୁ ବା ପଙ୍କୋଦ୍ଧାର ଏକାଦଶୀ ଦିନ ଜଳରୁ ମହାପ୍ରଭୁଙ୍କ ର ଦର୍ଶନ ର ସୌଭାଗ୍ଯ ମିଳିଥାଏ । ଲୋକନାଥଙ୍କ ବିଜେ ପ୍ରତିମା ‘ଭଣ୍ଡାର ଲୋକନାଥ’ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ।ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥାନ୍ତି । ଜଳବିହାରୀ ଶ୍ରୀଲୋକନାଥଙ୍କ ଲିଙ୍ଗରୁ ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ । ଶ୍ରୀକ୍ଷେତ୍ରେ ବିଜେ ବାବା ଶ୍ରୀଲୋକନାଥଙ୍କ ଶକ୍ତି ବିଜେ କରିଥିବା ଗର୍ଭଗୃହରୁ ପଙ୍କୋଦ୍ଧାର ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ ଏହି ଅବସରରେ ବାହାର କରାଯାଇଥାଏ । ସେବାୟତମାନେ ଗମ୍ଭିରାରୁ ପଙ୍କ ଓ ପୂଜା ସାମଗ୍ରୀକୁ ଉଦ୍ଧାର କରିବା ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ବର୍ଷକରେ ଦିନେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।
ବୈଶାଖ ଶେଷ ସୋମବାର ଦିନ ଏଠାରେ ନୂଆ ଧାନରୁ ପ୍ରସ୍ତୁତ ଚୁଡାରେ ଚୁଡ଼ାଘଷା କରି ଭୋଗ ଅର୍ପଣ କରାଯାଇଥାଏ । ମହାଶିବରାତ୍ରି ତଥା ଜାଗରଯାତ୍ରା ମଧ୍ୟ ମହାସମାରୋହରେ ପାଳିତ ହୋଇଥାଏ । ମହାଶିବରାତ୍ରି ରେ ଏଠାରେ ସ୍ବତନ୍ତ୍ର ପୂଜା ହରିହର ଭେଟ (ଶୈବ ଓ ବୈଷ୍ଣବ ଙ୍କ ମିଳନ ହୋଇଥାଏ । ଏଠାରେ ଲିଙ୍ଗ ପଶ୍ଚିମ ମୁଖା ଅର୍ଥାତ୍ କାମନା ଲିଙ୍ଗ ଭାବେ ପୂଜିତ କଥିତ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ତ୍ରେତୟା ଯୁଗରେ ଏହାଙ୍କୁ ପୂଜା କରିଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଚିବ ତଥା ଭଣ୍ଡାରଘର ର ରକ୍ଷକ ଭାବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ।

Post a Comment

Previous Post Next Post