*❀꧁❣️ଶ୍ରୀମନ୍ଦିରର ଚାରି ଦ୍ଵାର❣️꧂❀*


🍁🍁🍁🍁🍁🍁🍁
*ସିଂହ ଦ୍ଵାର:*
☸️☸️☸️☸️☸️☸️
 ଶ୍ରୀମନ୍ଦିରକୁ ପ୍ରବେଶର ମୁଖ୍ୟପଥ । ରତ୍ନ ସିଂହାସନରେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତର ଯାତ୍ରୀମାନେ ସର୍ବପ୍ରଥମେ ସିଂହଦ୍ଵାର ଗୁମୁଟରେ ପତିତପାବନ’ଙ୍କୁ ଦକ୍ଷିଣ ପାର୍ଶ୍ଵ କାନ୍ଥରେ ଦର୍ଶନ କରିଥାନ୍ତି । ଟିକିଏ ଆଗକୁ ପାଦ ଦେଲେ ପବିତ୍ର ବାଇଶି ପାହାଚ ପଡ଼େ । ସେଇଠୁ ଚାହିଁଲେ ମନ୍ଦିରର ନୀଳଚକ୍ର ଓ ପତିତପାବନ ବାନା ନେତ୍ରରେ ଉଭା ହୁଏ । ସିଂହଦ୍ଵାରଠାରୁ ରତ୍ନ ସିଂହାସନର ଦୂରତା ୩୦୦ ଫୁଟ । ଏହି ଦ୍ଵାରର ଉଭୟ ପାର୍ଶ୍ଵରେ ପ୍ରକାଣ୍ଡ ସିଂହ ମୂର୍ତ୍ତି ରହିଛି । ପିତ୍ତଳ ପାତିଆରେ ତିଆରି ଛ’ଫୁଟର ଅଧିକ ଓସାର ସିଂହଦ୍ବାର ଦରଜାର ଉଚ୍ଚତା ପନ୍ଦର ଫୁଟ । ଏହି ସିଂହଦ୍ଵାରରେ ଏକ ଚୋରାଦ୍ଵାର ରହିଛି । ଯାହାର ଆକାର ଅଢ଼େଇ ଫୁଟରେ ଦୁଇ ଫୁଟ । ଏହି ଚୋରାଦ୍ବାର ଦେଇ ସେବାୟତମାନେ ପ୍ରଥମେ ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଯାଇ ଦିଅଁଙ୍କର ନୀତି , ସେବା ସମାପନ କରିଥାନ୍ତି । ସିଂହଦରଜାରେ ବହୁ ଦେବାଦେବୀଙ୍କର ମୂର୍ତ୍ତି ଅଙ୍କନ ସହ ଶଂଖ , ଚକ୍ରର ମଧ୍ୟ ଅଳଙ୍କରଣ କରାଯାଇଛି । ଏହି ମୁଖ୍ୟଦ୍ଵାର ଯୁଗଯୁଗ ଧରି ଦେଖି ଆସିଛି କେତେ ସନ୍ଥ , ସିଦ୍ଧପୁରୁଷ , ରାଜା ମହାରାଜା , ପ୍ରଭୁଙ୍କର ବଡ଼ପଣିଆ , ଚୈତନ୍ୟ ରାମତୀର୍ଥ , ସାଲବେଗଙ୍କଠାରୁ ପୁରୀ ଗଜପତି ରାଜାଙ୍କୁ ମନ୍ଦିର ନିଷେଧ ଆଦେଶ , ତେଣୁ ସେ ବିଜେ ହେଲେ ଗୁମୁଟକୁ ଅଚ୍ଛବ ଓ ପାତକମାନଙ୍କୁ ଦର୍ଶନ ଦେବାପାଇଁ । ସିଂହଦ୍ୱାରରେ ପ୍ରଭୁଙ୍କ ଦ୍ଵାରପାଳ ଜୟ ବିଜୟ ରହିଛନ୍ତି । ଚାରି ହାତରେ ସେମାନେ ଶଙ୍ଖ , ଚକ୍ର , ଗଦା ଓ ଜପାମାଳ ଧରିଥାନ୍ତି । ବିଶାଳ ମନ୍ଦିର ସଦୃଶ ଏହି ଦ୍ବାରର ଦୁଇ ପାର୍ଶ୍ଵ କାନ୍ଥରେ ଦୁଇଟି ମୂର୍ତ୍ତି ରହିଛି । ପୁଣି ଦୁଇଟି ଆଠ ଫୁଟର ସ୍ତମ୍ଭ ଉପରେ ମଧ୍ୟ ଜୟ ବିଜୟ ମୂର୍ତ୍ତି ରହିଛନ୍ତି । ଦ୍ଵାର ଦେଶ ଉପରକୁ ରହିଛି ଦଶାବତାର ମୂର୍ତ୍ତି ଯେଉଁଥିରେ ଶ୍ରୀଜଗନ୍ନାଥ ହିଁ ନବମ ଅବତାର ଭାବରେ ଖୋଦିତ ହୋଇଛନ୍ତି ଏବଂ ଏହାର ଉପରକୁ ପଦ୍ମାସନରେ ଅଛନ୍ତି ମାଲକ୍ଷ୍ମୀ । ମୂର୍ତ୍ତିଗୁଡ଼ିକ ଶାଣ ପଥରରେ ନିର୍ମିତ । 
☸️☸️☸️☸️☸️☸️
*ପଶ୍ଚିମ ଦ୍ଵାର ବା ବାଘ ଦ୍ଵାର:*
☸️☸️☸️☸️☸️☸️
 କୁହାଯାଏ ଯେ , ଏହି ଦ୍ଵାର ସମୟକ୍ରମେ ନିବୁଜ ଥିଲା , ତାହା ମରହଟ୍ଟାମାନଙ୍କ ଦ୍ବାରା ଖୋଲାଯାଇଥିଲା । ଏହାର ଦୁଇଫାଳ କବାଟ କାଠରେ ତିଆରି । ଉଚ୍ଚତା ସତର ଫୁଟ । ଗୁମୁଟର ନିର୍ମାଣ ଅନ୍ୟାନ୍ୟ ଦ୍ଵାରର ଗୁମୁଟ ପରି କିନ୍ତୁ ଭିତର ନିରାଭରଣ । ମନ୍ଦିର ଭିତରକୁ ପ୍ରବେଶ କଲେ ଦ୍ଵାର ଦେଶରେ ଦେଖିବାକୁ ମିଳେ ପଥର ଖୋଦେଇ ନବଗ୍ରହ ଏବଂ ତା ’ ଉପରକୁ ନୃତ୍ୟରତ ଗଣେଶ ମୂର୍ତ୍ତି । ଭିତରବେଢ଼ାର ଗୁମୁଟ କାନ୍ଥରେ ପୂର୍ଣ୍ଣକୁମ୍ଭ ଓ ଶ୍ରୀକୃଷ୍ଣ ଲୀଳା ସଂକଳିତ ମୂର୍ତ୍ତି ଦେଖିବାକୁ ମିଳେ । ପଶ୍ଚିମ ଦ୍ଵାର ପ୍ରବେଶ ପଥର ଗୁମୁଟର ଓସାର ଷୋହଳ ଫୁଟ । ମେଘନାଦ ପାଚେରୀ ଓ କୃମ ପାଚେରୀ ମଧ୍ୟରେ ପୂର୍ବ , ଦକ୍ଷିଣ , ଉତ୍ତର ପାର୍ଶ୍ଵର ବ୍ୟବଧାନ ପ୍ରାୟ ସମାନ ଥିବା ବେଳେ ପଶ୍ଚିମ ଦ୍ଵାର ବ୍ୟବଧାନ ଯଥେଷ୍ଟ ଭାବେ କମ୍ । ପଶ୍ଚିମ ଦ୍ଵାରର ପ୍ରବେଶ ପରେ ଦକ୍ଷିଣ ପାର୍ଶ୍ବରେ ଭିତର ବେଢ଼ା ଓ ବାହାର ବେଢ଼ା ମଝିରେ ପ୍ରଭୁଙ୍କର ଉପବନ । ଏଠାରେ ମଲ୍ଲୀ , ଜୁଇ , ସେବତୀ , ରଜନୀଗନ୍ଧା ଇତ୍ୟାଦି ସୁବାସିତ କୁସୁମ ଉଦ୍ୟାନ ରହିଛି । ଫୁଲପ୍ରିୟ ତିନିଦିଅଁଙ୍କ ପାଇଁ ନିତି ଫୁଲ ବାହାରୁ ଆସିଥିବାବେଳେ ମନ୍ଦିରରେ ମଧ୍ୟ ଫୁଲ ବଗିଚା ରହିଛି । ଏହା ବୁଲି ଦେଖିବା ପାଇଁ ମଧ୍ୟ ଟିକଟ କରି ଅନୁମତି ଦିଆଯାଏ ।
☸️☸️☸️☸️☸️☸️
 *ଉତ୍ତର ଦ୍ଵାର ବା ଚେମେରି ଦ୍ଵାର ବା ହସ୍ତୀ ଦ୍ଵାର:*
☸️☸️☸️☸️☸️☸️
 ଏ ଦ୍ଵାରରେ ପ୍ରବେଶ ମାତ୍ରେ ଚେମେରିମାନଙ୍କର ଶବ୍ଦ ଓ କଟୁ ଗନ୍ଧ ଯାତ୍ରୀମାନଙ୍କୁ ବ୍ୟଥିତ କରେ । ଏ ଦ୍ଵାର ପ୍ରବେଶ ଦ୍ବାରରେ କୌଣସି ହସ୍ତୀ ନଥାଇ ମଧ୍ୟ ଏହା ହସ୍ତୀ ଦ୍ଵାର । ଗୁମୁଟ ଭିତର ନିରାଭରଣ । କିଛି ପଥ ଆଗେଇଲେ ଦକ୍ଷିଣରେ ପଡ଼େ ସୁନା କୂଅ ଓ ବାମରେ ଆନନ୍ଦବଜାରକୁ ରାସ୍ତା ଏବଂ ସାମ୍ନାରେ ଥିବା ବେଢ଼ାର ପ୍ରବେଶ ପଥରେ ଦୁଇଟି ହସ୍ତୀ ଭାସ୍କର୍ଯ୍ୟ । ପୃଷ୍ଠରେ ମାହୁନ୍ତ ଏବଂ ହାତୀ ଦ୍ବୟ ବିଶାଳ ଓ ସୁଶୋଭନ । ଉଚ୍ଚତା ଅନ୍ୟୁନ ଆଠ ଫୁଟ । ଗୁମୁଟର ଭିତର ପଟେ କୌଣସି ବିଶେଷ ମୂର୍ତ୍ତି ବା ଅଳଙ୍କରଣ ଅଭାବ ଥିଲେ ମଧ୍ୟ ଭିତର ଓ ବାହାରିପଟେ ନବଗ୍ରହ ଫଳକ କୃଷ୍ଣଙ୍କର ବଂଶୀ ବାଦନ ରୂପ । ପାର୍ଶ୍ଵରେ ତିନି ଅଭିସାରିକାର ଅଙ୍ଗ ଅବୟବ ଶାଳଭଞ୍ଜିକା ଅଳସା , ଦର୍ପଣୀ ପ୍ରଭୃତି ଶୋଭା ପାଉଛନ୍ତି । ଦୁଇ ବାହୁଧାରୀ ଝାଡ଼େଶ୍ଵରୀଙ୍କ ମୂର୍ତ୍ତି ପୂଜା ପାଆନ୍ତି । ସେ ଦୁର୍ଗାଙ୍କ ଦ୍ଵାର ସଂହିତା , ମହିଷାସୁର ସମରକାଳରେ ସୃଷ୍ଟି ହୋଇଥିବା ବହୁ ଶକ୍ତି ରୂପିଣୀ ନାରୀମାନଙ୍କ ମଧ୍ୟରୁ ଜଣେ । କୋଇଲି ବୈକୁଣ୍ଠ ପ୍ରଭୁଙ୍କର ଅନଲୀଳା କ୍ଷେତ୍ର ହେତୁ ଏଇ ଉତ୍ତର ଦ୍ଵାରରେ ଦକ୍ଷିଣରେ ଉପବନ ଶିଆଳି ଲତା ଭଣ୍ଡାରଘର ଏବଂ ବହୁ ଦେବଦେବୀ ମନ୍ଦିର ଅବସ୍ଥିତ । ପ୍ରଥମେ ଏହି ଦ୍ବାରର ଗୁରୁତ୍ଵ ଯଥେଷ୍ଟ ଥିଲା ବୋଲି ଅନୁମିତ ହୁଏ । ଶ୍ରୀମନ୍ଦିର ଆରମ୍ଭରେ ତୀର୍ଥଯାତ୍ରୀମାନେ ଏଇପଥରେ ମୁଖ୍ୟତଃ ପ୍ରବେଶ ଅଧିକାର ପାଇଥିଲେ । ଏତଦ୍‌ବ୍ୟତୀତ ଉତ୍ତରଦ୍ୱାରର ପାହାଚ ଅତିକ୍ରମ କରି ଭିତରବେଢ଼ା ପ୍ରବେଶ ପୂର୍ବରୁ ପୂର୍ବରେ ବିଜେ କରିଛନ୍ତି ପାତଳଫୁଟା ଐଶାନେଶ୍ବର ମହାଦେବ । ଏହାର ଅନେକ ପୌରାଣିକ ଭିତ୍ତିଭୂମି ରହିଛି । ବାଇଶିଟି ପାହାଚ ତଳେ ୨୫ ଫୁଟ ଗଭୀର ଭୂଗର୍ଭସ୍ଥ ଦେବାଳୟ ବିଷୟରେ ସାଧାରଣ ଯାତ୍ରୀମାନେ ଜାଣିପାରି ନଥାନ୍ତି । ଶ୍ରୀମନ୍ଦିରରେ ଏଇପରି ଅନେକ ମନ୍ଦିର ରହିଛି । ଏହି ମନ୍ଦିରରୁ ଗର୍ଭଗୃହକୁ ସୁଡ଼ଙ୍ଗ ରହିଛି । 
☸️☸️☸️☸️☸️☸️
*ଦକ୍ଷିଣ ଦ୍ଵାର ବା ଘୋଡ଼ା ଦ୍ଵାର:*
☸️☸️☸️☸️☸️☸️
 ଗୁମୁଟ ବା ମୁଖଶାଳାର ଉଚ୍ଚତା ୬୦ ଫୁଟ । ବେଶ୍ ମଜଭୂତ ଦରଜା କାଠରେ ତିଆରି । ଦରଜାର ଉଚ୍ଚତା ୨୫ ଫୁଟ । ଦୁଇ ଫାଳ ଦରଜାରେ ମଧ୍ୟ ଚୋରା କବାଟ ରହିଛି । ଗୋଲାକାର ବିରାଟ ବିରାଟ ପିତ୍ତଳଗୋବ ସବୁ ଲାଗି ଦରଜା ସୁନ୍ଦର ଦିଶେ । ଗୁମୁଟର ଓସାର ୪୦ ଫୁଟ । ଗୁମୁଟର ଉତ୍ତରପଟ କାନ୍ଥରେ ପ୍ରାୟ ଦଶ ଇଞ୍ଚ ଉଚ୍ଚ ମୁଗୁନିପଥରର ଗଣେଶ ମୂର୍ତ୍ତି ସ୍ଥାପନା ହୋଇଛନ୍ତି । ପଶ୍ଚିମପଟ କାନ୍ଥରେ ରହିଛି ଦୁଇ ଫୁଟ ଉଚ୍ଚର ହନୁମାନ ମୂର୍ତ୍ତି । ଉତ୍ତରପଟ କାନ୍ଥର ଶୀର୍ଷରେ ରହିଛି ଚୂନ ତିଆରି ନୀଳଚକ୍ର । ଉଭୟପଟ କାନ୍ଥରେ ନୀଳଚକ୍ର ଆକୃତିର ଦୁଇଟି ଶଙ୍ଖ ଏବଂ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳାର ବହୁ ଭାସ୍କର୍ଯ୍ୟ । ତିନି ଦିଅଁଙ୍କର ପହୁଡ଼ ପରେ ଅନ୍ୟାନ୍ୟ ଦ୍ଵାର ପରି ଦକ୍ଷିଣ ଦୁଆର ବନ୍ଦ ହୁଏ । ରାତି ଜଗୁଆଳି ଗୁମୁଟରେ ରହି ଦ୍ଵାର ଜଗେ । ଦ୍ଵାର ଖୋଲା ଥିବାବେଳେ ମଧ୍ୟ ଦ୍ବାରଦେଶରେ ଜଗୁଆଳି ରହିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଏହି ଦ୍ଵାର ସମ୍ମୁଖରେ ବିଶାଳଘୋଡ଼ା ଦ୍ବୟ ରେ ଯେଉଁ ବୀର ପୁଙ୍ଗବମାନେ ବସିଛନ୍ତି ସେମାନେ ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ବଳଭଦ୍ର । କେହି କେହି ଏହାଙ୍କୁ କଳି କାଳ ବୋଲି କହିଥାନ୍ତି । କାଞ୍ଚି ଅଭିଯାନ ପରେ ଏହି ମୂର୍ତ୍ତି ରହିଥିବାରୁ ଏହି ଦ୍ଵାରକୁ କାଞ୍ଚି ବିଜୟ ଦ୍ଵାର କୁହାଯାଏ । ମେଘନାଦ ପାଚେରୀର ଦକ୍ଷିଣ - ପଶ୍ଚିମ ପଟେ ଏକ ସବୁଦିନିଆ କାଠ ସିଡ଼ିର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ବେଢ଼ାରେ ଥିବା ବିମଳା ମାଆଙ୍କ ମନ୍ଦିରର ନୀତି ପାଇଁ ଏ ଦ୍ଵାର କାମରେ ଲାଗେ । ଦୁର୍ଗାପୂଜାରେ ସପ୍ତମୀ , ଅଷ୍ଟମୀ ଓ ନବମୀ ତିଥିରେ ଦୁଇଟି ଲେଖାଏଁ ଛାଗ ବଳି ଏଇ ପଥ ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥାଏ । ବିମଳା ମନ୍ଦିରରେ ବଳି ପ୍ରଥା କେବେଠାରୁ ଚାଲିଛି ସେ ପ୍ରଥାର ମୁକସାକ୍ଷୀ ଏଇ ଦକ୍ଷିଣ ପାର୍ଶ୍ୱର ସାଧାରଣରେ ସବୁରି - ଅଜ୍ଞାନ୍ତ ସିଢ଼ି ପଥ । ମେଘନାଦ ପାଚେରୀ ପରି ଆୟତ୍ତାକାର କ୍ଷେତ୍ର ହେଲା କୁର୍ମ ପାଚେରୀ । ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ମେଘନାଦ ପାଚେରୀରେ ଚାରିଟି ଦ୍ଵାରା ଥିଲାବେଳେ କୁର୍ମପାଚେରୀରେ ଛଅଟି ଦ୍ଵାର ରହିଛି । କୁର୍ମ ପାଚେରୀର ପୂର୍ବ - ପଶ୍ଚିମ ପଟ କାନ୍ଥର ଲମ୍ବ ୩୧୫ ଫୁଟ ଏବଂ ଉତ୍ତର ଦକ୍ଷିଣ ପଟ କାନ୍ଥ ୪୨୦ ଫୁଟ । କାନ୍ଥର ଓସାର ମଧ୍ୟ ଷୋଳଫୁଟ । ଏହାର ଆକୃତି ମେଘନାଦ ପ୍ରାଚୀର ପରି ପ୍ରାୟତଃ ସମାନ । ପ୍ରାଚୀରର ଉଚ୍ଚତା ପ୍ରାୟ ୨୦ ଫୁଟ । ମେଘନାଦ ପାଚେରୀ ଯେଉଁଠାରୁ ଆରମ୍ଭ ସେହି ପତ୍ତନରୁ ପ୍ରାୟ ୨୦ ଫୁଟ ଉଚ୍ଚରେ କୁର୍ମ ପାଚେରୀ ନିର୍ମିତ ହୋଇଛି । ଦୁଇ ପାଚେରୀମାନଙ୍କ ମଧ୍ୟରେ ଧାଡ଼ି ଧାଡ଼ି ପାହାଚ ରହିଛି । କାରଣ ମେଘନାଦ ପାଚେରୀ ନିକଟରୁ କୁର୍ମ ପାଚେରୀର ଦୂରତା ଯେତେ , ଉଚ୍ଚତା ମଧ୍ୟ ପ୍ରାୟ ସେତେ। ସାଧାରଣ ଭାବେ ସେବାୟତ ତଥା ବାସିନ୍ଦାମାନଙ୍କ ଚଳଣିରେ ମେଘନାଦ ପାଚେରୀଠାରୁ କୁର୍ମ ପାଚେରୀ ପର୍ଯ୍ୟନ୍ତ କ୍ଷେତ୍ରକୁ ବାହାରବେଢ଼ା ଏବଂ କୁର୍ମ ପାଚେରୀଠାରୁ ଶ୍ରୀମନ୍ଦିରର ପ୍ରଶସ୍ତ କ୍ଷେତ୍ରକୁ ଭିତର ବେଢ଼ା ବୋଲି କୁହାଯାଏ । ମେଘନାଦ ପାଚେରୀରେ ମନ୍ଦିର ପ୍ରବେଶ ପାଇଁ ଚାରୋଟି ଦ୍ଵାର ଥିଲାବେଳେ କୁର୍ମ ପାଚେରୀରେ ଯେଉଁ ଛଅଟି ଦ୍ଵାର ଅଛି ସେଗୁଡ଼ିକ ଭିତରେ ସିଂହଦ୍ଵାର ଟପି ପବିତ୍ର ବାଇଶି ପାହାଚ ଅତିକ୍ରମ କଲାପରେ ଯେଉଁ ଅତି କାରୁକାର୍ଯ୍ୟମୟ ଦ୍ଵାରଟି ପଡ଼େ ଏହା ଭିତର ବେଢ଼ା ପାଚେରୀର ସବୁଠୁଁ ଗୁରୁତ୍ଵପୂର୍ଣ୍ଣ ଦ୍ଵାର । ଏଇପଥ ଦେଇ ସାଧାରଣତଃ ପ୍ରତ୍ୟେକ ଭକ୍ତ ସାଧୁସନ୍ଥ ବ୍ୟାକୁଳ ଚିତ୍ତରେ ଶ୍ରୀମନ୍ଦିର ଭିତରବେଢ଼ାରେ ପ୍ରବେଶ କରି ବିଶ୍ୱ ନିୟନ୍ତାଙ୍କୁ ଦର୍ଶନ କରିଥାନ୍ତି । କଳାମୁଗୁନି ପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ ଏହି ଦ୍ଵାରକୁ ଭାସ୍କର୍ଯ୍ୟମୟ କରିଛି । ଏହାର ଉତ୍ତରପଟେ ଶୋଭା ପାଉଛି ଦୁଇଟି ବିରାଟକାୟ ସିଂହ । ସେଇ ପଥେ ଗଲେ ପଡ଼େ ପୃଥିବୀର ସର୍ବଶ୍ରେଷ୍ଠ ଖାଦ୍ୟ ଭଣ୍ଡାର ‘ ଆନନ୍ଦ ବଜାର ’ । ବାହାରବେଢ଼ାର ଚାରିଦ୍ଵାର ସହିତ ଭିତର ବେଢ଼ାର ଚାରିଦ୍ଵାର ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ନିର୍ମିତ ହୋଇଛି । ଉତ୍ତର ଦ୍ଵାରରେ ବିରାଟ ହସ୍ତୀ ଏବଂ ଅନ୍ୟାନ୍ୟ କାରୁକାର୍ଯ୍ୟ ଦେଖିବାକୁ ମିଳୁଥିବା ବେଳେ ଅନ୍ୟାନ୍ୟ ଦ୍ଵାରଗୁଡ଼ିକ ସାଧାସିଧା । ଏହି ଚାରିଦ୍ଵାର ପରେ ଭିତରବେଢ଼ା ପୂର୍ବପଟ କାନ୍ଥରେ ଦୁଇଟି ଦ୍ଵାର ରହିଛି । ଭିତର ବେଢ଼ାର ପୂର୍ବପଟ ପାଚେରୀର ଉତ୍ତରପାର୍ଶ୍ୱରେ ଥିବା ଦ୍ଵାରଟିରେ ଭକ୍ତଜନମାନେ ‘ ଆନନ୍ଦ ବଜାର ’ ମଧ୍ୟକୁ ପ୍ରବେଶ କରି ମହାଆନନ୍ଦରେ ମହାପ୍ରସାଦ ସେବନ କରିଥାନ୍ତି । ଦେବସ୍ନାନ ମଣ୍ଡପ ଏହି ଆନନ୍ଦବଜାରରେ ରହିଛି । ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁମାନେ ଏଇ ପଥରେ ଆସି ସ୍ନାନବେଦୀରେ ବସି ସ୍ନାନ କରିଥାନ୍ତି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବେଳେ ମଧ୍ୟ ଏଇପଥରେ ବାହାରି ସିଂହଦ୍ଵାର ଦେଇ ତିନିରଥରେ ବିଜେ କରିଥାନ୍ତି । ଭିତର ବେଢ଼ାରେ ଅନ୍ୟ ଗୋଟିଏ ଦ୍ଵାର ଅଛି । ଦକ୍ଷିଣ - ପୂର୍ବ ଅର୍ଥାତ୍ ଆଗ୍ନେୟ କୋଣରେ ଏହି ଦ୍ଵାର ବାଟେ ଶ୍ରୀଜୀଉଙ୍କର ରୋଷଶାଳାରୁ ପ୍ରସାଦ ରନ୍ଧନ ହୋଇ ସେବକମାନଙ୍କ ଦ୍ଵାରା ଶିକା ବାହୁଙ୍ଗୀରେ ବୁହାହୋଇ ଭୋଗଲାଗି ପାଇ ପୋଖରିଆ ଓ ଭଣ୍ଡାର ଘରକୁ ଆସିଥାଏ । ଏହି ଦ୍ଵାର ଦେଇ ସର୍ବସାଧାରଣଙ୍କର ପ୍ରବେଶ ଅଧିକାର ନାହିଁ । ରନ୍ଧନଶାଳା ବୁଲି ଦେଖିବା ପାଇଁ ଦକ୍ଷିଣପାର୍ଶ୍ଵ କୁର୍ମପାଚେରୀର ପୂର୍ବପଟକୁ ଟିକେଟ୍ କାଟି ପ୍ରବେଶ ସୁଯୋଗ ମିଳିଥାଏ ।

**

✿❁❣️༒ *ଜୟ ଜଗନ୍ନାଥ* ༒❣️❁✿
🙏🙏🙏🙏🙏🙏

Post a Comment

Previous Post Next Post