🍀🍀#ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍ 🍀🍀

#ମହାବେଦୀରେ_ନବଦିନାତ୍ମକ_ବ୍ରତପୂର୍ବକ_ଦର୍ଶନ_ଫଳ :-

                 #ଜୈମିନିରୁବାଚ 
ଅଶ୍ଵମେଧାଙ୍ଗସରସୋ ନୃସିଂହସ୍ୟ ଚ ଦକ୍ଷିଣେ । 
ତତ୍ରାସୀନଃ  ସ ଭଗବାନ୍ ପୁନଶ୍ଚାବତରନ୍ନିବ ।।୧ ।।
 ବଭାସେ ଦିବ୍ୟରୂପୋଽସୌ ଦୁର୍ବିଭାବ୍ୟଃ ସୁରାସୁରୈଃ ।
 ତଦା ପୂଜୋପହାରୈଶ୍ଚ ଭକ୍ଷ୍ୟଭୋଜ୍ୟାଦିକୈସ୍ତଥା ।।୨।।
 ପୂଜୟିତ୍ୱା ଜଗନ୍ନାଥଂ ତୋଷୟେଦ୍ ଗୀତନୃତ୍ୟକୈଃ ।
 ପୁଷ୍ପୋପହାରେବିବିଧୈଃ ସୁଗନ୍ଧିରନୁଲେପନୈଃ ।।୩।।
 କୃଷ୍ଣାଗୁରୁଜଧୂପୈଶ୍ଚ ଗନ୍ଧତୈଳପ୍ରଦୀପକୈଃ । 
 ତୋଷୟେଜଗତାଂ ନାଥମନେକୈରୁପହାରକୈଃ ।।୪ ।।

 ଶ୍ରୀଜୈମିନି କହିଲେ , – ହେ ମୁନିଗଣ ! ପୂର୍ବୋକ୍ତ ଅଶ୍ଵମେଧ ଯଜ୍ଞଜାତ ସରୋବର ଓ ନୃସିଂହଦେବଙ୍କ ଦକ୍ଷିଣଦିଗବର୍ତ୍ତୀ ସେହି ଗୁଣ୍ଡିଚା ମଣ୍ଡପରେ ସୁରାସୁରମାନଙ୍କ ଅଚିନ୍ତନୀୟ ମହିମାସମ୍ପନ୍ନ ଦିବ୍ୟରୂପୀ ଭଗବାନ ଆସୀନ ହେଲେ , ବୋଧହୁଏ ଯେପରି ସେ ପୁନର୍ବାର ଅବତୀର୍ଣ୍ଣ ହୋଇ ବିରାଜିତ ଅଛନ୍ତି । ସେହି ସମୟରେ ଭକ୍ଷ୍ୟଭୋଜ୍ୟାଦି ବିବିଧ ପୂଜାଉପହାର ଦ୍ଵାରା ଶ୍ରୀଜଗନ୍ନାଥଦେବଙ୍କୁ ଅର୍ଚ୍ଚନା ପୂର୍ବକ ନୃତ୍ୟଗୀତାଦିରେ ତାଙ୍କ ପ୍ରୀତି ସାଧନ କରିବେ । ନାନାଦି ପୁଷ୍ପୋପହାର , ସୁଗନ୍ଧି ଅନୁଲେପନ ଦ୍ରବ୍ୟ , କୃଷ୍ଣଗୁରୁ ପ୍ରଭୃତି ସୁଗନ୍ଧି ଦ୍ରବ୍ୟ ସମ୍ମତ ଧୂପାବଳୀ ଓ ଗନ୍ଧଯୁକ୍ତ ତୈଳର ଦୀପମାଳା ଏବଂ ଅନ୍ୟାନ୍ୟ ଦ୍ରବ୍ୟଦ୍ଵାରା ସେହି ଅଖିଳ ଜଗତର ଅଧିପତିଙ୍କୁ ସନ୍ତୁଷ୍ଟ କରିବେ । ୧-୪ ।

ବିନ୍ଦୁତୀର୍ଥତଟେ ତସ୍ମିନ୍ ସପ୍ତାହାନି ଜନାର୍ଦ୍ଦନଃ।
 ତିଷ୍ଠେତ୍ ପୁରା ସ୍ଵୟଂ ରାଜ୍ଞେ ବରମେତତ୍ସମାଦିଶତ୍ ।। ୫।।
 ତ୍ୱତ୍ତୀର୍ଥତୀରେ ରାଜେନ୍ଦ୍ର ସ୍ଥାସ୍ୟାମି ପ୍ରତିବତ୍ସରମ୍ । 
 ସର୍ବତୀର୍ଥାନି ତସ୍ମିଂଶ୍ଚ ସ୍ଥାସ୍ୟନ୍ତି ମୟି ତିଷ୍ଠତି ।। ୬ ।।

 ଏହି ବିନ୍ଦୁତୀର୍ଥତଟକୁ ଗମନପୂର୍ବକ ଭଗବାନ ଜନାର୍ଦ୍ଦନ ସପ୍ତଦିବସ ସେଠାରେ ଅବସ୍ଥାନ କରନ୍ତି । ପୂର୍ବକାଳରେ ସେ ( ଜଗନ୍ନାଥ ) ସ୍ଵୟଂ ନୃପତି ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ବର ଦେଇଥିଲେ ଯେ ହେ ରାଜେନ୍ଦ୍ର ! ମୁଁ ପ୍ରତିବର୍ଷ ସେହି ବିନ୍ଦୁତୀର୍ଥ ତୀରଭାଗରେ ସପ୍ତଦିନ ବ୍ୟାପୀ ଅବସ୍ଥାନ କରିବି । ମୋର ଅବସ୍ଥାନ ହେତୁ ସମସ୍ତ ତୀର୍ଥ ସେଠାରେ ଅବସ୍ଥାନ କରିବେ । ୫ - ୬ । 

ତତ୍ର ସ୍ନାତ୍ୱା ବିଧାନେନ ତୀର୍ଥେ ତୀର୍ଥୌଘପାବନେ ।
 ସପ୍ତାହଂ ଯେ ପ୍ରପଶ୍ୟନ୍ତି ଗୁଣ୍ଡିଚାମଣ୍ଡପେ ସ୍ଥିତମ୍ ।। ୭ ।।
ମାଂ ଚ ରାମଂ ସୁଭଦ୍ରାଞ୍ଚ ମତ୍ଽସାଯୁଜ୍ୟମବାପ୍ନୁୟୁଃ ।
 ତତସ୍ତସ୍ମିନ୍ମହାପୁଣ୍ୟେ ସର୍ବପାପପ୍ରଣାଶନେ ।।୮।।
 ସର୍ବତୀର୍ଥୈକଫଳଦେ ବିଷ୍ଣୁପ୍ରୀତିକରେ ଶୁଭେ । 
 ସ୍ନାତ୍ୱା ସନ୍ତର୍ପ୍ୟ ବିଧିବତ୍ ପିତୃନ୍ ଦେବାନତନ୍ଦ୍ରିତଃ ।।୯ ।।
 ତଟସ୍ଥଂ ନରସିଂହଂ ତଂ ପୂଜୟିତ୍ୱା ପ୍ରଣମ୍ୟ  ଚ । 
 ମହାବେଦୀଂ ନରୋ ଗତ୍ୱା କୃତଶୌଚାଚମକ୍ରିୟଃ ।। ୧୦ ।।
 ପୂଜୟେତ୍ ପୂର୍ବବତ୍ ବିପ୍ରାଃ ପ୍ରଣମେଦ୍ ବାଽପି ଭକ୍ତିତଃ ।
 ସପ୍ତାହଂ ଯୋ ନରୋ ନାରୀ ନ ସା ପ୍ରାକୃତମାନୁଷୀ II ୧୧ I।
 ବିଷ୍ଣୁସାଯୁଜ୍ୟମାପ୍ନୋତି  ଶାସନାନ୍ମୁରବୈରିଣଃ  । 
 ଦିବା ତଦ୍ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍ ।।୧୨ ।।

ସେହି ସମୟରେ ଯେଉଁସବୁ ମାନବଗଣ ଅଖିଳତୀର୍ଥ ମୁକୁଟମଣି ସେହି ଇନ୍ଦ୍ରଦ୍ୟୁମ୍ନ ସରୋବରରେ ଯଥାବିଧି ସ୍ନାନକରି ଗୁଣ୍ଡିଚାମଣ୍ଡପସ୍ଥିତ ମୋତେ(ଜଗନ୍ନାଥ) , ବଳରାମ ଓ ସୁଭଦ୍ରାଙ୍କୁ ସପ୍ତାହ ପର୍ଯ୍ୟନ୍ତ ଦର୍ଶନ କରିବେ , ସେମାନେ ମୋର ସାଯୁଜ୍ୟ ପ୍ରାପ୍ତ ହେବେ । ହେ ବିପ୍ରଗଣ ! ଅତଏବ ମାନବ ସର୍ବତୀର୍ଥ ଫଳପ୍ରଦ , ସର୍ବପାପ ପ୍ରଣାଶନ , ବିଷ୍ଣୁ ପ୍ରୀତିକର , ମହାପୁଣ୍ୟ ଜନକ ସେହି ତୀର୍ଥରେ ଅତନ୍ଦ୍ରିତ ( ଧୀର ) ଭାବରେ ଦେବତା ଓ ପିତୃଗଣଙ୍କ ଉଦ୍ଦେଶ୍ୟରେ ଯଥାବିଧି ତର୍ପଣାନ୍ତେ ତୀରବର୍ତ୍ତୀ ନୃସିଂହ ଦେବଙ୍କୁ ପୂଜା ଓ ପ୍ରଣାମ କରିବେ । ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ  ତାହାପରେ ଉକ୍ତ ଗୁଣ୍ଡିଚା ମଣ୍ଡପ ମହାବେଦୀକୁ ଗମନ କରି ଅନ୍ତଃଶୁଦ୍ଧି ନିମିତ୍ତ ଆଚମନ ପୂର୍ବକ ଭକ୍ତି ସହକାରେ ପୂଜା ଓ ପ୍ରଣାମ କରିବେ । କି ପୁରୁଷ କି ନାରୀ ଯେଉଁ ବ୍ୟକ୍ତି ସପ୍ତାହବ୍ୟାପି ଏହିପରି କରିପାରେ ସେ ପ୍ରାକୃତ ମନୁଷ୍ୟ ନୁହେଁ , ସେ ବ୍ୟକ୍ତି ନିଶ୍ଚୟ ଭଗବାନ ମୁରାରି ବିଷ୍ଣୁଙ୍କ ଆଦେଶ ଅନୁସାରେ ସାଯୁଜ୍ୟ ମୁକ୍ତିଲାଭ କରିଥାଏ । ଉକ୍ତ ମହାବେଦୀରେ ଭଗବାନଙ୍କୁ ଦିବାଭାଗରେ ଦର୍ଶନ କଲେ ଯେପରି ପୁଣ୍ୟ ହୁଏ , ରାତ୍ରକାଳରେ ଦର୍ଶନ କଲେ ତାହାର ଦଶଗୁଣ ପୁଣ୍ୟ ଜାଣିବେ ।। ୭ – ୧୨ ।।

 ଯତ୍କିଞ୍ଚିତ୍ କ୍ରିୟତେ କର୍ମ ସନ୍ନିଧୌ ଜଗଦୀଶିତୁଃ । 
ସ୍ଵଳ୍ପଂ ବାଽପ୍ୟଥବା ଭୂରି କୋଟିକୋଟିଗୁଣଂ ଭବେତ୍ ।।୧୩ ।।

 ଏହି ଜଗଦୀଶ୍ୱରଙ୍କ ନିକଟରେ ଯାହା କିଛି କରାଯାଏ , ତାହା ଅଳ୍ପ ହେଉ ବା ଅଧିକ ହେଉ , ତାହା କୋଟି କୋଟି ଗୁଣ ଅଧିକ ଫଳ ଜନକ ହୋଇଥାଏ । ୧୩ । 

ତୁଳାପୁରୁଷଦାନାନି ମହାଦାନାନି ଯୋ ଦଦେତ୍ ।
 ଏକେ ପ୍ରଦତ୍ତେ ଦାନେଽପି ସର୍ବଂ ଦତ୍ତଂ ଭବେଦ୍ଦ୍ୱିଜାଃ ।।୧୪ ।।

 ହେ ଦ୍ଵିଜଗଣ ! ଯେଉଁ ବ୍ୟକ୍ତି ଅସଂଖ୍ୟ ତୁଳାପୁରୁଷ ଦାନ ଓ ବହୁଳ ମହାଦାନ କରେ , ତାହାର ଯେ ପୁଣ୍ୟ କଥିତ ଅଛି , ଭଗବାନଙ୍କ ନିକଟରେ ତନ୍ମଧ୍ୟରୁ ଏକମାତ୍ର ଦାନ କଲେ ମଧ୍ୟ ସେହି ସମସ୍ତ ଦାନ କରାଗଲା ବୋଲି ବୁଝିବାକୁ ହେବ ।୧୪ ।

କ୍ରମଶଃ.......।

Post a Comment

Previous Post Next Post