🍀🌹🍀#ଶ୍ରୀ_ଗୁଣ୍ଡିଚା_ମନ୍ଦିର 🍀🌹🍀

ପ୍ରତିବର୍ଷ ନଅଦିନର ରଥଯାତ୍ରାରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଯିବା ଦିନ ଓ ଆସିବା ଦିନକୁ ବାଦ୍ ଦେଲେ, ମଝିରେ ସେମାନେ ସାତଦିନ ସେଠାରେ ରହନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି ତାକୁ ଆଡ଼ପମଣ୍ଡପ ବୋଲି କୁହାଯାଏ । ଏହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ, ଏହାକୁ ମହାବେଦୀ ବା ଯଜ୍ଞବେଦୀ ବୋଲି ମଧ୍ୟ କହାଯାଏ। ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୁଏ । ଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ ।
   କିଂବଦନ୍ତି ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ଥିଲା ‘ଗୁଣ୍ଡିଚା’ । ତାଙ୍କ ଅନୁସାରେ ‘ଗୁଣ୍ଡିଚା ମନ୍ଦିର’ର ନାମକରଣ ହୋଇଛି । କିନ୍ତୁ ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ଅନୁସାରେ, ଏହି ନାମକରଣ ରାଜା ଚୋଡ଼ଗଙ୍ଗ ଦେବଙ୍କ ରାଣୀ ‘ଗୁଣ୍ଡି-ଚୋଡ଼ି’ଙ୍କ ନାମ ଅନୁସାରେ ହୋଇଛି । ପୁରାଣ ମତରେ ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା । ଇତିହାସର ତଥ୍ୟ ଅନୁସାରେ ଚୋଡ଼ଗଙ୍ଗ ଦେବ ଏକାଦଶ-ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀ ରାଜା । ଏଣୁ କେଉଁ ରାଣୀଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମକରଣ ହୋଇଛି ସେ ନେଇ ସନ୍ଦେହ ସୃଷ୍ଟି ହୁଏ ।
  ‘ଦେଉଳତୋଳା’ କିଂବଦନ୍ତିକୁ ନେଇ ଯେଉଁସବୁ ପୋଥି ମିଳେ, ସେଥିରେ ‘ଗୁଣ୍ଡିଚା ରାଣୀ’ଙ୍କ କଥା ଅଛି । ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ । ‘ସ୍କନ୍ଦପୁରାଣ’ ଅନୁସାରେ, ଇନ୍ଦ୍ରଦ୍ୟୁମ୍ନ ଅବନ୍ତୀରୁ ଆସି ଓଡ଼୍ରଦେଶରେ ପହଞ୍ଚିବା ପରେ ଗୁଣ୍ଡିଚାମନ୍ଦିରଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ । ସେହି ଯଜ୍ଞ ଶେଷରେ ଭଗବାନ ବିଷ୍ଣୁ ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଥିଲେ, ସମୁଦ୍ରରେ ଏକ ଦିବ୍ୟଦାରୁ ଆବିର୍ଭୂତ ହେବେ । ସେଥିରେ ଦାରୁବ୍ରହ୍ମ ନିର୍ମିତ ହେବେ । କିନ୍ତୁ କିଂବଦନ୍ତି ଅନୁସାରେ, ସେଥିରେ ଗୋପନରେ ଦାରୁମୂର୍ତ୍ତି ଗଢା ହେବାବେଳେ ଭିତରୁ କୌଣସି ଶବ୍ଦ ନ ଶୁଭିବାରୁ ରାଣୀ ଗୁଣ୍ଡିଚା ଙ୍କ କଥାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ୱାର ଫିଟାଇଦେଲେ। ଫଳରେ ବିଗ୍ରହମାନେ ଅଧାଗଢା ହୋଇ ରହିଗଲେ, ଏହି କିମ୍ବଦନ୍ତୀ ଅନୁସାରେ ରାଣୀ ଗୁଣ୍ଡିଚା ହିଁ ରଥଯାତ୍ରାର ଆରମ୍ଭ କରିଥିଲେ, ତେଣୁ ଏହାର ନାମ ଶ୍ରୀଗୁଣ୍ଡିଚା ଯାତ୍ରା ହେଲା ଓ ମନ୍ଦିରର ନାମ ମଧ୍ୟ ଗୁଣ୍ଡିଚା ମନ୍ଦିର ରଖାଗଲା। 
ଏଠାରେ ଗୁଣ୍ଡିଚା ଓ ବାହୁଡ଼ାକୁ ଛାଡ଼ିଦେଲେ ଦିଅଁମାନେ ସର୍ବାଧିକ ସାତଦିନ ଅବସ୍ଥାନ କରନ୍ତି। ଏହି ମନ୍ଦିରର ରତ୍ନବେଦୀକୁ ଆଡ଼ପମଣ୍ଡପ କୁହାଯାଏ। ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ଦିନ ଏହି ଆଡ଼ପ ମଣ୍ଡପରେ ଦିଅଁଙ୍କୁ ଦର୍ଶନ କରି (ସନ୍ଧ୍ୟା ଦର୍ଶନ) ମହାପ୍ରସାଦ ସେବନ କଲେ ମହାପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ। ଏହି ମଣ୍ଡପକୁ ମଧ୍ୟ ରାସମଣ୍ଡପ ଓ ଗୁଣ୍ଡିଚାଘରକୁ ମହାପ୍ରଭୁଙ୍କ ରାସସ୍ଥଳୀ ମଧ୍ୟ କୁହାଯାଏ।

Post a Comment

Previous Post Next Post