#ଶ୍ରୀମନ୍ଦିରରେ_ନନ୍ଦୋତ୍ସବ ଓ #ଦୁର୍ଗାମାଧବ_ଜନ୍ମୋତ୍ସବ🌹🙏
ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ନୀତି ହୁଏ। ମଙ୍ଗଳ ଆଳତି ପରେ ରାମକୃଷ୍ଣ ଓ ମଦନମୋହନ ଜଗମୋହନରେ ଦୋଳାରେ ବସନ୍ତି। ସକାଳ ଧୂପ ସମାପ୍ତ ହେବା ପରେ ପାଣିପକା ଭୋଗ ହୁଏ। ଏହି ଦିନ ଭୋଗମଣ୍ଡପ ଘର ଓ ଶ୍ରୀଜୀଉଙ୍କ ମଧ୍ୟରେ ଦୋଳା ଥିବାରୁ ଭୋଗମଣ୍ଡପ ଭୋଗକୁ ପାଣିପକା ଭୋଗ କୁହାଯାଏ। ଏହା ପରେ ସଂପୃକ୍ତ ସେବକମାନଙ୍କ ଦ୍ଵାରା ମଇଲମ ,ମହାସ୍ନାନ ପୂଜା ଠା, ମହାସ୍ନାନ, ନୂଆ ଲୁଗା ଲାଗି ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାଇବେ। ଦିଅଁମାନେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହେବେ। ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଖଣ୍ଡିଏ ଲାଗି କରାଇ କର୍ପୂର ଲାଗି ପୁଷ୍ପାଳକ ସିଂହାସନରୁ ଓହ୍ଲାଇବେ। ସୁଭଦ୍ରା ଓ ଜଗନ୍ନାଥଙ୍କ ବାଡ଼ରେ ଷଷ୍ଠୀ ଓ ମାର୍କଣ୍ଡି ପୂଜା ହୁଏ। ଏହା ପରେ ମଧ୍ୟାହ୍ନ ଧୂପର ଛେକ ରୋଷଘରୁ ଘଣ୍ଟ, ଛତା ଓ କାହାଳୀ ସହ ତଳୁଚ୍ଛ ଓ ପ୍ରଧାନୀଙ୍କ ହାତ ପୈଠ ହୋଇ ଆସିବେ। ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପୂଜା କରିବେ। ଧୂପ ଶେଷ ପରେ ଧୋପଖାଳ ହେବ। ପଣ୍ଡା, ପତି ଓ ମୁଦିରସ୍ତ ଆସି ଜଗନ୍ନାଥଙ୍କବାଡ଼ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବେ ଓ ତିନିବାଡ଼ରେ ବନ୍ଦାପନା କରିବେ। ଏହାପରେ ଭଣ୍ଡାର ଘରୁ ଦୁର୍ଗା ମୂର୍ତ୍ତିଙ୍କୁ ପତି ମହାପାତ୍ର ବିଜେ କରାଇନେଲେ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ପୂଜାପଣ୍ଡା ଆଜ୍ଞାମାଳ ଦିଅନ୍ତି। ପତି ମହାପାତ୍ର ଏହାପରେ ଦୁର୍ଗାଙ୍କୁ ହାତରେ ବିଜେ କରାଇ ଆଣି ଜଗମୋହନର ଦୋଳି ଆଗରେ ଖଟୁଲି ଉପରେ ବିଜେ କରାଇବେ। ଏଠାରେ ମହାସ୍ନାନ ଓ ଶୀତଳ ଭୋଗ ହେବା ପରେ ବନ୍ଦାପନା ହୋଇ ଦୁର୍ଗାଙ୍କୁ ସାତ ପାହଚ ଦ୍ଵାରଠାରେ ଡମ୍ବରୁ ଉପରେ ବିଜେ କରାଯାଏ। ଏ ସମୟରେ ବିଜୁଳି କନ୍ୟାକୁ ଧରି ଫୋପାଡ଼ି ଦିଅନ୍ତି। ଏଠାରେ ଦେବୀଙ୍କର କର୍ପୂର ଆଳତି ହୋଇ ତାଙ୍କୁ ଭଣ୍ଡାରକୁ ବାହୁଡ଼ା ବିଜେ କରାଯାଏ। 
        ଏହା ପରେ ଦୋଳିରେ ବସିଥିବା ରାମକୃଷ୍ଣ ଓ ମଦନମୋହନଙ୍କୁ ଖଟ ଉପରେ ବିଜେ କରାଯାଏ। ଏଠାରେ ମାଜଣା ଓ ମାଳଫୁଲ ଲାଗି ପରେ ଦିଅଁଙ୍କୁ ସାତ ପାହଚ ଦ୍ଵାରଠାରେ ପାଲିଙ୍କିରେ  ବସାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରକୁ ବିଜେ କରାଯାଏ। ଏ ଉତ୍ତାରୁ ଭିତରଚ୍ଛ ମହାପାତ୍ର (ନନ୍ଦ ରାଜା)ରୂପରେ ରାଜାଙ୍କ ନଅରକୁ ଯାଇ ଫେରିଆସି ସ୍ନାନ ମଣ୍ଡପରେ ବସିବେ। ତାଟ ଲେଙ୍କା ଗୋଟିଏ ଦୁହାଁଳୀଆ ଗାଈ ଲକ୍ଷ୍ମୀ ମନ୍ଦିର ପାଖକୁ ଆଣନ୍ତି। ଭରତିଆ ଗୌଡ଼ ପୁତ୍ରଜନ୍ମ ସୁସମ୍ବାଦ ନନ୍ଦରାଜାଙ୍କୁ (ଭିତରଚ୍ଛଙ୍କୁ)  ଦେବ ଓ ନନ୍ଦରାଜାଙ୍କ ଲୁଗା ଫେରକୁ ଟାଣି ଟାଣି ଲକ୍ଷ୍ମୀଙ୍କ ମନ୍ଦିରଠାକୁ ନେବ। ଏଠାରେ ନନ୍ଦ ରାଜା ଗୋଦୋହନ କରିବେ। ରୂପା ପିଙ୍ଗଣରେ ଦିଅଁମାନଙ୍କୁ ଦୁଧ ସମର୍ପଣ ଓ ପ୍ରସାଦ ଲାଗି କରାଯାଏ। ରାଶିକୋରା ମଣୋହୀ କରାଯାଏ ଓ ବନ୍ଦାପନା କରାଯାଏ। ନନ୍ଦରାଜା ପୁତ୍ରମାନଙ୍କୁ ଧରି ଜଗମୋହନର ଦୋଳାରେ ବିଜେ କରାଇବା ପରେ ରାମକୃଷ୍ଣ ଓ ମଦନମୋହନଙ୍କୁ ଦକ୍ଷିଣଘରକୁ ବାହୁଡ଼ାବିଜେ କରନ୍ତି ଓ ନନ୍ଦୋତ୍ସବ ଶେଷ ହୁଏ। 
ଏହାପରେ ଭିତର ଠାକୁରମାନଙ୍କର ଅନ୍ୟାନ୍ୟ ନୀତି ବିଧି ଅନୁସାରେ ହୁଏ। 
🙏🙏ଜୟ ଜଗନ୍ନାଥ ମହାପ୍ରଭୁ 🙏🙏

Post a Comment

Previous Post Next Post