.
*❀❣️ଜନ୍ମାଷ୍ଟମୀ  ଏବଂ ୫୬ ଭୋଗ ପରମ୍ପରା❣️❀*


ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ ।

ପୃଥିବୀ ପୃଷ୍ଠରୁ ପାପର ଭାରକୁ କମାଇବା ଲାଗି ଏବଂ ସାଧୁସନ୍ଥ, ମୁନିଋଷିଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ଧାରଣ କରିଥିଲେ ଶ୍ରୀକୃଷ୍ଣଙ୍କ ଅବତାର । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ଏହାକୁ ପାଳନ କରୁଥିବାବେଳେ ଉତ୍ତର ଭାରତରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଏ । ଦ୍ୱାପରରେ ଆଡ଼ମ୍ବରର ସହକାରେ ଏହାକୁ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ପାଳମ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ବିଶେଷ କରି ଦହିହାଣ୍ଡି ଭଙ୍ଗାର ଆୟୋଜନ କରାଯାଇଥାଏ।

*▪️କେମିତି ପାଳନ ହୁଏ ଜନ୍ମାଷ୍ଟମୀ?*

ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଏହି ଦିନରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାବେଳେ ସିଂହ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି ।

*▪️ରାତି ଅଧରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ।*

ଅଧ ରାତିରେ ପ୍ରଭୁ ଜନ୍ମ ଗ୍ରହଣ କରୁଥିବାରୁ ରାତି ତମାମ ହରିନାମ ସଂକୀର୍ତ୍ତନ କରିଥାଆନ୍ତି ଭକ୍ତ। ଠିକ୍‌ ମଧ୍ୟ ରାତ୍ରୀରେ ଜନ୍ମ ନେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ।

ଅଷ୍ଟମୀ ତିଥିରେ ପ୍ରଭୁ ଜନ୍ମ ନେଇଥିବାରୁ ତାହାକୁ ଜନ୍ମାଷ୍ଟମୀ ବୋଲି କୁହାଯାଏ । ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ । ‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଫଳ ପ୍ରାପ୍ତି ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

*୫୬ ଭୋଗ ପରମ୍ପରା :-*

ଭଗବାନ ଶ୍ରୀକୃଷ୍ଣଙ୍କ ମାତା ଯଶୋଦା ଦିନକୁ ୮ଥର ରୋଷେଇ କରି ନିଜ ହାତରେ ତାଙ୍କୁ ଖୁଆଇ ଦେଉଥିଲେ। ଥରେ ବୃନ୍ଦାବନବାସୀ ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରିବାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଏହା ଦେଖି ଶ୍ରୀକୃଷ୍ଣ ନନ୍ଦରାଜାଙ୍କୁ ପଚାରିଥିଲେ ଯେ ଏସବୁ କଣ ପାଇଁ କରାଯାଇଛି। ସେ ଉତ୍ତର ଦେଇଥିଲେ ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରିବାକୁ କରାଯାଇଛି ଯେପରି ସେ ପ୍ରସନ୍ନ ହୋଇ ବର୍ଷା କରାଇବେ ଓ ଭଲ ଫସଲ ହେବ। ସେତେବେଳେ ଶ୍ରୀକୃଷ୍ଣ ବୁଝି ପାରିନଥିଲେ ଯେ ଇନ୍ଦ୍ରଦେବଙ୍କ କାମ ବର୍ଷା କରାଇବା ତାହେଲେ ତାଙ୍କୁ ପୂଜା କାହିଁକି କରାଯିବ। ଯଦି ପୂଜା କରାଯିବ ତାହେଲେ ଗୋବର୍ଦ୍ଧନ ପର୍ବତକୁ କରିବା ଉଚିତ। କାରଣ ଏଠାରୁ ପନିପରିବା-ଫଳ ଆଦି ମିଳିଥାଏ ଓ ପଶୁଙ୍କୁ ଚାରା ମଧ୍ୟ ମିଳିଥାଏ। ବୃନ୍ଦାବନବାସୀଙ୍କୁ ଶ୍ରୀକୃଷ୍ଣଙ୍କ କଥା ଠିକ ଲାଗିଲା ଓ ସେମାନେ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ଆରମ୍ଭ କଲେ।

ବୃନ୍ଦାବନବାସୀଙ୍କ ପୂଜା ଦେଖି ଇନ୍ଦ୍ରଦେବ ରାଗି ଗଲେ ଓ ପ୍ରବଳ ବର୍ଷା କରାଇଲେ। ଚାରିଆଡେ କେବଳ ପାଣି। ଗ୍ରାମବାସୀଙ୍କୁ ଏହି କୋପରୁ ବଞ୍ଚାଇବାକୁ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ ଆଙ୍ଗୁଠିରେ ଟେକି ଧରିଥିଲେ ଓ ଗ୍ରାମବାସୀଙ୍କୁ ରକ୍ଷା କରିଥିଲେ। ଭଗବାନ ଶ୍ରୀକୃଷ୍ଣ ୭ ଦିନ ଯାଏଁ ନିଜ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଟେକି ଧରିଥିଲେ ଓ ୭ ଦିନ ଯାଏଁ କିଛି ଭୋଜନ ଗ୍ରହଣ କରିନଥିଲେ। ଅଷ୍ଟମ ଦିନ ବର୍ଷା ଛାଡିବା ପରେ ସେ ଗ୍ରାମବାସୀଙ୍କୁ ଗୋବର୍ଦ୍ଧନ ପର୍ବତରୁ ବାହାର କରିଥିଲେ। ୭ ଦିନ ଯାଏଁ ଭୋଜନ ନ କରିଥିବାରୁ ମାତା ଯଶୋଦା ଓ ବୃନ୍ଦାବନବାସୀ ମିଶି ଶ୍ରୀକୃଷ୍ଣଙ୍କ ପାଇଁ ବ୍ୟଞ୍ଜନ ବ୍ୟବସ୍ଥା କଲେ। ଯେହେତୁ ଯଶୋଦା ଶ୍ରୀକୃଷ୍ଣଙ୍କୁ ଦିନକୁ ୮ଥର ଖୁଆଉଥିଲେ ସେଥିପାଇଁ ୭ ଦିନ ଯାଏଁ କିଛି ନ ଖାଇଥିବାରୁ ତାଙ୍କୁ ୫୬ ପ୍ରକାର ବ୍ୟଞ୍ଜନ ରୋଷେଇ କରି ଖୁଏଇଥିଲେ। ଏଥିରେ ସେସବୁ ବ୍ୟଞ୍ଜନ ସାମିଲ ଥିଲା ଯାହା ଶ୍ରୀକୃଷ୍ଣଙ୍କୁ ବହୁତ ପସନ୍ଦ।

ସେବେଠାରୁ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇବାକୁ ୫୬ ପ୍ରକାର ଭୋଗ କରିବାର ପରମ୍ପରା ଚାଲି ଆସିଛି। ଏଥିରେ ୨୦ ପ୍ରକାର ମିଠା, ୧୬ ପ୍ରକାର ନମକିନ ଓ ୨୦ ପ୍ରକାର ଡ୍ରାଏ ଫ୍ରୁଟ୍ସ ଆଦି ରହିଛି। ଏଥିରେ ଲହୁଣୀ, ମିଶ୍ରି, ଲଡୁ, ବାଦାମ କ୍ଷୀର, ରସଗୋଲା, ମଠରୀ, ରାବଡୀ, ଜିଲାପି, ଟିକ୍କି, ମାଲପୁଆ, ମୁଗ ଡାଲି ହାଲୁଆ, ଦହି, ଖେଚେଡ଼ି, ଅନ୍ନ, ଡାଲି, ଘେବର, କଢି, ଚିଲା, ଲାଉ ତରକାରୀ, ବାଇଗଣ ତରକାରୀ, ମୁକାବ୍ବା ଆଦି ରହିଛି। ତାଛଡା ପାମ୍ପଡ, ଚଟଣି, ମୋହନଭୋଗ, ଶାଗ, ପକୁଡି ମଧ୍ୟ ରହିଛି।


✿❁❣️༒ *ଜୟ ଶ୍ରୀ କୃଷ୍ଣ* ༒❣️❁✿

Post a Comment

Previous Post Next Post