ଆଜି ଶ୍ରୀମନ୍ଦିର ରେ କୋଳିବିକା ନୀତି : 
ପରମ୍ପରା ଅନୁଯାୟୀ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶ୍ରୀ ଜୀଉମାନଙ୍କର  'ବଣ ଭୋଜି ବେଶ" ନୀତି ଅନୁଷ୍ଠିତ ହୋଇଥାଏ। ଉକ୍ତ ବେଶ ସମ୍ପର୍କରେ ଉଲ୍ଲେଖ ଅଛି ଯେ , ଏହି ଦିନ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥାଏ। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଥାନ୍ତି। ପୂଜାପଣ୍ଡା ଆସି ବଡ଼ବାଡ଼ ରୁ ରାମ ଙ୍କୁ ଓ ମହାପ୍ରଭୁଙ୍କ ବାଡ଼ରୁ କୃଷ୍ଣ ଙ୍କୁ ଆଜ୍ଞା ମାଳ ଦେଲା ପରେ ମହାଜନ ସେବକ ଙ୍କ ହାତରେ ବିଜେ ହୋଇ ରାମ କୃଷ୍ଣ ବଟ ଦ୍ୱାର ଠି ଥିବା ପାଲିଙ୍କିରେ ବିଜେ ହୁଅନ୍ତି। ବିମାନବଡୁ ସେବକ ବଡ଼ ଛତା ମଠ ପାର୍ଶ୍ୱରେ ଥିବା ଏକ କାଷ୍ଠ ନିର୍ମିତ ସିଂହାସନ ରେ ବିଜେ କରନ୍ତି। ଏହି ଠାରେ ଜଣେ ଲୋକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକିଥାଏ। 
     "ପାଣିର ଫଳ ସିଙ୍ଗଡାରେ କୋଳି ଖାଇବ ଆସ ହେ ପୁଏ " 
ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ନେଇ ରୂପା ପିଙ୍ଗଣ ରେ ରଖି ତାହାକୁ ସମର୍ପଣ କରି ଥାନ୍ତି ଓ ପୂଜାପଣ୍ଡା ସେଠାରେ ଶୀତଳଭୋଗ ଓ ଭିତ୍ତରଛ ମହାପାତ୍ର ବନ୍ଦାପନା କରିଥାନ୍ତି। ଏହାପରେ ଠାକୁର ବାହୁଡା ବିଜେ ହୋଇ ଜଗମୋହନ ରେ ଥିବା ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି ।

Post a Comment

Previous Post Next Post