ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବଣଭୋଜି ବେଶ 
          =================
ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ଓ ବାତ୍ସଲ୍ୟ ଲୀଳା ଅତୀବ ଆନନ୍ଦଦାୟୀ l ଗୋକୁଳରେ ଏହା ଦର୍ଶନ କରି ଗୋପୀ ଗୋପାଳ ମାନେ ଉଲ୍ଲସିତ ହୋଇ ଉଠୁଥିଲେ l ବୃନ୍ଦାରଣ୍ୟରେ ଗୋପବାଳକଙ୍କ ସହ ବାଛୁରୀ ଚରାଇବା,କୋଳି ତୋଳିଖାଇବା,ଲଉଡ଼ି ଖେଳ ଆଦି ଦେଖିଲେ ଶ୍ରୀକୃଷ୍ଣ,ସ୍ୱୟଂ ଭଗବାନ,  ଏହା କେହି ବିଶ୍ୱାସ କରୁ ନଥିଲେ l କୃଷ୍ଣଙ୍କ କୁନି କୁନି ପାଦରେ ଘୁଙ୍ଗୁର,ହାତରେ ମୁରଲୀ,ଶିରରେ ମୟୁର ଚନ୍ଦ୍ରିକା,ଅଣ୍ଟାରେ ଅଣ୍ଟାସୁତା,ଗଳାରେ ବନ ମାଳ ଇତ୍ୟାଦି ଭୂଷଣ ହୋଇ ପ୍ରଭୁ ବୃନ୍ଦାବନରେ ବାଛୁରୀ ଚରାଉଥିବା ଦୃଶ୍ୟ ଦେବତାମାନଙ୍କୁ ମଧ୍ୟ ଉଲ୍ଲସିତ କରୁଥିଲା l 
ଏକଦା ସୃଷ୍ଟି କର୍ତ୍ତା ବ୍ରହ୍ମା ଏ ଲୀଳା ଦେଖିବା ପାଇଁ ବୃନ୍ଦାବନରେ ପହଞ୍ଚିଲେ lଗୋପାଳ ବାଳକମାନେ ଘରୁ ନେଇଥିବା ଦଧିଅନ୍ନ ପରସ୍ପର ମଧ୍ୟରେ ଛଡ଼ା ଛଡି ହୋଇ ଖାଉଥାନ୍ତି l ପରସ୍ପର ମଧ୍ୟରେ ଖେଳ କୌତୁକ ମାଧ୍ୟମରେ ଆମୋଦପ୍ରମୋଦ କରୁଥାନ୍ତିl ଏହା ଶୂନ୍ୟମାର୍ଗରେ ଥାଇ ବ୍ରହ୍ମା ଦେଖିଲେ l ତାଙ୍କ  ମନରେ ସନ୍ଦେହ ହେଲା,"ଇଏ ତ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା l ଦେଵଗଣଙ୍କ ପ୍ରାର୍ଥନାରେ କଂସର ନିଧନ ପାଇଁ ଅବତାର ନେଇଛନ୍ତି l ପୁଣି ଏହି ଗୋପାଳ ବାଳକ ମାନଙ୍କ ସହ ଏସବୁ କି ଲୀଳା କରୁଛନ୍ତି l ପୁଣି ସେମାନଙ୍କର ଊଛୀସ୍ଟ ଭୋଜନ କରୁଛନ୍ତି l"  ଏହାକୁ ପରୀକ୍ଷା କରିବାପାଇଁ ତାଙ୍କ ମନରେ ବଡ଼  ଉତ୍କଣ୍ଠା ଜାତହେଲା l ଶ୍ରୀକୃଷ୍ଣ, ବାଳକ ମାନଙ୍କ ସହ ଖେଳୁଥିଲା ବେଳେ ବାଛୁରୀମାନେ ଜଙ୍ଗଲ ଭିତରକୁ କିଛି ଦୂର ଚାଲି ଯାଇଥିଲେ l ଏହାର ସୁଯୋଗ ନେଇ ବ୍ରହ୍ମା ବତ୍ସାମାନଙ୍କୁ ହରଣ କରି ନେଇ ନିଜର କମଣ୍ଡଳୁ ଭିତରେ ରଖି ନେଲେ l କୃଷ୍ଣ ସାଥୀ ମାନଙ୍କୁ ଛାଡ଼ି ବାଛୁରୀ ଖୋଜିବାକୁ ଜଙ୍ଗଲ ମଧ୍ୟକୁ ଚାଲି ଯାଇ ଥିଲେ l ବାଛୁରୀ ନ ପାଇ ଫେରି ଆସି ଦେଖନ୍ତି ତ ସାଥି ଗୋପାଳ ବାଳକମାନେ ଆଉ ନାହାଁନ୍ତି l ସେମାନଙ୍କୁ ମଧ୍ୟ ବ୍ରହ୍ମା ହରଣ କରି ନେଇଥିଲେ l 
ଶ୍ରୀକୃଷ୍ଣ ବ୍ରହ୍ମାଙ୍କର ଏହା କାରସାଦି ବୋଲି ଜାଣି ପାରିଲେ l ତାଙ୍କ ସହ ସକାଳେ ଯେତିକି ଗୋପ ବାଳକ ଓ ବାଛୁରୀ ଆସିଥିଲେ ସେ ତାହା ମାୟା ବଳରେ ସୃଷ୍ଟି କଲେ l ଗୋଧୂଳି ବେଳା ହେବାରୁ  ସମସ୍ତେ ସବୁଦିନପରି ଗୋକୁଳକୁ ଫେରିଗଲେ l ଏହି ବାଳକ ଓ ବାଛୁରୀ ମାନେ, ମାୟା ପ୍ରସୂତ,  ଏକଥା ଗୋପୀ ଗୋପାଳ କେହି ଜାଣି ପାରିଲେ ନାହିଁ l
ଏଭଳି ପ୍ରାୟ ବର୍ଷେ ପାଖାପାଖି ଚାଲିଲା l ପ୍ରକୃତ ବାଳକ ମାନେ ଓ ବାଛୁରୀ ମାନେ ଥାନ୍ତି ବ୍ରହ୍ମାଙ୍କ ପାଖରେ l ବର୍ଷକ ପରେ ବ୍ରହ୍ମା ଆସି ଦେଖନ୍ତି ତ କୃଷ୍ଣଙ୍କ ବାଲ୍ୟ ଲୀଳା ପୂର୍ବବତ ଚାଲିଛି l ବ୍ରହ୍ମାଙ୍କ ଭ୍ରମ ଭଗ୍ନ ହେଲା l ପ୍ରକୃତ ବତ୍ସା ବାଳକ ମାନଙ୍କୁ ନେଇ ସେ କୃଷ୍ଣଙ୍କୁ ସମର୍ପଣ କରି କହିଲେ, ହେ ପ୍ରଭୁ ମୋର ଭୁଲ ହୋଇ ଯାଇଛି l ମୁଁ ଆପଣଙ୍କୁ ପରୀକ୍ଷା କରିବାକୁ ଯାଇ ନିଜେ ଏ ପରୀକ୍ଷାରେ ହାରି ଯାଇଛି l ଆପଣ ନିର୍ଗୁଣରୁ ସଗୁଣ,ସଗୁଣରୁ ନିର୍ଗୁଣ ହୋଇ ପାରନ୍ତି,ଏ ବିଷୟରେ ଯେଉଁ ଦ୍ୱନ୍ଦ୍ୱ ମୋ ଭିତରେ ଥିଲା ତାହା ଦୂର ହୋଇ ଯାଇଛି l ଆପଣ ଏ ଅଧମକୁ କ୍ଷମା କରନ୍ତୁ l ମୋର ଏହି ହୀନ କାର୍ଯ୍ୟ କେବଳ,"ତଣ୍ତୁଳ ଆଶେ ଚଷୁ କୁଟି l ଯେହ୍ନେ ମରନ୍ତି ପ୍ରାଣୀ ଫୁଟି " ସହ ସମାନ l ତୋ ଗୁଣ ବର୍ଣ୍ଣିବାକୁ ସଂସାରରେ କିଏ ସମର୍ଥ ହେବ l
        ନିର୍ଗୁଣ ଆତ୍ମା ଗୁଣ ବନ୍ତ l 
        ତୋର ମହିମା ଗୋପୀନାଥ ll
        ବ୍ରହ୍ମାଣ୍ତେ ଦେହବନ୍ତ ହୋଇ l 
        ତୋ ଗୁଣ କେ ପାରିବ କହି ll
        ଭୂମିରେ ଯେତେ ରେଣୁଛନ୍ତି l 
        ଆକାଶେ ଯେତେ ତାରାପନ୍ତି ll
        ବରଷା ଧାରା ପଡ଼େ ଯେତେ l
        କେ ଗଣିପାରେ ଏ ଜଗତେ ll
ମୋର ଅଜ୍ଞାନ ପଣରେ ମୁଁ ଆପଣଙ୍କୁ ଭଣ୍ଡିବାପାଇଁ  ଚେଷ୍ଟା କଲି l ଆପଣ ମାୟାବୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଏହା ଜାଣି ସୁଦ୍ଧା ମୁଁ ଆପଣଙ୍କ ସହ ହଟ କଲି l
        ଅଜ୍ଞାନ ପଣ ଦେଖ ମୋର l
        ତୋତେ ଭଣ୍ତିଲି ମାୟାଧର ll
        ମାୟାବୀ ମାନଙ୍କର ଶ୍ରେଷ୍ଠ l 
        ତୋ ସଙ୍ଗେ କଲି ମାୟା ହଟ ll
ବ୍ରହ୍ମା ପରିଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଦୋଷ କ୍ଷମା କରିବା ପାଇଁ ପ୍ରାର୍ଥନା କଲେ l ତାଙ୍କ ପ୍ରାର୍ଥନା ଭାଗବତ ଭାଷାରେ :-
          ବ୍ରହ୍ମା ବୋଲି ମୁଁ ବହି ଗର୍ବ l
          ତୋତେ ଭଣ୍ଡିଲି ପଦ୍ମନାଭ ll
          ଏଣୁ ହୋଇଲି ଅପରାଧୀ l
           ହେ ନାଥ କରୁଣା ବାରିଧି ll
           ଏ ଅପରାଧ କ୍ଷମା କର l
           ହେ ନାଥ ଶରଣ ତୋହର ll
ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ବାଲ୍ୟଲୀଳା କଥାବସ୍ତୁ ଆଧାରରେ ଶ୍ରୀକ୍ଷେତ୍ର  ଶ୍ରୀମନ୍ଦିରରେ ଭାଦ୍ରବ କୃଷ୍ଣ ନବମୀରେ ଅନୁଷ୍ଠିତ ହୁଏ ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥଙ୍କର ମନଲୋଭା ବଣଭୋଜି ବେଶ l ଆଜି ହେଉଛି ସେହି ତିଥି l
                     🙏🙏🙏
                         ଅର୍ଜୁନୀ 
                ------------------------
ଅର୍ଜୁନୀ ଚରଣ ବେହେରା 

Post a Comment

Previous Post Next Post