*ଅଣୁରେ ସକ୍ରିୟ ପରମାତ୍ମ ସତ୍ତା*
ଭୌତିକତାବାଦ ଆପଣାର ଭୋଗବାଦୀ ପଦ୍ଧତିରେ  ଈଶ୍ବରଙ୍କୁ ବାଧା ଭାବରେ ବିଚାରି ତାଙ୍କୁ ସର୍ବଥା ଅସ୍ବୀକାର କରି ଆସିଛି । ନିଜ ସପକ୍ଷରେ ତର୍କ ଏବଂ ପ୍ରମାଣ ଯୋଗାଡ଼ କରିବା ପାଇଁ ବିଜ୍ଞାନରୂପୀ ଆଶାବାଡ଼ିର ସାହାଯ୍ୟ ନେଇଛି । ବୈଜ୍ଞାନିକମାନଙ୍କର ମସ୍ତିଷ୍କ ଅପରିପକ୍ଵ ରହିଥିବା ପର୍ଯ୍ୟନ୍ତ ଏହି ସାହାଯ୍ୟ ରହିଥିଲା । ସେମାନଙ୍କ ବିଚାରର ଅପରିପକ୍ଵତା ଯୋଗୁଁ ମନରେ ଏଇ ଭାବ ଜନ୍ମ ନେଇଥିଲା ଯେ, ପ୍ରକୃତି ସ୍ଵୟଂଚାଳିତ । ତା’ର କୌଣସି ସ୍ରଷ୍ଟା ବା ସଞ୍ଚାଳକ ନାହାନ୍ତି। ଏଥିରେ କର୍ତ୍ତା ରୂପରେ ଈଶ୍ବର ହେଉଛି ଏକ ଆରୋପିତ ନାମ l ଈଶ୍ଵର ବୋଲି କେବେ କୌଣସି ସତ୍ତାର ଅସ୍ତିତ୍ଵ ନ ଥିଲା କିମ୍ବା ବିଶ୍ବବ୍ରହ୍ମାଣ୍ଡ ସହିତ ଏଭଳି ଗତିବିଧି ର କୌଣସି ସମ୍ବନ୍ଧ ନାହିଁ ।

ନିକଟ ଅତୀତରେ ବୈଜ୍ଞାନିକ କ୍ଷେତ୍ରରେ  ହୋଇଥିବା ଅନୁସନ୍ଧାନ ଏ ସମ୍ବନ୍ଧରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଛି। ଏ ସମ୍ପର୍କରେ ପାର୍ଟିକଲ ଫିଜିକ୍‌ସ୍‌ରେ ହାଇଜନ ବର୍ଗର ‘ଅନିଶ୍ଚିତତାର ସିଦ୍ଧାନ୍ତ’’ ବହୁଚର୍ଚ୍ଚିତ ହୋଇଅଛି। ଏଇ ସିଦ୍ଧାନ୍ତ ଅନୁଯାୟୀ ଗୋଟିଏ ସମୟରେ ଗୋଟିଏ ପ୍ରକାରର ଅଣୁ କିପରି ବ୍ୟବହାର କରିବ, ସେ କଥା ଜାଣି ହେବ ନାହିଁ। ଅଣୁବିଶେଷର ଗତି ଏବଂ ପରିସ୍ଥିତି ସମ୍ବନ୍ଧରେ କିଛି ହେଲେ କହି ପାରିବା ସମ୍ଭବପର ନୁହେଁ। କେବଳ ଅନୁମାନ ମାତ୍ର କରା ଯାଇ ପାରେ ଏବଂ କୌଣସି ଅନୁମାନ ଠିକ୍ ହେବାର ନିଶ୍ଚିତତା ମଧ୍ୟ ନାହିଁ। କେଉଁ ପରିସ୍ଥିତିରେ କେଉଁ ଅଣୁ କିପରି ବ୍ୟବହାର କରୁଛି, ଏ ସମ୍ବନ୍ଧରେ ଅନେକ ପରୀକ୍ଷା କରା ଯାଇଛି। ଏକପ୍ରକାର ପରିସ୍ଥିତିରେ ଏକ ପ୍ରକାର ପ୍ରକ୍ରିୟା ଦ୍ବାରା ଗୋଟିଏ ପ୍ରକାର ଅଣୁର ହଜାର ଥର ଅଧ୍ୟୟନ କରା ଯାଇଛି। କିନ୍ତୁ ପ୍ରତ୍ୟେକଅଣୁର ବ୍ୟବହାର ପ୍ରତ୍ୟେକ ଥର ଅନୁମାନରୁ ଭିନ୍ନ ହେବାର ଜାଣି ଆଶ୍ଚର୍ଯ୍ୟ ଲାଗିଛି । ଏହାକୁ ଆଧାର କରି ଘୋଷଣା କରିବାକୁ ହୋଇଛି ଯେ ପଦାର୍ଥର ଯେଉଁ ପରିଭାଷା କରା ଯାଉଛି, ଏ ଜଗତରେ ସେପରି କୌଣସି ପଦାର୍ଥ ନାହିଁ। ଅନ୍ୟ ଭାଷାରେ ପଦାର୍ଥ ମରିଗଲାଣି ବୋଲି ଘୋଷଣା କରା ଯାଇଛି। ପୂର୍ବରୁ ନାସ୍ତିକବାଦୀ ମାନଙ୍କ ମଧ୍ୟରେ ଅଗ୍ରଣୀ ଥିବା ଫ୍ରେଡ୍‌ରିକ୍ ନୀତସେ ‘‘ଈଶ୍ବର ମରିଗଲେଣି’’ ବୋଲି ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ବିଜ୍ଞାନକୁ ଘୋଷଣା କରିବାକୁ ପଡ଼ୁଛି ଯେ, ‘‘ପଦାର୍ଥ ମରିଗଲାଣି।’’ ପଦାର୍ଥ ବିଜ୍ଞାନର ବାହାରେ ଏକ ବିଶାଳ, ଦୁରୂହ ଏବଂ ଅଜ୍ଞାତ କ୍ଷେତ୍ର ରହି ଯାଇଛି ବୋଲି ବୈଜ୍ଞାନିକମାନଙ୍କୁ ସ୍ଵୀକାର କରିବାକୁ ପଡ଼ୁଛି। ଏହି କ୍ଷେତ୍ରର ଅନ୍ଵେଷଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉପାୟ ମିଳି ନାହିଁ । କିନ୍ତୁ ଏହି କ୍ଷେତ୍ର ହେଉଛି ବିଜ୍ଞାନର ସବୁ ଜ୍ଞାତ ଧାରାର ମୂଳ ସ୍ରୋତ ଏବଂ ନିୟନ୍ତ୍ରଣ କର୍ତ୍ତାବୈଜ୍ଞାନିକ ମେକ ବ୍ରାଇଟ୍ କହନ୍ତି ଯେ, ବିଶ୍ଵରେ ପରୋକ୍ଷରେ ଏପରି କୌଣସି ଚେତନସତ୍ତା ରହିଥିବାର ପୂର୍ଣ୍ଣ ସମ୍ଭାବନା ରହିଛି। ସେହି ଚେତନସତ୍ତା ହେଉଛି ଜ୍ଞାନଯୁକ୍ତ ଏବଂ ଇଚ୍ଛାଯୁକ୍ତ। ତା’ ଯୋଗୁଁ ହିଁ ବିଶ୍ବର ଗତିବିଧି ସଂଚାଳିତ ହେଉଛି। ଡ଼.ମୋର୍ଣ୍ଣେଲଙ୍କ ମତ ଅନୁସାରେ ଅଣୁ ଏବଂ ପଦାର୍ଥର ସୂକ୍ଷ୍ମତମ କଣର ଏହି ବିଚିତ୍ର ବ୍ୟବହାର ପ୍ରମାଣିତ ହୁଏ ଯେ, ଏପରି କୌଣସି ଚେତନ ଶକ୍ତି ଅବଶ୍ୟ ରହିଛି, ଯାହାର ପ୍ରଭାବ ଦ୍ଵାରା ହିଁ ଅଣୁ ଅଥବା କଣର ସ୍ଵଭାବ ଧରି ହୋଇପାରେ ନାହିଁ ବା ବୁଝି ହୁଏ ନାହିଁ ।

ବିଜ୍ଞାନବିଦ୍‌ମାନଙ୍କ ପାଇଁ ଅବିଜ୍ଞେୟ ସତ୍ତା ହିଁ ଋଷିମାନଙ୍କ ଦ୍ଵାରା ପରମାତ୍ମ ଚେତନା ରୂପେ ଅବଗତ ହୋଇଛି। ସେହିଚେତନାରୁ ଏହି ବିଶ୍ଵର ଉତ୍ପତ୍ତି l ତାହାରି ସତ୍ତାରେ ସ୍ଥିତ ଏବଂ ସେଥିରେ ହିଁ ବିଲୟ  ପ୍ରାପ୍ତ ହୁଏ । ସୃଷ୍ଟିର ପ୍ରତ୍ୟେକ କଳାକୃତିରେ  ଓତପ୍ରୋତ ହୋଇଥିବା ସେହି ପରମପ୍ରଭୁ ହେଉଛନ୍ତି ଜଡ଼ ଚେତନର ସଂପୂର୍ଣ୍ଣ ସକ୍ରିୟତାର ଆଧାର। ପରମାତ୍ମାଙ୍କଠାରୁ କେହି ଭିନ୍ନ ନୁହନ୍ତି କିମ୍ବା ପରମାତ୍ମା କାହାରିଠାରୁ ପୃଥକ୍ ନୁହନ୍ତି।

ବ୍ୟକ୍ତ ହୋଇ ପାରୁଥିବା ପବନ, ଅଗ୍ନି, ଜଳ, ମୃତ୍ତିକା ଏବଂ ଅବ୍ୟକ୍ତ ଆକାଶ ରୂପ ଦ୍ଵାରା ବିଶ୍ଵ ବିନିର୍ମିତ ହୋଇ ଅଛି। ଏ ସମସ୍ତ ପଦାର୍ଥ ହେଉଛନ୍ତି ଜଡ଼ ଏବଂ ନିର୍ଜୀବ। କିନ୍ତୁ ଏମାନଙ୍କଠାରେ ଏକ ଜୀବନ, ଏକପ୍ରକାର ସକ୍ରିୟତା, ସଜୀବତା ଦୃଶ୍ୟମାନ ହୋଇଥାଏ। ଏଇଥିରୁ ହିଁ ଈଶ୍ୱରୀୟ ଚେତନା ଶକ୍ତିର ଉପସ୍ଥିତିର ଅନୁମାନ ସହଜରେ କରା ଯାଇ ପାରେ। ବାୟୁର ଗତିଶୀଳତା, ଅଗ୍ନିର ତେଜସ୍ମିତା, ଜଳର ତରଳତା, ମୃତ୍ତିକାର ଉର୍ବରତାର ଗୁଣ ଏହି ସର୍ବଶକ୍ତିମାନ ପରମାତ୍ମାଙ୍କଠାରୁ ହିଁ ସମ୍ଭବ ହୋଇଛି। ଅନ୍ୟଥା କୌଣସି ଜଡ଼ ବା ନିର୍ଜୀବ ପଦାର୍ଥଠାରେ ସକ୍ରିୟତାର ସମ୍ଭାବନା କାହିଁ ? ଅଣୁ, ଅଥବା ଚେତନଶୀଳ ପ୍ରାଣ ରୂପେ ବିଦ୍ୟମାନ ପରମାତ୍ମାଙ୍କର ଶକ୍ତି ଏହି ପଦାର୍ଥମାନଙ୍କଠାରୁ ତିରୋହିତହୋଇଗଲେ ସେପରି ଅବସ୍ଥାରେ ଯେ କୌଣସି ପଦାର୍ଥ ମଧ୍ୟ ସକ୍ରିୟତାର ପ୍ରମାଣ ଦେଇ ପାରିବ ନାହିଁ।

ସୃଷ୍ଟିର କୌଣସି ପଦାର୍ଥରେ ନିଜସ୍ଵ କ୍ଷମତା ବା ଗୁଣ ନାହିଁ। କେବଳ, ଚେତନ ସ୍ବରୂପ ପରମାତ୍ମାଙ୍କର ଚମତ୍କାର ହିଁ ପ୍ରତ୍ୟେକ ଅଣୁ ଗୁଣ ଏବଂ ସକ୍ରିୟତା ରୂପେ ଦୃଷ୍ଟିଗୋଚର ହୋଇଥାଏ। ଏପରି ସର୍ବବ୍ୟାପକ, ସର୍ବସମର୍ଥ ଚେତନଶକ୍ତିଙ୍କର ଅସ୍ତିତ୍ଵକୁ ଅସ୍ବୀକାର କରିବାର ଅର୍ଥ ହେଉଛି ନିଜର ଅଜ୍ଞାନତାର ପରିଚୟ ଦେବା l

Post a Comment

Previous Post Next Post