#ଶ୍ରୀବଳଭଦ୍ର #ହରିହରବେଶ #
ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ #ହରିହରବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର।

 କାର୍ତ୍ତିକ ମାସରେ ହେଉଥିବା ନିତ୍ୟା ରାଧାଦାମୋଦର ବେଶ ଭଳି ପାଖାପାଖି ଦିଶୁଥିବା ଏହି ବେଶରେ ବସ୍ତ୍ର ଭୂଷଣରେ ସମ୍ୟକ ପରିବର୍ତ୍ତନ ଦେଖିବାକୁ ମିଳେ। କାର୍ତ୍ତିକ ଅମାବାସ୍ୟା ବା ଦୀପାବଳୀଠାରୁ ପୂର୍ଣ୍ଣିମା ମଧ୍ୟରେ ପଡୁଥିବା ଗୋଟିଏ ନିର୍ଦ୍ଧାରୀତ ସୋମବାର ଦିନ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବଳଭଦ୍ରଙ୍କ ବିଗ୍ରହକୁ ଅଧା ଧଳା ଓ ଅଧା କଳା ବସ୍ତ୍ରରେ ବେଶ କରାଯାଏ। 

ଓଡ଼ିଆ ପାରମ୍ପରାରେ ଧବଳ ବର୍ଣ୍ଣ ହେଉଛି ଶଙ୍କର ଶିବଙ୍କର ପ୍ରତୀକ ଓ କୃଷ୍ଣ ବା କଳା ବର୍ଣ୍ଣ ହେଉଛି ଭଗବାନ ବିଷ୍ଣୁଙ୍କ ପ୍ରତୀକ। ଏଣୁ ଏହି ଦୁଇ ରଙ୍ଗକୁ ହରିହର ବେଶରେ ବ୍ୟବହାର କରାଯାଏ। ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ପରମ୍ପରାରେ ବାସୁଦେବ ମନ୍ତ୍ରରେ ପୂଜିତ ବଳଭଦ୍ର ମହାପ୍ରଭୁଙ୍କ ଏହି ବେଶ ସମୟରେ ଶ୍ରୀକଣ୍ଠ ନ୍ୟାସ କରାଯାଇଥାଏ। ଯାହା ଭଗବାନ ଶିବଙ୍କ ନ୍ୟାସ ଅଟେ।

ହରି ଓ ହର ଅଭିନ୍ନ ଓ ଏକାତ୍ମ । ଆଉ ଏଇ ୨ ଭାବାବଲମ୍ବିଙ୍କ ପାଇଁ ଠିଆ ହୋଇଛି ଜଗନ୍ନାଥ ସଂସ୍କୃତି । ତାହା ପ୍ରମାଣିକ କରିବାକୁ ସମ୍ଭବତଃ ଏହି ବେଶର ସୃଷ୍ଟି। ଚତୁଃମାସ୍ୟ ବ୍ରତ ଉଦଯାପନ ପୂର୍ବରୁ ଯେଭଳି ବିଷ୍ଣୁଙ୍କ ପାଇଁ ବଡ଼ ଏକାଦଶୀ(ହରି ଉତ୍ଥାପନ) ଓ ଶିବଙ୍କ ପାଇଁ ବଡଓଷା (ଶିବଚତୁର୍ଦ୍ଦଶୀ) ନିର୍ଦ୍ଧାରୀତ ହୋଇଛି, ସେହିଭଳି ଦୁହିଁଙ୍କୁ ରତ୍ନସିଂହାସନରେ ଏକତ୍ର ଉପାସନାର ଆଧାର ଦେବାକୁ ହରିହର ବେଶ ପରିକଳ୍ପିତ ହୋଇଛି ବୋଲି କୁହାଯାଇପାରେ।

©️ମିହିର

ଫୋଟୋ : ଇଣ୍ଟରନେଟ

Post a Comment

Previous Post Next Post