#ନବାଙ୍କ ବେଶ
ନବାଙ୍କ ବେଶ :- ଶ୍ରୀମନ୍ଦିର ରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ମହାପ୍ରଭୁ ଙ୍କ ନବାଙ୍କ ବେଢ଼ା ଓ ଫୁଲ ମେଲାଣି ନୀତି ଅନ୍ୟତମ l ଏହା ମକର ସଂକ୍ରାନ୍ତି ପୂର୍ବ ଦିନ ପାଳିତ ହୋଇଥାଏ l ଏହି ଦିନ ଶ୍ରୀମନ୍ଦିର ରେ ଫୁଲ ମେଲାଣ ଉତ୍ସବ ମଧ୍ୟ ପାଳିତ ହୋଇଥାଏ l ମାଳି ମାନେ ମାଳଚୁଳ ଇତ୍ୟାଦି ତଳୁଛ ମହାପାତ୍ର ଙ୍କ ସହ ଘଣ୍ଟ, ଛତ୍ର ଓ କାହାଳୀ ସହ ଶ୍ରୀମନ୍ଦିର କୁ ଏକ ବାର ପ୍ରଦକ୍ଷିଣ କରି ପାଳିଆ ଖୁଣ୍ଟିଆ ଙ୍କୁ ପ୍ରଦାନ କରିଥାନ୍ତି l ଏହି ମାଳଚୁଳ ସବୁ କୁ ସନ୍ଧ୍ୟା ଆଳତି ବେଶ ରେ ମହାପ୍ରଭୁ ଙ୍କୁ ଲାଗି ହୋଇଥାଏ l ତତ୍ପରେ ସନ୍ଧ୍ୟା ଧୂପ, ଜୟ ମଙ୍ଗଳ ଆଳତି ଓ ଚନ୍ଦନ ଲାଗି ନୀତି ବଢିବା ପରେ ଭୋଗମଣ୍ଡପ ଘରେ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ହେବା ପରେ କୋଠସୁଆଁଶିଆ ଦେଇଥିବା ଭଦ୍ରାସନ ଉପରେ ପାଳିଆ ପୂଜା ପଣ୍ଡା ମୁରୁଜ ରେ ମଣ୍ଡଳ କାଟିବା ପରେ ପର୍ବଯୋଗାଣୀୟା ଦେଇଥିବା ୩ ଗୋଟି ବାଉଁଶିଆ ରେ ଚାଉଳ ପୁରାଇ ତାହା ଉପରେ ରଖିଥାନ୍ତି l ତତ୍ପରେ ପୂଜା ପଣ୍ଡା ଚେମେଡ଼ି, ପତନୀ ଓ ଗନ୍ଧ ପୁଷ୍ପ ଦେଇ ଅଧିବାସ କର୍ମ ସମ୍ପନ୍ନ କରନ୍ତି l ଏହା ପରେ ଭୋଗମଣ୍ଡପ ଘର ବନ୍ଧ ହୋଇ ମୁଦ ଦିଆଯାଏ l ତତ୍ପରେ ମହାପ୍ରଭୁ ଙ୍କୁ ବଡ଼ସିଂହାର ବେଶ ରେ ସୁସଜ୍ଜିତ କରାଯାଇଥାଏ l ଏହା ସହ ସୋଲ ର ହଳ ମୁଶଳ ଓ ଶଙ୍ଖା ଚକ୍ର ଓ ମକର କୁଣ୍ଡଳ ଲାଗି ହୋଇଥାଏ l ଏହା ସହ ଶ୍ରୀ ବିଗ୍ରହ ମାନଙ୍କୁ ଅଜ୍ଞାମାଳ ମଧ୍ୟ ଲାଗି ହୋଇଥାଏ l ବଡ଼ସିଂହାର ଭୋଗ ବଢ଼ିସାରିଲେ ଶ୍ରୀ ମଦନମୋହନ ରତ୍ନସିଂହାସନ କୁ ବିଜେ କରି ଆଜ୍ଞାମାଳ ପାଇବା ପରେ ସିଂହାସନ କୁ ସାଢେ ଚାରି ଥର ପରିକ୍ରମା କରି ବଟ ମୂଳ ରେ ଥିବା ସୁସଜ୍ଜିତ ବିମାନ ରେ ବିଜେ କରି ଘଣ୍ଟ, ଛତା ଓ କାହାଳୀ ସହ ଶ୍ରୀମନ୍ଦିର କୁ ସାଢେ ଚାରି ଥର ପରିକ୍ରମା କରିବା ପରେ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରନ୍ତି l ସେଠାରେ ତାଙ୍କୁ ପ୍ରସାଦ ଲାଗି ଓ ବନ୍ଦାପନା ହେବା ପରେ ସେ ଦକ୍ଷିଣୀ ଘରକୁ ବାହୁଡ଼ା ବିଜେ କରିଥାନ୍ତି l ତତ୍ପରେ ମହାପ୍ରଭୁ ଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଥାଏ l 🙏🏻❤🙏🏻

Post a Comment

Previous Post Next Post